ଅନନ୍ୟ ଅମିୟ (୧୯୫୪-୨୦୧୮)

0 70

ଓଡ଼ିଆ ସିନେ ଆକାଶର ଅନ୍ୟତମ ଉଜ୍ଜ୍ବଳ ଜ୍ୟୋତିଷ୍କ ଅମିୟ ର˚ଜନ ପଟ୍ଟନାୟକ ଆଜି ଆଉ ନାହାନ୍ତି। ତାଙ୍କ ଅବର୍ତ୍ତମାନରେ ଓଡ଼ିଶାର କଳା ଜଗତରେ ସୃଷ୍ଟି ହୋଇଥିବା ଶୂନ୍ୟତା ଅପୂରଣୀୟ। ଅମିୟଙ୍କ ନାମ କିନ୍ତୁ ଓଡ଼ିଆ ମଞ୍ଚନାଟକ ଓ ଚଳଚ୍ଚିତ୍ର ଜଗତର ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ସେ ଥିଲେ ଓଡ଼ିଆ ଚଳଚ୍ଚିତ୍ରର ଏକ ସ୍ବର୍ଣ୍ଣିମ ଯୁଗର ଆଦ୍ୟ ଉଦ୍‌ଗାତା। ଯେଉଁ ଅଳ୍ପ କେତେଜଣ ଫିଲ୍ମ ବ୍ୟକ୍ତିତ୍ବ ଓଡ଼ିଆ ଚଳଚ୍ଚିତ୍ରକୁୁ ଗୋଟିଏ ଶିଳ୍ପ ଭାବେ ଗଢ଼ି ତୋଳିଥିଲେ, ସେମାନଙ୍କ ମଧୢରେ ମୁଖ୍ୟ ବିନ୍ଧାଣି ଥିଲେ ଅସାଧାରଣ ପ୍ରତିଭାର ଅଧିକାରୀ ପ୍ରଯୋଜକ-ନିର୍ଦେଶକ ଅମିୟ ପଟ୍ଟନାୟକ। ଆଞ୍ଚଳିକ ଇଞ୍ଜିନିୟରି˚ କଲେଜ (ଆଜିର ଏନ୍‌ଆଇଟି- ରାଉରକେଲା)ର ଇଞ୍ଜିନିୟରି˚ ସ୍ନାତକ ଅମିୟ ଛାତ୍ରାବସ୍ଥାରୁ ହିଁ ଲମ୍ଫ ପ୍ରଦାନ କରିଥିଲେ ଆଖଡ଼ାଘରକୁ। ସେଇଠୁ ହିଁ ଆରମ୍ଭ ହୋଇଥିଲା ରଙ୍ଗମଞ୍ଚରୁ ଚଳଚ୍ଚିତ୍ର ପର୍ଯ୍ୟନ୍ତ କଳା ଜଗତରେ ତାଙ୍କର ଦୀର୍ଘ ସଫଳ ଯାତ୍ରା। ରଙ୍ଗମଞ୍ଚରେ ନାଟକ ହେଉ ଅବା ରୁପେଲି ପରଦାର ସିନେମା, ପ୍ରତିଟି ସର୍ଜନାରେ ଥିଲା ଅମିୟଙ୍କ ଅନନ୍ୟ ସୃଜନଶୀଳ ପ୍ରତିଭାର ଉଜ୍ଜ୍ବଳ ସ୍ବାକ୍ଷର। ଉଭୟ ନାଟକ ଓ ସିନେମାରେ ସେ ଆଙ୍କୁଥିଲେ ନୂତନତ୍ବର ଚିତ୍ର। ତାଙ୍କର ସୃଜନଶୀଳତା ଥିଲା ପରିବର୍ତ୍ତନର ସୂତ୍ରଧର। ଓଡ଼ିଆ ସିନେମା ଯେତେବେଳେ ଢୋକେ ପିଇ ଦଣ୍ତେ ଜିଇବା ଅବସ୍ଥାରେ ଥିଲା, ସେ ଶିଖାଇଥିଲେ ବ୍ୟବସାୟିକ ସଫଳତାର ମନ୍ତ୍ର। ଓଡ଼ିଆ ସିନେମା ଦେଖିବା ପାଇଁ ହଲ୍‌ରେ ଯେ ଗହଳି ହୋଇପାରେ, ଦର୍ଶକଙ୍କ ଲମ୍ବା ଧାଡ଼ି ଲାଗିପାରେ, ଅମିୟଙ୍କ ସିନେମା ଥିଲା ଏହାର ଉତ୍ସାହପ୍ରଦ ଦୃଷ୍ଟାନ୍ତ। ଅମିୟଙ୍କ ପେସାଦାର କାର୍ଯ୍ୟଶୈଳୀ କେବଳ ଓଡ଼ିଆ ଚଳଚ୍ଚିତ୍ରକୁ ଶିଳ୍ପର ମାନ୍ୟତା ଆଣିଦେଇନଥିଲା, ଲାଇଟ୍‌ ବୟ ଠାରୁ ଆରମ୍ଭ କରି ନିର୍ଦେଶକଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ସିନେଶିଳ୍ପୀ, କଳାକାରଙ୍କୁ ମଧ୍ୟ ବୃତ୍ତିଗତ ସମ୍ମାନ ଓ ପ୍ରତିଷ୍ଠା ଦେଇଥିଲା। ବ୍ୟବସାୟିକ ଫିଲ୍ମ ନିର୍ମାଣରେ ଯେମିତି ସେ ଥିଲେ ଓସ୍ତାଦ, କଳାତ୍ମକ ସିନେମା ନିର୍ମାଣରେ ମଧୢ ସେମିତି ଥିଲେ ନିଖୁଣ। ଓଡ଼ିଆ ଚଳଚ୍ଚିତ୍ରରେ ସେ ଥିଲେ ପରିବର୍ତ୍ତନର ବାର୍ତ୍ତାବହ। ଅବର୍ତ୍ତମାନରେ ସେ ଆଜି ନୂଆ ପିଢ଼ି ପାଇଁ ପ୍ରେରଣାର ଉତ୍ସ। ବାସ୍ତବିକ୍ ଓଡ଼ିଶାର କଳା ଜଗତରେ ଅମିୟଙ୍କ ସଫଳତା ଅସାଧାରଣ, ସୃଜନଶୀଳତା ଅନନ୍ୟ, ଅନତିକ୍ରମ୍ୟ।

