ଠାକୁର ନାଇବେ ଚିତା, ଆମେ ଖାଇବା ଚିତଉ!

ରଥ କଥା - ଅସିତ ମହାନ୍ତି

‘ନୀଳାଦ୍ରିବିଜେ’ ଦିନ ଠାକୁରମାନେ ରଥରୁ ରତ୍ନବେଦିକୁ ଗଲେ ମଧ୍ୟ, ସ୍ନାନଯାତ୍ରାରୁ ଆରମ୍ଭ ହୋଇଥିବା ଯାତ୍ରାର ନୀତି ପ୍ରକୃତରେ ସରେ ‘ଚିତାଲାଗି ଅମାବାସ୍ୟା’ରେ । ଏହା ଲୋକମୁଖରେ ‘ଚିତଉ ଅମାବାସ୍ୟା’ ଭାବରେ ମଧ୍ୟ ପରିଚିତ । କାରଣ, ଏହିଦିନ ଶ୍ରୀମନ୍ଦିରରେ ଚିତଉ ପିଠା ଭୋଗ ହୁଏ । ଓଡ଼ିଶାର ଘରେ ଘରେ ମଧ୍ୟ ଏହି ଦିନ ଚିତଉ ପିଠା ତିଆରି କରି ଗୃହଦେବତାଙ୍କୁ ଭୋଗ ଦିଆଯାଇଥାଏ । କିନ୍ତୁ ପ୍ରକୃତରେ, ଏହି ଦିନ ଶ୍ରୀମନ୍ଦିରର ରତ୍ନବେଦିରେ ବିରାଜିତ ତିନିଠାକୁର- ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ ଚିତା ଲାଗି ହୁଅନ୍ତି ।

ବିଧି ଅନୁସାରେ, ସ୍ନାନଯାତ୍ରା ଦିନ ରତ୍ନବେଦିରୁ ସ୍ନାନମଣ୍ଡପକୁ ପହଣ୍ଡି ହୋଇ ଯିବାବେଳେ, ତିନିଠାକୁରଙ୍କର ମସ୍ତକରେ ରତ୍ନଖଚିତ ତିନିଟି ସ୍ୱର୍ଣ୍ଣଚିତା ଥାଏ । ସେହି ଚିତା ଥାଇ ଠାକୁରମାନେ ସ୍ନାନ କରନ୍ତି । କିନ୍ତୁ ରାତିରେ ହାତୀବେଶ ଉଲାଗି ହୋଇ ସେମାନେ ଶ୍ରୀମନ୍ଦିରର ଅଣସର ପିଣ୍ଡିକୁ ଆସିବା ପରେ, ତିନିବାଡ଼ର ଦଇତା ସେବକ ସେମାନଙ୍କର ରାହୁରେଖା ଓ ରତ୍ନଚିତାକୁ ଉଲାଗି କରି ଆଣି, ତଢ଼ଉକରଣ ଓ ଦେଉଳକରଣ ସେବକଙ୍କୁ ଭଣ୍ଡାରମେକାପଙ୍କ ମାର୍ଫତରେ ଦିଅନ୍ତି । ଚାଙ୍ଗଡ଼ା ମେକାପଙ୍କଠାରୁ ଅଣାଯାଇଥିବା ଶ୍ରୀକପଡ଼ାରେ ସେହି ଚିତାକୁ ଭଲ ଭାବରେ ବାନ୍ଧି, ମଦନମୋହନଙ୍କ ମୁଦରେ ମୁଦ ଦିଆଯାଏ । ତାହାକୁ ନେଇ ଯତ୍ନରେ ଭଣ୍ଡାର ଘରେ ରଖାଯାଏ । ଚିତାଲାଗି ଅମାବାସ୍ୟା ଦିନ ଦେଉଳକରଣ, ତଢ଼ଉକରଣ ଓ ଶ୍ରୀମନ୍ଦିର ପ୍ରଶାସନର ପଦାଧିକାରୀଙ୍କ ଉପସ୍ଥିତିରେ ସେହି ଚିତାକୁ ଭଣ୍ଡାରଘରୁ ଅଣାଯାଏ । ଶ୍ରୀମନ୍ଦିରର ପୋଦାର (ବଣିଆ) ସେବକ ତାହାକୁ ସଫା କରିବା ପରେ, ତିନିଠାକୁରଙ୍କ ମସ୍ତକରେ ସେହି ଚିତା ଲାଗି କରାଯାଏ । ରାହୁରେଖା ଲାଗି ମଧ୍ୟ ସେହିଦିନ କରାଯାଇଥାଏ ।

