ଦିନରେ ବରା ବିକ୍ରି କରି ରାତିରେ ପାଠପଢ଼ି ଭବାନୀ ହେଲେ ଓଜେଇଇ ଟପ୍ପର

କେନ୍ଦୁଝର: ନିଜ ଉପରେ ଆତ୍ମବିଶ୍ୱାସ ଓ ଭଗବାନଙ୍କ ଆର୍ଶୀବାଦ ଥିଲେ ପ୍ରତ୍ୟେକ ଅସମ୍ଭବ କାମ ସମ୍ଭବ ହୋଇଥାଏ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ବରା ବିକାଳି । ଘରର ଆର୍ଥିକ ପରିସ୍ଥିତି ଭଲ ନଥାଇ ବି ଓଜେଇଇ ଟପ୍ପର ହୋଇଛନ୍ତି କେନ୍ଦୁଝରର ପୁଅ ଭବାନୀ ଶଙ୍କର ବେହେରା ।

କେନ୍ଦୁଝର ଜିଲ୍ଲା ଘଟଗାଁ ପିପିଳିଆର ଭବାନୀ ଶଙ୍କର ବେହେରା ଓଜେଇଇରେ ଟପ୍ପର ହୋଇ ସାରା ଓଡିଶା ପାଇଁ ଗର୍ବ ଆଣିଛନ୍ତି। ଭବାନୀ ଶଙ୍କର ବେହେରା ଏବେ ଚର୍ଚ୍ଚାରେ ରହିଛନ୍ତି। ଭବାନୀଙ୍କର ପିଲାଟି ଦିନରୁ ପାଠପଢ଼ା ପ୍ରତି ଆଗ୍ରହ ଥିଲା । ସେ ମ୍ୟାଟ୍ରିକ୍‌ ପରୀକ୍ଷାରେ ୬୨ ପ୍ରତିଶତ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଉର୍ତ୍ତୀର୍ଣ୍ଣ ହୋଇ ଥିଲେ। ଏହାପରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ବିଜ୍ଞାନରେ ପାଠ ପଢ଼ୁଥିଲେ। ମାତ୍ର ପରୀକ୍ଷା ଫଳ ଭଲ ହୋଇ ନ ଥିଲା। ମାତ୍ର ଜଣେ ଇଂଜିନିୟର ହେବା ନିଶାରେ ସେ ପ୍ରବଳ ପରିଶ୍ରମ କରି ଓଜେଇଇରେ ଟପ୍ପର ହୋଇ ପାରିଛନ୍ତି।

ତାଙ୍କ ବାପା ଗୁରୁଚରଣ ବେହେରା ଏକ  ଜଳଖିଆ ଦୋକାନ କରି ସେଥିରୁ ନିଜର ପରିବାର ପ୍ରତିପୋଷଣ କରୁଥିଲେ । ପୁଅ ଭବାନୀ ମଧ୍ୟ ବାପାଙ୍କୁ ଦୋକାନରେ ସାହାଯ୍ୟ କରିବା ସହ ପାଠ ପଢାପଢି କରୁଥିଲେ । ଦିନରେ ଦୋକାନ ଚଳାଇବା ସହ ରାତିରେ ପାଠ ପଢନ୍ତି ଭବାନୀ ।

ଛୋଟ ବେଳୁ ଇଂଜିନିୟର ହେବାର ଆଶା ରଖିଥିବା ଭବାନୀ ଘରର ଅର୍ଥନୈତିକ ସ୍ଥିତି ଭଲ ନଥିବାରୁ ବହୁ କଷ୍ଟରେ ପାଠ ପଢନ୍ତି । ଅନେକ ଦୁଃଖ କଷ୍ଟ ସହି ସେ ଆଜି ସଫଳତା ପାଇଛନ୍ତି, ହୋଇଛନ୍ତି ଓଜେଇଇ ଟପ୍ପର। ତେବେ ଭବାନୀଙ୍କ ଉଚ୍ଚ ଶିକ୍ଷା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ତାଙ୍କ ବାପା ମା’ ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି ।

ସମ୍ବନ୍ଧିତ ଖବର