ସ୍ନାନଯାତ୍ରା: ଶ୍ରୀଜଗନ୍ନାଥଙ୍କ ଜନ୍ମଦିନ ଯାତ୍ରା

ରଥ କଥା/ ଅସିତ ମହାନ୍ତି

0

ଜ୍ୟେଷ୍ଠ ପୂର୍ଣ୍ଣିମାରେ ହୁଏ ଶ୍ରୀଜଗନ୍ନାଥଙ୍କର ସ୍ନାନଯାତ୍ରା। ଏହି ଦିନଟି ତାଙ୍କର ଜନ୍ମଦିନ। ଏହା ଶ୍ରୀଜଗନ୍ନାଥ ନିଜେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ ବୋଲି କେତେକ ଶାସ୍ତ୍ର, ଗ୍ରନ୍ଥରେ ବର୍ଣ୍ଣନା ଅଛି। ‘ନୀଳାଦ୍ରି ମହୋଦୟ’ରେ ଶ୍ରୀଜଗନ୍ନାଥ କହିଛନ୍ତି- ଜ୍ୟେଷ୍ଠ ଅମାବାସ୍ୟା ଦିନ ସ୍ବାୟମ୍ଭୂବ ମନୁ ଗୋଟିଏ ଯଜ୍ଞ କରିଥିଲେ। ସେହି ଯଜ୍ଞ ବେଦୀରେ ସେ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଆବିର୍ଭୂତ ହୋଇଥିଲେ। ଏଣୁ ଏହି ଯାତ୍ରାର ନାମ ‘ଜ୍ୟେଷ୍ଠା ଯାତ୍ରା’। ଶ୍ରୀଜଗନ୍ନାଥଙ୍କ ଜନ୍ମଦିନ ହେତୁ ଏହା ଅତ୍ୟନ୍ତ ପବିତ୍ର।

ଏହି ଦିନ ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଯେଉଁ ସ୍ନାନ ନୀତି ହୁଏ, ତାହାକୁ ‘ଅବଭୃଥ ସ୍ନାନ’ କୁହାଯାଏ। ‘ଅବଭୃଥ’ ଅର୍ଥ ‘ଯଜ୍ଞାନ୍ତ’। ଏହା ସୂଚାଏ ଯେ ଯଜ୍ଞର ପରିସମାପ୍ତି ବା ପୂର୍ଣ୍ଣାହୁତି ପରେ ଶ୍ରୀଜଗନ୍ନାଥ ଯଜ୍ଞ ବେଦୀରେ ଆବିର୍ଭୂତ ହୋଇଥିଲେ। ଏଣୁ ଏହା ତାଙ୍କ ଜନ୍ମ ପରର ପ୍ରଥମ ସ୍ନାନ। ଏ ଦୃଷ୍ଟିରୁ ମଧ୍ୟଏହା ପରମ ପବିତ୍ର।

ଶ୍ରୀକ୍ଷେତ୍ର ପୁରୀରେ ବହୁ ପ୍ରାଚୀନ କାଳରୁ ଏହି ଯାତ୍ରା ହୋଇଆସୁଛି। ଗୋଟିଏ ସମୟରେ ଆମ ଦେଶ ଭାରତବର୍ଷର ବିଭିନ୍ନ ଅଞ୍ଚଳ ବିଭିନ୍ନ ମାସର ଉତ୍ସବ ପାଇଁ ପ୍ରସିଦ୍ଧ ଥିଲା। ଏକାଦଶ ଶତାବ୍ଦୀର ପାରମାର ସମ୍ରାଟ ଭୋଜଦେବ ତାଙ୍କ ‘ରାଜମାର୍ତ୍ତଣ୍ଡ’ ଗ୍ରନ୍ଥରେ ଏହା ଲେଖିଛନ୍ତି। ସେଥିରେ କୁହାଯାଇଛି, ପୁରୁଷୋତ୍ତମ ଜ୍ୟେଷ୍ଠ ମାସ ପାଇଁ ପ୍ରସିଦ୍ଧ। ‘ପୁରୁଷୋତ୍ତମ’ ହେଉଛି ପୁରୀର ପ୍ରାଚୀନ ନାମ। ଦ୍ବାଦଶ ଶତାବ୍ଦୀର ସଂସ୍କୃତ କବି ଶ୍ରୀହର୍ଷ ମଧ୍ୟ ତାଙ୍କ ‘ନୈଷଧୀୟ ଚରିତ’ ରେ ଏହା ଲେଖିଛନ୍ତି। ଶ୍ରୀଜଗନ୍ନାଥଙ୍କର ଆଜିର ମନ୍ଦିର ଦ୍ବାଦଶ ଶତାବ୍ଦୀରେ ନିର୍ମିତ। ଶ୍ରୀହର୍ଷ ସେହି ସମୟର କବି। ତେଣୁ ସେତେବେଳକୁ ପୁରୀର ଏହି ସ୍ନାନଯାତ୍ରା ଖୁବ୍ ପ୍ରସିଦ୍ଧ ହୋଇ ସାରିଥିଲା।

