ଅମିୟଙ୍କ ମୋହ

ଦେବଦାସ ଛୋଟରାୟ

ବିଗତ ଅଶୀ ଦଶକର ମଧ୍ୟଭାଗରେ, ଯେଉଁ ଉଦ୍‌ଯୋଗୀ ଚଳଚ୍ଚିତ୍ର ନିର୍ମାତା, ଓଡ଼ିଆ ବ୍ୟବସାୟିକ ଚଳଚ୍ଚିତ୍ର ନିର୍ମାଣରେ ସଫଳତାର ସବୁଠୁ ବଳିଷ୍ଠ ନିଦର୍ଶନ ଦେଇଥିଲେ, ସେ ହେଉଛନ୍ତି, ନିଃସନ୍ଦେହରେ ଅମିୟ ପଟ୍ଟନାୟକ। ଚଳଚ୍ଚିତ୍ର ନିର୍ମାଣ ତାଙ୍କ ଜୀବନର ସବୁଠୁ ବଡ଼ ମୋହ ଥିଲା। ତାଙ୍କ ତିଆରି ଚଳଚ୍ଚିତ୍ର ଯଦିଓ ବହୁଭାଗରେ ମନୋରଞ୍ଜନଧର୍ମୀ, କିନ୍ତୁ କାହାଣୀ, ନିର୍ମାଣ ଶୈଳୀ, ସଙ୍ଗୀତ ଓ ନାଟକୀୟତା ଦୃଷ୍ଟିରୁ, ସେମାନେ ଓଡ଼ିଶାର ସାମାଜିକ ଓ ସା˚ସ୍କୃତିକ ଚେତନାଠାରୁ, ଆଜିକାଲିର ସିନେମା ପରି, ଏକାବେଳକେ ବିଚ୍ଛିନ୍ନ ନ ଥିଲେ। ଓଡ଼ିଆ ଚଳଚ୍ଚିତ୍ରର ବର୍ତ୍ତମାନର ଅବଦମିତ ସ୍ଥିତିରେ, ତାଙ୍କ ତିଆରି ମୁଖ୍ୟ ଆଠଟି ଚଳଚ୍ଚିତ୍ରର ବ୍ୟାବସାୟିକ ସଫଳତା ଓ ଜନପ୍ରିୟତା ଆଜି ପରୀ କାହାଣୀ ପରି ଲାଗେ।

ଚଳଚ୍ଚିତ୍ର ହେଲା ବି˚ଶ ଶତାବ୍ଦୀର ସବୁଠୁ କନିଷ୍ଠ, କିନ୍ତୁ ସବୁଠୁ ଶକ୍ତିଶାଳୀ ଶିଳ୍ପକଳା। ମାତ୍ର ୧୨୦ ବର୍ଷର ଏ ମ୍ୟାଜିକ୍‌ ମାଧ୍ୟମକୁ ଆରମ୍ଭରୁ ପରିପୁଷ୍ଟ କରିଥିଲା, ଥିଏଟର‌୍‌ର ପରମ୍ପରା। ହିନ୍ଦୀ, ବଙ୍ଗଳା ଏପରିକି ଓଡ଼ିଆ ଚିତ୍ର ନିର୍ମାଣ ସହିତ ସ˚ପୃକ୍ତ ବହୁ ବିଶିଷ୍ଟ ବ୍ୟକ୍ତିତ୍ବ, ଅଭିନେତାଙ୍କଠୁ ଆରମ୍ଭ କରି ପ୍ରଯୋଜକ ପର୍ଯ୍ୟନ୍ତ, ଏକ ସମୟରେ ଥିଏଟର‌୍‌ ସହିତ ଜଡ଼ିତ ଥିଲେ। ଅମିୟ ପଟ୍ଟନାୟକଙ୍କର ଫିଲ୍ମ ଜୀବନର ଆରମ୍ଭ ପୂର୍ବରୁ, ତାଙ୍କ ଭିତରେ ମନୋରଞ୍ଜନ କଳାର ଭିତ୍ତିସ୍ଥାପନା କରିଥିଲା, ତାଙ୍କର ଥିଏଟର‌୍‌ ପ୍ରତି ଆସକ୍ତି ଓ ସେଥିରେ ନବୋନ୍ମେଷର ପ୍ରଚେଷ୍ଟା। ଅଭିନୟ, ନିର୍ଦ୍ଦେଶନା, ମଞ୍ଚ ସ˚ଚାଳନା, ଆଲୋକପାତ, ସଙ୍ଗୀତ, ଏହିପରି ଥିଏଟର‌୍‌ର ସମସ୍ତ ବିଭବର ଆଧୁନିକୀକରଣ କରି, ସେ ତାକୁ ପ୍ରାୟ ସିନେମାର ସମକକ୍ଷ କରି ତୋଳିଥିଲେ।