ଆଜି ଏକାଦଶାହରେ ଓଡ଼ିଶାର କଳା ଦୁନିଆ, ବିଶେଷକରି ଓଡ଼ିଆ ନାଟକ ଓ ଚଳଚ୍ଚିତ୍ର ଜଗତର ସେ ଅମର ମହାନ ପ୍ରତିଭାଧର ବିନ୍ଧାଣିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ବରୂପ ‘ସମ୍ବାଦ’ର ଏହି ସ୍ବତନ୍ତ୍ର ଉପସ୍ଥାପନା ‘ଅନନ୍ୟ ଅମିୟ’।

ଓଡ଼ିଆ ସିନେମା ନିର୍ମାଣର ଧାରା

ଅମିୟ ପଟ୍ଟନାୟକ

‘ଅମିୟ ପଟ୍ଟନାୟକ ପ୍ରଡକ୍ସନ୍‌’ର ୨୫ ବର୍ଷ ପୂର୍ତ୍ତି ଅବସରରେ ୨୦୧୧ରେ ‘ରୂପ ରୂପାନ୍ତର’ ପତ୍ରିକାରେ ପ୍ରକାଶିତ ଅମିୟ ପଟ୍ଟନାୟକଙ୍କ କଲମ ନିସୃତ ଓଡ଼ିଆ ସିନେମା ବିଷୟକ ଆଲେଖ୍ୟ

