ବର୍ଷେ ତଳେ ଛାତିକୁ ପଥର କରି ସହିଦ୍ ସ୍ୱାମୀଙ୍କୁ ବିଦାୟ ଦେଇଥିଲେ ବୀରାଙ୍ଗନା, ଏବେ ସେନାରେ ନିଯୁକ୍ତି ଲାଗି ପ୍ରସ୍ତୁତ ନିକିତା

ଡେରାଡୁନ୍ : ଗତବର୍ଷ ଆଜିର ଦିନରେ ଭାରତମାତାର ଜଣେ ବୀର ସନ୍ତାନ ବୀରଗତି ପ୍ରାପ୍ତ କରିଥିଲେ । ଏହାଠାରୁ ଅଧିକ ଦୁଃଖଦାୟକ ଥିଲା ତାଙ୍କ ସାହସୀ ପତ୍ନୀଙ୍କ ବକ୍ତବ୍ୟ । ମନରେ ବେଦନାର ପାହାଡ, ଆଖିରେ ଅଶ୍ରୁର ଜୁଆର ଥାଇ ବି ସେ ସ୍ୱାମୀଙ୍କୁ ସଲାମ୍ କରି ‘ଆଇ ଲଭ୍ ୟୁ’ କହି ବିଦାୟ ଦେଇଥିଲେ । ବର୍ଷେ ତଳେ ଆଜିର ଦିନରେ ହିଁ ଆତଙ୍କବାଦୀଙ୍କ ସହ ଲଢେଇ କରୁ କରୁ ଦେଶ ପାଇଁ ଜୀବନ ଦେଇଥିଲେ ମେଜର୍ ବିଭୂତି ଶଙ୍କର ଢୋଣ୍ଡିିୱାଲ୍।

ଶେଷ ବିଦାୟ ସମୟରେ ତାଙ୍କ ପତ୍ନୀ ନିକିତା କୌଲଙ୍କ ବକ୍ତବ୍ୟ ସେତେବେଳେ ସାରା ଦେଶର ଆଖିରେ ଲୁହ ଆଣିଦେଇଥିଲା । ବିବାହର ମାତ୍ର ୧୦ ମାସ ଭିତରେ ସ୍ୱାମୀଙ୍କୁ ହରାଇବା କେତେ କଷ୍ଟ ତାହା ସେହି ଗୋଟିଏ ଭିଡିଓରୁ ଜଣାପଡିଥିଲା, ଯେଉଁଥିରେ ବୀର ଯବାନଙ୍କ ବୀର ପତ୍ନୀ କହୁଥିଲେ ,“ତୁମକୁ ସଲାମ୍ ବିଭୁ, ଘର କଥା ନିଜ କଥା ତୁମେ ଚିନ୍ତା ନ କରି ଦେଶ ପାଇଁ ଜୀବନକୁ ସମର୍ପଣ କଲ । ତୁମର ଏହି ବଳିଦାନ ପାଇଁ ମୁଁ ଗର୍ବିତ,ଆଇ ଲଭ୍ ୟୁ ।”

 

ତେବେ ବର୍ଷେ ପରେ କିଭଳି ରହିଛି ନିକିତାଙ୍କ ଜୀବନ । ସ୍ୱାମୀଙ୍କୁ ହରାଇ ସାହସୀ ସ୍ତ୍ରୀ କ’ଣ କେବେ ଚୁପ୍ ବସିପାରେ । ପ୍ରତିଶୋଧ ନେବା ପାଇଁ ପ୍ରସ୍ତୁତି କରୁଛନ୍ତି ସହିଦ୍ ମେଜର୍ ବିଭୂତି ଶଙ୍କର ଢୋଣ୍ଡିିୱାଲଙ୍କ ପତ୍ନୀ ନିକିତା । ସେନାରେ ଯୋଗ ଦେବାକୁ ଘରୁ ଗୋଡ଼ କାଢିଲେ ନିକିତା । ସ୍ୱାମୀଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦେବେନାହିଁ ବୋଲି ପଣ କରିଛନ୍ତି ସେ।

ଏଥିପାଇଁ ସବୁ ପରୀକ୍ଷା ଏବଂ ସାକ୍ଷାତକାରରେ ପାସ୍ କରି କେବଳ ମେରିଟ୍ ତାଲିକାକୁ ଚାହିଁରହିଛନ୍ତି ଏହି ସାହସୀ ମହିଳା । ଫେବୃୟାରି ୧୮, ୨୦୧୯ ପୁଲୱାମାର ପିଙ୍ଗଲିନା ଗାଁରେ ଆତଙ୍କୀଙ୍କ ସହ ଏନକାଉଣ୍ଟର ସମୟରେ ସହିଦ୍ ହୋଇଥିଲେ ମେଜର୍ ବିଭୂତି ଢୋଣ୍ଡିିୱାଲ୍ । ତାଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ରରେ ଭୂଷିତ କରାଯାଇଥିଲା ।

ସମ୍ବନ୍ଧିତ ଖବର