ସାଇକେଲ୍‌ ପାଇଁ ସଞ୍ଚିତ ୯ ହଜାର ଟଙ୍କା କେରଳକୁ ଦାନ କରିଥିବା ଝିଅକୁ ପ୍ରତି ବର୍ଷ ବାଇକ୍‌ଟିଏ ଦେବ ହିରୋ ମୋଟର୍ସ

ବିଲ୍ଲପୁରମ୍‌: କେରଳ ବନ୍ୟା ଦୁର୍ଗତଙ୍କ ସାହାଯ୍ୟାର୍ଥେ ଜଣେ ନଅ ବର୍ଷିୟ ବାଳିକା ନୂଆ ସାଇକେଲ୍‌ ଖଣ୍ଡେ କିଣିବା ପାଇଁ ସଞ୍ଚୟ କରିଥିବା ୯ ହଜାର ଟଙ୍କା ଦାନ କରିଥିବା କଥା ଜାଣିବା ପରେ ଏକ ପ୍ରମୁଖ ସାଇକେଲ୍‌ ନିର୍ମାଣକାରୀ କମ୍ପାନି ତାଙ୍କୁ ଗୋଟାଏ ସାଇକେଲ୍‌ ଉପହାର ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ତାମିଲନାଡୁର ବିଲ୍ଲପୁରମ୍‌ ଗାଁ’ର ଅନୁପ୍ରିୟା ଟେଲିଭିଜନ୍‌ରେ କେରଳର ବନ୍ୟା ପରିସ୍ଥିତିର ଫୁଟେଜ୍‌ ଦେଖିବା ପରେ ନିଜର ସଞ୍ଚିତ ଅର୍ଥ ରିଲିଫ୍‌ ନିମନ୍ତେ ଦେଇ ଦେବାକୁ ସ୍ଥିର କରିଥିଲେ।

ଝିଅଟିର ବଦାନ୍ୟତାରେ ମୁଗ୍‌ଧ ହୋଇ ହିରୋ ସାଇକେଲ୍‌ କମ୍ପାନି ଟୁଇଟ୍‌ରେ ମାନବତା ପ୍ରତି ତାଙ୍କର ସହାୟତାକୁ ପ୍ରଶଂସା କରିଛି। କମ୍ପାନି ତରଫରୁ ତାଙ୍କୁ ନୂଆ ସାଇକେଲ୍‌ଟିଏ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।

ଟୁଇଟ୍‌ରେ ଲେଖାଯାଇଛି: ପ୍ରିୟ ଅନୁପ୍ରିୟା, ଦୁର୍ଦିନରେ ମାନବତା ପ୍ରତି ତୁମର ସମର୍ଥନ ସ୍ୱାକ୍ଷରକୁ ଆମେ ପ୍ରଶଂସା କରୁଛୁ। ଆମ ଠାରୁ ତୁମେ ଗୋଟାଏ ଅର୍କ ନୂଆ ସାଇକେଲ୍‌ ପାଇବ। ତୁମର ଠିକଣା ଡାଇରେକ୍ଟ ମେସେଜ୍‌ କର କିଂବା ଏହି ମେଲ୍‌ରେ ଯୋଗାଯୋଗ କର: [email protected]. @PankajMMunjal ।

ହିରୋ ମୋଟର କମ୍ପାନିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ପଙ୍କଜ ଏମ ମୁଞ୍ଜାଲ୍‌ ଅନୁପ୍ରିୟାଙ୍କୁ ମହତ୍‌ ଆତ୍ମା କହି ପ୍ରଶଂସା କରିବା ସହ ପ୍ରତି ଜନ୍ମଦିନରେ ତାଙ୍କୁ ଗୋଟାଏ ନୂଆ ବାଇକ୍‌ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ସେ ଲେଖିଛନ୍ତି: ଅନୁପ୍ରିୟା, ତୁମକୁ ପ୍ରଣାମ। ତୁମେ ଜଣେ ମହତ୍‌ ଆତ୍ମା ଏବଂ ଆଶା ତୁମେ ସମସ୍ତଙ୍କର ମଙ୍ଗଳ କରିବ। ତୁମକୁ ପ୍ରତି ଜନ୍ମଦିନରେ ବାଇକ୍‌ଟିଏ ଦେବାରେ ‘ହିରୋ’ ଆନନ୍ଦ ଅନୁଭବ କରିବ। ଦୟାକରି ତୁମ ଯୋଗାଯୋଗ ଠିକଣା ମୋ ଆକାଉଣ୍ଟ୍‌ରେ ସେୟାର୍‌ କର। ସ୍ନେହ ଓ ଶୁଭେଚ୍ଛା। କେରଳ ପାଇଁ ପ୍ରାର୍ଥନା।

କମ୍ପାନିର ପ୍ରତିଶ୍ରୁତିକୁ କେରଳର ସାଂସଦ ଶଶି ଥରୁର ସ୍ୱାଗତ କରିଛନ୍ତି।

ସମ୍ବନ୍ଧିତ ଖବର