ଓଡ଼ିଆ ସିନେମା ନିର୍ମାଣର ଧାରା ଆରମ୍ଭ ସ୍ତରରେ ଯେତିକି ଦୁଃଖଦ, ଆଜି ମଧୢ ସେମିତି କିଛି ଖାସ୍‌ ସୁଖପ୍ରଦ ନୁହେଁ। ଏହି ମନ୍ତବ୍ୟକୁ ଅନେକ ହୁଏତ ନାପସନ୍ଦ କରି ପାରନ୍ତି କିନ୍ତୁ ଏହା ସ୍ପଷ୍ଟ ଦିବାଲୋକ ପରି ସ୍ପଷ୍ଟ। ଏହି ପରିପ୍ରେକ୍ଷୀରେ ଯଦି ଆମେ ଇତିହାସକୁ ଫେରିବା, ତେବେ ହୁଏତ ମନ୍ତବ୍ୟଟି ଆହୁରି ସ୍ପଷ୍ଟ ହୋଇପାରେ। ୧୯୩୬ ମସିହା ଏପ୍ରିଲ ୨୮ ତାରିଖରେ ପୁରୀ ଲକ୍ଷ୍ମୀ ଟକିଜରେ ରିଲିଜ୍‌ ହୁଏ ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’। କିନ୍ତୁ ଦ୍ବିତୀୟ ଓଡ଼ିଆ ସିନେମା ଗ୍ରେଟ୍‌ ଇଷ୍ଟର୍ନ ମୁଭିଟୋନ୍‌ ପ୍ରଯୋଜିତ ‘ଲଳିତା’ ରିଲିଜ୍‌ ହେଲା ୧୯୪୯ ମସିହାରେ। ୧୩ ବର୍ଷର ବ୍ୟବଧାନ ପରେ। ଏହାର ଏକମାତ୍ର କାରଣ ହେଉଛି ‘ସୀତା ବିବାହ’ ଆଶା ଅନୁରୂପ ବ୍ୟାବସାୟିକ ସଫଳତା ପାଇଲା ନାହିଁ। ଏଣୁ ସିନେମା ପ୍ରଯୋଜନା ପାଇଁ କେହି ଓଡ଼ିଆ ଏହି ୧୩ ବର୍ଷ ମଧୢରେ ଉଦ୍ୟମ କରି ନ ଥିଲେ। ପରବର୍ତ୍ତୀ ସ୍ଥିତିରେ ଗ୍ରେଟ୍‌ ଇଷ୍ଟର୍ନ ମୁଭିଟୋନ୍‌ ମାତ୍ର ଦୁଇଟି ସିନେମା ‘ରୋଲ୍‌ସ ଟୁ ଏଇଟ୍‌’ ଏବ˚ ‘ସପ୍ତଶଯ୍ୟା’ କରି ରହିଗଲେ। ତେବେ ପ୍ରଥମ ବ୍ୟାବସାୟିକ ସିନେମା ପ୍ରଯୋଜନା ସ˚ସ୍ଥା ଭାବରେ ଗ୍ରେଟ୍‌ ଇଷ୍ଟର୍ନ ମୁଭିଟୋନ୍‌ର ଅବଦାନକୁ ସ୍ବୀକାର କରିବାକୁ ହେବ। ସେତେବେଳେ ଯେଉଁ ଅବସ୍ଥା, ବର୍ଷକୁ ଦି’ ବର୍ଷକୁ ଗୋଟିଏ କରି ସିନେମା ହେଉଛି, ସିନେମାରେ ଅଭିନୟ ପାଇଁ କଳାକାର ମିଳୁନାହାନ୍ତି, ବଙ୍ଗୀୟ ନିର୍ଦେଶକଙ୍କ ଉପରେ ଭରସା କରିବାକୁ ହେଉଛି, ଟେକ୍‌ନିସିଆନ୍‌ ମଧୢ ବାହାରୁ, କ୍ୟାମେରା ବାହାରୁ। ଏହିଭଳି ପ୍ରତିବନ୍ଧ ସତ୍ତ୍ବେ ଷାଠିଏ ଦଶକ ପର୍ଯ୍ୟନ୍ତ ଯେଉଁ ପ୍ରଯୋଜନା ସ˚ସ୍ଥା ସବୁ ସକ୍ରିୟ ସିନେମା ନିର୍ମାଣ କ୍ଷେତ୍ରରେ ରହିଲେ ଓ ଏକାଧିକ ସିନେମା ନିର୍ମାଣ କଲେ ତାହା କମ୍‌ ଦୁଃସାହସିକ ପଦକ୍ଷେପ ନ ଥିଲା।

କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ଶର୍ମାଙ୍କ ଉତ୍କଳ ଚଳଚ୍ଚିତ୍ର ପ୍ରତିଷ୍ଠାନ ଓ ଗୌର ପ୍ରସାଦ ଘୋଷଙ୍କ ନିର୍ମାଣ ସ˚ସ୍ଥା ସିନେମା ନିର୍ମାଣ ସହ ଅନେକ ବର୍ଷ ଧରି ସ˚ପୃକ୍ତ ରହିଲେ। ଏହି ସମୟ କାଳ ମଧୢରେ ନଗେନ ମିତ୍ରଙ୍କ ଉତ୍କଳ ଚିତ୍ର ପ୍ରତିଷ୍ଠାନ ମଧୢ ନାରୀ, ଆମରି ଗାଁ ଝିଅ ପରି ଏକାଧିକ ସିନେମା ନିର୍ମାଣ କରିଥିଲା। ଷାଠିଏ ଦଶକରେ ହିଁ ପଞ୍ଚସଖା ପ୍ରଡକ୍‌ସନ୍‌ ଆସିଲେ ଓ ଓଡ଼ିଆ ଚଳଚ୍ଚିତ୍ର ମନୋରଞ୍ଜନର ଏକ ସୂକ୍ଷ୍ମ ଆନ୍ଦୋଳନ ଆରମ୍ଭ ହେଲା। ପରେ ବାବୁଲାଲ୍‌ ଦୋଷୀଙ୍କ ଛାୟାବାଣୀ ପ୍ରଡକ୍‌ସନ୍‌ ମଧୢ ଷାଠିଏ ଦଶକରେ ଆରମ୍ଭ ହୋଇଛି। ତେବେ ଲକ୍ଷ୍ୟ କରିବାର କଥା ପଞ୍ଚସଖା ଓ ଛାୟାବାଣୀ ପ୍ରଡକ୍‌ସନ୍‌ ସହ ଅନ୍ୟାନ୍ୟ ଯେତିକି ପ୍ରଯୋଜନା ସ˚ସ୍ଥା ଥିଲେ ସେମାନଙ୍କ ସିନେମାରେ ନାଟକୀୟତା ଅଧିକ ରହୁଥିଲା ଓ ନାଟକର ଥିମ୍‌ ଆସୁଥିଲା ଓଡ଼ିଆ ସାହିତ୍ୟ ବା ନାଟକରୁ। ଉତ୍କଳ ଚଳଚ୍ଚିତ୍ର ପ୍ରତିଷ୍ଠାନ, ପଞ୍ଚସଖା, ଛାୟାବାଣୀ, ଗୌର ପ୍ରସାଦ ଘୋଷଙ୍କ ନିର୍ମାଣ ସ˚ସ୍ଥା ବ୍ୟତୀତ ଅନ୍ୟ ଯେଉଁ ପ୍ରଯୋଜନା ସ˚ସ୍ଥା ଥିଲେ ସେମାନେ ପ୍ରଫେସନାଲ୍‌ ନ ଥିଲେ। ଏପରିକି ବ୍ୟାବସାୟିକ ସଫଳତା ପାଇଥିବା ରୂପରାଗ ପ୍ରାଇଭେଟ୍‌ ଲିମିଟେଡ୍‌ର ସିନେମା: ଶ୍ରୀଲୋକନାଥ, କନକପ୍ରଭା ପ୍ରଡକ୍‌ସନ୍‌ର ସିନେମା: ଅରୁନ୍ଧତୀ ଆଦି ନିର୍ମାଣ ସ˚ସ୍ଥା ପରବର୍ତ୍ତୀ କାଳରେ ଆଉ ସିନେମା ନିର୍ମାଣ କରି ନ ଥିଲେ। ଆଉ ଏକ ନିଷ୍କର୍ଷ ହେଉଛି ବିଭିନ୍ନ ଘାତ ପ୍ରତିଘାତ ଭିତରେ ପୁଣିଥରେ ସିନେମା ନିର୍ମାଣ କରିବାର ମୋହ ସ˚ପୃକ୍ତ ପ୍ରଯୋଜକଙ୍କର ନ ଥିଲା।

ଏଥର ଆସନ୍ତୁ ଯିବା ସତୁରି ଦଶକକୁ। ସତୁରି ଦଶକର ଆରମ୍ଭ ଭାଗରେ ଧୀର ବିଶ୍ବାଳ ନିଜ ପ୍ରଯୋଜନା ସ˚ସ୍ଥା ଆରମ୍ଭ କଲେ। ପଞ୍ଚସଖା ପିକ୍‌ଚର୍ସ ସେତେବେଳକୁ ଭାଙ୍ଗିଯାଇଥାଏ, ଧୀର ବିଶ୍ବାଳ ସେଥିରୁ ଭିନେ ହୋଇସାରିଥାନ୍ତି। ସେ ଯେଉଁ ବ୍ୟାବସାୟିକ ପ୍ରଯୋଜନା ସ˚ସ୍ଥାର ମଞ୍ଜି ରୋପିଲେ ତାହା ଥିଲା ପ୍ରୋଗ୍ରେସିଭ୍‌ ଫିଲ୍ମ ପ୍ରଡକ୍‌ସନ୍‌। ପରେ ଅବଶ୍ୟ ଭିନ୍ନ ଭିନ୍ନ ବ୍ୟାନର‌୍‌ କରି ଧୀର ବିଶ୍ବାଳ ଓଡ଼ିଆ ସିନେମା ନିର୍ମାଣ କରିଛନ୍ତି।

