୭୫ ବର୍ଷ ହେଲା ଆହାର କି, ପାନୀୟ ଗ୍ରହଣ କରି ନ ଥିବା ସାଧୁ

ଗୁଣ୍ଡାଏ ନ ଖାଇ କିଂବା ପାଣି ଗିଲାସେ ନ ପିଇ ଜଣେ କେତେ ଦିନ ରହିପାରେ? ଜଣେ ସାଧୁ କିନ୍ତୁ, ଦାବି କରୁଛନ୍ତି ସେ ୭୫ ବର୍ଷ ହେବ ଖାଦ୍ୟ କି, ପାଣି ଗ୍ରହଣ କରି ନାହାନ୍ତି। ଅମ୍ବାଜୀଙ୍କ ମନ୍ଦିର ପାଖରେ ଥିବା ଗୁମ୍ଫାରେ ବାସ କରୁଥିବା ପ୍ରହ୍ଲାଦ ଜାନି ନାମଧାରୀ ୮୨ ବର୍ଷିୟ ସେ ସାଧୁପୁରୁଷ ୭ ବର୍ଷ ବୟସରୁ ଖାଦ୍ୟ କି, ଜଳ ଗ୍ରହଣ କରି ନାହାନ୍ତି। ଏତେ ଦିନ ହେଲା ସେ ଖାଇ ନାହାନ୍ତି କାହିଁକି, ପୁଣି ବଞ୍ଚିଛନ୍ତି କେମିତି?
ଜାନି ବାବା କହନ୍ତି କି, ତିନି ହିନ୍ଦୁ ଦେବୀଙ୍କ ଆଶିଷ ପ୍ରାପ୍ତ ହୋଇ ଅଧ୍ୟାତ୍ମିକ ରହସ୍ୟ ଅନେ୍ଵଷଣ କରିବାକୁ ସେ ୭ ବର୍ଷ ବୟସରେ ଘର ଛାଡ଼ିଥିଲେ।

ଜଙ୍ଗଲ ଭିତର ଦେଇ ୧୦୦ କି, ୨୦୦ କିଲୋମିଟର୍‌ ବାଟ ଚାଲିଲେ ସୁଦ୍ଧା ତାଙ୍କ ଦେହରୁ ଝାଳ ବୋହି ନ ଥିଲା କି, ସେ ଥକ୍କି ପଡ଼ି ନ ଥିଲେ କି, ତାଙ୍କୁ ନିଦ ବି ମାଡ଼ି ନ ଥିଲା। ତିନି ଘଣ୍ଟା, ଆଠ ଘଣ୍ଟା ବା ବାର ଘଣ୍ଟା କିଂବା ମାସ ମାସ ଧରି ସେ ତପସ୍ୟାରେ ବସି ପାରିବେ ବୋଲି କହନ୍ତି।

ଡାକ୍ତରମାନେ ପରୀକ୍ଷା କରି ମଧ୍ୟ ତାଙ୍କ ବଞ୍ଚି ରହିବାର ରହସ୍ୟ ଭେଦ କରି ପାରୁ ନାହାନ୍ତି। ଏକ ୩୦ ଜଣିଆ ସ୍ପେସାଲିଷ୍ଟ୍‍ ଟିମ୍‌ ଡାକ୍ତରଖାନାରେ ସାଧୁଙ୍କୁ ତିନି ସପ୍ତାହ ରଖି ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଛନ୍ତି। ପରେ ତାଙ୍କୁ ଅହମଦାବାଦସ୍ଥିତ ଷ୍ଟେର୍‌ଲିଂ ହସ୍‌ପିଟାଲ୍‌ରେ କ୍ୟାମେରା ଖଞ୍ଜି ୨୪ ଘଣ୍ଟିଆ ଅବ୍‌ଜର୍‌ଭେସନ୍‌ରେ ରଖାଯାଇଥିଲା। ଡାକ୍ତରଖାନାରେ ମଧ୍ୟ ସେ କୌଣସି ଖାଦ୍ୟ ପାନୀୟ ଗ୍ରହଣ କରି ନ ଥିଲେ। କେତେକ ଡାକ୍ତର କହନ୍ତି: ପ୍ରାକୃତିକ ପରିବେଶରେ ତପସାଧନା ଓ ଯୋଗ କରିବା ଯୋଗୁଁ ତାଙ୍କ ଶରୀରରେ ଜୈବିକ ପରିବର୍ତ୍ତନ ଘଟିଛି।

ପ୍ରହଲ୍ଲାଦ ଜାନି ଦାବି କରନ୍ତି, ଦେବୀଙ୍କ ଆଶିଷ ପାଇବା ପରଠାରୁ ତାଙ୍କ ତାଳୁରୁ ଏକ ରନ୍ଧ୍ର ଦେଇ ମକରନ୍ଦ ଝରୁଛି। ତାହାକୁ ପାନ କରି ସେ ଜୀବନ ଧାରଣ କରିଛନ୍ତି। ଏ କଥାର ସତ୍ୟାସତ୍ୟ ଜଣାପଡ଼ି ନାହିଁ।

ଏ କଥାରେ ଭାରତୀୟ ଡାକ୍ତରମାନେ ଅନୁମାନ କରୁଛନ୍ତି କି, ବେଦରେ ବର୍ଣ୍ଣିତ ଅମୃତ ଚକ୍ରରୁ ଏହି ଦୈବିକ ମକରନ୍ଦ ଝରି ସାଧୁଙ୍କୁ ବଞ୍ଚାଇ ରଖିଛି।
ଆହୁରି ଆଚମ୍ବିତ କଥା ହେଲା ୮୩ ବର୍ଷ ବୟସରେ ବି ତାଙ୍କ ମସ୍ତିଷ୍କ ୩୫ ବର୍ଷିୟ ବ୍ୟକ୍ତିଙ୍କ ମସ୍ତିଷ୍କ ପରି ସକ୍ରିୟ।

ସମ୍ବନ୍ଧିତ ଖବର