ସ୍ବାବଲମ୍ବନର ସ୍ବପ୍ନ ସାକାର : ଚାକିରି ଛାଡ଼ି ମୋମୋ ଷ୍ଟଲ୍ ଖୋଲିଛନ୍ତି ତିନି ଯୁବତୀ; ପାଲଟିଛନ୍ତି ଉଦାହରଣ  

ଭୁବନେଶ୍ଵର (ସୀମା ଆଚାର୍ଯ୍ୟ) : ନାରୀ ଯଦି ଚାହେଁ ତେବେ ସବୁ ଅସମ୍ଭବକୁ ସମ୍ଭବ କରିପାରେ । ଆଜିକାଲି ସନ୍ଧ୍ୟା ହେଲେ ଝିଅଟିଏ ଘରୁ ବାହାରିବାକୁ ଡରୁଥିବା ବେଳେ  ରାସ୍ତାକଡରେ ମୋମୋ ସପ୍ ଖୋଲି ପ୍ରତିଟି ଝିଅ ପାଇଁ ଉଦାହରଣ ପାଲଟିଛନ୍ତି ତିନି ସାଙ୍ଗ । ରାଜଧାନୀ ଭୁବନେଶ୍ଵରର ପଳାଶୁଣୀ ନିକଟରେ ‘ବେଷ୍ଟି ପଏଣ୍ଟ’ ନାମରେ ମୋମୋ ଷ୍ଟଲ ଖୋଲିଛନ୍ତି ବାରିପଦାର ହିମାନୀ ଦାସ, ଯାଜପୁରର ରାଜଶ୍ରୀ ମଲ୍ଲିକ ଏବଂ କେଉଁଝରର ଜିଲ୍ଲାର ମାନସୀ ଦାସ । ଷ୍ଟଲରେ ନା କେବଳ ମୋମୋ ବରଂ ମିଠା ମକା, ଅଣ୍ଡା ସିଝା, ଅମଲେଟ, ଚା’ ଆଦି ମଧ୍ୟ ବିକ୍ରି କରୁଛନ୍ତି । ବ୍ୟବସାୟ କରିବା ସହ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ମଧ୍ୟ ଚଳାଇଛନ୍ତି ତିନି ସାଙ୍ଗ।

ରାଜଶ୍ରୀ ଏବଂ ମାନସୀ ବିଏସସି କରିଥିବା ବେଳେ ହିମାନୀ ବିକମ୍ ପାସ କରିଛନ୍ତି । ହିମାନୀ ଏକ ପ୍ରାଇଭେଟ ସଂସ୍ଥାରେ ଆକାଉଣ୍ଚାଣ୍ଟ ଭାବେ ଏବଂ ମାନସୀ ଘରୋଇ ବ୍ୟାଙ୍କରେ ଡିବିଓ ଭାବେ ମଧ୍ୟ କାର୍ଯ୍ୟରତ ଥିଲେ । ଚାକିରି ଜୀବନରୁ ବିରତି ନେଇ ସ୍ବାବଲମ୍ବୀ ହେବା ଲାଗି ବ୍ୟବସାୟକୁ ଓହ୍ଲାଇ ଥିଲେ ତିନି ସାଙ୍ଗ । ଜଣେ ପରିଚିତଙ୍କ ନିକଟରୁ ୨୦ ହଜାର ଟଙ୍କା ଋଣ ଆକାରରେ ଆଣି ଦିନକୁ ୨୦୦ କିମ୍ଵା ୩୦୦ ଟଙ୍କା ଉପଯୋଗ କରି ଦିନକୁ ୮୦୦ଟଙ୍କାରୁ ୯୦୦ ଟଙ୍କା ଯାଏଁ ଆୟ କରୁଛନ୍ତି ସେମାନେ । ସାଧାରଣତଃ ଏହି ବୃତ୍ତି ପୁରୁଷପ୍ରାଧାନ ହୋଇଥିବା ବେଳେ ରାଜଧାନୀ ରାଜରାସ୍ତାରେ ଖାଦ୍ୟର ପସରା ସଜାଇଛନ୍ତି ଏହି ତିନି ଝିଅ। ଏହି  ପ୍ରୟାସ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।

ଯେତେବେଳେ ଆଜିର ଯୁବପିଢି ଚାକିରି ପଛରେ ଦୌଡୁଛନ୍ତି ସେହି ସମୟରେ ଏହି ତିନି ସାଙ୍ଗ ନିଜର ପାଠପଢା ସହିତ ଅନ୍ୟ ଖର୍ଚ୍ଚ ପାଇଁ ପରିବାର ଉପରେ ନିର୍ଭର ନ କରି ବ୍ୟବସାୟ ମାଧ୍ୟମରେ ସ୍ଵାବଲମ୍ବୀ ହୋଇଛନ୍ତି । ଏହି ବ୍ୟବସାୟକୁ ନେଇ ତାଙ୍କ ପରିବାର ପକ୍ଷରୁ ମଧ୍ୟ ସେମାନଙ୍କୁ ବହୁ ପ୍ରୋତ୍ସାହନ ମିଳୁଥିବା କହିଛନ୍ତି ରାଜଶ୍ରୀ, ମାନସୀ ଓ  ହିମାନୀ।

ସମ୍ବନ୍ଧିତ ଖବର