‘ତାଳ’, ‘ତାଳକେତୁ’ ଓ ‘ନିକୁମ୍ଭିଲା’ ଦେବୀ

ରଥ କଥା - ଅସିତ ମହାନ୍ତି

ଶ୍ରୀଜଗନ୍ନାଥଙ୍କ ରଥର ନାମ ଯେପରି ‘ନନ୍ଦିଘୋଷ’, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥର ନାମ ସେପରି ‘ତାଳଧ୍ୱଜ’ ଓ ‘ଦେବଦଳନ’ । ଏ ଦୁଇ ନାମ ପଛରେ ମଧ୍ୟ ଅନେକ ରହସ୍ୟ ରହିଛି ।

ଶ୍ରୀବଳଭଦ୍ର ବଡ଼ଭାଇ । ବଡ଼ଠାକୁର । ତେଣୁ ତାଙ୍କ ରଥକୁ କେହି କେହି ‘ବଡ଼ବାଡ଼ ରଥ’ ବୋଲି ବି କହନ୍ତି । ତେବେ ତାଙ୍କ ରଥର ଆଉ ଗୋଟିଏ ନାମ ‘ଲାଙ୍ଗଳଧ୍ୱଜ’ । ତାଙ୍କର ଦୁଇ ଆୟୁଧ ହେଉଛି- ‘ହଳ’ ଓ ‘ମୂଷଳ’ । ଏଥିରୁ ହଳ ବା ‘ଲଙ୍ଗଳ’ ଅନୁସାରେ ତାଙ୍କ ରଥର ନାମ ‘ଲାଙ୍ଗଳଧ୍ୱଜ’ ହୋଇଛି । କିନ୍ତୁ ତାଙ୍କ ରଥର ନାମ କାହିଁକି ‘ତାଳଧ୍ୱଜ’ ତା ପଛରେ ଅନେକ ରହସ୍ୟ ରହିଛି ।

ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତରେ ‘ତାଳଧ୍ୱଜ’ର ଉଲ୍ଲେଖ ଅଛି । ଏହା ଅନୁସାରେ, ‘ତାଳଧ୍ୱଜ’ ଥିଲା ଶ୍ରୀକୃଷ୍ଣଙ୍କ ବଡ଼ଭାଇ ବଳରାମଙ୍କ ରଥ । ସେ ଦୃଷ୍ଟିରୁ ପୁରୀ ରଥଯାତ୍ରାରେ ବଳଭଦ୍ରଙ୍କ ରଥର ନାମ ‘ତାଳଧ୍ୱଜ’ ହୋଇଛି । ଭାଗବତକାର ଜଗନ୍ନାଥ ଦାସ ଲେଖିଛନ୍ତି-

ଏବେ ହେ ଶୁଣ କୁରୁବୀର । ଦ୍ୱାରକାପୁରେ ହଳଧର ।।
ସୁହୃଦ ଦରଶନ ସଧେ । ବିଜୟ ତାଳଧ୍ୱଜ ମଧ୍ୟେ ।।

ତେବେ, ଏହାର ନାମ କାହିଁକି ତାଳଧ୍ୱଜ, ତା’ ପଛରେ ଗୋଟିଏ ଉପାଖ୍ୟାନ ଅଛି । ସେହି ଉପାଖ୍ୟାନ ଅନୁସାରେ, ବଳରାମଙ୍କର ପ୍ରିୟ ପାନୀୟ ହେଉଛି ‘କାଦମ୍ବରୀ’ । ଏହା ‘ତାଳ’ ଜାତୀୟ ଏକ ବୃକ୍ଷର ପୁଷ୍ପକେଶର ପାଖରୁ ଝରୁଥିବା ରସ । ଏହି କାଦମ୍ବରୀ ପାଇଁ ବଳରାମ ‘ତାଳକେତୁ’ ନାମକ ଏକ ରାକ୍ଷସକୁ ବଧ କରିଥିଲେ । ସେହି ରାକ୍ଷସ ତାହାର ଶେଷଇଚ୍ଛା ରୂପେ ତାଙ୍କ ରଥର ଧ୍ୱଜରେ ଅବସ୍ଥାନ କରିବାପାଇଁ ଅନୁରୋଧ କରିଥିଲା । ବଳରାମ ତାହାର ଇଚ୍ଛା ପୂରଣ କରିଥିଲେ । ତେଣୁ ତାଙ୍କ ରଥର ନାମ ‘ତାଳଧ୍ୱଜ’ ହେଲା ।

