ଅଧାରେ ରହିଗଲା ସବୁ ସପନ: ବିବାହର ୧୧ଦିନ ପରେ ଦିଲ୍ଲୀ ହିଂସାର ଶିକାର ହୋଇ ଚାଲିଗଲା ନବବିବାହିତ ଯୁବକଙ୍କ ଜୀବନ

ନୂଆଦିଲ୍ଲୀ: ଗତ ୪ ଦିନ ହେଲାଣି ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ହିଂସା ଲାଗି ରହିଥିଲା । ଏହି ହିଂସାରେ ୩୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକଙ୍କ ସଂସାର ଉଜୁଡ଼ି ଯାଇଛି। କାହାର ପୁଅ ସବୁଦିନ ପାଇଁ ଆର ପାରିକୁ ଚାଲିଯାଇଛି ତ କାହା ମଥାରୁ ସିନ୍ଦୂର ଲିଭି ଯାଇଛି। ଦିଲ୍ଲୀର ମୁସ୍ତଫାବାଦରେ ଘଟିଯାଇଥିବା ଏକ ହୃଦୟ ବିଦାରକ ଘଟଣା ଏବେ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି। ଭାଲେଣ୍ଟାଇନ୍ ଡେ’ ଭଳି ଦିନରେ ବିବାହ କରିଥିବା ଦମ୍ପତ୍ତିଙ୍କ ସୁଖର ସଂସାର ଉଜୁଡ଼ି ଯାଇଛି। କୌଣସି ଭୁଲ ନ ଥାଇ ଏବଂ ହିଂସାରେ ସାମିଲ ନ ହୋଇ ମଧ୍ୟ ମୁସ୍ତଫାବାଦରେ ରହୁଥିବା ଅସଫାକ୍ ହୁସେନଙ୍କ ଜୀବନ ଚାଲି ଯାଇଛି। ବିବାହର ମାତ୍ର ୧୧ଦିନ ପରେ ନିଜ ପତ୍ନୀ ତସନିମଙ୍କୁ ଛାଡ଼ି ଆର ପାରିକୁ ଚାଲି ଯାଇଛନ୍ତି ହୁସେନ୍।

indiatimes.com

ମିଳିଥିବା ସୂଚନା ମୁତାବକ, ମୁସ୍ତଫାବାଦରେ ଇଲେକ୍ଟ୍ରିସିଆନ ଭାବେ କାମ କରୁଥିଲେ ହୁସେନ। ମଙ୍ଗଳବାର ସଂନ୍ଧ୍ୟାରେ କାମ ସାରି ଘରକୁ ଫେରୁଥିବା ବାଟରେ ହିଂସାର ଶିକାର ହୋଇଥିଲେ। ହିଂସା ସୃଷ୍ଟି କରୁଥିବା ଲୋକେ ହୁସେନଙ୍କ ବେକକୁ ଦୁଇ ଥର ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ୫ଥର ଗୁଳିମାଡ଼ କରିଥିଲେ। ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମଙ୍ଗଳବାର ହୁସେନ ଶୀଘ୍ର ଘରକୁ ଫେରିବାକୁ ଚାହୁଥିଲେ ମଧ୍ୟ ହିଂସା କାରଣରୁ ସେ ଫେରି ପାରିନଥିଲେ। କିନ୍ତୁ ତାଙ୍କୁ ଜଣା ନଥିଲା, ଏହା ତାଙ୍କ ଜୀବନର ଶେଷ ଦିନ ହେବ। ପରିବାର ଲୋକେ ପୁଅର ବାଟକୁ ଅନାଇ ବସିଥିବା ବେଳେ ପୁଅ ବଦଳରେ ଆସିଥିଲା ପୁଅର ମୃତ୍ୟୁ ଖବର। ବିବାହର ମାତ୍ର ୧୧ଦିନରେ ଏଭଳି ସ୍ବାମୀଙ୍କୁ ହରାଇବା ପରେ ଏବେ ବଞ୍ଚିବାର ସବୁ ଆଶା ହରାଇ ବସିଛନ୍ତି ତସନିମ୍।

ସମ୍ବନ୍ଧିତ ଖବର