ମୋର ତାଙ୍କ ସହିତ ପ୍ରଥମ ସାକ୍ଷାତ ହୁଏ, ଅକ୍ଷୟ ମହାନ୍ତିଙ୍କ ଘରେ, ଯେଉଁଠି ସେ ରାଉରକେଲାରେ ତାଙ୍କ ନିର୍ଦ୍ଦେଶିତ ‘ବ୍ୟଭିଚାର’ ନାଟକ ପାଇଁ ଏକାଧିକ ଗୀତର ରେକର୍ଡି˚ କଲିକତାରେ କରିବାକୁ ଅକ୍ଷୟ ମହାନ୍ତିଙ୍କ ସାହାଯ୍ୟ ମାଗୁଥିଲେ। ସିନେମା ପରି ଥିଏଟର‌୍‌ ପାଇଁ ମଧ୍ୟ, ପ୍ରାୟ ସେତିକି ପରିମାଣରେ ଟଙ୍କା ଖର୍ଚ୍ଚକରି, ପ୍ଲେବ୍ୟାକ୍‌ ସଙ୍ଗୀତ ତିଆରି କରିବାର ଦାମ୍ଭିକତା କେବଳ ତାଙ୍କର ହିଁ ଥିଲା। ସ˚ଯୋଗବଶତଃ, ସେଇ ‘ବ୍ୟଭିଚାର’ ଥିଏଟର‌୍‌ ପାଇଁ, ମୁଁ ଗୋଟିଏ ଗୀତ ଲେଖିଥଲି। କିଛିମାସ ତଳେ ମୋର ତାଙ୍କ ସହିତ ଶେଷଦେଖା ମଧ୍ୟ ସେଇ ଗୀତ ପାଇଁ। ପ୍ରାୟ ଚାଳିଶ ବର୍ଷ ତଳେ ରେକର୍ଡ ହେଇଥିବା ସେ ଗୀତ ମୋ ପାଖେ ନ ଥିବାରୁ, ସେ ତାକୁ କେଉଁ ଆର୍କାଇଭ୍‌ରୁ ଉଦ୍ଧାର କରି, ମତେ ନିଜେ ଆସି ଦେଇଯାଇଥିଲେ।

ଦଳମତ ନିର୍ବିିଶେଷରେ ପଶ୍ଚିମବଙ୍ଗରେ, ଏପରିକି ମାର୍କସିଷ୍ଟ୍‌ ସରକାର ଥିଲାବେଳେ ବି, ଯେଉଁପରି ରାମକୃଷ୍ଣ ଓ ବିବେକାନନ୍ଦଙ୍କୁ ତାଙ୍କ ନବଜାଗରଣର ନିଦର୍ଶନ ବୋଲି ମାନନ୍ତି, ଆମ ଓଡ଼ିଶାରେ ସେହିପରି ଜଗନ୍ନାଥ ମଧ୍ୟ ଏକ ସାର୍ବଭୌମ୍ୟ ସା˚ସ୍କୃତିକ ସ୍ମାରକ ହିସାବରେ ଆଦୃତ। ଏଠି ଓଟିଡିସିର ଲୋଗୋଠାରୁ ଆରମ୍ଭ କରି, ଗାଡ଼ି ପଛର ଷ୍ଟିକର‌୍‌ରେ ମଧ୍ୟ ଜଗନ୍ନାଥଙ୍କ ଚକାଡୋଳା ଦିଶେ। ବହୁ ଆରମ୍ଭରୁ ଓଡ଼ିଆ ସିନେମା ଶ୍ରୀଜଗନ୍ନାଥଙ୍କର ଆଶୀର୍ବାଦ ପାଇଚାଲିଛି। ୧୯୫୦ ମସିହାରେ ନିର୍ମିତ ‘ଶ୍ରୀଜଗନ୍ନାଥ’ ସିନେମାର ବ୍ୟାବସାୟିକ ସଫଳତା ଆଜି ପର୍ଯ୍ୟନ୍ତ କିମ୍ବଦନ୍ତୀ ଶ୍ରେଣୀର। ଯଦି କୌଣସି ଚିତ୍ର ନିର୍ମାତା ଜଗନ୍ନାଥଙ୍କ ନାମ ସହିତ ସ˚ଶ୍ଳିଷ୍ଟ, ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ର ନିର୍ମାଣ କରି, ଅଭୂତପୂର୍ବ ପ୍ରତିଦାନ ପାଇଛନ୍ତି, ସେ ହେଲେ ଅମିୟ ପଟ୍ଟନାୟକ। ଜଗନ୍ନାଥ ତାଙ୍କର ଚଳଚ୍ଚିତ୍ରର ଶିରୋନାମା ଭିତରୁ ହିଁ ପ୍ରବେଶ କରନ୍ତି। ତାଙ୍କ ‘ଚକାଆଖି ସବୁ ଦେଖୁଛି’ ସିନେମାରେ, ମୁଁ ଲେଖିଥିବା ଗୀତର ଧାଡ଼ି, ‘ଖବର ଅଛି ଭାଇ ଖବର ଅଛି, ସୁନ୍ଦରୀ ଝିଅଟିଏ ହଜିଯାଇଛି’ର ତାରିଫ୍‌ ସେ ମତେ ବାଟରେଘାଟରେ ଦେଖାହେଲା ମାତ୍ରେ କହୁଥିଲେ।

