ଆଜି ଗୁରୁଦିବସ : ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିବସରେ ଗୁରୁ ଓ ଶିକ୍ଷକଙ୍କୁ ସମ୍ମାନିତ କରିବାର ପବିତ୍ର ଅବସର

0 530

ଆଜି ଗୁରୁଦିବସ । ଗୁରୁଙ୍କୁ ପୂଜା କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ଏକ ପବିତ୍ର ଦିନଟିଏ । ଗୁରୁ-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ସ୍ୱରୂପ ଏହି ଦିବସ ପାଳିତ ହୋଇଆସୁଛି । ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିବସ ସେପ୍ଟେମ୍ବର ୫କୁ ୧୯୬୨ ମସିହାରୁ ଗୁରୁଦିବସ ଭାବେ ପାଳନ ହୋଇଆସୁଛି । ଶିକ୍ଷା ପ୍ରତି ଡକ୍ଟର ରାଧାକ୍ରିଷ୍ଣନଙ୍କର ଅବଦାନକୁ ମନେ ରଖିବା ପାଇଁ ତାଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଉଛି । ଡକ୍ଟର ରାଧାକ୍ରିଷ୍ଣନ ଏକାଧାରରେ ଜଣେ ଶିକ୍ଷାବିତ୍, ଦାର୍ଶନିକ ଓ କୁଟନୀତିଜ୍ଞ ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ । ଏହି ଅବସରରେ ବିଭିନ୍ନ ସ୍କୁଲ, କଲେଜ୍ ଓ ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷକ ତଥା ଅଧ୍ୟାପକ ମାନଙ୍କୁ ପୂଜା କରାଯାଇଥାଏ । ଗୁରୁଙ୍କୁ ସମ୍ମାନ ଜଣାଇ ସେମାନଙ୍କର ଆଶୀର୍ବାଦ ଭିକ୍ଷା କରିଥାନ୍ତି ଛାତ୍ରଛାତ୍ରୀ । ଆଜି ଗୁରୁ ଦିବସ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁପୂଜାର ପରମ୍ପରା ଅନୁଷ୍ଠିତ ହୋଇଥାଏ ।

ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର… ଗୁରୁ ସାକ୍ଷାତ୍ ପରଂବ୍ରହ୍ମ.. ତସ୍ମୈ ଶ୍ରୀଗୁରବେ ନମଃ । ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବାରେ ଗୁରୁ ହିଁ ସାଜନ୍ତି ଆଲୋକ ବର୍ତ୍ତିକା । କେବେ ଆକଟ ଭରା କଠୋର ଅନୁଶାସନ ତ ପୁଣି କେବେ ତାଙ୍କ ଉତ୍ସାହପ୍ରଦ ପ୍ରେରଣା ଜଣଙ୍କୁ ସାଧାରଣରୁ ଅସାଧାରଣର ମୁକୁଟ ପିନ୍ଧାଏ । ପାଠ ହେଉ କି ସଂଗୀତ । ଖେଳ ହେଉ କି ନୃତ୍ୟ । ପ୍ରତିଟି କ୍ଷେତ୍ରରେ ଗୁରୁଙ୍କର ମାର୍ଗଦର୍ଶନ କୃତୀ ପ୍ରତିଭାଙ୍କ ପାଇଁ ଆଣି ଦେଇଛି ପ୍ରସିଦ୍ଧି ।

