ସୁନାବେଶ: ରଥରେ ଥରେ, ରତ୍ନବେଦିରେ ପାଞ୍ଚଥର

ରଥ କଥା / ଅସିତ ମହାନ୍ତି

ଶ୍ରୀଜଗନ୍ନାଥଙ୍କର ଅନେକ ବେଶ । କେତେକ ତାଙ୍କ ବେଶର ସଂଖ୍ୟା ୩୨ ବୋଲି କହୁଥିବା ବେଳେ ଏହା ପ୍ରକୃତରେ ୨୪ ବୋଲି ଜଣାଯାଏ । ଏଥିରୁ ପ୍ରତିବର୍ଷ ଶ୍ରୀମନ୍ଦିରରେ ୨୨ଟି ବେଶ ହେଉଥିବା ବେଳେ ଦୁଇଟି ବେଶ ବିଶେଷ ତିଥିରେ ଅନୁଷ୍ଠିତ ହୋଇଥାଏ । ଏହି ଦୁଇ ସ୍ୱତନ୍ତ୍ର ବେଶ ହେଉଛି- କାର୍ତ୍ତିକ ମାସର ନାଗାର୍ଜୁନ ବେଶ ଓ ଚୈତ୍ର ମାସର ରଘୁନାଥ ବେଶ । ଯେଉଁ ବର୍ଷ କାର୍ତ୍ତିକ ମାସର ପଞ୍ଚୁକ ପାଞ୍ଚଦିନ ପରିବର୍ତ୍ତେ ଛଅଦିନ ହୁଏ, ସେ ବର୍ଷ ନାଗାର୍ଜୁନ ବେଶ ହୁଏ । କିନ୍ତୁ ରଘୁନାଥ ବେଶ ହେଉଛି ଏକ ରାଜକୀୟ ବେଶ । ଏହା ଶ୍ରୀରାମଚନ୍ଦ୍ରଙ୍କର ଅଭିଷେକ ଉତ୍ସବର ବେଶ। ଏହା ଅତ୍ୟନ୍ତ ବର୍ଣ୍ଣାଢ଼୍ୟ ଓ ବ୍ୟୟବହୁଳ । ୧୯୦୫ ମସିହାରେ ଶ୍ରୀମନ୍ଦିରରେ ଶେଷ ଥରପାଇଁ ଏହି ବେଶ ହୋଇଥିଲା ।

କିନ୍ତୁ ଶ୍ରୀଜଗନ୍ନାଥଙ୍କର ସବୁବେଶ ମଧ୍ୟରେ ଅତ୍ୟନ୍ତ ଆକର୍ଷଣୀୟ ବେଶ ହେଉଛି ସୁନାବେଶ । ଏହି ବେଶ ବର୍ଷରେ ଛଅଥର ହୋଇଥାଏ । ଏଥିରୁ ଥରେ ରଥରେ ହେଉଥିବା ବେଳେ ଅନ୍ୟ ପାଞ୍ଚଥର ଶ୍ରୀମନ୍ଦିରର ରତ୍ନବେଦିରେ ହୋଇଥାଏ । ରତ୍ନବେଦିରେ ହେଉଥିବା ସୁନାବେଶ ମଧ୍ୟରୁ ଚାରିଟି ପୂର୍ଣ୍ଣମୀ ତିଥିରେ ହୋଇଥାଏ । ଏହି ଚାରି ପୂର୍ଣ୍ଣମୀ ହେଉଛି- କୁମାର ପୂର୍ଣ୍ଣମୀ, କାର୍ତ୍ତିକ ପୂର୍ଣ୍ଣମୀ, ପୌଷପୂର୍ଣ୍ଣମୀ ଓ ଦୋଳପୂର୍ଣ୍ଣମୀ । ରତ୍ନବେଦିରେ ହେଉଥିବା ଅନ୍ୟ ସୁନାବେଶଟି ଆଶ୍ୱିନ ଶୁକ୍ଳ ଦଶମୀ ବା ବିଜୟା ଦଶମୀ ଦିନ ହୋଇଥାଏ ।

