ଫିଲ୍ମରେ ଏବେ ଭଲ କାହାଣୀକୁ ଗୁରୁତ୍ବ ଦିଆଯାଉନି

ଏବେ ବଲିଉଡ୍‌ ସମେତ ବିଭିନ୍ନ ଆଞ୍ଚଳିକ ଚଳଚ୍ଚିତ୍ରରେ କାହାଣୀକୁ ବିଶେଷ ଗୁରୁତ୍ବ ଦିଆଯାଉନି। ‌ଦର୍ଶକଙ୍କୁ କିପରି ଆକୃଷ୍ଟ କରାଯାଇପାରିବ ତାହାକୁ ନଜରରେ ରଖି ଫିଲ୍ମ ନିର୍ମାଣ ହେଉଛି। ଏପରିକି ଫିଲ୍ମ ରିଲିଜ୍‌ର ପ୍ରଥମ ସପ୍ତାହରେ କିପରି ୧୦୦କୋଟି, ୨୦୦କୋଟି ବ୍ୟବସାୟ କରିବ ତାହାକୁ ଅଧିକ ଗୁରୁତ୍ବ ଦିଆଯାଉଛି। ଏଥିପାଇଁ ଅଧିକ ହଲ୍‌ରେ ଫିଲ୍ମ ପଡ଼ୁଛି, ଫିଲ୍ମର ଜୋରଦାର ପ୍ରଚାର କରାଯାଉଛି। ଫଳରେ ବର୍ଷକୁ ୫୦ରୁ ଅଧିକ ଫିଲ୍ମ ରିଲିଜ୍ ହେଉଥିଲେ ହେଁ ହାତଗଣତି ଫିଲ୍ମ ଏହି ସଫଳତା ପାଉଛନ୍ତି।

ଦୁଇ ଦଶନ୍ଧି ତଳେ ଚଳଚ୍ଚିତ୍ରରେ ଯେପରି କାହାଣୀକୁ ଗୁରୁତ୍ବ ଦିଆଯାଉଥିଲା ତାହା ଏବେ ହେଉନି। ଏବେ ବିଭିନ୍ନ ୱେବ୍‌ ଚ୍ୟାନେଲ୍‌ରେ ଭଲ କାହାଣୀକୁ ନେଇ ଧାରାବାହିକ, କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସାରଣ ହେଉଥିବାରୁ ଦର୍ଶକ ଏହାପ୍ରତି ଆକର୍ଷିତ ହେଲେଣି। ୱେବ୍‌ ଚ୍ୟାନେଲ୍‌ଗୁଡ଼ିକ ଦର୍ଶକଙ୍କ ପସନ୍ଦ, ବର୍ତ୍ତମାନର ଘଟଣାବଳୀକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି। ପ୍ରାୟ ୨୨ମିନିଟ ଅବଧିର ଗୋଟିଏ ଲେଖାଏଁ ଧାରାବାହିକ ପ୍ରସ୍ତୁତ ହେଉଥିବାରୁ ଖୁବ୍ କମ୍‌ ସମୟରେ ଦର୍ଶକ ଭଲ କାହାଣୀର ଧାରାବାହିକଟିଏ ଦେଖିପାରୁଛନ୍ତି। ୱେବସିରିଜ୍‌ ପ୍ରତି ଲୋକ ଆକର୍ଷିତ ହେବାର ମୁଖ୍ୟ କାରଣ ହେଉଛି କମ୍‌ ସମୟରେ ଭଲ କାହାଣୀଟିଏ ଦେଖିପାରୁଛନ୍ତି।

ଏହା କହିଛନ୍ତି ବିଶିଷ୍ଟ ଅଭିନେତା, ନିର୍ଦ୍ଦେଶକ ତଥା ଲେଖକ ଓ ସଂଳାପକାର ଜୟନ୍ତ କ୍ରିପଲାନି ଏବଂ ଲେଖକ ହୁସେନ୍‌ ହାଇଦରି। ‘ଟାଟା ଷ୍ଟିଲ୍‌’ ପକ୍ଷରୁ ‘ସମ୍ବାଦ’ ସହାୟତାରେ ଏକ୍ସଆଇଏମ୍‌ବି ପରିସରରେ ଆୟୋଜିତ ଟାଟା ଷ୍ଟିଲ୍‌ ଭୁବନେଶ୍ବର ଲିଟେରାରି ମିଟ୍‌ର ଦ୍ବିତୀୟ ଦିନରେ ‘ଦ ଚେଞ୍ଜିଂ ସ୍କ୍ରିନ୍’ ଅଧିବେଶନରେ ଦୁଇ ବକ୍ତା ଏହା ମତ ରଖିଛନ୍ତି।

ଜୟନ୍ତ କ୍ରିପଲାନି କହିଥିଲେ ଯେ ଏବେ ଅଧିକ ମଲ୍ଟିପ୍ଲେକ୍ସ ଆସିଥିବାରୁ ଯେଉଁ ସବୁ ଫିଲ୍ମ ରିଲିଜ୍ ହେଉଛି ତାହା ଦର୍ଶକଙ୍କ ପାଖରେ ପହଞ୍ଚିପାରୁଛି। ଏପରିକି ଏବେ ବହୁ ଫିଲ୍ମ ନିର୍ମାତାଙ୍କ ପାଇଁ ଭଲ କାହାଣୀ ଥିବା ଫିଲ୍ମ ନିର୍ମାଣରେ ଅର୍ଥ ବାଧକ ସାଜୁନି। ଅଭିନେତା ଓ ଅଭିନେତ୍ରୀମାନେ ଫିଲ୍ମ ରିଲିଜ୍ ହେବା ପରେ ଏହାର ବ୍ୟବସାୟିକ ସଫଳତା ଦେଖି ଏହାର ଲାଭାଂଶରୁ ସେମାନଙ୍କ ପ୍ରାପ୍ୟ ପାଉଛନ୍ତି। ଯାହା ଏକ ଭଲ ଲକ୍ଷଣ।

ହୁସେନ ହାଇଦରି କହିଥିଲେ ଯେ ବହୁ ନିର୍ମାତା ଏବେ ଫିଲ୍ମକୁ ରେଷ୍ଟୁରାଣ୍ଟର ବୁଫେ ପରି ସଜାଇବାକୁ ଚାହୁଁଛନ୍ତି। ଏଥିରେ ଚିରାଚରିତ ଭାବେ ସବୁ କିଛି ରଖିବାକୁ ଚାହୁଁଛନ୍ତି। ଫଳରେ ସଂଳାପକାରଙ୍କ କାହାଣୀକୁ ବିଶେଷ ଗୁରୁତ୍ବ ଦିଆଯାଉନି। ଏହି ଅଧିବେଶନକୁ ଶାନ୍ତନୁ ରାୟ ଚୌଧୁରୀ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର