ଆଇଏଏସ ବରୁଣଙ୍କ ସଂର୍ଘଷମୟ କାହାଣୀ: ସାଇକେଲ୍ ପଙ୍କଚର୍ ମାରୁଥିଲେ, ଟ୍ୟୁସନ୍ କରୁଥିଲେ ଓ ଦୋକାନରେ କାମ କରି ପାଠ ପଢ଼ିଥିଲେ

ଜୀବନରେ ଯେତେ ପ୍ରତିକୂଳ ପରିସ୍ଥିତି ଆସୁ ନା କାହିଁକି ଯଦି ମନରେ ଦୃଢ ଆତ୍ମବିଶ୍ୱାସ ଥିବ ତେବେ ସଫଳତା ନିଶ୍ଚିତ ଭାବରେ ମିଳିବ । ଆଉ ଏହାର ନିଚ୍ଛକ ଉଦାହରଣ ହେଉଛନ୍ତି, ଆଇଏଏସ ଅଫିସର ବରୁଣ ବର୍ନୱାଲ । ଯିଏ ଦିନେ ପଢିବା ପାଇଁ ସାଇକେଲ ପଙ୍କଚର ମାରିବାକୁ ମଧ୍ୟ ପଛାଇ ନଥିଲେ । ତାଙ୍କ ଜୀବନର ସଂଘର୍ଷମୟ କାହାଣୀ ପ୍ରତ୍ୟେକ ଯୁବକଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି । ଆଉ ଏବେ ପ୍ରତି ଯୁବକଙ୍କ ପାଇଁ ରୋଲ ମଡ଼େଲ ଭାବେ ଉଭା ହୋଇଛନ୍ତି ବରୁଣ । ସାଇକେଲ ପଙ୍କଚର ମାରୁଥିବା ଅର୍ଥର ଅଭାବ ସାଙ୍ଗକୁ କୌଣସି ସୁବିଧା ନ ଥାଇ ଜଣେ କିପରି ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପାରିଲା ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ଆଇଏଏସ ଅଫିସର ବରୁଣ ବର୍ନୱାଲ । ମହାରାଷ୍ଟ୍ରର ବୋଇସାରରେ ଜନ୍ମିତ ବରୁଣ ୨୦୧୩ ମସିହା ୟୁପିଏସସି ପରୀକ୍ଷାରେ ୩୨ତମ ସ୍ଥାନ ହାସଲ କରିଥିଲେ । ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଆଇଏଏସ ହୋଇଥିବା ବରୁଣଙ୍କ ଜୀବନ କାହାଣୀ କୌଣସି ଫିଲ୍ମ କାହାଣୀଠାରୁ ମଧ୍ୟ କମ ନୁହେଁ । ବହୁତ ଗରିବ ପରିବାରରେ ଜନ୍ମ ନେଇଥିବା ବରୁଣ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଖୁବ କଷ୍ଟରେ ପଢିଥିଲେ । ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ଦଶମ ପାଠ ପଢ଼ା ପରେ ସାଇକେଲ ଦୋକାନରେ କାମ କରିବାକୁ ସ୍ଥିର କରିଥିଲେ । କାରଣ ଉଚ୍ଚ ଶିକ୍ଷା ପାଇଁ ଆବଶ୍ୟକୀୟ ଅର୍ଥ ଯୋଗାଡ଼ କରିବା ତାଙ୍କ ପକ୍ଷରେ ସମ୍ଭବପର ନଥିଲା । ତା ଛଡ଼ା ଦଶମ ପରୀକ୍ଷା ଶେଷ ହେବାର ୩ ଦିନ ପରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଥିଲା । ଆଉ ପରିବାରର ପୂରା ବୋଝ ବରୁଣଙ୍କ ଉପରକୁ ଚାଲି ଆସିଥିଲା । ତେବେ ୧୦ମ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ସବୁ ଯେମିତି ବଦଳି ଯାଇଥିଲା । କାରଣ ୧୦ମ ପରୀକ୍ଷାରେ ସ୍କୁଲରେ ଟପ କରିଥିଲେ ବରୁଣ । ଆଉ ଏହାପରେ ମା’ ତାଙ୍କୁ ଆଗକୁ ପଢା ଜାରି ରଖିବାକୁ କହିଥିଲେ । ଏଥିପାଇଁ ଯେତେ କଷ୍ଟ ହେଲେ ମଧ୍ୟ ମା’ କରିବାକୁ ପ୍ରସ୍ତୁତ ଥିଲେ ।

