ସିମ୍‌ ସ୍ୱାଇପ ଫ୍ରଡ ପ୍ରତି ସାବଧାନ ରୁହନ୍ତୁ, ନ ହେଲେ ହୋଇଯିବେ ଠକାମିର ଶିକାର!

ଅନ୍‌ଲାଇନ୍‌ ଜରିଆରେ ଲୋକମାନେ ଠକାମିର ଶିକାର ହେବା ଘଟଣା ଦେଶରେ ଦିନକୁ ଦିନ ବଢ଼ିଚାଲିଛି। ଏଥିପାଇଁ ହ୍ୟାକରମାନେ ନୂଆ ନୂଆ କୌଶଳମାନ ଆପଣାଇବାରେ ଲାଗିଛନ୍ତି। ଏବେ ପୁଣି ହ୍ୟାକରମାନେ ଲୋକମାନଙ୍କୁ ଠକିବା ପାଇଁ ସିମ୍‌ ସ୍ୱାଇପ ପ୍ରଣାଳିକୁ ବ୍ୟବହାର କରୁଛନ୍ତି। ଏହି ସିମ୍‌ ସ୍ୱାଇପ୍‌ ଜରିଆରେ ହ୍ୟାକରମାନେ ଲୋକମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଲୁଟ୍‌ କରିବାରେ ଲାଗିଛନ୍ତି।

ମୋବାଇଲ କିମ୍ବା ଇଣ୍ଟରନେଟରେ ଧୋକା ଏବଂ ଅନଲାଇନରେ ଲୋକମାନଙ୍କୁ ଠକାମିରେ ପକାଇବା ଭଳି ଅନେକ ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ତେଣୁ ଅପରିଚିତ ନମ୍ବରରୁ କଲ ଆସିଲେ ସାବଧାନ ରୁହନ୍ତୁ। ଖାସ କରି ସେହି ସମୟରେ ସଚେତନ ରହିବା ଦରକାର ଯେତେବେଳେ ଆପଣଙ୍କୁ କୌଣସି ଅପରିଚିତ ବ୍ୟକ୍ତି ଫୋନ ମାଧ୍ୟମରେ ଆପଣଙ୍କ ପରିଚୟ କିମ୍ବା ଆପଣଙ୍କୁ ମେସେଜ ଦ୍ୱାରା ପଠାଇଥିବା ଓପିଟି ନମ୍ବର ମାଗେ।

ପୂର୍ବରୁ ଅନଲାଇନରେ ଫ୍ରଡ ଏବଂ ହ୍ୟାକିଂ କାରବାର ଆମେରିକାରେ ହେଉଥିଲା। କିନ୍ତୁ ଏବେ ଏହା ଭାରତରେ ଧିରେ ଧିରେ ବ୍ୟାପିବାକୁ ଲାଗିଛି। ଆମେରିକାର ଟ୍ରେଡ ଫାୟାର କମିଶନଙ୍କ କହିବା ମୁତାବକ ୨୦୧୩ରେ ସିମ ସ୍ୱଇପ ଜରିଆରେ ୧,୦୩୮ଟି ଚୋରି ରିପୋର୍ଟ ଥାନାରେ ଦାଖଲ କରାଯାଇଥିଲା। ପରେ ୨୦୧୬ ମସିହା ବେଳକୁ ଏହା ଧିରେ ଧିରେ ବଢି ୨,୬୫୮ରେ ପହଞ୍ଚିଯାଇଥିଲା।

ସୂଚନା ଅନୁଯାୟୀ, ଗତ କିଛିଦିନ ତଳେ ହାଇଦ୍ରାବାଦ ପୁଲିସ ପାଖକୁ ଏକ ଫୋନ ହ୍ୟାକ ହେବାର ଅଭିଯୋଗ ଆସିଥିଲା। ପୁଲିସ ପୀଡିତକୁ ପଚାରିବାରୁ ଯୁବକ ଜଣକ କହିଥିଲେ, ପ୍ରଥମେ ତାଙ୍କୁ ଏକ କଲ ଆସିଥିଲା। ପରେ ହ୍ୟାକର ମୋବାଇଲରେ ଭଲ ନେଟୱର୍କ ଆସିବାର ପ୍ରଲୋଭନ ଦେଖାଇ ଯୁବକଙ୍କୁ ମୋବାଇଲରେ । ଦବାଇବାକୁ କହିଥିଲେ। ଯୁବକ ମଧ୍ୟ ହ୍ୟାକର କଥା ମାନି ୧ ଦବାଇ ଦେଇଥିଲେ। ୧ ଦବାଇବାର କିଛି ସମୟ ପରେ ଯୁବକ ଦେଖିବାକୁ ପାଇଥିଲେ ତାଙ୍କ ମୋବାଇଲରୁ ସବୁ ଡାଟା ହ୍ୟାକ ହୋଇଯାଇଛି। ଯେଉଁଥିରେ ତାଙ୍କର ଆକାଉଣ୍ଟ ନମ୍ବର ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଦସ୍ତାବିଜ ରହିଥିଲା। ମୋବାଇଲ ହ୍ୟାକ ହେବା କ୍ଷଣି ଯୁବକ ନିଜ ଆକାଉଣ୍ଟ ଚେକ କରିବା ପାଇଁ ଏଟିଏମରେ ପହଞ୍ଚିଥିଲେ। ସେଠାରେ ଦେଖିବାକୁ ପାଇଥିଲେ ତାଙ୍କ ଆକାଉଣ୍ଟରେ ଗୋଟିଏବି ଟଙ୍କା ନାହିଁ।

ପୁଲିସଙ୍କ କହିବା ଅନୁସାରେ, ଏହିଭଳି ଅନେକ ଘଟଣା ସମ୍ନାକୁ ଆସୁଛି। ୟୁଜର୍ସ ମାନଙ୍କୁ ଭଲ ନେଟୱର୍କ ଏବଂ ଅନ୍ୟାନ୍ୟ ଲୋଭନୀୟ ଅଫର ଦେଇ ଲୋକମାନଙ୍କ ମୋବାଇଲ ହ୍ୟାକ କରି ବ୍ୟାଙ୍କ ଆକାଉଣ୍ଟକୁ ହ୍ୟାକରମାନେ ଲୁଟି ଚାଲିଛନ୍ତି। ତେଣୁ ଯଦି ଆପଣଙ୍କ ପାଖକୁ ଏପରି କିଛି କଲ କିମ୍ବା ମେସେଜ ଆସେ ତେବେ ଏହାଠାରୁ ଦୁରେଇ ରହିବା ସହିତ ତୁରନ୍ତ ପୁଲିସଙ୍କୁ ଖବର କରିବା ଉଚିତ।

ସମ୍ବନ୍ଧିତ ଖବର