ଏହିସବୁ ସୁନାବେଶର ତିନିଟି ଅଲଗା ଅଲଗା ନାଆଁ ରହିଛି । ଶ୍ରୀମନ୍ଦିରର ରତ୍ନବେଦିରେ ହେଉଥିବା ପାଞ୍ଚ ସୁନାବେଶ ମଧ୍ୟରୁ କାର୍ତ୍ତିକ ପୂର୍ଣ୍ଣମୀର ସୁନାବେଶକୁ ‘ରାଜରାଜେଶ୍ୱର ବେଶ’ କୁହାଯିବାବେଳେ ଅନ୍ୟ ଚାରି ବେଶକୁ ‘ରାଜବେଶ’ କୁହାଯାଏ । ତେବେ କାର୍ତ୍ତିକ ପୂର୍ଣ୍ଣିମୀର ‘ରାଜରାଜେଶ୍ୱର ବେଶ’ ‘ରାଜବେଶ’ର ଅନୁରୂପ । କାର୍ତ୍ତିକ ମାସର ଅନ୍ୟ ଦିନରେ ଶ୍ରୀଜଗନ୍ନାଥ ରାଧା-ଦାମୋଦର ବେଶ ହୋଇଥାଆନ୍ତି । ଏହା ‘ଗୋପାଳକୃଷ୍ଣ’ ଭାବରେ ତାଙ୍କର ମାଧୁର୍ଯ୍ୟ ବେଶ । କିନ୍ତୁ ପୂର୍ଣ୍ଣିମା ଦିନ ‘ଦ୍ୱାରକାକୃଷ୍ଣ’ ଭାବରେ ସେ ଐଶ୍ୱର୍ଯ୍ୟ ଭାବ ପ୍ରକାଶ କରିଥାନ୍ତି । ଏଣୁ ଏହି ଦିନର ବେଶ ‘ରାଜରାଜେଶ୍ୱର ବେଶ’ । କିନ୍ତୁ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଯେଉଁ ସୁନା ବେଶ ହୁଏ, ସେ ବେଶର ନାଆଁ ‘ବଡ଼ତଢ଼ାଉ ବେଶ’ ।

ଏହାର ନାମ କାହିଁକି ‘ବଡ଼ ତଢ଼ାଉ ବେଶ’, ତାହାର ନିର୍ଦ୍ଦିଷ୍ଟ କାରଣ ଅଛି ।

ଶ୍ରୀମନ୍ଦିରର ସେବକ ପରମ୍ପରାରେ ‘ତଢ଼ାଉ’ ବା ‘ତଡ଼ାଉ’କରଣ ସେବାର ବ୍ୟବସ୍ଥା ଅଛି । ଏହି ସେବକ ଭଣ୍ଡାର ଘରର ହିସାବ ରଖିଥାଆନ୍ତି । ତାହା ମଧ୍ୟରେ ସୁନା ଅଳଙ୍କାରର ହିସାବ ମଧ୍ୟ ରହିଥାଏ । ଏହି ଅନୁସାରେ, ଆଳତି ପରେ ତିନିଠାକୁରଙ୍କୁ ଯେଉଁ ଛଅମୂର୍ତ୍ତି (ଛଅ ସଂଖ୍ୟକ) ସୁନା ଅଳଙ୍କାର ଲାଗି ହୋଇଥାଏ ତାହାକୁ ‘ତଡ଼ାଉଲାଗି’ କୁହାଯାଏ । ଏଠାରେ ‘ତଡ଼ାଉ’ ସ୍ୱର୍ଣ୍ଣ ଅଳଙ୍କାରକୁ ବୁଝାଏ । ରଥରେ ସ୍ୱତନ୍ତ୍ର ଓ ସୁଦୃଶ୍ୟ ବଡ଼ବଡ଼ ସ୍ୱର୍ଣ୍ଣାଳଙ୍କାର ଲାଗି ହୋଇଥାଏ । ତେଣୁ ଏହା ‘ବଡ଼ ତଡ଼ାଉ’ ବା ‘ବଡ଼ ତଢ଼ାଉ’ ବେଶ ।

ରଥରେ ଠାକୁରମାନଙ୍କର ଏହି ସୁନାବେଶ ପଛରେ ଓଡ଼ିଶା ଇତିହାସର ଗୋଟିଏ ଗୌରବମୟ ଅଧ୍ୟାୟ ରହିଛି । ନିର୍ଦ୍ଦିଷ୍ଟ ଐତିହ୍ୟ ମଧ୍ୟ ଏହା ପଛରେ ଅଛି । ପାରଂପରିକ ଭାବରେ ଉକ୍ରଳର ନରପତି ବା ରାଜାମାନେ ଶ୍ରୀଜଗନ୍ନାଥଙ୍କୁ ରାଜା ଏବଂ ନିଜକୁ ତାଙ୍କର ସେବକ ବୋଲି ମନେ କରିଥାଆନ୍ତି । ଏହି ଭାବରେ ଗଜପତି ରାଜା ମଧ୍ୟ ଶ୍ରୀଜଗନ୍ନାଥଙ୍କର ଆଦ୍ୟ ସେବକ ।

