‘ପାରାଡାଇଜ୍‌ ଆଇଲାଣ୍ଡ୍‌’ର ନାମ ବଦଳି ହେଲା ‘ଡେଥ୍‌ ଆଇଲାଣ୍ଡ୍‌’; ଏହି ରହସ୍ୟମୟ ନାମ ପଛର କାରଣ…

ଥାଇଲାଣ୍ଡ୍‌ରେ ଏକ ଆଇଲାଣ୍ଡ୍‌ ରହିଛି ଯାହାର ନାମ ହେଉଛି ‘କୋ ଥୋ’। ତାହାକୁ ଲୋକେ ‘ପାରାଡାଇଜ୍‌ ଆଇଲାଣ୍ଡ୍‌’ ବୋଲି ବି କହିଥାନ୍ତି। ମାତ୍ର ଏହାର ନାମ ପରିବର୍ତ୍ତନ ହୋଇ ଇତିମଧ୍ୟରେ ‘ଡେଥ୍‌ ଆଇଲାଣ୍ଡ୍‌’ ହୋଇଯାଇଛି। ଏପରି ରହସ୍ୟମୟ ନାମ ପଛର କାରଣ ଜାଣିବା ପାଇଁ ଆପଣଙ୍କର ନିଶ୍ଚୟ ଇଚ୍ଛା ହେଉଥିବ।

ନୀଳ ଜଳ, ସ୍ୱଚ୍ଛ କୂଳ ଓ ଧଳା ବାଲିର ଏହି ଆଇଲାଣ୍ଡ୍‌ଟି ଦେଖିବାକୁ ଯେତେ ସୁନ୍ଦର ତାହାର ଇତିହାସ ପାଲଟୁଛି ସେତିକି ଅସୁନ୍ଦର। ଗତ କିଛି ବର୍ଷ ଭିତରେ ଲଗାତର ଭାବେ ବିଦେଶୀ ପର୍ଯ୍ୟଟକମାନେ ଏହି ଆଇଲାଣ୍ଡ୍‌ ବୁଲିବାକୁ ଆସି ନିରୁର୍ଦ୍ଧିଷ୍ଟ ହୋଇ ଯାଉଥିବା କଥା ଲୋକଙ୍କ ଭିତରେ ଭୟର ଆତଙ୍କ ଖେଳାଉଛି। ୨୦୧୪ ମସିହାରୁ ନେଇ ଇୟୁରୋପର ପ୍ରାୟ ୯ ଜଣ ପର୍ଯ୍ୟଟକ ଏଠାକୁ ଆସି ଆଉ ଫେରିନାହାନ୍ତି। ସେମାନେ ମରିଯାଇଛନ୍ତି କି କେଉଁଆଡ଼େ ହଜିଯାଇଛନ୍ତି ତାହାର କୌଣସି ଠିକଣା ନାହିଁ।

ଏହି ଘଟଣାକୁ ଲକ୍ଷ କରି ବ୍ରିଟିଶର ଏକ ପତ୍ରିକାରେ ଏହି ଆଇଲାଣ୍ଡ୍‌କୁ ‘ଡେଥ୍‌ ଆଇଲାଣ୍ଡ’ ବୋଲି ନାମିତ କରାଯାଇଛି। ଗତ ଜୁନ୍‌ରେ ବ୍ରଟେନ୍‌ର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଏହି ଆଇଲାଣ୍ଡ୍‌ରେ ଦୁଷ୍କର୍ମ କରାଯାଇଛି ବୋଲି ଅଭିଯୋଗ ଆସିଥିଲା। ମାତ୍ର ଥାଇ ପୁଲିସ୍‌ ଏହାକୁ ଅସ୍ୱୀକାର କରିଥିଲା। ଏପରିକି ଦୁଷ୍କର୍ମ ସଂପର୍କରେ ଯେଉଁମାନେ ଫେସ୍‌ବୁକରେ ପୋଷ୍ଟ୍‍ କରିଥିଲେ ପୁଲିସ୍‌ ସେମାନଙ୍କୁ ଗିରଫ ବି କରିଥିଲା। ଖାଲି ସେତିକି ନୁହେଁ, ଥାଇଲାଣ୍ଡ୍‌ର ପ୍ରଧାନମନ୍ତ୍ରୀ ପ୍ରୟୁଥ୍‌ ଚାନ-ଓକା ଯୁବତୀଙ୍କ ପୋଷାକୁ ସମାଲୋଚନା କରି ତାଙ୍କୁ ଦାୟୀ କରିଥିଲେ। ଯେଉଁଥିପାଇଁ ପରବର୍ତ୍ତୀ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ମାଗିବାକୁ ପଡ଼ିଥିଲା।

ଥାଇଲାଣ୍ଡ୍‌କୁ ବିଶ୍ୱର ବଛା ବଛା ସୁନ୍ଦର ପର୍ଯ୍ୟଟନସ୍ଥଳୀ ଭିତରେ ଗଣନା କରାଯାଏ। ଏପରିକି ଏହାକୁ ‘ଲ୍ୟାଣ୍ଡ ଅଫ୍‌ ସ୍ମାଇଲ୍‌ସ’ ବୋଲି ବି କୁହାଯାଏ। ମାତ୍ର ଥାଇଲାଣ୍ଡ୍‌ର ଏହି ଆଇଲାଣ୍ଡ୍‌ରେ ହତ୍ୟା, ଦୁଷ୍କର୍ମ ଓ ନିରୁର୍ଦ୍ଧିଷ୍ଟ ସଂଖ୍ୟା ବୃଦ୍ଧି ପାଇବା ପରେ ଲୋକଙ୍କ ଚିନ୍ତାଧାରା ଏହା ପ୍ରତି ବଦଳିବାରେ ଲାଗିଛି।

ସମ୍ବନ୍ଧିତ ଖବର