ଓଡ଼ିଆ ସିନେମାରେ ଅନେକ ନୂତନ ଦିଗନ୍ତ ସନ୍ଧାନର କୃତିତ୍ବ ଥିଲା ତାଙ୍କର। ଏକ ସମୟରେ ସେ ତିଆରି କରିଥିଲେ ପ୍ରଥମ ତ୍ରିଭାଷୀୟ ସିନେମା, ‘ପରଦେଶୀ ବାବୁ’। ନିଜ ପାଇଁ ଚଳଚ୍ଚିତ୍ର ଜରିଆରେ ପାଇଥିବା, ‘ସ୍ବପ୍ନର ସୌଦାଗର’ ଆଖ୍ୟା ସାଙ୍ଗରେ, ତାଙ୍କ ତିଆରି ନିଚ୍ଛକ ବାସ୍ତବବାଦୀ ‘ହାକିମ ବାବୁ’ ଚଳଚ୍ଚିତ୍ର ପାଇଥିଲା ଜନାଦୃତି ଓ ରାଷ୍ଟ୍ରପତି ପୁରସ୍କାର। ସେଇ ସିନେମାରେ, ନିର୍ଦ୍ଦେଶନା କ୍ଷେତ୍ରରେ ପ୍ରଥମ ସୁଯୋଗ ପାଇଥିଲେ ପ୍ରଣବ ଦାସ, ଆଉ ପରେ, କୌଣସି ଗୀତ ଆଲ୍‌ବମ୍‌ ଜରିଆରେ, ସେ ପ୍ରଥମେ ପରିଚିତ କରାଇଥିଲେ ତରୁଣ ଅନୁଭବଙ୍କୁ। ଏସବୁ ତାଙ୍କର ନୂତନ ପ୍ରତିଭା ଖୋଜିବାର ଦୃଷ୍ଟାନ୍ତ। ସେହିପରି, ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ପ୍ରଥମ ବାୟୋପିକ୍‌ ହେଲା ତାଙ୍କ ତିଆରି ‘ତୁଳସୀ ଅପା’। ରାଜ୍ୟ ଚଳଚ୍ଚିତ୍ର ପୁରଷ୍କାର ପାଇଁ ଜୁରି କମିଟିର ଅଧ୍ୟକ୍ଷ ହିସାବରେ ମୁଁ ଏହାକୁ ଦେଖିବାର ସୁଯୋଗ ପାଇଚି ଓ ଏହାର ପ୍ରମାଣିକତାକୁ ପ୍ରଶ˚ସା ନ କରି ରହିପାରିନି।

