ମୁମ୍ବାଇ ବା ପୁନେ ଯାଉଥିଲେ ଦେଖିବାକୁ ଭୁଲନ୍ତୁ ନାହିଁ ଏହି ସ୍ଥାନ

ମହାରାଷ୍ଟ୍ରରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ସେଥିମଧ୍ୟରୁ ଲୋନାଭାଲା ଅନ୍ୟତମ । ଏହା ଏକ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଲାଭ କରିଛି । ଏହା ମୁମ୍ବାଇ-ପୁନେ ଏକ୍ସପ୍ରେସ ହାଇେଓ୍ଵ ଏବଂ ମୁମ୍ବାଇ-ଚେନ୍ନାଇ ଏକ୍ସପ୍ରେସ୍‌ ହାଇେଓ୍ଵ କଡ଼ରେ ଅବସ୍ଥିତ ଏବଂ ମାତ୍ର ୬୪ କିଲୋମିଟର ହେଉଛି ପୁନେ ଆନ୍ତର୍ଜାତୀୟ ବିମାନବନ୍ଦରଠାରୁ ଲୋନାଭଲାର ଦୂରତ୍ୱ । ଠିକ୍‌ ସେହିପରି ମୁମ୍ବାଇର ଛତ୍ରପତି ଶିବାଜୀ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ ଏହାର ଦୂରତ୍ୱ ହେଉଛି ୧୦୪ କିଲୋମିଟର । ମୁମ୍ବାଇଠାରୁ ସଡକ ପଥରେ ଆସିଲେ ଏଠାକୁ ପ୍ରାୟ ଅଢେଇ ଘଣ୍ଟା ସମୟ ଲାଗିଥାଏ ଏବଂ ପୁନେଠାରୁ ଏଠାକୁ ଆସିବାକୁ ଏକ ଘଣ୍ଟାରୁ ଦେଢ ଘଣ୍ଟା ଯାଏଁ ସମୟ ଲାଗିଥାଏ । ମୁମ୍ବାଇର କାରଜାଟ୍‌ ରୁ ଏଠାକୁ ଲୋକାଲ ଟ୍ରେନ୍‌ ଯୋଗେ ଆସିହେବ ।

ମୋଗଲ, ମରାଠା ଓ ପେଶାଓ୍ଵାଙ୍କ ଶାସନ କାଳରେଲୋନାଭାଲାର ଗୁରୁତ୍ୱ ଅଧିକ ଥିଲା । ମାତ୍ର ୧୮୭୧ ମସିହାରେ ବମ୍ବେ ପ୍ରୋଭିନ୍ସର ତତ୍‌ କାଳୀନ ରାଜ୍ୟପାଳ ଲର୍ଡ ଏଲ୍‌ଫିନ୍‌ଷ୍ଟୋନ୍‌ଙ୍କ ଦ୍ୱାରା ଏହା ଆବିଷ୍କୃତ ହୋଇଥିଲା । ଏହା ସମୁଦ୍ରପତ୍ତନ ଠାରୁ ପ୍ରାୟ ୬୬୨ ମିଟର ଉଚ୍ଚରେ ଅବସ୍ଥିତ । ଲୋନାଭାଲା ମହାରାଷ୍ଟ୍ରର ପୁନେ ଜିଲ୍ଲାରେ ଅବସ୍ଥିତ । ଏହା ଏକ ଶୈଳନିବାସ ଓ ପିକ୍‌ନିକ୍‌ ସ୍ପଟ୍‌ ଭାବେ ବେଶ୍‌ ଖ୍ୟାତ । ଏଠାରେ ଭାରତୀୟ ନୌବାହିନୀର ଶିବାଜୀ ଟେକ୍‌ନିକାଲ୍‌ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ ମଧ୍ୟ ରହିଛି । ‘ଲୋନାଭାଲା’ ଶବ୍ଦ ସଂସ୍କୃତରୁ ଉଦ୍ଧୃତ ହୋଇଛି ।

