ଛେଳି ବିକ୍ରି କରି ଶୌଚାଳୟ ନିର୍ମାଣ କରିଥିବା ବୃଦ୍ଧାଙ୍କ ପରଲୋକ

କୁନ୍‌ଓ୍ଵର ବାଇଙ୍କ ପାଦ ସ୍ପର୍ଶ କରିଥିଲେ ମୋଦି

ରାୟପୁର: ଛତିଶଗଡ଼ର ଧମତରି ଜିଲ୍ଲାରେ ରହୁଥିବା କୁନ୍‌ଓ୍ଵର ବାଇଙ୍କ ଶୁକ୍ରବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ କୁନ୍‌ଓ୍ଵରଙ୍କୁ ୧୦୬ବର୍ଷ ହୋଇଥିଲା। ଗତ ସୋମବାର ଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରେ ଲାଗିଥିଲା। ତେଣୁ ତାଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମସ୍ତିଷ୍କ ଓ ଶରୀରର ଅନ୍ୟାନ୍ୟ ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲା। ଯେଉଁଥିପାଇଁ ତାଙ୍କୁ ଅନ୍ୟ ଏକ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ କୁନ୍‌ଓ୍ଵରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛ ଭାରତ ଅଭିଯାନ ଆଧାରରେ ୨୦୧୬ରେ କୁନଓ୍ଵରଙ୍କୁ ସମ୍ମାନିତ କରିଥିଲେ। ଏହା ପଛର କାରଣ ଏହି ବୃଦ୍ଧା ମହିଳା ଜଣକ ଶୌଚାଳୟ ନିର୍ମାଣ କରିବା ପାଇଁ ତାଙ୍କ ଛେଳିକୁ ବିକ୍ରି କରିଦେଇଥିଲେ। କୁନଓ୍ଵର ବାଇଙ୍କ ଏହି ପଦକ୍ଷେପ ପାଇଁ ମୋଦି ବୃଦ୍ଧାଙ୍କ ପାଦ ବି ଛୁଇଁଥିଲେ। କୁନଓ୍ଵର ବାଇଙ୍କ ପରଲୋକ ପାଇଁ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଭାରତର ଦୁରବର୍ତ୍ତୀ ଗ୍ରାମରେ ରହୁଥିବା ୧୦୬ବର୍ଷର ବୃଦ୍ଧା ଟେଲିଭିଜନ ଦେଖିବା ସହିତ ଖବର କାଗଜ ବି ପଢ଼ିଥାଆନ୍ତି। କୌଣସି ଉପାୟେ ତାଙ୍କ ପାଖକୁ ସ୍ୱଚ୍ଛଭାରତ ଅଭିଯାନ ଜରିଆରେ ଶୌଚାଳୟ ନିର୍ମାଣ କରିବାର ସୂଚନା ମିଳିଥିଲା। ଏହାପରେ ବୃଦ୍ଧା ନିଜ ଘରେ ଶୌଚଳାୟ  ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ରଖିଥିବା ତାଙ୍କର ସମସ୍ତ ଛେଳି ଆର୍ଥାତ ୧୦ଟି ଛେଳିକୁ ୨୨ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ। ମୋର ସମସ୍ତଙ୍କୁ ଅନୁରୋଧ ଏହି ମହିଳାଙ୍କ କାହଣୀକୁ ସମସ୍ତଙ୍କ ପାଖରେ ପହଞ୍ଚିବା ପାଇଁ ଚେଷ୍ଟା କରନ୍ତୁ।

ସମ୍ବନ୍ଧିତ ଖବର