ସୁଦର୍ଶନ ଚକ୍ର ନୁହେଁ ଶ୍ରୀକୃଷ୍ଣଙ୍କ ଅସ୍ତ୍ର; ଜାଣନ୍ତୁ ପ୍ରକୃତରେ କାହାର ଅସ୍ତ୍ର ଥିଲା ସୁଦର୍ଶନ ଚକ୍ର ଓ ସୃଷ୍ଟି ହୋଇଥିଲା କେଉଁ ଉଦ୍ଦେଶ୍ୟ ସାଧନ ପାଇଁ …

0 1,537

ସାଧାରଣ ଭାବେ ଆମେ ସମସ୍ତେ ଜାଣୁ ଯେ ଐଶ୍ୱରିକ ଶକ୍ତି ସଂପନ୍ନ ଅମୋଘ ଅସ୍ତ୍ର ସୁଦର୍ଶନ ଚକ୍ର ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କର। କାରଣ, ସୁଦର୍ଶନ ଚକ୍ର ସବୁବେଳେ ଶ୍ରୀକୃଷ୍ଣଙ୍କ ଅଙ୍ଗୁଳି ମଧ୍ୟରେ ଶୋଭା ପାଉଥାନ୍ତି। ହେଲେ, ପ୍ରକୃତରେ ସୁଦର୍ଶନ ଚକ୍ର ଶ୍ରୀକୃଷ୍ଣଙ୍କର ଅସ୍ତ୍ର ନୁହେଁ; ଏହା ହେଉଛି ଭଗବାନ ବିଷ୍ଣୁଙ୍କର ଅସ୍ତ୍ର। ସୁଦର୍ଶନ ଚକ୍ରକୁ କେନ୍ଦ୍ରକରି ରହିଛି ଅନେକ ପୌରାଣିକ ଆଖ୍ୟାନ। ଆଜି ଆସନ୍ତୁ ଜାଣିବା କେଉଁ ଉଦ୍ଦେଶ୍ୟରେ ଓ କାହାଦ୍ୱାରା ସୃଷ୍ଟି ହୋଇଥିଲା ସୁଦର୍ଶନ ଚକ୍ର…

ପୁରାଣ କାଳରେ ଅସୁର ଓ ଦାନବମାନେ ସ୍ୱର୍ଗର ଦେବତାଗଣଙ୍କୁ ବିଭିନ୍ନ ଉପାୟରେ ହଇରାଣ ହରକତ କରୁଥିଲେ। ତେବେ, ଅସୁର ଓ ଦାନବମାନଙ୍କର ଉତ୍ପାତରେ ଅତିଷ୍ଠ ହୋଇ ଦେବତାଗଣ ଯାଇ ଶରଣ ପଶିଲେ ଭଗବାନ ବିଷ୍ଣୁଙ୍କ ନିକଟରେ। ବିଷ୍ଣୁଙ୍କୁ ଅନୁରୋଧ କଲେ ସେମାନଙ୍କୁ ଏଇ ସଙ୍କଟରୁ ରକ୍ଷା କରିବା ପାଇଁ। ହେଲେ, ବିଷ୍ଣୁ କହିଲେ ଅସୁର ଓ ଦାନବମାନଙ୍କୁ ଦମନ କରିବା ପାଇଁ ତାଙ୍କର ସାମର୍ଥ୍ୟ ନାହିଁ। କେବଳ ମାତ୍ର ଭଗବାନ ଶିବ ଚାହିଁଲେ, ଦେବତମାନେ ଏହି ସଙ୍କଟରୁ ମୁକ୍ତି ପାଇପାରିବେ। ତହୁଁ, ଏମାମଲାରେ ଦେବତାମାନଙ୍କ ଅନୁରୋଧ କ୍ରମେ ବିଷ୍ଣୁୁ ଗଲେ ଶିବଙ୍କ ନିକଟକୁ।

ତେବେ, ବିଷ୍ଣୁ ଯେତେବେଳେ ଯାଇ ଶିବଙ୍କ ନିକଟରେ ପହଞ୍ଚିଲେ, ସେତେବେଳେ ସେ ଦେଖିବାକୁ ପାଇଲେ ଯେ ଶିବ ବସିଛନ୍ତି ଗଭୀର ଧ୍ୟାନରେ। ଶିବଙ୍କର ଧ୍ୟାନଭଗ୍ନ କରିବା ପାଇଁ ବିଷ୍ଣୁଙ୍କର ସାହସ ହେଲା ନାହିଁ। ସେ ଶିବଙ୍କ ସମ୍ମୁଖରେ ବସି ତାଙ୍କ ନାମ ଜପିବାରେ ଲାଗିଲେ। ହେଲେ ବର୍ଷ ପରେ ବର୍ଷ ପରେ ବର୍ଷ ବିତିଗଲା ଶିବଙ୍କର ଧ୍ୟାନଭଗ୍ନ ହେଲା ନାହିଁ। ଦିନେ, ହଠାତ୍‌ ଶିବଙ୍କର ଧ୍ୟାନଭଗ୍ନ ହେଲା ଏବଂ ସେ ଦେଖିବାକୁ ପାଇଲେ ତାଙ୍କ ସମ୍ମୁଖରେ ବସିଛନ୍ତି ବିଷ୍ଣୁୁ। ସବୁକଥା ଜାଣିପାରିଲେ ଶିବ। ତଥାପି ନିରବ ରହିଲେ।
ଏହା ଦେଖି ବିଷ୍ଣୁୁ ଶିବଙ୍କୁ ପ୍ରୀତ କରିବା ଉଦ୍ଦେଶ୍ୟରେ ଯାଇ ଆଣିଲେ ଏକସହସ୍ର ପଦ୍ମଫୁଲ। ହେଲେ, ବିଷ୍ଣୁଙ୍କର ପରୀକ୍ଷା ନେବାକୁ ଶିବ ସେଇ ଫୁଲ ମଧ୍ୟରୁ ଚୋରାଇ ନେଲେ ଗୋଟିଏ ଫୁଲ। ଶିବଙ୍କୁ ଯେତେବେଳେ ପଦ୍ମ ଅର୍ପଣ କରିବାରେ ଲାଗିଲେ ବିଷ୍ଣୁ, ସେତେବେଳେ ଦେଖିଲେ ଯେ ଗୋଟିଏ ପଦ୍ମ କମ୍‌ ପଡ଼ି ଯାଉଛି। ତହୁଁ, ଏଥିରେ ବିଚଳିତ ହୋଇ ସେ ନିଜର ଗୋଟିଏ ଆଖି ବାହାର କରି ଆଣି ଅର୍ପଣ କଲେ ଶିବଙ୍କୁ।

ବିଷ୍ଣୁଙ୍କର ଏପ୍ରକାର ନିଷ୍ଠାରେ ପ୍ରସନ୍ନ ହୋଇ ଶିବ କହିଲେ କି ବର ମାଗୁଚ ମାଗ। ମୁଁ ତୁମର ସବୁ ଇଚ୍ଛା ପୂରଣ କରିବି। ଶିବଙ୍କ ଠାରୁ ଆଶ୍ୱସନା ପାଇବା ପରେ ବିଷ୍ଣୁ ତାଙ୍କ ସମ୍ମୁଖରେ ବର୍ଣ୍ଣନା କଲେ ଦେବତାମାନଙ୍କ ଦୁଃଖ। ଏବଂ କହିଲେ ମୋତେ ଏମିତି ଏକ ଅସ୍ତ୍ର ପ୍ରଦାନ କରନ୍ତୁ, ଯାହା ସାହାଯ୍ୟରେ ମୁଁ ଅସୁର ଓ ଦାନବମାନଙ୍କୁ ନିପାତ କରି ପାରିବି। ବିଷ୍ଣୁଙ୍କ ଠାରୁ ଦେବତାମାନଙ୍କ ଦୁଃଖ ବିଷୟରେ ଜାଣିବା ପରେ ଶିବ ବିଷ୍ଣୁଙ୍କୁ ପ୍ରଦାନ କଲେ ସୁଦର୍ଶନ ଚକ୍ର। ଆଉ କହିଲେ ଏହି ଚକ୍ର ସାହାଯ୍ୟରେ ତୁମେ ସବୁ ଅସୁର ଓ ଦାନବମାନଙ୍କୁ ନିପାତ କରି ପାରିବ, ସେମାନେ ଯେତେ ସଂଖ୍ୟାରେ ଆସନ୍ତୁ ନା କାହିଁକି। ଏହା କହି ବିଷ୍ଣୁଙ୍କୁ ସୁଦର୍ଶନ ଚକ୍ର ପ୍ରଦାନ କରିଥିଲେ ଶିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.