ଲୋନାଭାଲାର ପ୍ରାକୃତିକ ଦୃଶ୍ୟ ଦେଖିଲେ, ଯେ କେହି ବିମୋହିତ ହୋଇ ଉଠିବ । ଏତଦ୍‌ବ୍ୟତୀତ ଏଠାକାର ଜଳବାୟୁ ଓ ପରିବେଶ ସର୍ବଦା ଅନୁକୂଳ ଥିବା ଯୋଗୁଁ ଏଠାକୁ ବର୍ଷସାରା ପର୍ଯ୍ୟଟକମାନଙ୍କର ଆଗମନ ହୋଇଥାଏ । ଏହା କେବଳ ମହାରାଷ୍ଟ୍ର ନୁହେଁ ବରଂ ଦେଶର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରାପ୍ତ କରିଛି । ଏଠାକୁ ପ୍ରତିବର୍ଷ ବେଶ୍‌ ଭଲ ସଂଖ୍ୟକ ବିଦେଶୀ ପର୍ଯ୍ୟଟକ ମଧ୍ୟ ଆସିଥାଆନ୍ତି ।

photo-sandpebblestours.com

ଲୋନାଭାଲା ନିକଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ଏଠାରୁ ମାତ୍ର ନଅ କିଲୋମିଟର ଦୂରରେ ରହିଛି ରେଭ୍‌ଡ ପାର୍କ ଓ ଶିବାଜୀ ଉଦ୍ୟାନ । ଏହା ଏକ ମନୋରମ ପାର୍କ । ଏଠାରେ ପିଲାମାନଙ୍କର ଖେଳିବା ଲାଗି ଯଥେଷ୍ଟ ସ୍ଥାନ ଓ ସୁନ୍ଦର ବ୍ୟବସ୍ଥା ରହିଛି । ଏଠାରୁ ମାତ୍ର ଏକ କିଲୋମିଟର ଛଅ ଶହ ମିଟର ଦୂରରେ ରହିଛି ‘ଲୋନାଭାଲା ହ୍ରଦ’ । ଯେ କେହି ପର୍ଯ୍ୟଟକ ଲୋନାଭାଲା ଆସିଥାଆନ୍ତି, ସେମାନେ ଏହି ହ୍ରଦକୁ ନ ଦେଖି ଫେରି ନଥାଆନ୍ତି । ଏଠାରୁ ପ୍ରାୟ ସାଢେ ଛଅ କିଲୋମିଟର ଦୂରରେ ଅବସ୍ଥିତ ରାଜମାର୍ଚ ପଏଣ୍ଟ । ଏଠାରୁ ମାତ୍ର ୬୫୦ ମିଟର ଦୂରରେ ଥିବା ‘ ଟାଇଗରସ ଲିପ୍‌’ ମଧ୍ୟ ପର୍ଯ୍ୟଟକମାନଙ୍କର ପ୍ରମୁଖ ଆକର୍ଷଣର କେନ୍ଦ୍ର ବିନ୍ଦୁ। ଏଠାରେ ବ୍ୟାଘ୍ରମାନଙ୍କର ଅଭୟାରଣ୍ୟ ରହିଛି । ଏଠାରେ ବିଭିନ୍ନ ପ୍ରକାରର ବାଘ ଦେଖିବାକୁ ମିଳେ ।
ଲୋନାଭଲା ଠାରୁ ୧୨ କିଲୋମିଟର ଦୂରରେ ଡ୍ୟୁକମ୍‌ ଜୋଜ୍‌, ମଧ୍ୟ ଏକ ପର୍ଯ୍ୟଟନ ସ୍ଥଳୀ । ଏଠାରୁ ମାତ୍ର ୩ କିଲୋମିଟର ଦୂରରେ ରହିଛି ଲୋହଗଡ଼ ଦୁର୍ଗ । ଭୁସି ଡ୍ୟାମ୍‌, କାର୍ଲା, ଭଜା ଓ ବେଦ୍‌ସା ଗୁମ୍ଫା ଇତ୍ୟାଦି ମଧ୍ୟ ଏହା ନିକଟରେ ରହିଛି, ଯାହା ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ ।ଲୋନାଭାଲାରେ ଜନବସତି ମଧ୍ୟ ରହିଛି । ପୂର୍ବ ଜନଗଣନା ଅନୁଯାୟୀ ଏଠାକାର ଲୋକ ସଂଖ୍ୟା ମାତ୍ର ୫୫ ହଜାର ୬୫୨ । ଲୋନାଭାଲା ଭାରତର ପର୍ଯ୍ୟଟନ ମାନଚିତ୍ରରେ ଏକ ବିଶେଷ ସ୍ଥାନ ଅକ୍ତିଆର କରିଛି ।

ସମ୍ବନ୍ଧିତ ଖବର