କିନ୍ତୁ ‘ସ୍କନ୍ଦପୁରାଣ’ରେ ଏ ସଂପର୍କରେ ଏକ ତାତ୍ତ୍ୱିକ ପ୍ରସଙ୍ଗ ଅଛି । ସେଥିରେ ‘ତାଳଧ୍ୱଜ’ର ‘ତାଳ’କୁ ‘ଆଦର୍ଶ’ ବା ଦର୍ପଣ ସହ ଯୋଡ଼ା ଯାଇଛି । ତାହା ଅନୁସାରେ- ବଳଭଦ୍ର ସୁନିର୍ମଳ ଜ୍ଞାନ ରୂପକ ଦର୍ପଣଦ୍ୱାରା ଏ ସଂସାରର ସମସ୍ତ ଜୀବ ଓ ଜଡ଼ଙ୍କୁ ଦର୍ଶନ କରନ୍ତି । ତାଙ୍କ କରତଳ ବା ହାତ ପାପୁଲିରେ ଏହି ନିର୍ମଳ ଦର୍ପଣ ରହିଥାଏ । ଏଥରୁ ତାଙ୍କ ରଥର ନାମ ‘ତାଳଧ୍ୱଜ’ ।

‘ତାଳଧ୍ୱଜ’ ପରି ଦେବୀ ସୁଭଦ୍ରାଙ୍କ ‘ଦେବଦଳନ’ ରଥର ନାମ ପଛରେ ମଧ୍ୟ ଅନେକ ରହସ୍ୟ ରହିଛି ।

‘ବାଲ୍ଲୀକି ରାମାୟଣ’ର ଏକ ଆଖ୍ୟାନ ଅନୁସାରେ- ରାବଣର ରାଜଧାନୀ ସ୍ୱର୍ଣ୍ଣଲଙ୍କାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ‘ନିକୁମ୍ଭିଲା’ । ସେ ‘ବଟମଙ୍ଗଳା’ଙ୍କ ପରି ଏକ ଦେବୀ । ରାବଣର ପୁତ୍ର ମେଘନାଦ ଅମର ହେବାପାଇଁ ନିକୁମ୍ଭିଲା ଦେବୀଙ୍କ ବଟବୃକ୍ଷଠାରେ ଗୋଟିଏ ଯଜ୍ଞ କରିଥିଲା । ତାହା ଥିଲା ଏକ ‘ସପ୍ତଯଜ୍ଞ’ । ଏହି ‘ସପ୍ତଯଜ୍ଞ’ର ସପ୍ତମ ତଥା ଶେଷ ଯଜ୍ଞ ଥିଲା ‘ମାହେଶ୍ୱର’ । ବ୍ରହ୍ମା ତାକୁ ବର ଦେଇଥିଲେ ଯେ ସେହି ଯଜ୍ଞ ଶେଷ ପରେ, ସେଥିରୁ ଗୋଟିଏ ରଥ ବାହାରିବ । ସେଥିରେ ବସି ଯୁଦ୍ଧ କଲେ ତାକୁ କେହି ପରାସ୍ତ କରିପାରିବେ ନାହିଁ । ସେହି ଯଜ୍ଞ ସଂପୂର୍ଣ୍ଣ ହେବା ପରେ, ନିକୁମ୍ଭିଲା ଯଜ୍ଞକୁଣ୍ଡରୁ ମେଘନାଦକୁ ଗୋଟିଏ ରଥ ମିଳିଲା । ସେଥିରେ ବସି ଯୁଦ୍ଧ କରି ସେ ଇନ୍ଦ୍ର ଓ ଅନ୍ୟ ଦେବତାଙ୍କୁ ପରାସ୍ତ କରିଥିଲା । ସେହିଠାରୁ ତାହାର ନାମ ‘ଇନ୍ଦ୍ରଜିତ’ ହେଲା ।

‘ବାଲ୍ମୀକି ରାମାୟଣ’ରେ ଏ ରଥର ନାମ ନାହିଁ । କିନ୍ତୁ ଉପରୋକ୍ତ ଉପାଖ୍ୟାନ ଦୃଷ୍ଟିରୁ ବଳରାମ ଦାସ ତାଙ୍କ ‘ଦାଣ୍ଡି ରାମାୟଣ’ରେ ଏହାର ନାମ ‘ଦେବଦଳନ’ ରଖିଛନ୍ତି । ‘ବାଲ୍ମୀକି ରାମାୟଣ’ର କେତେକ ଅନୁବାଦକ ମଧ୍ୟ ଏହାର ଆଧାରରେ ଇନ୍ଦ୍ରଜିତର ରଥ ‘ଦେବଦଳନ’ ବୋଲି କହିଛନ୍ତି ।