କିନ୍ତୁ ଆଜି ଯେଉଁ ସ୍ନାନ ମଣ୍ଡପରେ ଶ୍ରୀଜଗନ୍ନାଥଙ୍କର ସ୍ନାନ ନୀତି ହେଉଛି,ସେହି ମଣ୍ଡପ ପୂର୍ବରୁ ନଥିଲା। ପୂର୍ବରୁ ଶ୍ରୀମନ୍ଦିରର ଐଶାନ୍ୟ (ଉତ୍ତର-ପୂର୍ବ)କୋଣରେ ଏହି ଯାତ୍ରାପାଇଁ କାଠରେ ଏକ ଅସ୍ଥାୟୀ ମଣ୍ଡପ ତିଆରି କରାଯାଉଥିଲା। ପଞ୍ଚଦଶ ଶତାବ୍ଦୀରେ ଗଜପତି କପିଳେନ୍ଦ୍ରଦେବ ମନ୍ଦିରର ବାହାର ବେଢା ନିର୍ମାଣ କରିବା ପରେ ସେଠାରେ ସ୍ଥାୟୀ ସ୍ନାନ ମଣ୍ଡପ ତିଆରି ହେଲା। ଆହୁରି ପରେ, ଅଷ୍ଟାଦଶ ଶତାବ୍ଦୀର ଵୀରକେଶରୀ ଦେବ ତାହାର ପହୁଣ୍ଡ ପଥର ବସାଇଲେ।

ସ୍ନାନଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମୋଟ ୧୦୮ କଳସ ଜଳରେ ସ୍ନାନ କରାଯାଏ। ଶ୍ରୀଜଗନ୍ନାଥ ୩୫ କଳସ, ଶ୍ରୀବଳଭଦ୍ର ୩୩ କଳସ, ଦେବୀ ସୁଭଦ୍ରା ୨୨ କଳସ ଓ ଶ୍ରାସୁଦର୍ଶନ ୧୮ କଳସ ଜଳରେ ସ୍ନାନ କରନ୍ତି। ଏହି ଜଳ ସୁନାକୂଅରୁ ଆସେ। କୁହାଯାଏ ଯେ ପୂର୍ବରୁ ଏହି ସ୍ନାନ ନୀତି ପାଇଁ ଭାରତବର୍ଷର ସବୁ ତୀର୍ଥରୁ ଜଳ ଅଣାଯାଉଥିଲା। କିନ୍ତୁ କାଳକ୍ରମେ ତାହା ସମ୍ଭବ ନହେବାରୁ ଗୋଟିଏ ସୁନା କଳସୀରେ ସବୁ ତୀର୍ଥର ଜଳ ନେଇ ତାହାକୁ ଗୋଟିଏ ସ୍ବତନ୍ତ୍ର କୂଅରେ ରଖାଗଲା। ତେଣୁ ତାହା ‘ସୁନାକୂଅ’ ଭାବରେ ପ୍ରସିଦ୍ଧ ହେଲା। ଏଣୁ ବିଶ୍ବାସ କରାଯାଏ ଯେ ସେହି ସୁନାକୂଅରେ ସବୁ ତୀର୍ଥର ଜଳ ସମାହିତ ହୋଇଛନ୍ତି। କେବଳ ବର୍ଷକରେ ଥରେ ସେହି କୂଅର ଜଳରେ ଠାକୁରମାନେ ସ୍ନାନ କରନ୍ତି। ଅନ୍ୟ ସବୁଦିନେ ତାହା ବନ୍ଦ ରହିଥାଏ।

ସୁନାକୂଅର ସେହି ଜଳକୁ ଚତୁର୍ଦ୍ଦଶୀ ଦିନ କଢାଯାଇ ସେଥିରେ ଚନ୍ଦନ, କର୍ପୂର, ଚୁଆ ଓ କେଶର ମିଶାଇ ଅଧିବାସ କରାଯାଏ। ପୂର୍ଣିମା ଦିନ ସେଥିରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ କରନ୍ତି। ‘ଋକବେଦ’ର ‘ଆପସୂକ୍ତ’ (ଜଳସୂକ୍ତ)ରେ ଥିବା ‘ସମୁଦ୍ରଜ୍ୟେଷ୍ଠା ମନ୍ତ୍ର’ରେ ଏହି ସ୍ନାନ କରାଯାଏ

ଏ ସଂପର୍କରେ ଷୋଡ଼ଶ ଶତାବ୍ଦୀର ସନ୍ଥକବି ତ୍ରିଲୋଚନ ଦାସ ଗୋଟିଏ ସୁନ୍ଦର କଥା ଲେଖିଛନ୍ତି। ତାହା ହେଉଛି- ଯେଉଁ ଜଳରେ ପ୍ରଭୁ ସ୍ନାନ କରନ୍ତି, ସେ ଜଳ ମେଘକୁ ଯାଏ ଏବଂ ମେଘ ସଂସାରର ପାଳନ ପାଇଁ ତାହାକୁ ବର୍ଷା ରୂପରେ ପୃଥିବୀକୁ ଦିଅନ୍ତି।

ଏହି ସ୍ନାନଯାତ୍ରାର ସମୟ ବର୍ଷାଋତୁର ଆରମ୍ଭ କାଳ। ଏଣୁ ଏହା ଲୋକ କଲ୍ୟାଣକାରୀ ବୋଲି ଲୋକ ବିଶ୍ବାସ ରହିଛି। ଏ ଦୃଷ୍ଟିରୁ ଏହା ଆମ ପାଇଁ ଶ୍ରୀଜଗନ୍ନାଥଙ୍କ ଜନ୍ମଦିନର ଉପହାର।

ସମ୍ବନ୍ଧିତ ଖବର

Leave A Reply

Your email address will not be published.