ସ୍ନାନ ବେଦିରେ ଚତୁର୍ଦ୍ଧା ମୂର୍ତ୍ତି: ଏହି ସମୟରେ ତ୍ରିମୂର୍ତ୍ତିଙ୍କ ମସ୍ତକରେ ଥାଏ ରତ୍ନ ଚିତା।

ଏହା ସୂଚାଏ ଯେ ଅଣସର କାଳରେ ଓ ନବଯୌବନ ଦର୍ଶନ ବେଳେ ତିନିଠାକୁରଙ୍କର ମସ୍ତକରେ ଏହି ରତ୍ନଚିତା ନଥାଏ । କିନ୍ତୁ ଶ୍ରୀଗୁଣ୍ଡିଚାଦିନ ତିନିଠାକୁର ରଥାରୂଢ଼ ହେବା ପରେ, ସେମାନଙ୍କର ମସ୍ତକରେ ସ୍ୱତନ୍ତ୍ର ଭାବରେ ତିଆରି ସୋଲଚିତା ଲଗାଯାଇଥାଏ । ଏହି ଚିତା ଶ୍ରୀମନ୍ଦିରର ପୋଦାର (ବଣିଆ) ସେବକ ପ୍ରସ୍ତୁତ କରିଥାଆନ୍ତି । ଏହା ରଥଯାତ୍ରା କାଳରେ ରତ୍ନଚିତାର ବିକଳ୍ପ ରୂପେ ତିନିଠାକୁରଙ୍କର ମସ୍ତକରେ ଶୋଭାପାଏ ।

କିନ୍ତୁ କାହିଁକି ପ୍ରାୟ ପନ୍ଦରଦିନ ପରେ, ଶ୍ରାବଣ ଅମାବାସ୍ୟା ଦିନ ହିଁ ଏହି ଚିତା ଲାଗି କରାଯାଏ? ଏହାର କାରଣ ଅଛି । ପୌରାଣିକ ଉପାଖ୍ୟାନ ଅନୁସାରେ, ଦେବତା ଓ ଅସୁରଙ୍କଦ୍ୱାରା ଯେତେବେଳେ କ୍ଷୀରସାଗର ମନ୍ଥନ ହେଉଥିଲା, ସେତେବେଳେ ଏହି ଶ୍ରାବଣ ଅମାବାସ୍ୟା ଦିନ ସମୁଦ୍ର ମନ୍ଥନରୁ ଐରାବତ ହାତୀ ଓ ଅନେକ ରତ୍ନ ବାହାରିଥିଲା । ଐରାବତ ହାତୀକୁ ଇନ୍ଦ୍ର ନେବାବେଳେ, ଭଗବାନ ବିଷ୍ଣୁ ରତ୍ନଗୁଡ଼ିକୁ ନେଇଥିଲେ । ତେଣୁ ପୁରାଣମତରେ ଆଷାଢ଼ ଅମାବାସ୍ୟାରେ ରତ୍ନଧାରଣ କରିବା ଶୁଭ । ସେଥିପାଇଁ ଏହିଦିନ ଠାକୁରମାନଙ୍କୁ ଚିତାଲାଗି କରାଯାଇଥାଏ ।

ଏ ସଂପର୍କରେ ଅନ୍ୟ ଗୋଟିଏ କିଂବଦନ୍ତି ମଧ୍ୟ ରହିଛି । ତାହା ହେଉଛି, ସୋମବଂଶୀ ରାଜା ଯଯାତିକେଶରୀ ସୋନପୁରଠାରେ ପାତାଳି ହୋଇଥିବା ଦିଅଁମାନଙ୍କୁ ଉଦ୍ଧାର କରିବା ପରେ, ସେମାନଙ୍କର ନବକଳେବର କରାଇଥିଲେ । ସେଥିରେ ଆଦିଶଙ୍କରାଚାର୍ଯ୍ୟଙ୍କର ସହଯୋଗ ଥିଲା । ନବକଳେବର ପରେ ଠାକୁରମାନଙ୍କୁ ରତ୍ନସିଂହାସନରେ ଅଧିଷ୍ଠିତ କରାଯାଇ, ଶ୍ରାବଣ ଅମାବାସ୍ୟା ଦିନ ସେମାନଙ୍କର ଅଭିଷେକ କରାହୋଇଥିଲା । ସେହିଦିନ ମଧ୍ୟ ସେମାନଙ୍କର ମସ୍ତକରେ ହୀରାଖଚିତ ସ୍ୱର୍ଣ୍ଣଚିତା ଲାଗି କରାଯାଇଥିଲା । ଏଣୁ ଶ୍ରାବଣ ଅମାବାସ୍ୟାରେ ଚିତାଲାଗି ବିଧି ସେହିଦିନୁ ପ୍ରଚଳିତ ହୋଇଛି ।