ବରୁଣଙ୍କ କହିବା ଅନୁଯାୟୀ, ଯୁକ୍ତ ୨ ଦୁଇବର୍ଷ ତାଙ୍କ ଜୀବନର ସବୁଠୁ କଠିନ ବର୍ଷ ଥିଲା । ସକାଳ ୬ଟାରୁ କଲେଜ ଯିବା ସହ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଟ୍ୟୁସନ କରୁଥିଲେ । ଏପରିକି ଘରର ଖର୍ଚ୍ଚ ଉଠାଇବା ପାଇଁ ସାଇକେଲ ଦୋକାନରେ ପଙ୍କଚର ମଧ୍ୟ ମାରୁଥିଲେ ବରୁଣ । ଆଉ ଏହାପରେ ବିଭିନ୍ନ ଦୋକାନରେ ହିସାବ କାମ କରୁଥିଲେ । ତାଙ୍କ କହିବା ଅନୁଯାୟୀ, ନିଜ ପଢା ପାଇଁ କେବେ ଗୋଟିଏ ଟଙ୍କା ମଧ୍ୟ ସେ ଖର୍ଚ୍ଚ କରିନାହାନ୍ତି । କିଏ ବହି ଯୋଗାଇ ଦିଏ ତ କିଏ ସ୍କୁଲର ଫିସ୍ ଭରି ଦେଇଛନ୍ତି । ଯୁକ୍ତ ୨ କଲେଜରେ ଆଡ଼ମିଶନ ପାଇଁ ସିନା ଜଣେଡାକ୍ତର ଫିସ ଦେଇଥିଲେ କିନ୍ତୁ ସ୍କୁଲର ପ୍ରତି ମାସର ଫିସ୍ କିଭଳି ଦିଆଯିବ ତାହାକୁ ନେଇ ଚିନ୍ତିତ ଥିଲେ ବରୁଣ । କିନ୍ତୁ ହାର ମାନି ନଥିଲେ । ଯୁକ୍ତ ଦୁଇରେ ଭଲ ପଢିବା ସହ ସ୍କୁଲ କର୍ତ୍ତୃପକ୍ଷଙ୍କୁ ତାଙ୍କ ଫିସ୍ ଛାଡ଼ କରିବାକୁ ନିବେଦନ କରିଥିଲେ । ବରୁଣଙ୍କ ଘରର ଆର୍ଥିକ ଅବସ୍ଥା ଜାଣିବା ପରେ ସ୍କୁଲର ଶିକ୍ଷକ ମାନେ ତାଙ୍କର ଦୁଇ ବର୍ଷର ଫିସ୍ ଦେଇଥିଲେ ।

ଯୁକ୍ତ ଦୁଇ ପଢା ଶେଷ କରିବା ପରେ ଇଞ୍ଜିନିୟରିଂରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ପ୍ରଥମ ବର୍ଷର ଫିସ୍ ୧ ଲକ୍ଷ ଟଙ୍କା ତାଙ୍କ ମା’ ଯୋଗାଡ କରି ଦେଇଥିଲେ । ପ୍ରଥମ ବର୍ଷ ପରୀକ୍ଷାରେ ବରୁଣ ୮୬ ପ୍ରତିଶତ ମାର୍କ ରଖିଥିଲେ । ଯାହା କଲେଜ ପାଇଁ ଏକ ରେକର୍ଡ ସୃଷ୍ଟି କରିଥିଲା । ତେବେ ଏହା ଭିତରେ ବରୁଣଙ୍କ ଆର୍ଥିକ ସ୍ଥିତି ଭଲ ନଥିବା କଥା ଜଣେ ଶିକ୍ଷକ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ତେବେ କଲେଜ କର୍ତ୍ତୃପକ୍ଷ ଦ୍ୱିତୀୟ ବର୍ଷ କୌଣସି ସାହାଯ୍ୟ କରିନଥିଲେ । ତେଣୁ ଦ୍ୱିତୀୟ ବର୍ଷର ଫିସ୍ ତାଙ୍କ ସାଙ୍ଗ ଦେଇଥିଲେ । ଇଞ୍ଜିନିୟରିଂ ପାଠପଢା ଶେଷ ହେବା ପରେ ଭଲ କମ୍ପାନିରୁ ଉଚ୍ଚ ଦରମାର ଚାକିରୀ ଅଫର ମଧ୍ୟ ଆସିଥିଲା । ତେବେ ଚାକିରୀ ନକରି ସିଭିଲ ସର୍ଭିସ ପରୀକ୍ଷା ଦେବାକୁ ନିଷ୍ପତି ନେଇଥିଲେ ବରୁଣ । କିନ୍ତୁ ସିଭିଲ ସର୍ଭିସ ପରୀକ୍ଷାର ପ୍ରସ୍ତୁତି କିଭଳି କରିବେ ତାହା ବୁଝି ପାରୁନଥିଲେ ବରୁଣ । ଆଉ ଏହି ସମୟରେ ତାଙ୍କ ଭାଇ ହିଁ ତାଙ୍କ ସାଙ୍ଗରେ ଛିଡ଼ା ହୋଇଥିଲେ ।

ଦୀର୍ଘ ୮ ବର୍ଷ କଠିନ ପରିଶ୍ରମ କରିବା ପରେ ଶେଷରେ ୨୦୧୩ ମସିହାରେ ସିଭିଲ ସର୍ଭିସ ପରୀକ୍ଷାରେ ୩୨ ତମ ସ୍ଥାନ ହାସଲ କରିଥିଲେ ବରୁଣ । ଯେତେବେଳେ ସେ ସିଭିଲ ସର୍ଭିସରେ ୩୨ ତମ ସ୍ଥାନରେ ଥିବା ଜାଣିଥିଲେ ସେତେବେଳେ ଏହାକୁ ବିଶ୍ୱାସ କରି ପାରିନଥିଲେ । ଏବେ ବରୁଣ ଗୁଜରାଟର ହିମତନଗରରେ ଅତିରିକ୍ତ ଜିଲ୍ଲାପାଳ ଭାବେ କାମ କରୁଛନ୍ତି । ବରୁଣଙ୍କ କହିବା ଅନୁସାରେ, ଯଦି ଆପଣ କଠିନ ପରିଶ୍ରମ କରୁଛନ୍ତି ତେବେ ଦୁନିଆର କୌଣସି ଶକ୍ତି ଆପଣଙ୍କ ସଫଳତାକୁ ଅଟକାଇ ପାରିବ ନାହିଁ ।

ସମ୍ବନ୍ଧିତ ଖବର