ମା’ଙ୍କୁ କହିଥିଲି, କଲେକ୍ଟର ହେବି

ଭୁବନେଶ୍ବର : ମୁଁ ଯେତେବେଳେ ଦୁଷ୍ଟ ହେଉଥିଲି, ମା’ କହୁଥିଲେ ତମେ କଥା ମାନୁନ, କିଛି କରୁନାହଁ, ତମେ କ’ଣ କଲେକ୍ଟର! ବେଳେବେଳେ ମା’ଙ୍କ ଏ ପ୍ରଶ୍ନର ଉତ୍ତରରେ ମୁଁ କହୁଥିଲି, ଦେଖିବ ମୁଁ ଦିନେ କଲେକ୍ଟର ହେବି। ତମକୁ କଲେକ୍ଟରର ମା’ ସଜେଇବି। ସେବେ ଏକଥା କହିବା ବେଳେ ମୁଁ ଏତେଟା ସଚେତନ ନଥିଲି। କିନ୍ତୁ ମନ ଭିତରେ ସେଇ କଥାଟି ବସା ବାନ୍ଧିଥିଲା। ଶେଷରେ ସେ ସ୍ବପ୍ନ ସାକାର ହେଲା ବୋଲି କହିଛନ୍ତି କୃଷି ଶ୍ରମିକରୁ ପ୍ରଶାସକ ପାଲଟିଥିବା ରାଜେଶ ପାଟିଲ୍‌। ‘ମା’ ମୁଁ କଲେକ୍ଟର ହେଲି’ ପୁସ୍ତକର ରଚୟିତା ଶ୍ରୀ ପାଟିଲ୍‌ ନିଜ ବହି ସମ୍ପର୍କରେ ଅଭିଜ୍ଞତା ବାଣ୍ଟିବା ବେଳେ କହିଲେ, ମା’ ‌୩ୟ ଶ୍ରେଣୀ ଯାଏଁ ପଢ଼ିଛନ୍ତି। କିନ୍ତୁ ବସ୍ତୁବାଦୀ ଦୁନିଆଠାରୁ ଦୂରରେ ରହି ସମ୍ପର୍କକୁ ଦୃଢ଼ କରିବା ଏବଂ ସାହସିକ ପଦକ୍ଷେପ ନେବା ମତେ ମା’ ଶିଖାଇଛନ୍ତି।

ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ସମାବେଶର ‘ଦି ଷ୍ଟିଲ୍‌ ଫ୍ରେମ୍‌ ଆଣ୍ଡ୍‌ ଦି ଷ୍ଟିଲ୍‌ ନିବ୍‌’ ଶୀର୍ଷକ ଅଧିବେଶନରେ ଯୋଗଦେଇ କହିଲେ, ଝୁପୁଡ଼ିରେ ରହୁଥିବା ଲୋକେ ବି ଜୀବନକୁ ଉପଭୋଗ କରେ। ସେ ସମୟରେ ଯାହା ମତେ ଭଲ ଲାଗୁଥିଲା, ମୁଁ କରୁଥିଲି। ଯେତେବେଳେ କୃଷି ଶ୍ରମିକ ଭାବେ କାମ କରୁଥିଲି, କଷ୍ଟ ହେଉଥିଲେ ବି ସେ ସମୟରେ ପରିବାରକୁ ସାହାଯ୍ୟ କରିବାକୁ ଖୁସି ଲାଗୁଥିଲା। ଅବଶ୍ୟ କାମ କରିବା ଭିତରେ ଉପାର୍ଜିତ ଅର୍ଥରେ ଦୀପାବଳିରେ ନୂଆ ସାର୍ଟ କିଣିବାକୁ ପଇସା ସଞ୍ଚୁଥିଲି। ସ୍କୁଲ୍‌ରେ ପଢ଼ୁଥିବା ବେଳେ ସବୁବେଳେ ଭାବେ ମୁଁ କିଛି ଲେଖିବି। କିନ୍ତୁ କେବେ ଜୀବନୀ ଲେଖି ବି ଭାବିନଥିଲି। ‘ମା’ ମୁଁ କଲେକ୍ଟର ହେବି’ ବହି ଲେଖିବା ହଠାତ୍‌ ମୋ ମନକୁ ଆସିଥିଲା। କୃଷି ଶ୍ରମିକ ଭାବେ ଯେବେ କାମ କରୁଥିଲି, ସେତେବେଳେ ଭାବିନେଇଥି‌ଲି ଯେ ମୁଁ ଶେଷ ଯାଏଁ କେବେ ବି ଏଇ କାମ କରିବି ନାହିଁ। ଅନ୍ୟଠୁ କିଛି ଭିନ୍ନ କରିବି। ଏହା ମତେ କଲେକ୍ଟର ହେବା ପାଇଁ ପ୍ରେରଣା ଦେଇଥିଲା ‌ବୋଲି ସେ କହିଥିଲେ। ଓଡ଼ିଶାରେ କୋରାପୁଟ, କନ୍ଧମାଳ, ମୟୂରଭଂଜ ଓ କଟକରେ ଜିଲ୍ଲାପାଳ ଭାବେ ୧୨ବର୍ଷ ବିତେଇଥିବା ପ୍ରଶାସନିକ ଅଭିଜ୍ଞତାକୁ ନେଇ ପରବର୍ତୀ ପୁସ୍ତକ ଲେଖିବେ ବୋଲି ଶ୍ରୀ ପାଟିଲ୍‌ କହିଥିଲେ।