ଶ୍ରୀଗୁଣ୍ଡିଚା: ରଥରେ ଶ୍ରୀଜିଉଙ୍କୁ ଲାଗି ହେବା ପାଇଁ ନିଆଯାଉଛି ସୋଲ ଚିତା

ପାରମ୍ପରିକ ଭାବରେ ଏହି ଦିନଟି ଶ୍ରୀମନ୍ଦିରରେ ପବିତ୍ର ବିବେଚିତ ହୋଇଥାଏ । ପ୍ରତି ମାସ ପରି ସେଦିନ ମଧ୍ୟ ଥାଏ ଶ୍ରୀଜଗନ୍ନାଥଙ୍କ ‘ସାଗରବିଜେ’ ନୀତି । ସେହି ନୀତିରେ ଶ୍ରୀଜଗନ୍ନାଥଙ୍କ ବିଜେ ପ୍ରତିମା ‘ଶ୍ରୀନାରାୟଣ’ ସାଗରବିଜେ କରନ୍ତି । ସେଥିପାଇଁ ସେହି ବିଜେପ୍ରତିମା ‘ଅମାବାସ୍ୟା ନାରାୟଣ’ ଭାବରେ କଥିତ ହୁଅନ୍ତି । ‘ଅମାବାସ୍ୟା ନାରାୟଣ’ ସାଗରବିଜେରୁ ଫେରିବା ପରେ, ଶ୍ରୀମନ୍ଦିରରେ ଏହି ଚିତାଲାଗି ନୀତି ସଂପନ୍ନ ହୋଇଥାଏ । ପତିମହାପାତ୍ର ସେବକ ବାଡ଼ଗ୍ରାହୀ ଦଇତା ସେବକଙ୍କ ସହଯୋଗରେ ଏହି ନୀତି ସଂପନ୍ନ କରନ୍ତି । ଏହି ଦିନଟି ଏପରି ପବିତ୍ର ଯେ ଶ୍ରୀମନ୍ଦିର ବିଭିନ୍ନ ସେବକ ନିଯୋଗ ପକ୍ଷରୁ ସେଦିନ ଚିତାଲାଗି ପରେ ସ୍ୱତନ୍ତ୍ର ଆଳତି ଭୋଗ କରାଯାଇଥାଏ । ଏଥିରେ ଫାଳ ସୋଲା ଓ ଛେନାତାଡ଼ିଆ ଆଦି ଭୋଗ କରାଯାଏ ।

ତିନିଠାକୁରଙ୍କର ଏହି ରତ୍ନଖଚିତ ସୁବର୍ଣ୍ଣ ଚିତା ଅତ୍ୟନ୍ତ ମୂଲ୍ୟବାନ । ଏହାର ମୂଲ୍ୟ କେତେ ତାହା କଳନା କରାଯାଇ ପାରି ନାହିଁ । ଏହି ତିନିଚିତା ମଧ୍ୟରୁ ଶ୍ରୀଜଗନ୍ନାଥଙ୍କ ଚିତା ‘ହୀରାଚିତା’, ଶ୍ରୀବଳଭଦ୍ରଙ୍କ ଚିତା ‘ନୀଳାଚିତା’ ଓ ଦେବୀ ସୁଭଦ୍ରାଙ୍କ ଚିତା ‘ମାଣିକ୍ୟଚିତା’ ବୋଲି ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ଉଲ୍ଲେଖ ଅଛି । ପୁଣି ଅନ୍ୟତ୍ର ଏହି ତିନି ଚିତାକୁ ‘ଧଳା’, ‘ନୀଳ’ ଓ ‘ନାଲି’ ଚିତା ବୋଲି କୁହାଯାଇଛି । ତେବେ ଶ୍ରୀଜଗନ୍ନାଥଙ୍କ ଚିତାର ମଝିରେ ବଡ଼ ହୀରା ପଥର ଖଞ୍ଜା ହୋଇଥିବାରୁ ତାହା ‘ଧଳା’ ରଙ୍ଗର । କିନ୍ତୁ ଶ୍ରୀବଳଭଦ୍ରଙ୍କ ଚିତା ଓ ଦେବୀସୁଭଦ୍ରାଙ୍କ ଚିତାରେ ବଡ଼ ‘ମର୍କତ’ ପଥର ଖଞ୍ଜା ହୋଇଥିବାରୁ ସେ ଦୁଇଟି ‘ସବୁଜ’ ରଙ୍ଗର ।

