ଟ୍ରାଫିକ ନିୟମ ଉଲଂଘନ କଲେ ବି ଗାଡ଼ିରୁ ଚାବି କାଢ଼ି ନେଇ ପାରିବନି ପୁଲିସ୍ ! ଜାଣନ୍ତୁ କେଉଁ ଆଇନ ପୁଲିସକୁ ଏହି ଅଧିକାର ଦେଇନାହିଁ

ଗାଡ଼ି ଚଳାଇବା ବେଳେ ଆମେ ଯଦି ଟ୍ରାଫିକର କୌଣସି ବି ନିୟମ ଭାଙ୍ଗୁ ତେବେ ପକେଟରୁ ୫୦୦ରୁ ୧୦୦୦ଟଙ୍କା ଯିବା ଏକପ୍ରକାରେ ସୁନିଶ୍ଚିତ । କିନ୍ତୁ ଆପଣ ଜାଣିଛନ୍ତି କି ଯେଉଁଭଳି ଭାବରେ ଆମ ପାଇଁ ଟ୍ରାଫିକର କିଛି ନିୟମ ପ୍ରଣୟନ କରାଯାଇଛି ଠିକ୍ ସେହିଭଳି ଆମକୁ କିଛି ଅଧିକାର ମଧ୍ୟ ଦିଆଯାଇଛି । ଯେଉଁ ଅଧିକାର ସହିତ ହିଁ ଆମର କିଛି ଦାୟିତ୍ୱ ବି ଆଇନରେ ଲିପିବଦ୍ଧ ହୋଇଛି । ଆମକୁ ମିଳୁଥିବା ସମସ୍ତ ଅଧିକାରର ଲାଭ ଉଠାଇବା ପାଇଁ ଏବଂ ଦାୟିତ୍ୱକୁ ପୂରଣ କରିବା ପାଇଁ ଆମକୁ ଟ୍ରାଫିକ ସହ ଜଡିତ ନିୟମ ଉପରେ ଜ୍ଞାନ ରଖିବା ଉଚିତ । ତେବେ ଆସନ୍ତୁ ଜାଣିବା….

କେଉଁ କାରଣରୁ ରଦ୍ଦ ହୋଇପାରେ ଲାଇସେନ୍ସ

ଟ୍ରାଫିକ୍ ନିୟମ ଅନୁସାରେ, ୫ଟି କାରଣ ପାଇଁ ଟ୍ରାଫିକ ପୁଲିସ ଆପଣଙ୍କ ଲାଇସେନ୍ସ ତିନି ମାସ ପାଇଁ ରଦ୍ଦ କରିପାରେ । ସେଗୁଡିକ ହେଲ…

ଗାଡିରେ ଆବଶ୍ୟକଠାରୁ ଅଧିକ ଜିନିଷ ଲୋଡ କଲେ
ମଦ୍ୟପାନ କିମ୍ବା ନିଶା ଖାଇ ଗାଡି ଚଲାଇଲେ
ରେଡ ଲାଇଟ ଜମ୍ଫ କଲେ
ଡ୍ରାଇଭିଂ ସମୟରେ ମୋବାଇଲରେ କଥା ହେଲେ
ଓଭର ସ୍ପିଡରେ ଗାଡି ଚଲାଇଲେ
କେତେ ପ୍ରକାରର ଚାଲାଣ କଟାଯାଇଥାଏ

NewsX

ଟ୍ରାଫିକ୍ ନିୟମ ଉଲ୍ଲଘଂନ ଉପରେ ଚାଳକଙ୍କଠାରୁ ତିନି ପ୍ରକାରର ଚାଲାଣ କଟାଯାଇପାରେ ।

ପ୍ରଥମଟି ହେଲା- ସ୍ପର୍ଟ ଚାଲାଣ

ଯଦି ଟ୍ରାଫିକ୍ ପୁଲିସ ଆପଣଙ୍କୁ କୌଣସି ନିୟମ ଭାଙ୍ଗୁ ଥିବା ବେଳେ ଧରି ଦିଏ,ତେବେ ଏହି ସମୟରେ ଆପଣଙ୍କଠାରୁ ଜରିମାନା ବାବଦକୁ ଯେଉଁ ଚାଲାଣ କାଟିଥାଏ, ତାକୁ ସ୍ପର୍ଟ ଚାଲାଣ ବୋଲି କୁହାଯାଏ ।

