ସୁନା ଶଗଡ଼ରେ ଦିଅଁଙ୍କ ଦାରୁ

ରଥ କଥା - ଅସିତ ମହାନ୍ତି

ଶ୍ରୀଗୁଣ୍ଡିଚା ମନ୍ଦିରର ଗୋଟିଏ ପୁରୁଣା ନାଆଁ ‘ଆଡ଼ପ ମଣ୍ଡପ’ । ଏବେ ବି ଏହି ନାଆଁ ଅଛି । ‘ସ୍କନ୍ଦପୁରାଣ’ରେ ଏହାକୁ ‘ଗୁଣ୍ଡିଚା ମଣ୍ଡପ’ କୁହାଯାଇଛି । କିନ୍ତୁ ଏହା କାହିଁକି ‘ଆଡ଼ପ’ ମଣ୍ଡପ, ସେ ନେଇ ଅଛି ଭିନ୍ନ ଭିନ୍ନ ମତ ।

ତେବେ ସେ ସବୁକୁ ଯିବା ଆଗରୁ, ଏହାର ପୃଷ୍ଠଭୂମି ସଂପର୍କରେ କିଂଚିତ୍‍ ଆଲୋଚନା ଆବଶ୍ୟକ ।

ଏ ପ୍ରସଙ୍ଗରେ ‘ସ୍କନ୍ଦପୁରାଣ’ ତ୍ରୟତ୍ରିଂଶ (୩୩) ଅଧ୍ୟାୟର ଶେଷ ଦୁଇଟି ଶ୍ଳୋକ (୧୧୪ ଓ ୧୧୫) ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ । ସେଥିରେ କୁହାଯାଇଛି- ଏହି ମଣ୍ଡପର ଅଭ୍ୟନ୍ତର ଭାଗକୁ ମନୋହର ଚନ୍ଦ୍ରାତପ ଓ ମନୋହର ମାଲ୍ୟରେ ବିଭୂଷିତ କରିବ । ଏହାର ସ୍ତମ୍ଭ ସମୂହ ବିବିଧ ରତ୍ନଦ୍ୱାରା ଖଚିତ ଏବଂ ଅଭ୍ୟନ୍ତର ଭାଗ ସ୍ୱର୍ଣ୍ଣବେଦିକା ଦ୍ୱାରା ସୁଶୋଭିତ ହେବ । ଦେଖିବା ମାତ୍ରେ ବୋଧ ହେବ ଯେ ଏହି ସ୍ଥାନଟି ତ୍ରୈଲୋକ୍ୟରେ ଆଡ଼ମ୍ବରପୂର୍ଣ୍ଣ ମହାବେଦୀ, ଯହିଁରେ ଦାରୁମୟ ମହେଶ୍ୱର ଆବିର୍ଭୂତ ହୋଇଛନ୍ତି ।

ଏହାର ସୂଚନାରୁ ଅନେକେ ‘ଆଡ଼ପ’ ଶବ୍ଦଟି ‘ଆଟୋପ’ (ଆଡ଼ମ୍ବର)ରୁ ସୃଷ୍ଟି ହୋଇଛି ବୋଲି ମନେ କରନ୍ତି । ‘ନୀଳାଦ୍ରି ମହୋତ୍ସବ’ କାବ୍ୟରେ ସପ୍ତଦଶ ଶତାବ୍ଦୀର କବି ଲୋକନାଥ ବିଦ୍ୟାଧର ମଧ୍ୟ ଏହାକୁ ‘ଆଡ଼ମ୍ବର ମଣ୍ଡପ’ ବୋଲି କହିଛନ୍ତି ।

କିନ୍ତୁ ‘ଆଡ଼ପ’ର ଆଉ ଗୋଟିଏ ଅର୍ଥ ଅଛି । ଏହି ଅର୍ଥ ଅନୁସାରେ, ‘ଆଡ଼ପ’ର ଅର୍ଥ ଅନ୍ତରାଳ । ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଗୋପୀନାଥ ମହାପାତ୍ରଙ୍କ ଅନୁସାରେ, ‘ଗୁଣ୍ଡିଚା’ ଶବ୍ଦ ‘ଗୁଣ୍ଡିକା’ରୁ ସୃଷ୍ଟି ହୋଇଛି । ଏହା ସଂସ୍କୃତ ପୁରାଣରେ ପ୍ରଚଳିତ ଏକ ଶବ୍ଦ । ଏହା ‘ଯଜ୍ଞବେଦୀ’ର ଏକ ବିଶେଷଣ । ଏ ଶବ୍ଦର ମୂଳ ଧାତୁ ହେଉଛି ‘ଗୁଣ୍ଡ୍‍’ । ‘ଗୁଣ୍ଡ୍‍’ ଧାତୁର ଅର୍ଥ ହେଲା ଲୁଚାଇବା (to hide) ।

ତାଙ୍କ ଅନୁସାରେ, ଗୁଣ୍ଡିଚା ମନ୍ଦିର ମୂଳତଃ ଥିଲା ‘ଯଜ୍ଞବେଦୀ’ । ସେହିଠାରେ ରାଜା ଇନ୍ଦ୍ରଦ୍ୟୁମ୍ନ ସହସ୍ର ଅଶ୍ୱମେଧ ଯଜ୍ଞ କରିଥିଲେ । ମହୋଦଧିରେ ଆବିର୍ଭୂତ ହୋଇଥିବା ଦିବ୍ୟଦାରୁରୁ ସେହିଠାରେ ମଧ୍ୟ ଦାରୁବ୍ରହ୍ମଙ୍କର ପ୍ରଥମ ବିଗ୍ରହ ନିର୍ମିତ ହୋଇଥିଲେ । ଏହି ବିଗ୍ରହ ନିର୍ମାଣ ଗୋପନରେ କରାଯାଇଥିଲା । ଏଣୁ ଏହି ବେଦୀ ହେଉଛି ‘ଗୁଣ୍ଡିକା’ ବା ଗୋପନ ବେଦୀ । ଏହା ପରେ ‘ଗୁଣ୍ଡିଚା’ ବେଦୀ ହୋଇଛି । ‘ସ୍କନ୍ଦ ପୁରାଣ’ରେ ମଧ୍ୟ ଏ ସଂପର୍କରେ ବର୍ଣ୍ଣନା ଅଛି । କୁହାଯାଇଛି- ଏହି ଯଜ୍ଞବେଦୀରେ ଶ୍ରୀଜଗନ୍ନାଥଙ୍କ ଚତୁର୍ଦ୍ଧାମୂର୍ତ୍ତିଙ୍କର ଜନ୍ମକାଳରେ ସେମାନଙ୍କୁ ପଟବସ୍ତ୍ରରେ ଆଚ୍ଛାଦିତ କରି ରଖାଯାଇଥିଲା । ଏବେ ବି ନବକଳେବର ନୀତିରେ ବିଗ୍ରହମାନଙ୍କୁ ଗୋପନରେ ନିର୍ମାଣ କରାଯାଏ ।

ଶବରରାଜ ବିଶ୍ଵାବସୁ ଓ ଶ୍ରୀ ନୀଳମାଧବଙ୍କ ସଂପର୍କରେ ଇନ୍ଦ୍ରଦ୍ୟୁମ୍ନଙ୍କୁ ଜଣାଉଛନ୍ତି ବିଦ୍ୟାପତି

‘ଦେଉଳ ତୋଳା’ ପୋଥିଗୁଡ଼ିକ ମଧ୍ୟରେ କୃଷ୍ଣ ଦାସଙ୍କ ପୋଥିଟି ପ୍ରାଚୀନ ଓ ଚର୍ଚ୍ଚିତ । ସେଥିରେ କୁହାଯାଇଛି- ରାଜା ଇନ୍ଦ୍ରଦ୍ୟୁମ୍ନ ଯେଉଁ ସହସ୍ର ଅଶ୍ୱମେଧ ଯଜ୍ଞ କରିଥିଲେ, ସେହି ଯଜ୍ଞର ପୂର୍ଣ୍ଣାହୁତି ପୂର୍ବରୁ ଭଗବାନ ବିଷ୍ଣୁ ରାଜାଙ୍କୁ ସ୍ୱପ୍ନରେ ଦେଖା ଦେଇଥିଲେ । ସ୍ୱପ୍ନାଦେଶରେ ବିଷ୍ଣୁ କହିଥିଲେ- ମହୋଦଧିରେ ଯେଉଁ ଦିବ୍ୟଦାରୁଙ୍କର ଆବିର୍ଭାବ ହେବ, ସେହି ଦାରୁରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଚିହ୍ନ ଥିବ । ସେଇଥିରେ ମୋର ବିଗ୍ରହ ନିର୍ମାଣ କରାଇବ ।