ସତୁରି ଦଶକରେ ହିଁ ଓଡ଼ିଆ ସିନେମା ନିର୍ମାଣ ଶୈଳୀରେ ପରିବର୍ତ୍ତନ ଆସିଛି। ପ୍ରଫେସନାଲିଜିମ୍‌ ଆସିଛି। ସିନେମା ନିର୍ମାଣର ବିଶେଷ ପରିବର୍ତ୍ତନକୁ ଦେଖାଯାଉ; ପ୍ରଥମ ହେଉଛି କାହାଣୀରେ ପରିବର୍ତ୍ତନ। ଏହାର ଉଦାହରଣ ସ୍ବରୂପ ସୋନାଲି ପ୍ରଡକ୍‌ସନ୍‌ର ‘ସମୟ’ ସିନେମାକୁ ନିଆଯାଉ। ୧୯୭୫ ମସିହା ପୂର୍ବରୁ ଯେତିକି ଓଡ଼ିଆ ସିନେମା ହୋଇଥିଲା ଅଧିକା˚ଶ ସିନେମାର କାହାଣୀ ଗ୍ରାମ ଭିତ୍ତିକ ଥିଲା ବା ପାରମ୍ପରିକ ସ˚ସ୍କାରବାଦୀ ଓଡ଼ିଆ ପରିବାରର କାହାଣୀ ଥିଲା। ‘ସମୟ’ ସିନେମାରେ ମୁମ୍ବାଇ ମହାନଗରରେ ରହୁଥିବା ଦୁଇ ଓଡ଼ିଆ ପରିବାରର କାହାଣୀ ହେଲା ମୁଖ୍ୟ ଏବ˚ କୁହାଯାଇପାରେ ଏହିଠାରୁ ହିଁ ଓଡ଼ିଆ ସିନେମାର କାହାଣୀ ଭିତ୍ତିରେ ପରିବର୍ତ୍ତନ ଆସିଲା। ବୈଷୟିକ ଜ୍ଞାନକୌଶଳ ଦୃଷ୍ଟିରୁ କଲିକତା ଉପରେ ନିର୍ଭର କରୁଥିବା ଓଡ଼ିଆ ସିନେମା ଏହାପରେ ବମ୍ବେ ଅଭିମୁଖୀ ହେଲା। ‘କନକଲତା’, ‘ଯାଯାବର’ ସିନେମାର ନିର୍ମାଣ କୌଶଳ ଆସିଲା ବମ୍ବେରୁ।

ସେହି ସତୁରି ଦଶକର ମଝାମଝି ଆନ୍ଧ୍ର ସରକାରଙ୍କ ନୂତନ ସିନେମା ନୀତି ହେଲା ଯଦି କୌଣସି ପ୍ରଯୋଜକ ନୂତନ ହାଇଦ୍ରାବାଦ ଷ୍ଟୁଡିଓରେ ଯେ କୌଣସି ଭାଷାର ସୁଟି˚ କରିବେ ତାଙ୍କୁ ଅନୁଦାନ ମିଳିବ। ଏହା ପରେ ଅନେକ ନିର୍ମାଣ ସ˚ସ୍ଥା ଆସିଗଲେ ଓଡ଼ିଶା। ଓଡ଼ିଆ ସିନେମା ନିର୍ମାଣ ଆରମ୍ଭ କରିଦେଲେ। ଏମାନଙ୍କ ମଧୢରୁ ମୁଖ୍ୟ ଥିଲେ ପ୍ରତାପ ମୁଭି ଏଣ୍ଟରପ୍ରାଇଜେସ୍‌, ଦେବୀମାତା ପିକ୍‌ଚର୍ସ, ଶ୍ରୀକାନ୍ତି ଏଣ୍ଟରପ୍ରାଇଜେସ୍‌, ମାଧବ ପିକ୍‌ଚର୍ସ ପ୍ରମୁଖ। ୧୯୭୭ ରୁ ୧୯୮୦ ପର୍ଯ୍ୟନ୍ତ ଏମାନେ ଓଡ଼ିଆ ସିନେମା ନିର୍ମାଣ ସହ ଜଡ଼ିତ ହେଲେ, ବିଭିନ୍ନ ତେଲୁଗୁ ସିନେମାର ରିମେକ୍‌ କଲେ ଓ ୧୯୮୦ ବେଳକୁ ଓଡ଼ିଆ ସିନେମା ନିର୍ମାଣରୁ ଅବସର ନେଲେ। ଆଜି ଯେଉଁ ରିମେକ୍‌ ରୋଗ ଓଡ଼ିଆ ସିନେମାକୁ ଗ୍ରାସିଛି, ତାହା ବସ୍ତୁତଃ ଏହିଠାରୁ ଆରମ୍ଭ।