ସିନେମା କଲାବେଳେ ସ୍କ୍ରିପ୍ଟି˚, କାଷ୍ଟି˚ ସବୁଥିରେ, ସଜାଗ ଦୃଷ୍ଟି ରଖୁଥିଲେ ଅମିୟ ପଟ୍ଟନାୟକ। କିନ୍ତୁ ସବୁଠୁ ବେଶୀ ସ˚ପୃକ୍ତ ରହୁଥିଲେ ସିନେମାର ସଙ୍ଗୀତ ତିଆରିରେ। ସେତିକିବେଳେ ସଙ୍ଗୀତ ନିର୍ଦ୍ଦେଶକର ହାର୍ମୋନିୟମ୍‌ ପାଖରେ ବସିବାଠୁ ଆରମ୍ଭ କରି, ତା’ର ଚିତ୍ରଗ୍ରହଣ ବେଳେ କୋରିଓଗ୍ରାଫି ଉପରେ ନଜର ରଖିବାର ଭୂମିକା ସେ ନିଜେ ନେଉଥିଲେ। ତାଙ୍କର ଅଧିକା˚ଶ ସିନେମାର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଅକ୍ଷୟ ମହାନ୍ତି। ସଙ୍ଗୀତ, ଚିତ୍ରଗ୍ରହଣ ଓ ନିର୍ଦ୍ଦେଶନାରେ ସମାନ ଭାବରେ ପାରଙ୍ଗମ ରାଜୁ ମିଶ୍ର ଥିଲେ ତାଙ୍କର ଅତ୍ୟନ୍ତ ପ୍ରିୟ। ‘ହାକିମ୍‌ ବାବୁ’ର ସଙ୍ଗୀତ ସ˚ଯୋଜନାରେ, ପ୍ରଖ୍ୟାତ ସରୋଜ ପଟ୍ଟନାୟକ ତାଙ୍କ ପ୍ରତିଭାର ବଳିଷ୍ଠ ପ୍ରମାଣ ରଖିଥିଲେ। ଓଡ଼ିଆ ସିନେମାକୁ ଜନପ୍ରିୟ କରିବାରେ ସଙ୍ଗୀତର ଯେଉଁ ଅପ୍ରତିଦ୍ବନ୍ଦ୍ବୀ ଭୂମିକା ଆରମ୍ଭରୁ ରହିଚି, ତା’ର ବିଶେଷ ଉପଲବ୍ଧି ଥିଲା ଅମିୟ ପଟ୍ଟନାୟକଙ୍କର।

ଅଶୀ ଦଶକରେ ସବୁଠୁ ବେଶି ଉତ୍ପାଦନକ୍ଷମ ଅମିୟଙ୍କର, ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର କରିବାର ମୁଖ୍ୟଧାରା, ନବେଦଶକ ବେଳକୁ ବଦଳିଗଲା। ଚିତ୍ର ପରିସ˚ଖ୍ୟାନବିଦ୍‌ ସୂର୍ଯ୍ୟ ଦେଓଙ୍କ ଅନ୍ବୟ ହିସାବରେ, ନୂତନ ଶତାବ୍ଦୀର ଦୁଇଦଶକ ସରିବାକୁ ବସିଥିଲେ ସୁଦ୍ଧା, କୌଣସି ଉଲ୍ଲେଖଯୋଗ୍ୟ ବ୍ୟାବସାୟିକ ସଫଳତାର ଦୃଷ୍ଟାନ୍ତ ଏବେକାର ସିନେମା ଭିତରେ ମିଳିନି। ଅମିୟ ପଟ୍ଟନାୟକ ଶେଷଆଡ଼କୁ ଚଳିଚ୍ଚିତ୍ର ନିର୍ମାଣର ମୁଖ୍ୟଧାରା ଛାଡ଼ି ଛୋଟ ସ୍କ୍ରିନ୍‌ଆଡ଼କୁ ଓହରିଗଲେ ଓ ଅନେକ ସଫଳ ଧାରାବାହିକର ସ୍ରଷ୍ଟା ମଧ୍ୟ ହେଲେ। କିନ୍ତୁ ଅଶୀ ଦଶକର ପୂର୍ଣ୍ଣାଙ୍ଗ ଚିତ୍ର ନିର୍ମାଣର ସେ ଉନ୍ମାଦନାକୁ କେବେହେଲେ ଭୁଲିପାରୁ ନ ଥିଲେ। ଅକ୍ଷୟ ମହାନ୍ତି ନ ଥିଲେ। ତାଙ୍କ ପୁରୁଣା ସାଥୀ ସହଯୋଗୀ ମଧ୍ୟ ବିଚ୍ଛିନ୍ନ ହୋଇଯାଇଥିଲେ। ତଥାପି ବଜାରରେ ଖବର ଥିଲା ଯେ, ଅମିୟ ପଟ୍ଟନାୟକ ପୁଣି ବଡ଼ ପର୍ଦ୍ଦାର ଜାକଜମକ ଚଳଚ୍ଚିତ୍ର ତିଆରି କରିବେ। ବକ୍ସିବଜାର ପାନଦୋକାନର ଗୁଲିଖଟିରେ ଠିଆହୋଇ ମୁଁ ଶୁଣିଚି ଯେ, ‘ବୁଲୁ ପୁଣି ସିନେମା କରିବାକୁ ବାହାରିଚି। ସେ କୁଆଡେ଼ ପାରାଦ୍ବୀପରେ ଗୋଟେ ବୁଡ଼ିଯାଇଥିବା ଜାହାଜକୁ ନିଲାମଧରି, ତାକୁ ଖଣ୍ତ ଖଣ୍ତ କରି କାଟି ଆଉ ବିକି ବହୁତ ପଇସା କରୁଚି, ପୁଣି ସିନେମା ହବ।’ ଅମିୟ ପଟ୍ଟନାୟକଙ୍କ ଜୀବନସାରାର ବିତ୍ତସାଧନ ଯେମିତି କେବଳ ସିନେମା କରିବା ପାଇଁ, ଏମିତି ଗୋଟେ ସାଧାରଣ ଧାରଣା ଲୋକଙ୍କର ଥିଲା।

