ଓଡ଼ିଆ ସଂସ୍କୃତି ‌ମୋହରେ ପଡ଼ିଛୁ

ଭୁବନେଶ୍ବର : ଓଡ଼ିଆ ଭାଷା ମଧୁର। ସଂସ୍କୃତି ବେଶ ଉଚ୍ଚକୋଟୀର। ଖାଦ୍ୟର ତୁଳନା ନାହିଁ। ତେଣୁ ଆମେ ଓଡ଼ିଆ ସଂସ୍କୃତି ମୋହରେ ବାନ୍ଧି ହୋଇପଡ଼ିଛୁ ବୋଲି ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ସମାବେଶ ‘ଓଡ଼ିଆ ହେବା’ ଶୀର୍ଷକ ଅଧିବେଶନରେ ଯୋଗ ଦେଇଥିବା ବକ୍ତାମାନେ କହିଛନ୍ତି। ‘ସମ୍ବାଦ’ ଗ୍ରୁପ୍‌ର ପରିଚାଳନା ନିର୍ଦେଶିକା ମୋନିକା‌ ନୈୟାର ପଟ୍ଟନାୟକ ଯୋଗଦେଇ କହିଲେ, ଏବେ ଓଡ଼ିଶା ମୋ ଘର। ୧୯୮୪ରେ ପ୍ରଥମେ ଓଡ଼ିଶା ଆସି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲି। ସେତେବେଳେ ୧୦ ପଇସାର ପାନ ଏଠାରେ ମିଳୁଥିଲା, ଯାହାକି ମୋତେ ଭଲ ଲାଗିଥିଲା। ଏହାର କିଛି ବର୍ଷ ପରେ ଓଡ଼ିଶାରେ ହିଁ ବିବାହ କଲି। ଇତି ମଧ୍ୟରେ ୨୦ ବର୍ଷ ବିତିଗଲାଣି। ପ୍ରଥମେ ପ୍ରଥମେ ଭାଷାକୁ ନେଇ କିଛିଟା ଦ୍ବନ୍ଦ୍ବ ରହୁଥିଲା। ବିବାହ ପରେ ଶ୍ବଶୁରଙ୍କ ସହ ହିନ୍ଦୀ ନ ହେଲେ ଇଂରାଜୀରେ କଥା ହେଉଥିଲି। କିନ୍ତୁ ଶାଶୂ ଅବସରପ୍ରାପ୍ତ ଓଡ଼ିଆ ପ୍ରଫେସର ହୋଇଥିବାରୁ ଓଡ଼ିଆ ଭାଷା ଶିଖିବା ସହଜ ହେଲା। ନିଜ ଘର ଦିଲ୍ଲୀକୁ ଗଲେ ବି ଓଡ଼ିଆରେ କଥା ହୁଏ। ଏଠାକାର ଲୋକଙ୍କ ସହ ଯୋଡ଼ି ହେବା ମୋତେ ବହୁତ ଆକୃଷ୍ଟ କରିଛି। ଡାଲମା, ଭାତ, ମାଛ, କଙ୍କଡ଼ା ଖାଇବାକୁ ଭଲ ଲାଗେ। ଏବେ ଓଡ଼ିଶା ମୋର ପ୍ରଥମ ତଥା ଏକମାତ୍ର ପସନ୍ଦର ରାଜ୍ୟ।

ନୃତ୍ୟଶିଳ୍ପୀ ଇଲିଆନା ସୀତାରିଷ୍ଟ କହିଲେ, ୧୯୭୯ରେ ଯେତେବେଳେ ଭାରତକୁ ଆସିଥିଲି, ସେତେ‌ବେଳେ ଚିନ୍ତା କରିଥିଲି ଗୋଟିଏ ବର୍ଷ ରହିବି। ଓଡ଼ିଶୀ ନୃତ୍ୟ ଶିଖିବା ସମୟରେ ଗୁରୁ କେଳୁଚରଣ ମହାପାତ୍ରଙ୍କୁ କହିଥିଲି ଏଠାରେ ୬ ମାସ ରହିବି। କିନ୍ତୁ କେତେବେଳେ ୬ ମାସ ୬ ବର୍ଷ ହୋଇଥିଲା ଜାଣିପାରିଲିନି। ଏହାପରେ ଇଟାଲୀକୁ ଫେରିଗଲି। ପରେ ପୁଣିଥରେ ଓଡ଼ିଶାକୁ ଫେରି ଆସିଲି। କଟକ ମାଧ୍ୟମରେ ଓଡ଼ିଶାକୁ ପ୍ରବେଶ କରିଥିଲି। କଟକ ଲୋକେ ମୋତେ ବହୁତ ପ୍ରଭାବିତ କରିଥିଲେ। ମୋ ମୁହଁରୁ ଓଡ଼ିଆ ଶୁଣିବାକୁ ସେତେବେଳେ ଲୋକେ ଚାହିଁ ରହୁଥିଲେ। ଛୋଟ ଶିଶୁ ଭଳି ମୋତେ ଓଡ଼ିଆ ଭାଷା ଶିଖାଉଥିଲେ। ଓଡ଼ିଶା ଏବେ ମୋର ପ୍ରଥମ ପସନ୍ଦ ରାଜ୍ୟ। ଦ୍ବିତୀୟରେ କେରଳ। ଗବେଷକ ନି‌କୋଲାସ ଜେମ୍ସ ଯୋଗଦେଇ କହିଲେ, ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ବ୍ୟକ୍ତିମାନେ ମୋତେ ଓଡ଼ିଶାରେ ରହିବା ପାଇଁ ଚିନ୍ତାରେ ପକାଇଥିଲେ। ପରବର୍ତୀ ସମୟରେ ଓଡ଼ିଶା ସଂସ୍କୃତି ସମ୍ପର୍କରେ ଜାଣିବା ପାଇଁ ଆଗ୍ରହ ବଢ଼ିଲା। ପରବର୍ତୀ ସମୟରେ ଭୁବନେଶ୍ବରରେ ରହିବାକୁ ଇଚ୍ଛା ପ୍ରକାଶ କଲି। ଏହି ଅଧିବେଶନରେ ବିଶିଷ୍ଟ ନାଟ୍ୟକାର ଅନନ୍ତ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର