ଓଡ଼ିଶାକୁ ଅତି ନିକଟରୁ ଦେଖିଥିଲେ ଗାନ୍ଧୀ : ‘ସ୍ବତନ୍ତ୍ର ଭାଷାଭିତ୍ତିକ ପ୍ରଦେଶ ଗଠନ ସପକ୍ଷରେ ଥିଲେ ମହାତ୍ମା’

ବିଚାରଧାରା ଭିନ୍ନ ଥିଲେ ବି ମଧୁବାବୁ, ଗୋପବନ୍ଧୁଙ୍କୁ ସମ୍ମାନ ଦେଉଥିଲେ

0 109

ଭୁବନେଶ୍ବର : ମହାତ୍ମା ଗାନ୍ଧୀ ଯୁଆଡ଼େ ଯାଉଥିଲେ, ସେଠାକାର ଲୋକଙ୍କ ସହିତ ଅନ୍ତରଙ୍ଗ ହୋଇ ଯାଉଥିଲେ। ଓଡ଼ିଶାକୁ ସେ ୮ ଥର ଆସିଥିଲେ। ଏହି ରାଜ୍ୟ ଏବଂ ଏହାର ଲୋକମାନଙ୍କୁ ଅତି ନିକଟରୁ ଦେଖିଥିଲେ। ବିଶେଷ କରି ଓଡ଼ିଶାର ଦାରିଦ୍ର୍ୟ ଦେଶରେ ସବୁଠାରୁ ଉତ୍କଟ ବୋଲି ସେ ଏଠାକୁ ଆସିବା ପରେ ଅନୁଭବ କରିଥିଲେ। ପୂର୍ବରୁ ସେ ବିହାରର ଚମ୍ପାରନ୍‌ର ଲୋକଙ୍କୁ ଦେଖି ସେମାନଙ୍କୁ ଦେଶର ସବୁଠାରୁ ଗରିବ ବୋଲି ମନେ କରିଥିଲେ।

ଆଜି ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ ପରିସରରେ ଅନୁଷ୍ଠିତ ଟାଟା ଷ୍ଟିଲ୍‌-ସମ୍ବାଦ ଭୁବନେଶ୍ବର ଲିଟରାରି ମିଟ୍‌ର ‘ଓଡ଼ିଶାରେ ଗାନ୍ଧୀ’ ଶୀର୍ଷକ ଆଲୋଚନାରେ ଏଭଳି ମତ ରଖିଥିଲେ ବିଶିଷ୍ଟ ବକ୍ତାମାନେ। ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର କହିଲେ, ଓଡ଼ିଶାକୁ ଗାନ୍ଧୀ ଅତି ଗରିବ ରାଜ୍ୟ ଭାବେ ଦେଖିଛନ୍ତି। କିନ୍ତୁ ଖାଦ୍ୟ ନଷ୍ଟ ନକରି ଲୋକେ ଭାତକୁ ପଖାଳ କରି ଖାଇବା ଅଭ୍ୟାସକୁ ସେ ଖୁବ୍‌ ପ୍ରଶଂସା କରିଛନ୍ତି।

ଓଡ଼ିଶାକୁ ସ୍ବତନ୍ତ୍ର ଭାଷାଭିତ୍ତିକ ପ୍ରଦେଶ ଗଠନ ଦାବି ସେତେବେଳେ ଓଡ଼ିଆଙ୍କ ମଧ୍ୟରେ ପ୍ରବଳ ରାଜନୈତିକ ଇଚ୍ଛାଶକ୍ତି ସୃଷ୍ଟି କରିଥିଲା ବୋଲି ପ୍ରଫେସର ଯତୀନ୍ଦ୍ରନାଥ ନାୟକ କହିଥିଲେ। ଏହି ଦାବି ହାସଲ ପାଇଁ ବିଟ୍ରିସ୍‌ ସରକାରଙ୍କ ସମର୍ଥନ ଲୋଡ଼ିବା ପାଇଁ ଚାହୁଁଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ। କିନ୍ତୁ ଏ ନେଇ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ଭିନ୍ନମତ ଥିଲା। ମହାତ୍ମା ଗାନ୍ଧୀ ଭାଷାଭିତ୍ତିକ ସ୍ବତନ୍ତ୍ର ପ୍ରଦେଶ ଗଠନ ସପକ୍ଷରେ ଥିଲେ। ଦୁଇଜଣଙ୍କ ମଧ୍ୟରେ ବିଚାରଧାରା ଭିନ୍ନ ଥିବା ସତ୍ତ୍ବେ ସେ ଉଭୟ ମଧୁବାବୁ ଓ ପଣ୍ଡିତ ଗୋପବନ୍ଧୁଙ୍କୁ ସମ୍ମାନ ଦେଉଥିଲେ। ଗାନ୍ଧୀ ମଧ୍ୟ ଓଡ଼ିଶାର ସ୍ବତନ୍ତ୍ର ଭାଷାଭିତ୍ତିକ ପ୍ରଦେଶ ଗଠନ ଦାବିକୁ ସମର୍ଥନ କରୁଥିଲେ ବୋଲି କହିଥିଲେ ବିଶିଷ୍ଟ ସାହିତ୍ୟିକ ତଥା ଅନୁବାଦକ ଡ. ସଂଗ୍ରାମ ଜେନା।

ପ୍ରଫେସର ନାୟକ ମତବ୍ୟକ୍ତ କରି କହିଲେ, ମହାପୁରୁଷମାନେ ସାଧାରଣତଃ ଦୁଇଟି ଶ୍ରେଣୀଭୁକ୍ତ। ଗୋଟିଏ ଶ୍ରେଣୀର ମହାପୁରୁଷ ଚିନ୍ତା‌ ଜଗତରେ ଥାଇ ନିଜସ୍ବ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥାନ୍ତିି। କିନ୍ତୁ ମହାତ୍ମା ଗାନ୍ଧୀ ଲୋକଙ୍କ ମଧ୍ୟରେ ରହି ସେମାନଙ୍କ ମଧ୍ୟରେ ଜନନାୟକ ଭାବେ ନିଜର ସ୍ଥାନ ସୃଷ୍ଟି କରିପାରିଛନ୍ତି। ସେ ଅତି ସାଧାରଣ ଲୋକଙ୍କ ସହିତ ସଂପର୍କ ରଖୁଥିଲେ। ଜଣେ ବ୍ୟକ୍ତିଙ୍କ ସହିତ ସଂପର୍କ ରଖିବା ବେଳେ ତାଙ୍କର ଅତି ମାମୁଲି କଥା ବି ବୁଝୁଥିଲେ। ଏହାର ଉଦାହରଣ ଦେଇ ସେ କହିଲେ, ଦଶପଲ୍ଲାର ଗୋବିନ୍ଦ ମିଶ୍ରଙ୍କ ବାରମ୍ବାର ଦାବି ଯୋଗୁଁ ଗାନ୍ଧୀ ଓଡ଼ିଶା ଆସିଥିଲେ। ଶ୍ରୀ ମିଶ୍ର ସାବରମତୀ ଆଶ୍ରମରେ ରହୁଥିବା ବେଳେ ତାଙ୍କ ପରିବାରଙ୍କ ଚଳିବା ପାଇଁ ଗାନ୍ଧୀ ନିଜେ ଟଙ୍କା ପଠାଉଥିଲେ। ୧୯୨୧ରେ ଗାନ୍ଧୀ କାଠଯୋଡ଼ୀ ନଦୀ ବାଲିରେ ସଭା କରିଥିଲେ। ସେତେବେଳେ ଫୁଲ ଫୋପାଡ଼ିବା ଭଳି ତାଙ୍କ ଉପରକୁ ଲୋକେ ଅତି ଖୁସିରେ କୁଲା ପକାଇଥିଲେ। ଗାନ୍ଧୀ ସେହି କୁଲାକୁ ନିଲାମ କରି ଟଙ୍କା ଯୋଗାଡ଼ କରିଥିଲେ। ତେବେ ସେତେବେଳେ ମଧ୍ୟ କିଛି ଦଲାଲ ଶ୍ରେଣୀୟ ଲୋ‌େକ ଥିଲେ, ଯେଉଁମାନେ ସେହି ନଦୀ ବାଲିକୁ ବିକି ଟଙ୍କା ରୋଜଗାର କରିଥିବା ଭଳି ଘଟଣାର ଅବତାରଣା କରିଥିଲେ ଡ. ନାୟକ।

ବକୁଳ ବନରେ ରାଷ୍ଟ୍ରନୀତି ଓ ଦେଶପ୍ରେମ ଶିକ୍ଷା ଦେଖି ଗାନ୍ଧୀ ଅଭିଭୂତ ହୋଇପଡ଼ିଥିଲେ। ପରେ ସେ ଶାନ୍ତି ନିକେତନରେ ବକୁଳ ବନ ବିଷୟରେ ପ୍ରଶଂସା କରିଥିଲେ ବୋଲି କହିଥିଲେ ଡ. ଜେନା। ହରିଜନ ପଦଯାତ୍ରା ଓଡ଼ିଶାରୁ ଆରମ୍ଭ କରିଥିଲେ ଗାନ୍ଧୀ। ତେବେ ତାଙ୍କ ଅବର୍ତମାନରେ ଓଡ଼ିଶା ଉପରେ ତାଙ୍କର ପ୍ରଭାବ ଅକ୍ଷୁଣ୍ଣ ରହିଛି କି ଏବଂ ବର୍ତମାନର ଯୁବ ସମାଜ ଉପରେ ଗାନ୍ଧୀଙ୍କ ବିଚାରଧାରା ନେଇ କି ପ୍ରଭାବ ରହିଛି, ସେ ନେଇ ବିଭିନ୍ନ ପ୍ରଶ୍ନ ପଚରାଯାଇଥିଲା। ସେସବୁର ଉତ୍ତରରେ ବକ୍ତାମ‌ାନେ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଗାନ୍ଧୀଙ୍କ ଅମର ସ୍ମୃତିର ଆନୁଷ୍ଠାନିକ ସଂକଳନ, ତାଙ୍କ ବିଚାରଧାରା ଉପରେ ଅଧ୍ୟୟନ, ଗାନ୍ଧୀ ବାଣୀ ପ୍ରଚାର କରୁଥିବା ସମସ୍ତ ଆଶ୍ରମଗୁଡ଼ିକର ତଥ୍ୟ ପ୍ରସ୍ତୁତି ଆଦି ସହିତ ବିଭିନ୍ନ ମାଧ୍ୟମରେ ଯୁବ ସମାଜକୁ ‌େସ ନେଇ ଅବଗତ ତଥା ଉତ୍ସାହିତ କରାଇବାର ଆବଶ୍ୟକତା ରହିଥିବା ସେମାନେ କହିଥିଲେ। ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ବେନହୁର କହିଥିଲେ, ଗାନ୍ଧୀଙ୍କ ସ୍ବର ଅତ୍ୟନ୍ତ କ୍ଷୀଣ ଥିଲା। ସେତେବେଳେ ଓଡ଼ିଶାରେ ମାଇକ୍‌ ଯନ୍ତ୍ର ବ୍ୟବହାର ହୋଇପାରୁ ନଥିଲା। ତଥାପି ତାଙ୍କର ବାର୍ତା ଏତେ ପ୍ରଭାବଶାଳୀ ଥିଲା ଯେ ତାହା ଲୋକଙ୍କ ପାଖରେ ସହଜରେ ପହଞ୍ଚିପାରୁଥିଲା। ଏହି ଆଲୋଚନାକୁ ସଞ୍ଚାଳନ କରିଥିଲେ ବିଶିଷ୍ଟ ସାହିତ୍ୟିକ ତଥା ‘ସମ୍ବାଦ’ର ଫିଚର ସଂପାଦକ ଗୌରହରି ଦାସ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.