ଏହି ଭାବଧାରା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କଠାରୁ ଆରମ୍ଭ ହୋଇଛି । କିନ୍ତୁ ପୁରାଣକୁ ଛାଡ଼ି ଆମେ ଯଦି ଇତିହାସକୁ ଦେଖୁ, ତେବେ ଜଣାଯାଏ ଯେ ତୃତୀୟ ଅନଙ୍ଗଭୀମ ଦେବ (୧୨୧୧-୧୨୩୮) ଶ୍ରୀଜଗନ୍ନାଥଙ୍କୁ ରାଜା ଭାବରେ ସ୍ୱୀକାର କରି ନିଜକୁ ତାଙ୍କର ସେବକ ବୋଲି ମନେ କରୁଥିଲେ । ସେଥିପାଇଁ ସେ ନିଜର ରାଜ୍ୟାଭିଷେକ କରିନଥିଲେ । ପରେ ତାଙ୍କ ପୁତ୍ର ଲାଙ୍ଗୁଳା ନରସିଂହ ଦେବ (୧୨୩୮-୧୨୬୬) ନିଜକୁ ‘ପୁରୁଷୋତ୍ତମ ପୁତ୍ର’ ଭାବରେ ଅଭିହିତ କଲେ । ତୃତୀୟ ଭାନୁଦେବ (୧୩୦୮-୧୩୨୮) ଶ୍ରୀଜଗନ୍ନାଥଙ୍କୁ ‘ରାଜାଧିରାଜ’ ବୋଲି ସ୍ୱୀକାର କଲେ ଏବଂ ନିଜ ନାମରେ ଅଙ୍କ ଗଣନା ନକରାଇ ଶ୍ରୀଜଗନ୍ନାଥଙ୍କ ନାମରେ ଅଙ୍କ ଗଣନା କଲେ । ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବ (୧୪୩୫-୧୪୬୬) ଶ୍ରୀଜଗନ୍ନାଥଙ୍କୁ ‘ରାଷ୍ଟ୍ରଦେବତା’ ଭାବରେ ଅଧିଷ୍ଠିିତ କଲେ । ୩ୟ ଅନଙ୍ଗଭୀମ ଦେବଙ୍କ ପରି, ପୁରୁଷୋତ୍ତମ ଦେବ ମଧ୍ୟ ନିଜର ରାଜ୍ୟାଭିଷେକ ନକରି ଶ୍ରୀଜଗନ୍ନାଥଙ୍କୁ ରାଜା ରୂପେ ସ୍ୱୀକାର କରିଥିଲେ ।

ଏବେ ହେଉଥିବା ବେଶର ସ୍ୱର୍ଣ୍ଣ ଅଳଙ୍କାର

ଶ୍ରୀବଳଭଦ୍ର: ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣି, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡକାନି, ଘାଗଡ଼ା ମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ହଳ ଓ ମୂଷଳ (ଆୟୁଧ), ବାହାଡ଼ା ମାଳି, ବାଘନଖ ମାଳି, ସେବତି ମାଳି, ତ୍ରିଖଣ୍ଡିକା କମରପଟି ।

 

ଦେବୀ ସୁଭଦ୍ରା: କିରୀଟ, ଓଡ଼ିଆଣି, କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ତଗଡ଼ି ୨ଟି, ସେବତି ମାଳି ।

 

ଶ୍ରୀଜଗନ୍ନାଥ: କିରୀଟ, ଶ୍ରୀଭୁଜ, ଶ୍ରୀପୟର ଓଡ଼ିଆଣି, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ (ଆୟୁଧ), ହରିଡ଼ା, କଦମ୍ବ ମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତି ମାଳି, ତ୍ରିଖଣ୍ଡିକା କମରପଟି ।

ଏ ଦୃଷ୍ଟିରୁ ଏହି ରାଜାମାନେ, ରାଜ୍ୟଜୟରୁ ମିଳୁଥିବା ସମସ୍ତ ଧନରତ୍ନ ଶ୍ରୀଜଗନ୍ନାଥଙ୍କୁ ହିଁ ଅର୍ପଣ କରୁଥିଲେ । ତାଙ୍କର ସେବା, ପୂଜା, ବେଶ ଇତ୍ୟାଦିକୁ ବିଧି ଅନୁସାରେ, ଆଡ଼ମ୍ବରରେ କରୁଥିଲେ ।

