ହାର୍‌ ମାନିଲା ମାଟି କାନ୍ଥ, ଦଦରା କବାଟ ଓ ଜରି ଛପର; ପ୍ରଥମ ଉଦ୍ୟମରେ ଏମ୍‌ସ ପ୍ରବେଶିକା ପାସ୍‌ କଲେ ଜରି ଗୋଟାଳିଙ୍କ ପୁଅ ଅଶାରାମ

ଭୋପାଳ: ଏଇ ଗୋଟିଏ କଥା ବାରମ୍ବାର ପ୍ରମାଣିତ ହୋଇ ସାରିଛି ଯେ ସଫଳତା ପାଇଁ ଆର୍ଥିକ ସମସ୍ୟା କେବେ ବି ବାଧକ ନୁହେଁ। ଏବେ ପୁଣି ଥରେ ସେମିତି ଏକ ଉଦାହରଣ ଦେଖିବାକୁ ମିଳିଛି। ମଧ୍ୟପ୍ରଦେଶର ଜଣେ ଜରି ଗୋଟାଳିଙ୍କ ପୁଅ ପ୍ରଥମ ଚେଷ୍ଟାରେ ଏମ୍‌ସ୍‌ ପ୍ରବେଶିକା ପାସ୍‌ କରି ଏବେ ଦେଶବ୍ୟାପୀ ଚର୍ଚ୍ଚା ପାଲଟିଛନ୍ତି। ଏହି ମେଧାବୀ ଛାତ୍ର ଜଣକ ହେଉଛନ୍ତି ଆଶାରାମ ଚୌଧୁରୀ(୨୦)। ଆଶାରାମ ଦେଓ୍ଵାସ ଜିଲ୍ଲାର ବିଜୟମଣ୍ଡ ମାଣ୍ଡିର ବାସିନ୍ଦା। ସେ ୭୦୭ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ଓବିସି ଶ୍ରେଣୀରେ ୧୪୧ ର‍୍ୟାଙ୍କ୍‌ ରଖି ଏମ୍‌ସ ପ୍ରବେଶିକା ପାସ୍‌ କରିଛନ୍ତି।

ଚଳିତବର୍ଷ ହୋଇଥିବା ନେସ୍‌ନାଲ୍‌ ଏଲିଜିବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ୍‍(ନିଟ୍‌) ପରୀକ୍ଷାରେ ୨,୭୬୩ ର‍୍ୟାଙ୍କ୍‌ ରଖିଥିଲେ। ଏହି ମେଧାବୀ ଜଣକ ୧୦ ବର୍ଷ ବୟସରୁ ଜଣେ ଡାକ୍ତର ହେବାର ସ୍ୱପ୍ନ ଦେଖି ଆସୁଛନ୍ତି। ପିଲାଦିନେ ସେ ଯେତେବେଳେ ପଞ୍ଚମ ଶ୍ରେଣୀରେ ପଢୁଥିଲେ ଜଣେ ଗାଉଁଲୀ ହକିମ ପାଖକୁ ସ୍ୱାସ୍ଥ୍ୟ ଦେଖାଇବାକୁ ଯାଇଥିଲେ। ହମିକ ଜଣକ ମାତ୍ର ୨ଟି ଔଷଧ ଦେଇ ୫୦ ଟଙ୍କା ନେଇଥିଲେ। ତାହା ଆଶାରାମଙ୍କୁ ଖୁବ୍‌ ପ୍ରଭାବିତ କରିଥିଲା। ତାଙ୍କ ବାପା ଦିନଯାକ ପରିଶ୍ରମ କରି ୫୦ ଟଙ୍କା କମାଉଥିବା ବେଳେ ଗୋଟାଏ ମିନିଟ୍‌ ମଧ୍ୟରେ ହକିମ ଜଣକ ୫୦ ଟଙ୍କା ରୋଜଗାର କରିବା ତାଙ୍କୁ ଚିନ୍ତାଶୀଳ କରାଇଥିଲା। ସେଇଦିନଠାରୁ ବଡ଼ ହେଲେ ସେ ଜଣେ ଡାକ୍ତର ହେବେ ବୋଲି ମନସ୍ଥ କରିଥିଲେ।

ଆଶାରାମ ତାଙ୍କ ବାପାମାଆଙ୍କୁ ନିଜର ସଫଳତାର ଶ୍ରେୟ ଦେଇଛନ୍ତି। ଏଥିସହିତ ନବୋଦୟ ବିଦ୍ୟାଳୟ ଏବଂ ତାଙ୍କ ପଢ଼ା ଖର୍ଚ୍ଚ ବହନ କରୁଥିବା ଦକ୍ଷିଣା ଫାଉଣ୍ଡେସନ୍‌କୁ ମଧ୍ୟ ଧନ୍ୟବାଦ୍‌ ଦେଇଛନ୍ତି। ତାଙ୍କ ଗ୍ରାମର ସେହି ହକିମ ଜଣକ ତାଙ୍କୁ ଭବିଷ୍ୟତରେ ଜଣେ ଡାକ୍ତର ହେବା ପାଇଁ ପ୍ରେରଣା ଯୋଗାଇଛନ୍ତି ବୋଲି ସେ କହିଛନ୍ତି।

ଆଶାରାମ ଏକ ଜରି ଛପର ଘରେ ନିଜ ପିଲାଦିନ କାଟିଛନ୍ତି। ଏବେ ବି ତାଙ୍କ ଘର ସେହିପରି ଅଛି। ତାଙ୍କ ଘରର ମାଟି କାନ୍ଥ ଓ ଦଦରା କବାଟ ତାଙ୍କ ଲକ୍ଷ୍ୟ ସାଧନକୁ କେବେ ବି ବୁିଚ୍ୟତ କରିନାହିଁ। ଶେଷରେ ସେ ତାଙ୍କ ନବୋଦୋୟ ବିଦ୍ୟାଳୟର ଜୀବବିଜ୍ଞାନ ଶିକ୍ଷକ ଅମିତ ସାର୍‌ଙ୍କୁ ତାଙ୍କ ସଫଳତା ପାଇଁ ଅନେକ ଶ୍ରେୟ ଦେଇଛନ୍ତି।

ସମ୍ବନ୍ଧିତ ଖବର