ଏଣିକି ଇ-ଟିକେଟରେ ଯାତ୍ରୀଙ୍କ ନାମ ୱେଟିଂ ଲିଷ୍ଟରେ ଥିଲେ ମଧ୍ୟ ଟ୍ରେନରେ ଯାତ୍ରା କରିବାର ସୁବିଧା ପାଇପାରିବେ!

ଏଣିକି ରେଲୱେର ଇ-ଟିକେଟରେ ଯାତ୍ରୀଙ୍କ ନାମ ୱେଟିଂ ଲିଷ୍ଟରେ ଥିଲେ ମଧ୍ୟ ଟ୍ରେନରେ ଯାତ୍ରା କରିବାର ସୁବିଧା ପାଇପାରିବେ। ଏନେଇ ସୁପ୍ରିମକୋର୍ଟ ରେଳ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ରେଳବିଭାଗର ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଯାହାଦ୍ୱାରା କୌଣସି ଯାତ୍ରୀଙ୍କ ପାଖରେ ଇ-ଟିକେଟ ଥିବ କିନ୍ତୁ ନାମ ୱେଟିଂ ଲିଷ୍ଟରେ ଥିବ ତେବେ ତାଙ୍କୁ ଟ୍ରେନରେ ଯାତ୍ରା କରିବାକୁ ସୁଯୋଗ ମିଳିବ।

ସୂଚନା ଅନୁସାରେ, ୨୦୧୪ରେ ଏକ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ କହିଥିଲେ, କାଉଣ୍ଟର ଟିକେଟଧାରୀଙ୍କ ଭଳି ଇ-ଟିକେଟରେ ୱେଟିଂ ଲିଷ୍ଟରେ ଥିବା ଯାତ୍ରୀଙ୍କ ଟିକେଟକୁ ରଦ୍ଦ କରାଯାଇପାରିବ ନାହିଁ। କିନ୍ତୁ ରେଳ ବିଭାଗ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଯାହାକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ସୁପ୍ରିମକୋର୍ଟ ନିଜ ରାୟରେ ରେଳ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଖୁବଶୀଘ୍ର ରେଳବିଭାଗ ଏଭଳି ଏକ ସ୍କିମ ଲାଗୁ କରୁ ଯାହାଦ୍ୱାରା ଅନ୍ୟ କାହା ନାଁରେ ଟିକେଟ କରୁଥିବା ଏଜେଣ୍ଟଙ୍କ ଉପରେ ରୋକ୍‌ ଲଗାଯାଇ ପାରିବ।

ରେଳବିଭାଗର ନିୟମ ଅନୁଯାୟୀ, ଇ-ଟିକେଟର ୱେଟିଂ ଲିଷ୍ଟରେ ଥିବା ଯାତ୍ରୀମାନଙ୍କୁ ଟ୍ରେନରେ ଯାତ୍ରା କରିବାକୁ ସୁଯୋଗ ଦିଆଯାଇନଥାଏ। କିନ୍ତୁ କାଉଣ୍ଟରରେ ଟିକେଟ କରିଥିବା ଯାତ୍ରୀମାନଙ୍କର ନାମ ୱେଟିଂ ଲିଷ୍ଟରେ ଥିଲେ ମଧ୍ୟ ଏମାନେ ଟ୍ରେନରେ ଯାତ୍ରା କରିପାରିବେ ବୋଲି ନିୟମ ରହିଛି । ତେବେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ରେଳ ବିଭାଗ ପକ୍ଷରୁ କୌଣସି ଓକିଲ ଆସିନଥିଲେ। ଯେଉଁଥି ପାଇଁ ରେଳ ବିଭାଗର ଆବେଦନକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ । ଏଭଳି ନିଷ୍ପତ୍ତି ଯୋଗୁଁ ଦୁଇ ପ୍ରକାର ଟିକେଟକୁ ନେଇ ଦେଖା ଦେଉଥିବା ଭେଦଭାବକୁ ଦୂର କରାଯାଇ ପାରିବ।

ସମ୍ବନ୍ଧିତ ଖବର