୧୮୮୮ ସେପ୍ଟେମ୍ବର ୫ ତାରିଖରେ ତାମିଲନାଡୁର ତିରୁଟ୍ଟନୀଠାରେ ଜନ୍ମଗ୍ରହଣ କରିଥିଲେ ଏହି ମହାନ ବ୍ୟକ୍ତିତ୍ୱ । ରାଧାକ୍ରିଷ୍ଣନଙ୍କ ଶୈଶବ ତିରୁଟ୍ଟନୀ ଓ ତିରୁପତିରେ କଟିଥିଲା ଏବଂ ତାଙ୍କର ପାଠପଢା ଆରମ୍ଭ ହୋଇଥିଲା ଖ୍ରୀଷ୍ଟିଆନ୍ ମିସନାରି ସ୍କୁଲରେ । ଉଚ୍ଚ ଶିକ୍ଷା ପରେ, ୧୯୦୯ରେ ରାଧାକ୍ରିଷ୍ଣନଙ୍କୁ ମାଡ୍ରାସ ପ୍ରେସିଡେନ୍ସି କଲେଜରେ ଦର୍ଶନ ବିଭାଗର ଅଧ୍ୟାପକ ଭାବେ ନିଯୁକ୍ତି ମିଳିଥିଲା । ଏହାପରଠାରୁ ରାଧାକ୍ରିଷ୍ଣନ ମୁଖ୍ୟତଃ ଭାରତୀୟ ଦର୍ଶନ ଶାସ୍ତ୍ର ଏବଂ ଧର୍ମଶାସ୍ତ୍ର ଅଧ୍ୟୟନରେ ନିଜକୁ ନିୟୋଜିତ ରଖିଥିଲେ ।

୧୯୧୮ରେ ରାଧାକ୍ରିଷ୍ଣନ ମୈସୂର ବିଶ୍ୱବିଦ୍ୟାଳୟରେ ଦର୍ଶନ ବିଭାଗର ପ୍ରଫେସର ଭାବେ ନିଯୁକ୍ତ ହୋଇଥିଲେ । ତା’ପରେ କଲିକତା ବିଶ୍ୱବିଦ୍ୟାଳୟ, ଲଣ୍ଡନର ହାର୍ଭାଡ୍ ବିଶ୍ୱବିଦ୍ୟାଳୟ, ମାଂଚେଷ୍ଟର ବିଶ୍ୱବିଦ୍ୟାଳୟ ଓ ଶେଷରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ । ଶିକ୍ଷକ-ଜୀବନରେ ସେ ଭାରତୀୟ ଦର୍ଶନ, ଧର୍ମ-ଦର୍ଶନ, ତୁଳନାତ୍ମକ ଧର୍ମ-ଦର୍ଶନ ଓ ନୀତିଶିକ୍ଷା ଆଦିରେ ଶିକ୍ଷାଦାନ କରିଥିଲେ ।

‘ଶ୍ରୀମଦଭଗବତଗୀତା’କୁ ଇଂରାଜୀରେ ଅନୁବାଦ କରିଥିଲେ ଡ. ରାଧାକ୍ରିଷ୍ଣନ । ବେଦ ଓ ଉପନିଷଦକୁ ଅତି ସୁନ୍ଦର ଭାବରେ ବ୍ୟାଖ୍ୟା କରୁଥିଲେ ସେ । ଖାଲି ସେତିକି ନୁହେଁ ରାଧାକ୍ରିଷ୍ଣନ ସତ୍ୟାନୁରାଗୀ ଓ ସଦାଚାରୀ ବି ଥିଲେ । ୧୯୪୯ରେ ସୋଭିଏତେ ରଷିଆକୁ ଭାରତୀୟ ରାଷ୍ଟ୍ରଦୂତ ଭାବେ ପ୍ରେରିତ ହୋଇଥିଲେ ଏବଂ ୧୯୫୪ରେ ତାଙ୍କୁ ପ୍ରଦାନ କରାଯାଇଥିଲା ସମ୍ମାନଜନକ ଭାରତ ରତ୍ନ ।

ଆଜି ସେହି ମହାନ ଜନନାୟକଙ୍କ ଉଦ୍ଦେଶ୍ୟରେ ଦେଶବାସୀ ପାଳୁଛନ୍ତି ପବିତ୍ର ‘ଗୁରୁ ଦିବସ’ ଏବଂ ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀମାନେ ଗୁରୁଙ୍କୁ ଦେବତୁଲ୍ୟ ଭାବେ ପୂଜାର୍ଚ୍ଚନା କରିଛନ୍ତି

ସମ୍ବନ୍ଧିତ ଖବର

Leave A Reply

Your email address will not be published.