କିନ୍ତୁ ‘ଶ୍ରୀମନ୍ଦିର ସ୍ୱତ୍ୱଲିପି’ରେ ଦେବୀ ସୁଭଦ୍ରାଙ୍କ ରଥର ନାମ ‘ଦେବଦଳନ’ ବୋଲି ଉଲ୍ଲେଖ ନାହିଁ । ସେଥିରେ ଏହାକୁ ‘ଦେବୀ ରଥ’ ଓ ‘ଶ୍ରୀସୁଭଦ୍ରାଙ୍କ ରଥ’ ବୋଲି ଉଲ୍ଲେଖ କରାଯାଇଛି । ତେବେ ‘ନିକୁମ୍ଭିଲା’ ଦେବୀଙ୍କ ଆଶୀର୍ବାଦରୁ, ନିକୁମ୍ଭିଲା ବଟର ଯଜ୍ଞକୁଣ୍ଡରୁ ସେହି ରଥ ମିଳିଥିବାରୁ, ତାହାକୁ ‘ଦେବୀ ରଥ’ କୁହାଯିବାର ତାତ୍ପର୍ଯ୍ୟ ରହିଛି । ଏ ଦୃଷ୍ଟିରୁ, ଦେବତାଙ୍କ ପରାଭବ ବା ‘ଦେବଦଳନ’ ସହିତ ଏହି ରଥର କୌଣସି ସଂପର୍କ ନାହିଁ ।

‘ସାରଳା ମହାଭାରତ’ରେ କିନ୍ତୁ ଏ ରଥର ନାମ ‘ପଦ୍ମଧ୍ୱଜ’ । ସେଥିରେ ଗୋଟିଏ ସୁନ୍ଦର ଉପାଖ୍ୟାନ ଅଛି । ତାହା ହେଉଛି- ଥରେ ସୂର୍ଯ୍ୟଦେବ ଚନ୍ଦ୍ରଭାଗାକୁ ସ୍ନାନ କରିବାକୁ ଆସିଥିଲେ । ସେଠାର ‘ଅର୍କବଟ’ ତଳେ ନିଜର ରଥକୁ ରଖି ସେ ନଦୀରେ ସ୍ନାନ କରିବାକୁ ଗଲେ । ସେତିକିବେଳେ ସେଠାରେ ଥିବା ‘ଅର୍କଦୈତ୍ୟ’ ରଥଟିକୁ ଗିଳିଦେଲା । ସୂର୍ଯ୍ୟଦେବ ତାହା ଜାଣି ବ୍ରହ୍ମାଙ୍କୁ ସ୍ମରଣ କଲେ । ସୂର୍ଯ୍ୟଦେବଙ୍କର ରଥ ନଥିଲେ- ସେ ପରିକ୍ରମା କରିପାରିବେ ନାହିଁ । ସେ ପରିକ୍ରମା ନକଲେ ଦିନରାତି ହେବ ନାହିଁ । ତେଣୁ ବ୍ରହ୍ମା ଗୋଟିଏ ଯଜ୍ଞ କଲେ । ସେହି ଯଜ୍ଞରୁ ଆଠଟି ରଥ ଜାତ ହେଲେ । ସେହି ଆଠ ରଥ ମଧ୍ୟରେ ‘ନନ୍ଦିଘୋଷ’, ‘ତାଳଧ୍ୱଜ’ ଓ ‘ପଦ୍ମଧ୍ୱଜ’ ରଥ ମଧ୍ୟ ଥିଲେ । ସୂର୍ଯ୍ୟଦେବ ‘ପଦ୍ମଧ୍ୱଜ’ ରଥରେ ବସି ତାଙ୍କର ପରିକ୍ରମା କଲେ । ପରେ ସେ ଅର୍କଦୈତ୍ୟକୁ ବଧ କରି ନିଜ ରଥକୁ ପାଇଲେ ଏବଂ ‘ପଦ୍ମଧ୍ୱଜ’ ରଥଟିକୁ ବ୍ରହ୍ମାଙ୍କୁ ଫେରାଇଦେଲେ । ପରେ, ମହାଭାରତର ଖାଣ୍ଡବ ବନ ଦହନ ବେଳେ, ବ୍ରହ୍ମା ସେହି ରଥକୁ ଅର୍ଜୁନଙ୍କୁ ଦେଇଥିଲେ । ଅର୍ଜୁନ ସେହି ରଥରେ ବସି ମହାଭାରତ ଯୁଦ୍ଧ କରିଥିଲେ । ପରେ ସେ ଦେବୀ ସୁଭଦ୍ରାଙ୍କ ରଥରେ ସାରଥି ହେଲେ । ସେ ଦୃଷ୍ଟିରୁ ଦେବୀସୁଭଦ୍ରାଙ୍କ ରଥ ‘ପଦ୍ମଧ୍ୱଜ’ ।

 

ସମ୍ବନ୍ଧିତ ଖବର