ସ୍ମାର୍ଟଫୋନ୍‌ ଜରିଆରେ ଏବେ ୧୨ଟି ସଂକ୍ରାମକ ରୋଗର ଚିହ୍ନଟ ହୋଇପାରିବ!

ସ୍ମାର୍ଟଫୋନ ବର୍ତ୍ତମାନ ମଣିଷ ଜୀବନକୁ ଏତେ ପ୍ରଭାବିତ କରିଛି ଯେ, ଯାହାକୁ ଛାଡ଼ି ରହିବା ମଣିଷ ପକ୍ଷରେ ଅସମ୍ଭବ ହୋଇପଡୁଛି। ସ୍ମାର୍ଟଫୋନ ଦ୍ୱାରା ମଣିଷ ଘରେ ବସି ଛୋଟରୁ ବଡ଼ ପର୍ଯ୍ୟନ୍ତ ବହୁ କାମ କରିପାରୁଛି। ଘରେ ବସି ଟଙ୍କା ଦେଣଦେଣ ଠାରୁ ଆରମ୍ଭ କରି ସପିଂ ଆଦି କରିପାରୁଛି। ଖାଲି ସେତିକି ନୁହେଁ ଆଜିକାଲି କିଛି ସ୍ମାର୍ଟଫୋନରେ ଏପରି ଜ୍ଞାନକୌଶଳ ବାହାରିଲାଣି ଯେ, ଯାହା ଜରିଆରେ ଆପଣ ରକ୍ତଚାପ ମଧ୍ୟ ପରୀକ୍ଷା କରିପାରିବେ। ନିଜର ହୃଦସ୍ପନ୍ଦନ ଉପରେ ମଧ୍ୟ ନଜର ରଖିପାରିବେ। ଏପରିକି ନିଜର ଷ୍ଟ୍ରେସ୍‌ ଲେବଲ ମଧ୍ୟ ଚେକ୍‌ କରିପାରିବେ।

କିନ୍ତୁ ସ୍ମାର୍ଟଫୋନକୁ ନେଇ ଏବେ ଅନେକ ସୁବିଧା ଉପଲବ୍ଧ ହେଲାଣି, ଯାହା ଆପଣ ଜାଣିନଥିବେ। ବ୍ୟାକ୍ଟେରିଆ ଓ ଭାଇରସ ସଂକ୍ରମଣ ହେବାର ଆଶଙ୍କାରେ ଆମେ ଲ୍ୟାବ ଯାଇ ରକ୍ତ ପରୀକ୍ଷା କରାଇଥାଉ। ଅନେକ ଥର ରିପୋର୍ଟ ଆସୁ ଆସୁ ବିଳମ୍ବ ହୋଇଯାଏ। ବୈଜ୍ଞାନିକମାନେ ଏହି ସମସ୍ୟାର ସମାଧାନ ପାଇଁ ଏବେ ସ୍ମାର୍ଟଫୋନକୁ ହିଁ ଲ୍ୟାବରେ ପରିବର୍ତ୍ତନ କରିଦେଇଛନ୍ତି। ଏହି ଲ୍ୟାବକୁ ଆମେ ମନଇଚ୍ଛା ସ୍ଥାନାନ୍ତର କରିପାରିବା। ଏହାଦ୍ୱାରା ସଂକ୍ରାମକ ରୋଗକୁ ଶୀଘ୍ର ଚିହ୍ନଟ କରାଯାଇପାରିବ ଓ ଅଳ୍ପ ଖର୍ଚ୍ଚରେ ରୋଗ ଭଲ ହୋଇଯିବ।

ସ୍ମାର୍ଟଫୋନ ଲ୍ୟାବରେ ଯାଦୁ, କାଛୁ, କୁଣ୍ଡିଆ ଓ ଜଳାପୋଡ଼ା ସମେତ ୧୨ଟି ଭାଇରାଲ ଓ ବ୍ୟାକ୍ଟେରିଆଲ ସଂକ୍ରମଣର ରୋଗର ଚିହ୍ନଟ ହୋଇପାରିବ। ଯେଉଁ ଅଞ୍ଚଳରେ ଚିକିତ୍ସା ସୁବିଧା ନାହିଁ ସେଠାରେ ଭଲରେ ବ୍ୟବହାର ହୋଇପାରିବ। ୱାସିଂଟନ୍‌ ଷ୍ଟେଟ୍‌ ୟୁନିଭର୍ସିଟିର ଅଧ୍ୟୟନକର୍ତ୍ତାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ସ୍ମାର୍ଟଫୋନ ଲ୍ୟାବରେ ଏକ ରିଡ଼ର ଲଗାଯାଇଛି। ଯାହା ଏକ ସଙ୍ଗେ ୯୬ଟି ନମୁନାର ଫଟୋ ନେଇପାରିବ। ଆଉ ତା’ପରେ କମ୍ପ୍ୟୁଟର ପ୍ରୋଗ୍ରାମ ସାହାଯ୍ୟରେ ଉକ୍ତ ନମୁନା ଗୁଡ଼ିକର ଅଧ୍ୟୟନ କରାଯାଏ। ଯେଉଁଠି ସଂକ୍ରାମକ ରୋଗ ଚିହ୍ନିବା ସହଜ ହୋଇଯିବ। କେବଳ ଏକ ପ୍ରତିଶତ ମାମଲାରେ ଏହି ଲ୍ୟାବ ସଂକ୍ରମଣର ସଠିକ ଚିହ୍ନଟ କରିବାରେ ଅସଫଳ ରହିଛି। ତେବେ ଉଚିତ ରୂପରେ ପରୀକ୍ଷା ନିରୀକ୍ଷା ପରେ ଏହାକୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର