ଆଖୁ ଦେଖାଇଛି ଆଶା, ଆଖୁ ଚାଷରୁ ଲକ୍ଷପତି ବଲାଙ୍ଗୀରର ଏହି ଚାଷୀ ପରିବାର

ବଲାଙ୍ଗୀର: ଆଖୁକୁ ନେଇ ଜୀବନ, ଆଖୁକୁ ନେଇ ରୋଜଗାର | ପରିଶ୍ରମ ଓ ଇଛାଶକ୍ତି ଏବେ ବଲାଙ୍ଗୀର ମାୟାବରହା ଗାଁର ଚାଷୀ ଚୈତନ୍ୟ ପଟେଲଙ୍କ ପରିବାରରେ ସୁଖ ସମୃଦ୍ଧିର ନୂଆ ପସରା ମେଲାଇଦେଇଛି | ମିଠା ଆଖୁ ଚାଷକୁ ନେଇ ସ୍ବପ୍ନ ଦେଖିଥିଲେ ଚାଷୀ ଚୈତନ୍ୟ ପଟେଲ | ବାପାଙ୍କ ଏହି ନିଷ୍ପତ୍ତିକୁ ଦୁଇ ପୁଅ ବିପିନ ଓ ନବୀନ ସମର୍ଥନ କରିଥିଲେ | କେବଳ ଆଖୁ ଚାଷ କରୁନାହାନ୍ତି ବରଂ ଏହି ଆଖୁରୁ ଗୁଡ଼ ତିଆରି କରୁଛନ୍ତି | ଏହି ଗୁଡକୁ ବିକ୍ରି କରି ବାର୍ଷିକ ୧୨ ଲକ୍ଷ ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି |

ଚୈତନ୍ୟ ଯେତେବେଳେ ନିଜ ପୈତୃକ ଘର ଛାଡି ମାୟାବରହାକୁ ଆସିଥିଲେ ସେତେବେଳେ ଧାନ ଚାଷ ସହ ଅଳ୍ପ କିଛି ଜମିରେ ପାରମ୍ପରିକ ରୀତିରେ ଆଖୁ ଚାଷ କରୁଥିଲେ | କିନ୍ତୁ ବାପାଙ୍କ ଏହି ହାଡଭଙ୍ଗା ପରିଶ୍ରମରେ ଯୋଗଦାନ ଦେଇଥିଲେ ଦୁଇ ପୁଅ | ଆଧୁନିକ ଜ୍ଞାନକୌଶଳ ସାଙ୍ଗକୁ ନିଜେ ଆଖୁରୁ ଗୁଡ଼ ତିଆରି କରି ଏହାକୁ ବିକ୍ରି କରିଥିଲେ |

ବଡ କଥା ଏହି ଆଖୁ ଚାଷୀଙ୍କ ଚାଷ ଅଂଚଳର ଅନେକ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ରୋଜଗାର ମଧ୍ୟ ଦେଇଛି | ବର୍ଷ ତମାମ ଅଂଚଳର ଲୋକଙ୍କୁ ଉପାର୍ଜନର ଖୋରାକ ଯୋଗାଇଦେଉଛନ୍ତି ଚୈତନ୍ୟ | ଏବେ ଏହି ଚାଷୀଙ୍କ ସ୍ଵଛଳ ଜୀବନଯାପନକୁ ଦେଖି ବହୁ ଚାଷୀ ଆଖୁ ଚାଷ ପ୍ରତି ଆକୃଷ୍ଟ ହେଉଛନ୍ତି | ଚାଷକୁ ନେଇ ଚାଷୀ ଆତ୍ମହତ୍ୟାର ଖବର ଭିତରେ ଏହି ସଫଳ ଚାଷୀ ଏକ ଭିନ୍ନ ଉଦାହରଣ ସୃଷ୍ଟି କରିପାରିଛନ୍ତି |

ସମ୍ବନ୍ଧିତ ଖବର