ବିଶ୍ୱରେ ସୁନ୍ଦର ପର୍ଯ୍ୟଟନସ୍ଥଳୀ ‘ପାରାଡାଇଜ ଆଇଲାଣ୍ଡ’ ପାଲଟିଲା ‘ଡେଥ୍ ଆଇଲାଣ୍ଡ’! ଆସନ୍ତୁ ଜାଣିବା ଏହାର ରହସ୍ୟ

ବିଶ୍ୱରେ ସୁନ୍ଦର ପର୍ଯ୍ୟଟନସ୍ଥଳୀ ଭାବେ ଗଣାଯାଉଥିବା ଥାଇଲାଣ୍ଡର ଏକ ଦ୍ୱୀପ ହେଉଛି ‘କୋହ ତାଓ’। ତାହାକୁ ଲୋକେ ‘ପାରାଡାଇଜ୍ ଆଇଲାଣ୍ଡ’ ବୋଲି ବି କହିଥାନ୍ତି। ମାତ୍ର ଏହାର ନାମ ପରିବର୍ତ୍ତନ ହୋଇ ଇତିମଧ୍ୟରେ ‘ଡେଥ୍ ଆଇଲାଣ୍ଡ’ ହୋଇଯାଇଛି। ଏହା ଏବେ ପର୍ଯ୍ୟଟକଙ୍କ ମନରେ ସୃଷ୍ଟି କରୁଛି ଭୟ। ଦ୍ୱୀପଟି ଦେଖିବାକୁ ଯେତେ ସୁନ୍ଦର ତାହାର ଇତିହାସ ପାଲଟୁଛି ସେତିକି ଅସୁନ୍ଦର। ତେବେ ଆସନ୍ତୁ ଜାଣିବା ଏପରି ରହସ୍ୟମୟ ନାମ ପଛର କାରଣ।

ନୀଳ ଜଳ, ସ୍ୱଚ୍ଛ କୂଳ ଓ ଧଳା ବାଲିର ଏହି ଦ୍ୱୀପଟି ଦେଖିବାକୁ ଯେତେ ସୁନ୍ଦର ତାହାର ଇତିହାସ ପାଲଟୁଛି ସେତିକି ଅସୁନ୍ଦର। ଗତ କିଛି ବର୍ଷ ଭିତରେ ଲଗାତର ଭାବେ ବିଦେଶୀ ପର୍ଯ୍ୟଟକମାନେ ଏହି ଆଇଲାଣ୍ଡ୍ ବୁଲିବାକୁ ଆସି ନିରୁର୍ଦ୍ଦିଷ୍ଟ ହୋଇ ଯାଉଥିବା କଥା ଲୋକଙ୍କ ଭିତରେ ଭୟର ଆତଙ୍କ ଖେଳାଉଛି। ୨୦୧୪ ମସିହାରୁ ନେଇ ଇୟୁରୋପର ପ୍ରାୟ ୯ ଜଣ ପର୍ଯ୍ୟଟକ ଏଠାକୁ ଆସି ଆଉ ଫେରିନାହାନ୍ତି। ସେମାନେ ମରିଯାଇଛନ୍ତି କି କେଉଁଆଡ଼େ ହଜିଯାଇଛନ୍ତି ତାହାର କୌଣସି ଠିକଣା ନାହିଁ।

ଏହି ଘଟଣାକୁ ଲକ୍ଷ କରି ବ୍ରିଟିଶର ଏକ ପତ୍ରିକାରେ ଏହି ଆଇଲାଣ୍ଡକୁ ‘ଡେଥ୍ ଆଇଲାଣ୍ଡ’ ବୋଲି ନାମିତ କରାଯାଇଛି। ଗତ ଜୁନରେ ବ୍ରିଟେନର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଏହି ଆଇଲାଣ୍ଡରେ ଦୁଷ୍କର୍ମ କରାଯାଇଛି ବୋଲି ଅଭିଯୋଗ ଆସିଥିଲା। ମାତ୍ର ଥାଇ ପୁଲିସ୍ ଏହାକୁ ଅସ୍ୱୀକାର କରିଥିଲା। ଏପରିକି ଦୁଷ୍କର୍ମ ସଂପର୍କରେ ଯେଉଁମାନେ ଫେସ୍ବୁକରେ ପୋଷ୍ଟ୍ କରିଥିଲେ ପୁଲିସ୍ ସେମାନଙ୍କୁ ଗିରଫ ବି କରିଥିଲା। ଖାଲି ସେତିକି ନୁହେଁ, ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ପ୍ରୟୁଥ୍ ଚାନ-ଓକା ଯୁବତୀଙ୍କ ପୋଷାକକୁ ସମାଲୋଚନା କରି ତାଙ୍କୁ ଦାୟୀ କରିଥିଲେ। ଯେଉଁଥିପାଇଁ ପରବର୍ତ୍ତୀ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ମାଗିବାକୁ ପଡ଼ିଥିଲା।

ଥାଇଲାଣ୍ଡକୁ ବିଶ୍ୱର ବଛା ବଛା ସୁନ୍ଦର ପର୍ଯ୍ୟଟନସ୍ଥଳୀ ଭିତରେ ଗଣନା କରାଯାଏ। ଏପରିକି ଏହାକୁ ‘ଲ୍ୟାଣ୍ଡ ଅଫ୍ ସ୍ମାଇଲ୍ସ’ ବୋଲି ବି କୁହାଯାଏ। ମାତ୍ର ଥାଇଲାଣ୍ଡର ଏହି ଆଇଲାଣ୍ଡରେ ହତ୍ୟା, ଦୁଷ୍କର୍ମ ଓ ନିରୁର୍ଦ୍ଦିଷ୍ଟ ସଂଖ୍ୟା ବୃଦ୍ଧି ପାଇବା ପରେ ଲୋକଙ୍କ ଚିନ୍ତାଧାରା ଏହା ପ୍ରତି ବଦଳିବାରେ ଲାଗିଛି।

ସମ୍ବନ୍ଧିତ ଖବର