ଦ୍ୱିତୀୟଟି ହେଲ-ନୋଟିସ୍ ଚାଲାଣ

ଯଦି କୌଣସି ଚାଳକ ଟ୍ରାଫିକ୍ ନିୟମ ଭାଙ୍ଗି ଖସି ପଳାଏ ତେବେ ଟ୍ରାଫିକ୍ ଡିପାର୍ଟମେଣ୍ଟ ଚାଲାଣ ଚାଳକଙ୍କ ଘରକୁ ପଠାନ୍ତି ତେବେ ଏହାକୁ ନୋଟିସ୍ ଚାଲାଣ କହନ୍ତି । ଏଭଳି ଚାଲାଣର ଜରିମାନା ଭରିବା ପାଇଁ ଆପଣଙ୍କୁ ଗୋଟିଏ ମାସ ପାଇଁ ସମୟ ଦିଆଯାଇଥାଏ ।

ତୃତୀୟଟି ହେଲା- କୋର୍ଟ ଚାଲାଣ

ଯଦି ଚାଳକ କୌଣସି ଗୁରୁତର ଘଟଣା ଘଟାଇ ଖସି ପଳାଇ ଥାଏ, ଯାହାର ଦଣ୍ଡ ସ୍ୱରୂପ ତାଙ୍କୁ ଉଭୟ ଦଣ୍ଡ ଏବଂ ଜରିମାନା ଦେବାକୁ ପଡିପାରେ, ତେବେ ଏଭଳି ମାମଲାରେ କୋର୍ଟର ଚାଲାଣ ଜାରି କରାଯାଇଥାଏ ।

କନେଷ୍ଟବଳ ଆଦାୟ କରିପାରିବେନି ଜରିମାନା

କନେଷ୍ଟବଳଙ୍କୁ କୌଣସି ବ୍ୟକ୍ତିଙ୍କଠାରୁ ଜରିମାନା ଆଦାୟ କରିବାର ଅଧିକାର ଦିଆଯାଇନାହିଁ ।ସେ କେବଳ ଯାଞ୍ଚ ପାଇଁ ଗାଡିର ନମ୍ବର ନୋଟ୍ କରିପାରିବେ । ସେହିପରି ହେଡ କନେଷ୍ଟବଳ ୧୦୦ଟଙ୍କାରୁ ଅଧିକ ଟଙ୍କାର ଫାଇନ୍ ନେଇପାରିବେ ନାହିଁ । ଏହାଛଡା ଟ୍ରାଫିକ୍ ଅଫିସର ତଥା ଏଏସଆଇ କିମ୍ବା ଏସଆଇଙ୍କୁ ୧୦୦ଟଙ୍କାରୁ ଅଧିକ ଫାଇନ୍ ନେବାର ଅଧିକାର ଦିଆଯାଇଛି ।

Mumbai Live

କେଉଁ ପରିସ୍ଥିତିରେ ଗାଡିକୁ ଅଟକ ରଖିପାରେ ପୁଲିସ

ଆପଣଙ୍କର ଗାଡିକୁ ୩ଟି ମୁଖ୍ୟ ପରିସ୍ଥିତିରେ ଟ୍ରାଫିକ୍ ପୁଲିସ ଅଟକାଇ ପାରେ, ସେଗୁଡିକ ହେଲା…

ଆପଣଙ୍କ ଗାଡି କୌଣସି ସ୍ଥାନରେ ଅବୈଧ ଢଙ୍ଗରେ ପଡି ରହିଛି ।
ଆପଣଙ୍କ ଗାଡି ନୋ ପାର୍କିଂ ଜୋନରେ ରଖାଯାଇଥିଲେ ।
ଆପଣଙ୍କ ଗାଡି ଏଭଳି ସ୍ଥାନରେ ରଖାଯାଇଛି, ଯାହାଦ୍ୱାରା କି ବାକି ଗାଡିଗୁଡିକ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ଏଭଳି ପରିସ୍ଥିତିରେ ଆପଣଙ୍କ ଗାଡିକୁ ଟ୍ରାଫିକ୍ ପୁଲିସ ଉଠାଇ ନେଇପାରେ ।
କେଉଁ ଭୁଲ ପାଇଁ ଜରିମାନା ଲାଗିଥାଏ

ଯଦି ଆପଣଙ୍କ ଗାଡିର ନମ୍ବର ପ୍ଲେଟ ଡିଫେକ୍ଟିଭ୍ ଥିବ, ଆପଣ ବିନା ସିଟ୍ ବେଲ୍ଟ ପିନ୍ଧି ଡ୍ରାଇଭିଂ କରୁଛନ୍ତି, ଗାଡି ଭୁଲ୍ ସ୍ଥାନରେ ପାର୍କ କରିଛନ୍ତି, ସିଗନାଲ ଲାଲ ହେବା ପରେ ମଧ୍ୟ ଗାଡି ବାହାର କରିଛନ୍ତି, ବିନା ହେଲମେଟରେ ବାଇକ ଚଲାଉଛନ୍ତି, କିମ୍ବା ବାଇକରେ ତିନି ଜଣଙ୍କୁ ବସାଇଛନ୍ତି ତେବେ ଏଭଳି ପରିସ୍ଥିତିରେ ଆପଣଙ୍କୁ ୧୦୦ଟଙ୍କା ଜରିମାନା ଦେବାକୁ ପଡିବ ।

କେଉଁ ନିୟମ ଭାଙ୍ଗିଲେ ଦେବାକୁ ପଡିବ କେତେ ଜରିମାନା

କିଛି ନିୟମ ଭାଙ୍ଗିବା ଦ୍ୱାରା ଚାଳକଙ୍କଠାରୁ ୧୦୦ଟଙ୍କାରୁ ଅଧିକ ଟଙ୍କା ଜରିମାନା ବାବଦକୁ ଦେବାକୁ ପଡିଥାଏ ।ଯେପରିକି, ଓଭର ସ୍ପିଡରେ ଡ୍ରାଇଭିଂ ଉପରେ ୪୦୦ଟଙ୍କା, ବିନା ଲାଇସେନ୍ସରେ ଡ୍ରାଇଭିଂ କଲେ ୫୦୦ଟଙ୍କା, ନାବାଳକ ଗାଡି ଚଲାଇବା ଉପରେ ୫୦୦ଟଙ୍କା, ଡ୍ରାଇଭିଂ ସମୟରେ ମୋବାଇଲରେ କଥା ହେଉଥିଲେ ୧୦୦୦ଟଙ୍କା, ବିନା ଇନସ୍ୟୁରାନ୍ସ ବାଲା ଗାଡି ଚଲାଇବା ଉପରେ ୧୦୦୦ଟଙ୍କା ଏବଂ ବିନା ରେଜିଷ୍ଟ୍ରେସନ ବାଲା ଗାଡି ଚଲାଇବା ଉପରେ ୨୦୦୦ଟଙ୍କାର ଜରିମାନା ବାବଦକୁ ଭରିବାକୁ ପଡିଥାଏ ।

କେଉଁ ପରିସ୍ଥିତିରେ ଆପଣଙ୍କ ଗାଡି ଚାବି ନେଇପାରିବନି ପୁଲିସ

କୌଣସି ବି ପରିସ୍ଥିତିରେ ପୁଲିସକୁ ଆପଣଙ୍କ ଗାଡିର ଚାବି ନେଇଯିବାର ଅଧିକାର ନାହିଁ । ଟ୍ରାଫିକ୍ ନିୟମ ଉଲ୍ଲଘଂନ କଲେ ପୁଲିସ ଅଫିସର ଆପଣଙ୍କୁ ଅଟକାଇ ପାରନ୍ତି ସତ କିନ୍ତୁ କୌଣସି ବି ପରିସ୍ଥିତିରେ ଗାଡିର ଚାବି ନେଇପାରିବେ ନାହିଁ ।

ସମ୍ବନ୍ଧିତ ଖବର