ସିନେମାରେ ଗୀତଲେଖା ପାଇଁ ମୋର ପରିଚୟ ଆରମ୍ଭ ହୋଇଥିଲା ତାଙ୍କ ସାଙ୍ଗରେ। କେତେବେଳେ ସେ ସମ୍ପର୍କ ଏକ ବ୍ୟକ୍ତିଗତ ଅନ୍ତରଙ୍ଗତାରେ ବଦଳିଯାଇଥିଲା, କେତେବେଳେ ମୋ ଅଜାଣତରେ ସେ ଅମିୟ ପଟ୍ଟନାୟକରୁ ବଦଳିଯାଇ ‘ବୁଲୁ’ ହୋଇଯାଇଥିଲେ, ମୁଁ କହିପାରିବିନି। ବୋଧହୁଏ ଅକ୍ଷୟ ମହାନ୍ତିଙ୍କ ଯାଦୁକରୀ ସ୍ପର୍ଶରେ। ଓଡ଼ିଶା ବହାରେ ଥିଲାବେଳେ ବି, ଜାମ୍‌ସେଦ୍‌ପୁର ହେଉ ବା ଦିଲ୍ଲୀ, ସେ ସୁଯୋଗ ପାଇଲାମାତ୍ରେ ମୋ’ ପାଖେ ପହଞ୍ଚିଯାଉଥିଲେ, ଆଉ ନୂଆ ସିନେମାର କଥା ଆରମ୍ଭ କରିଦେଉଥିଲେ। ଧୀରେ ଧୀରେ ମୋର ମୋହ ତାଙ୍କ ପ୍ରତି ବଢ଼ିଚାଲିଥିଲା। ତାଙ୍କର ସବୁବେଳେ ଖୋଲା, କିଛିଟା ବେହିସାବି, କିଛିଟା ବେପରଵା ବ୍ୟକ୍ତିତ୍ବ ମତେ ସବୁବେଳେ ମୁଗ୍ଧ କରୁଥିଲା। ମନଖୋଲା ଖର୍ଚ୍ଚ କରି ତାଙ୍କ ସିନେମାର ସୁଟି˚ ସବୁକୁ ସେ ଏକ ଉତ୍ସବର ଋତୁରେ ବଦଳାଇ ଦେଉଥିଲେ। ସେତେବେଳେ କିଛିଦିନ ଜୀବନ ଏକ ଆଲୋକିତ ଜାହାଜରେ ସମୁଦ୍ର ଭ୍ରମଣ ପରି ଲାଗୁଥିଲା। ସିନେମା ତିଆରିର କ୍ରମ କମିଆସିଲା ପରେ ବି ତାଙ୍କର ସେ ମନଖୋଲା ହସ, ଖୋଲା ମିଜାଜ୍‌, ଠୋ ଫଠାସ୍‌ କଥାରେ କୌଣସି ପରିବର୍ତ୍ତନ ଆସି ନ ଥିଲା, ଯେମିତି କୌଣସି ପରିବର୍ତ୍ତନ ନ ଥିଲା, ତାଙ୍କର ସେଇ ସୁନ୍ଦର, ସୁଦର୍ଶନ ମୁହଁରେ।

ଆଲାମ୍‌ ଚାନ୍ଦ ବଜାର, କଟକ- ୭୫୩୦୦୨

ସମ୍ବନ୍ଧିତ ଖବର