ଶ୍ରୀଜଗନ୍ନାଥଙ୍କ ମସ୍ତକରେ ଶୋଭା ପାଉଛି ସୋଲ ଚିତା

ତଥ୍ୟ ଅନୁସାରେ, ଶ୍ରୀଜଗନ୍ନାଥଙ୍କ ଚିତାର ମଝିରେ ‘ନାୟକ’ ଭାବରେ ଏକ ବଡ଼ ‘ହୀରା’ ରହିଛି । ତାହାକୁ ଘେରି ରହିଥିବା ସାତଟି ବେଢ଼ରେ ଛୋଟ ଛୋଟ ରତ୍ନପଥର ଖଞ୍ଜାଯାଇଛି । ସେଥିରେ ହୀରା, ମାଣିକ୍ୟ, ପାନ୍ନା ଓ ଓପାଲ୍‍ ରହିଛି । ସପ୍ତମ ବେଢ଼ର ଶୀର୍ଷରେ (ଚିତାର ଶୀର୍ଷରେ) ପାନପତ୍ର ଆକୃତିର ଏକ ବଡ଼ ‘ବ୍ରହ୍ମଜ୍ୟୋତି ହୀରା’ ଅଛି ।

ସେହିପରି ଶ୍ରୀବଳଭଦ୍ରଙ୍କ ଚିତାର ମଝିରେ ‘ନାୟକ’ ଭାବରେ ରହିଛି ଏକ ବଡ଼ ‘ମର୍କତ’ ମଣି । ତାହାକୁ ଘେରି ରହିଥିବା ପାଞ୍ଚଟି ବେଢ଼ରେ ଛୋଟଛୋଟ ମାଣିକ୍ୟ, ହୀରା, ମର୍କତ, ପାନ୍ନା ଓ ନୀଳା ଖଞ୍ଜା ଯାଇଛି ।

ଚିତାଲାଗି ଅମାବାସ୍ୟାରେ ଘରେ ଘରେ ହେଉଥିବା ଚିତଉ ପିଠା

ଶ୍ରୀବଳଭଦ୍ରଙ୍କ ପରି, ଦେବୀ ସୁଭଦ୍ରାଙ୍କ ଚିତାର ମଝିରେ ମଧ୍ୟ ‘ନାୟକ’ ଭାବରେ ରହିଛି ଏକ ବଡ଼ ‘ମର୍କତ’ ମଣି । ତାହାକୁ ଘେରି ରହିଥିବା ତିନିଟି ବେଢ଼ରେ ହୀରା, ମର୍କତ ଓ ମାଣିକ୍ୟ ଆଦି ଖଞ୍ଜା ଯାଇଛି ।

ଏହି ତିନି ହୀରା ଚିତା ଅମୂଲମୂଲ ହୋଇଥିବାରୁ, ଠାକୁରମାନେ ଶ୍ରୀଗୁଣ୍ଡିଚା ଯାତ୍ରାରେ ଯିବାବେଳେ ସେମାନଙ୍କର ମସ୍ତକରେ ଏହି ଚିତା ବଦଳରେ ସୋଲ ତିଆରି କାରୁକାର୍ଯ୍ୟପୂର୍ଣ୍ଣ ଚିତା ଲଗାଯାଇଥାଏ । ଶ୍ରୀମନ୍ଦିରକୁ ଫେରିବା ପରେ ଶ୍ରାବଣ ଅମାବାସ୍ୟାରେ ସେମାନେ ପୁଣି ସେହି ରତ୍ନଖଚିତ ସୁନା ଚିତା ନାଆନ୍ତି ।

ସେହି ଅବସରରେ ଶ୍ରୀମନ୍ଦିରରେ ‘ଘିଉଡ଼ି’ ଓ ‘ଚିତଉ’ ପିଠା ଭୋଗ ହୋଇଥାଏ । ‘ଘିଉଡ଼ି’ ଭିତରେ ଥାଏ ବଡ଼, ଅଙ୍ଗବାସ ଓ ସାନ ଓଳି । ସେହିପରି ସେଦିନ ଦୁଇପ୍ରକାରର ଚିତଉପିଠା ଭୋଗ ହୋଇଥାଏ । ଏହି ପର୍ବାଣି ଭୋଗରେ ଥାଏ ୧୧ ଓଳି ବଡ଼ ଚିତଉ ଓ ୩୦ ଓଳି ସାନ ଚିତଉ ।

ଏହି ଦିନ ଓଡ଼ିଶାର ଘରେ ଘରେ ମଧ୍ୟ ଚିତଉ ଭୋଗ ହେବାର ପରମ୍ପରା ରହିଆସିଛି ।

 

ସମ୍ବନ୍ଧିତ ଖବର