କୃଷ୍ଣ ଦାସଙ୍କ ଦ୍ୱାରା ରଚିତ ‘ଦେଉଳ ତୋଳା’ରେ ବର୍ଣ୍ଣନା ଅଛି ଯେ ସେହି ସ୍ୱପ୍ନାଦେଶ ପାଇ ରାଜା ସୁନାର ଶଗଡ଼ ଧରି ମହୋଦଧି ତଟକୁ ଗଲେ । ସେଠାକୁ ଯାଇ ସେ ଚକ୍ରତୀର୍ଥଠାରେ ଆବିର୍ଭୂତ ଦିବ୍ୟଦାରୁଙ୍କର ଦର୍ଶନ ପାଇଲେ । ନିଜ ସହିତ ସେ ବସୁ ଶବର (ବିଶ୍ୱାବସୁ)ଙ୍କୁ ମଧ୍ୟ ନେଇଥିଲେ । ସ୍ୱପ୍ନରେ ପ୍ରଭୁ ତାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ସେପରି ଭାବରେ ସେ ମୁଣ୍ଡରେ ପାଟ ମୁଚୁଳା ବାନ୍ଧିଲେ । ଉଭୟେ ମିଶି ସୁନା ଶଗଡ଼ରେ ସେହି ଦାରୁକୁ ଆଡ଼ପମଣ୍ଡପକୁ ଆଣିଲେ । ସେହି ଆଡ଼ପଣ୍ଡପରେ ଦିବ୍ୟଦାରୁଙ୍କୁ ବିଜେ କରାଇଲେ । ସେହି ଦାରୁରେ, ଅନ୍ୟମାନଙ୍କର ଦୃଷ୍ଟି ଅନ୍ତରାଳରେ ବିଗ୍ରହମାନଙ୍କର ନିର୍ମାଣ ହେଲା । ନିଜେ ଭଗବାନ ବୁଢ଼ା ବଢ଼େଇ ଭାବରେ ଆସି ସେହି ବିଗ୍ରହଙ୍କର ନିର୍ମାଣ କରିଥିଲେ ।

ଏହି ଦୃଷ୍ଟିରୁ, ଗୁଣ୍ଡିଚାମନ୍ଦିର ଯେପରି ଯଜ୍ଞବେଦୀ, ସେହିପରି ମଧ୍ୟ ତାହା ଶ୍ରୀଜଗନ୍ନାଥଙ୍କର ଜନ୍ମବେଦୀ । ତାହାର ଅନ୍ୟନାମ ‘ମହାବେଦୀ’ ଓ ‘ଆଡ଼ପ ମଣ୍ଡପ’ । ସେଇଥିପାଇଁ ବର୍ଷକେ ଥରେ ଶ୍ରୀଜଗନ୍ନାଥ ଆଡ଼ପମଣ୍ଡପ ଯାତ୍ରା କରି ନିଜର ଜନ୍ମସ୍ଥାନକୁ ଆସିଥାଆନ୍ତି । ଏ ସଂପର୍କରେ ନିଜେ ଜଗନ୍ନାଥ ପୂର୍ବ କାଳରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ବର ଦେଇଥିଲେ । ଏହା ହେଉଛି ତାଙ୍କର ‘ମହାବେଦୀ ମହୋତ୍ସବ’ ।

ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚା ଙ୍କ ସହ ବୁଢ଼ା ବଢେଇ

‘ସ୍କନ୍ଦ ପୁରାଣ’ରେ ଏ ସଂପର୍କରେ ବର୍ଣ୍ଣନା ଅଛି- “ସ୍ୱୟଂ ତ୍ରିଲୋକେଶ ହରି, ନିଜ ପୂର୍ବ ଆଦେଶର ସମ୍ମାନ ରକ୍ଷା କରିବା ନିମନ୍ତେ, ପ୍ରତିବର୍ଷ ରଥାରୋହଣ ପୂର୍ବକ ଗୁଣ୍ଡିଚା ମଣ୍ଡପକୁ ପରମ କୁତୂହଳରେ ଗମନ କରିଥାଆନ୍ତି ।” ‘ସ୍କନ୍ଦପୁରାଣ’ ଅନୁସାରେ, ଗୁଣ୍ଡିଚାମନ୍ଦିର ‘ବିନ୍ଦୁ ତୀର୍ଥ’ ବା ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ତୀରରେ ଅବସ୍ଥିତ । ତେଣୁ ସ୍କନ୍ଦପୁରାଣରେ ନିଜେ ଜଗନ୍ନାଥ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଛନ୍ତି, “ହେ ରାଜେନ୍ଦ୍ର! ମୁଁ ପ୍ରତିବର୍ଷ ସେହି ବିନ୍ଦୁତୀର୍ଥର ତୀରଦେଶରେ ସପ୍ତଦିନ ବ୍ୟାପୀ ଅବସ୍ଥାନ କରିବି । ମୋର ଅବସ୍ଥାନ ହେତୁ ସମସ୍ତ ତୀର୍ଥ ସେଠାରେ ଅବସ୍ଥାନ କରିବେ ।

ତେଣୁ ଶାସ୍ତ୍ର, ଗ୍ରନ୍ଥ ଆଦିରେ କୁହାଯାଇଛି- ନୀଳାଦ୍ରି ମଣ୍ଡପ (ଶ୍ରୀମନ୍ଦିର)ରେ ଶ୍ରୀଜଗନ୍ନାଥଙ୍କୁ ଦଶବର୍ଷ ଦର୍ଶନ କଲେ ଯେଉଁ ପୁଣ୍ୟ ହୁଏ, ଆଡ଼ପମଣ୍ଡପ (ଶ୍ରୀଗୁଣ୍ଡିଚା ମନ୍ଦିର)ରେ ଦିନଟିଏ ଦର୍ଶନ କଲେ ସେହି ପୁଣ୍ୟ ମିଳେ ।

 

ସମ୍ବନ୍ଧିତ ଖବର