ଏ ସଂପର୍କରେ ଜଣାଯାଏ ଯେ ଜୟଦୁର୍ଗାଙ୍କ କରୁଣାରୁ ୧୪୬୦ରେ କପିଳେନ୍ଦ୍ର ଦେବ ଯେଉଁ ଦାକ୍ଷିଣାତ୍ୟ ବିଜୟ କରିଥିଲେ, ସେଥିରୁ ତାଙ୍କୁ ପ୍ରଚୁର ଧନରତ୍ନ ମିଳିଥିଲା । ୧୬ଟି ହାତୀରେ ଲଦି ସେହି ଧନରତ୍ନ ଆଣି ସେ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରିଥିଲେ । ଶ୍ରୀମନ୍ଦିରର ଜୟବିଜୟ ଶିଳାଲେଖରେ ଏ ସଂପର୍କରେ ଉଲ୍ଲେଖ ଅଛି ।

କଥିତ ଅଛି ଯେ ଦିଗ୍‍ବିଜୟରୁ ମିଳିଥିବା ସେହି ବିପୁଳ ଧନରତ୍ନ କିପରି ପ୍ରଭୁଙ୍କ ସେବାରେ ଲାଗିବ, ସେଥିପାଇଁ ସେ ଅଳଙ୍କାରାଦି ଦାୟିତ୍ୱରେ ଥିବା ତଢ଼ାଉକରଣ ସେବକଙ୍କ ପରାମର୍ଶ ଚାହିଁଥିଲେ । ରାଜଗୁରୁଙ୍କ ସହ ପରାମର୍ଶ କରି ତଢ଼ାଉକରଣ ତାଙ୍କୁ କହିଥିଲେ ଯେ ସେହିସବୁ ସୁନାରେ ଅଳଙ୍କାର ଗଢ଼ାଇ ପ୍ରଭୁଙ୍କର ସୁନାବେଶ କରାଯାଉ । ଶ୍ରୀମନ୍ଦିରର ରତ୍ନବେଦିରେ ହେଉଥିବା ସୁନାବେଶ ସବୁ ଭକ୍ତ ଦର୍ଶନ କରିବାର ସୁଯୋଗ ପାଉ ନଥିବାରୁ, ଠାକୁରମାନେ ବାହୁଡ଼ାଯାତ୍ରାରେ ସିଂହଦ୍ୱାରକୁ ଫେରିବା ପରେ ରଥ ଉପରେ ଏହି ବେଶ କରାଯାଉ ।

ବଡ଼ ତଢ଼ାଉଙ୍କର ଏହି ପରାମର୍ଶ କପିଳେନ୍ଦ୍ର ଦେବଙ୍କ ମନକୁ ପାଇଥିଲା ଏବଂ ତାଙ୍କର ଶ୍ରଦ୍ଧାପୂର୍ଣ୍ଣ ଅନୁରୋଧରେ ନୂତନ ସ୍ୱର୍ଣ୍ଣାଳଙ୍କାର ଗଢ଼ାଯାଇ ରଥ ଉପରେ ଠାକୁରମାନଙ୍କର ସୁନାବେଶ କରାଗଲା । ସେହି ହେତୁ ରଥ ଉପରେ ହେଉଥିବା ସୁନାବେଶ ‘ବଡ଼ ତଢ଼ାଉ ବେଶ’ ଭାବରେ ନାମିତ ହେଲା । ବିଶେଷ ଉଲ୍ଲେଖନୀୟ ଯେ ଏହି ବେଶରେ ‘ବଡ଼ତଢ଼ାଉ କଣ୍ଠମାଳା’ ନାମରେ ସ୍ୱତନ୍ତ୍ର ସ୍ୱର୍ଣ୍ଣଅଳଙ୍କାର ମଧ୍ୟ ଠାକୁରଙ୍କୁ ଲାଗି ହୋଇଥାଏ ।

ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ରଥ ଉପରେ ହେଉଥିବା ଏହି ସୁନାବେଶ ମଧ୍ୟାହ୍ନ ଧୂପ ପରେ ହୁଏ । ଏହି ବେଶ ଥାଇ ଠାକୁରମାନଙ୍କର ସଂଧ୍ୟା ଆଳତି ଓ ସଂଧ୍ୟା ଧୂପ ବଢ଼ିଥାଏ । ରଥ ଉପରେ ଏହି ସୁନା ବେଶ ଦେଖିବାପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଥାଏ ।

 

ସମ୍ବନ୍ଧିତ ଖବର