ସେଇ ଅଧିବେଶନରେ ଉପସ୍ଥିତ ଥିବା ପୂର୍ବତନ ପ୍ରଶାସିକା ତଥା ଲେଖିକା ଅନିତା ‌ଅଗ୍ନିହୋତ୍ରୀ ରାଜେଶଙ୍କ ଏହି ପୁସ୍ତକ ସମ୍ବନ୍ଧରେ ନିଜ ମତ ରଖି କହିଲେ, ଏପରି ଏକ ଜୀବନୀ ପୁସ୍ତକ ନିକଟ ଅତୀତରେ ମୁଁ ପଢ଼ିବା ଭଳି ମନେ ପକେଇପାରୁନାହିଁ। ଜୀବନ ଅନୁଭୂତିକୁ ଏପରି ଢଙ୍ଗରେ ପାଠକଙ୍କ ସାମ୍ନାକୁ ଆଣିବା ବହୁତ ପ୍ରେରଣାଦାୟୀ ବୋଲି କହିଥିଲେ। ଲେଖିକା ଅନିତା କହିଥିଲେ, ଓଡ଼ିଶା ମୋ’ର ଦ୍ବିତୀୟ ଘର। ସୁନ୍ଦରଗଡ଼ ଓ ସୋନପୁରରେ ଲୋକଙ୍କ ସହ ମୋର ଭଲ ସମ୍ବନ୍ଧ ଥିଲା। କର୍ମମୟ ଜୀବନରେ କାହାର ବିଶ୍ବସ୍ତ ହୋଇନପାରିବାର ଅନୁଭବକୁ ନେଇ ସେ କିପରି ଲେଖିଛନ୍ତି ସେ ସମ୍ପର୍କରେ କହିଥିଲେ। ଏଥିସହ ଛତିଶଗଡ଼ରୁ ଓଡ଼ିଶା ପର୍ଯ୍ୟନ୍ତ ବ୍ୟାପିଥିବା ମହାନଦୀ କୂଳରେ ବାସ କରୁଥିବା ଲୋକଙ୍କୁ ନେଇ ସେ ଲେଖିଥିବା ‘ମହାନଦୀ’ ଶୀର୍ଷକ ବଙ୍ଗଳା ପୁସ୍ତକର ଓଡ଼ିଆ ଅନୁବାଦ ଏପ୍ରିଲ୍‌ କିମ୍ବା ମେ’ ମାସରେ ପ୍ରକାଶ ପାଇବ ବୋଲି କହିଥିଲେ। ପଞ୍ଚମୀ ମାନୁ ଉକିଲ୍‌ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ସମ୍ବନ୍ଧିତ ଖବର