ସେହି ସତୁରି ମସିହାରୁ ଅନ୍ୟତମ ପ୍ରଯୋଜନା ସ˚ସ୍ଥା ବ୍ରଜରାଜ ମୁଭିଜ୍‌ ଆରମ୍ଭ ହେଲା। ବ୍ୟାବସାୟିକ କାହାଣୀ ଧାରାକୁ ଏହି ପ୍ରଯୋଜନା ସ˚ସ୍ଥା ଭିତ୍ତି କଲା ଓ ସଫଳ ହେଲା। ସେହିପରି ପରବର୍ତ୍ତୀ କାଳରେ ଇଷ୍ଟର୍ନ ମିଡିଆ ପିକ୍‌ଚର୍ସ ଓ ଏପି ପ୍ରଡକ୍‌ସନ୍‌ ଓଡ଼ିଆ ମାନସିକତା ଓ ସିନେମାର ବ୍ୟବସାୟୀକରଣ ସହ ମନୋରଞ୍ଜନର ଯେଉଁ ସମ୍ମିଶ୍ରଣ ଆଣିଲା ତାହା ଓଡ଼ିଆ ସିନେ ଜଗତକୁ ବହୁ ଭାବରେ ପ୍ରଭାବିତ କରିଛି।

ଓଡ଼ିଆ ସିନେମାର ସ˚ଖ୍ୟା ଓ ସିନେମା ନିର୍ମାଣ ସ˚ସ୍ଥା ଉପରେ ଯଦି ନଜର ପକାଯାଏ ତେବେ ଜଣାଯିବ ଯେ ସିନେମା ନିର୍ମାଣ ତୁଳନାରେ ପ୍ରଯୋଜନା ସ˚ସ୍ଥା ସ˚ଖ୍ୟା ଆନୁପାତିକ ଭାବରେ ଅଧିକ। ପ୍ରକୃତରେ ସିନେମା ନିର୍ମାଣର ଆଭିମୁଖ୍ୟ ନେଇ ଖୁବ୍‌ କମ୍‌ ପ୍ରଯୋଜନା ସ˚ସ୍ଥା ପ୍ରଯୋଜନା କରୁଛନ୍ତି।

ଓଡ଼ିଆ ସିନେମା ନିର୍ମାଣ ସ˚ସ୍ଥା ଓ ଓଡ଼ିଆ ସିନେମାର କ୍ରମ ବିକାଶ ସହ କ୍ରମାଗତ ଭାବରେ ସିନେମା ନିର୍ମାଣ କରୁଥିବା କେତେକ ସ˚ସ୍ଥା ସ˚ପୂର୍ଣ୍ଣ ଭାବେ ଜଡ଼ିତ। ପଚାଶ, ଷାଠିଏ ଦଶକରେ ପଞ୍ଚସଖା, ଛାୟାବାଣୀ ଓ ପାର୍ବତୀ ଘୋଷ ପ୍ରଡକ୍‌ସନ୍‌, ସୁତରି ଦଶକ, ଅଶୀ ଦଶକରେ ଅଭିଯାତ୍ରିକ ପ୍ରଡକ୍‌ସନ୍‌, ବ୍ରଜରାଜ ମୁଭିଜ୍‌, ଭିନ୍ନ ଭିନ୍ନ ନାମରେ ଧୀର ବିଶ୍ବାଳ ଗଢ଼ିଥିବା ପ୍ରଯୋଜନା ସ˚ସ୍ଥା, ପ୍ରଶାନ୍ତ ନନ୍ଦ ସ˚ପୃକ୍ତ ଥିବା ପ୍ରଯୋଜନା ସ˚ସ୍ଥା, ରାଜଲକ୍ଷ୍ମୀ ପ୍ରଡକ୍‌ସନ୍‌, ବଳଦେବ ଜିଉ ପ୍ରଡକ୍‌ସନ୍‌, ଇଷ୍ଟର୍ନ ମିଡିଆ ପିକ୍‌ଚର୍ସ, ମୀନାକ୍ଷି ଫିଲ୍ମସ, ଗଣପତି ଫିଲ୍ମସ, ଶ୍ରୀତୁଳସୀ ପିକ୍‌ଚର୍ସ, ନବେ ଦଶକରେ ତିରୁମାଲା ପିକ୍‌ଚର୍ସ, ଗାୟତ୍ରୀ ପିକ୍‌ଚର୍ସ, ଆଶୁତୋଷ ଫିଲ୍ମସ, ଦି ହିନ୍ଦୁସ୍ତାନ ଫିଲ୍ମସ, ଚନ୍ଦନ ଆର୍ଟସ୍‌, ଶ୍ରୀ ଗଣେଶ ପ୍ରଡକ୍‌ସନ୍‌, ରାଜକୁମାର ପ୍ରଡକ୍‌ସନ୍‌, ଗଡ଼ଚଣ୍ତୀ ଫିଲ୍ମସ, ଏପି ପ୍ରଡକ୍‌ସନ୍‌ ଏବ˚ ଏହି ଦଶକରେ ପ୍ରସାଦ ଫିଲ୍ମ, ତିରୁପତି ପିକ୍‌ଚର୍ସ, ସାବିତ୍ରୀ ପିକ୍‌ଚର୍ସ, ଶିବାନୀ ପ୍ରଡକ୍‌ସନ୍‌, ବାଲୁଙ୍କେଶ୍ବର ଫିଲ୍ମସ୍‌ ସ˚ଖ୍ୟାଧିକ ସିନେମା ନିର୍ମାଣ କରିଛନ୍ତି।

ଓଡ଼ିଆ ସିନେମା ନିର୍ମାଣ ଓ ବିକାଶ କ୍ଷେତ୍ରରେ ମୋ ନିଜ ପ୍ରଯୋଜନା ସ˚ସ୍ଥାର ଏକ ଉଲ୍ଲେଖନୀୟ ଅବଦାନକୁ ଯୋଡ଼ିବାକୁ ମୁଁ ଏଠାରେ ବାଧୢ ହେଉଛି। ଯେହେତୁ ଇତିହାସ କୌଣସି ପକ୍ଷପାତିତାକୁ ସ୍ବୀକାର କରେନାହିଁ, ଏଣୁ ଏହା ଯୋଡ଼ିବାକୁ ମୁଁ ବାଧୢ। ୧୯୫୩ ମସିହାରେ ନିର୍ମାଣ ହୋଇଥିଲା ‘ଆମରି ଗାଁ ଝିଅ’। ଏହା ଥିଲା ପ୍ରଥମ ଦ୍ବିଭାଷୀ ସିନେମା। ବଙ୍ଗଳାରେ ଏହାର ନାମ ଥିଲା ପଣରକ୍ଷା। ଉଭୟ ଭାଷାରେ ସୁଟି˚ ହୋଇଥିଲା। ଉଭୟ ଭାଷାର କଳାକାର ଭିନ୍ନ ଭିନ୍ନ ଭାବେ ସୁଟି˚ କରିଥିଲେ। ସେହିପରି ମୋ ପ୍ରଯୋଜନା ସ˚ସ୍ଥା ଦ୍ବାରା ୧୯୯୮ରେ ନିର୍ମିତ ‘ପରଦେଶୀ ବାବୁ’ ଥିଲା ଓଡ଼ିଆ ସିନେମା ଦୁନିଆର ପ୍ରଥମ ତ୍ରିଭାଷୀ ସିନେମା। ଅବଶ୍ୟ ଏହା ପୂର୍ବରୁ ମୋ ପ୍ରଯୋଜନା ସ˚ସ୍ଥା ନିର୍ମିତ ‘ରାଜାରାଣୀ’ ମଧୢ ତ୍ରିଭାଷୀ ଥିଲା। ଓଡ଼ିଆ, ବଙ୍ଗଳା ଓ ବଙ୍ଗଳାଦେଶୀ ତ୍ରିଭାଷୀ ସିନେମା। କିନ୍ତୁ ‘ରାଜାରାଣୀ’ ପରେ ରିଲିଜ୍‌ ହୋଇଥିଲା।

ଗତ ଦୁଇ ଦଶକ ମଧୢରେ କିନ୍ତୁ ଓଡ଼ିଆ ସିନେମା ନିର୍ମାଣରେ ଏକ ବିଶେଷ ପରିବର୍ତ୍ତନ ଆସିଛି। ବୈଷୟିକ ଶୈଳୀରେ ପରିବର୍ତ୍ତନ ହୋଇଛି କିନ୍ତୁ ତାହା ସହ କାହାଣୀ ଚୟନରେ ମଧୢ ପରିବର୍ତ୍ତନ ଆସିଛି। ନବେ ଦଶକରେ ଲୋକପ୍ରିୟ ହିନ୍ଦୀ ସିନେମାର ସିଧାସଳଖ କପି ଆରମ୍ଭ ହେଲା ଏବ˚ ଏହି ଦଶକରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରୁ କପି ହେଲା ଓ ହେଉଛି। ଓଡ଼ିଆ ସିନେମାର ବିକାଶରେ ଏହା କେତେ ସହଯୋଗ କରୁଛି?

ଆଉ ଏକ ବିଶେଷ ଚର୍ଚ୍ଚା ହେଉଛି ଓଡ଼ିଶାରେ ବିତରଣ ବ୍ୟବସ୍ଥାଟି ଏ ପର୍ଯ୍ୟନ୍ତ ଠିକ୍‌ରେ ହୋଇପାରି ନାହିଁ। ଏଠାରେ ସ୍ବତନ୍ତ୍ର ବିତରକ ନାହାନ୍ତି। ଏଠାରେ ଯିଏ ପ୍ରଯୋଜକ, ସିଏ ବିତରକ ହେବାକୁ ବାଧୢ, ପ୍ରଯୋଜକକୁ ପୂରା ଟଙ୍କା ଦେଇ ସିନେମାର ବିତରଣ ସ୍ବତ୍ତ୍ବ ନେବାର କ୍ଷମତା କାହାରି ନାହିଁ।

ଏହି ସନ୍ଦର୍ଭରେ ଆଉ ଏକ ଚର୍ଚ୍ଚାକୁ ଏଠାରେ ଉଲ୍ଲେଖ କରାଯାଇପାରେ। ଏବେ ଓଡ଼ିଆ ସିନେମା ସ˚ଖ୍ୟା ବଢୁଛି କିନ୍ତୁ ସେହି ତୁଳନାରେ ହଲ୍‌ କାହିଁ? ବର୍ଷକୁ ଓଡ଼ିଆ ସିନେମା ସ˚ଖ୍ୟା ୨୫ରୁ ୩୦ ଛୁଇଁଲାଣି। କିନ୍ତୁ ଦେଖାଯାଇଛି କୌଣସି ସିନେମା ଗୋଟିଏ ହଲ୍‌ରେ ଅତିବେଶିରେ ପାଞ୍ଚ ସପ୍ତାହରୁ ଅଧିକ ଚାଲିନାହିଁ। ସହରାଞ୍ଚଳରେ ଏହା ଅତିବେଶିରେ ଦୁଇ ସପ୍ତାହ ଚାଲିଛି। ଓଡ଼ିଶାରେ ବର୍ତ୍ତମାନ ହଲ୍‌ ସ˚ଖ୍ୟା ୬୦, ସିନେମା ସ˚ଖ୍ୟା ୨୫। ହିସାବ କରନ୍ତୁ ଓ ଅନୁମାନ କରନ୍ତୁ; ପ୍ରଯୋଜକ ଲାଭ ପାଇବ କେମିତି? ଗୋଟିଏ ସିନେମା ରିଲିଜ୍‌ ହୋଇଛି କି ନାହିଁ ଆଉ ଏକ ସିନେମା ତାହାକୁ ସ˚ପୃକ୍ତ ହଲ୍‌ରୁ ସ୍ଥାନାନ୍ତରିତ କରିବାକୁ ପ୍ରସ୍ତୁତ। ଏହି ଅବସ୍ଥାରେ କୌଣସି ପୁରୁଣା ପ୍ରଯୋଜନା ସ˚ସ୍ଥା ଆଉ ସିନେମା ନିର୍ମାଣ ପାଇଁ ଆଗ୍ରହୀ ନୁହନ୍ତି। ନିକଟରେ ଯେଉଁ ସିନେମା ସବୁ ରିଲିଜ୍‌ ହେବାର ଅଛି ସେହି ତାଲିକାରୁ ଏହା ସ୍ପଷ୍ଟ ହୋଇଯାଉଛି। ଏହି ପରିପ୍ରେକ୍ଷୀରେ ଯାହା ମୁଁ ଆରମ୍ଭରୁ କହିଥିଲି ତାହା ପୁଣି କହୁଛି ଏବେ ଓଡ଼ିଆ ସିନେମା ନିର୍ମାଣ ବିଶେଷ ସୁଖପ୍ରଦ ନୁହେଁ। ତଥାପି ମୁଁ ଆଗକୁ ସିନେମା ନିର୍ମାଣ ନିଶ୍ଚିତ କରିବି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.