ଶ୍ରଦ୍ଧାଞ୍ଜଳି – ଅବିକଳ୍ପ ରାଷ୍ଟ୍ରନୀତିଜ୍ଞ ଅଟଳ ବିହାରୀ

ଗାଉନି ମୁଁ ଗୀତ

ବିନା ମୁଖାରେ ଆଜି ଏଠି ସକଳ ଚେହେରା
ସ୍ପଷ୍ଟ ବାରି ହୋଇପଡ଼େ ଦାଗ ସବୁ ଗହୀରା ଗହୀରା
ହଟିଗଲା ଇନ୍ଦ୍ରଜାଲ, ଭୟଭୀତ କଲା ମତେ ସତ
ଗାଉନି ମୁଁ ଗୀତ ଆଜି ଗାଉନି ମୁଁ ଗୀତ।

କେଜାଣି ଲାଗିଲା କାହାର ଏମିତି ନଜର
ଚୂନା ଆଇନା ପରି ବିଛୁଡ଼ି ପଡ଼ିଛି ସହର
ଚିହ୍ନା ଚେହେରା ଭିଡ଼ରେ ବି ମତେ ମିଳେ ନାହିଁ ମିତ
ଗାଉନି ମୁଁ ଗୀତ ଆଜି ଗାଉନି ମୁଁ ଗୀତ।

ମୋ ପିଠିର ଛୁରୀ ଦିଶେ ଠିକ୍‌ ଜହ୍ନ ଭଳି
ରାହୁ ଡିଏଁ ନିଜ ସୀମା, ସବୁ ଦରଜାକୁ ଠେଲି
ମୁକତି ବେଳାରେ ଏ ବନ୍ଧନ କଲା ମତେ ପ୍ରତିହତ
ଗାଉନି ମୁଁ ଗୀତ ଆଜି ଗାଉନି ମୁଁ ଗୀତ।

ରଚନା: ଅଟଳ ବିହାରୀ ବାଜପେୟୀ
ଅନୁସୃଜନ: ପରଂବ୍ରହ୍ମ ତ୍ରିପାଠୀ[email protected]

 

ଲଢ଼େଇ ହେଲା, ମରଣ ସହ ଲଢ଼େଇ ହେଲା

ଲଢ଼ିବାକୁ ମୋର ଯୋଜନା’ଇ
ନ ଥିଲା।
ବୁଲାଣିରେ ଭେଟ ହେବ ବୋଲି
କଥା ବି ଦେଇ ନ ଥିଲି…
ବାଟ ଓଗାଳି ଛିଡ଼ା ହେଇଗଲା
ଅଚାନକ୍‌।
ମନେ ହେଲା
ଯେମିତି ସେ ଜୀବନଠୁ
ବଡ଼ ହେଇଗଲା।
ବୟସ କେତେ ମୃତ୍ୟୁର?
ଦୁଇ ପଲକ ବି ନୁହଁ।
ଜୀବନ ତ ଏକ ପରମ୍ପରା,
ଏକ କ୍ରମ ପରିଣାମ
ଆଜି କି କାଲିର ତ ନୁହେଁ!!
ମନଭରି ଜିଇଲି ଜୀବନଟେ,
ଇଚ୍ଛାମତେ ବାଛିନେବି
ମରଣ ବି।
ପୁଣି ତ ଫେରିବି
ଡରିବି କି ପାଇଁ
ପ୍ରସ୍ଥାନର ଲାଗି?
ତୁ, ଧୀରେ, ପାଦ ଚାପିଚାପି
ଲୁଚିଛପି ଆସନା ମୃତ୍ୟୁ
ପ୍ରହାର କରି ଦେଖ ସାମ୍‌ନାରୁ,
ପରଖି ନେ…
ଜୀବନ ଯାତ୍ରା ମୋ’
ମୃତ୍ୟୁଠୁ ଅଜଣା
ପ୍ରତି ସଂଧ୍ୟା ସୁରମୟୀ
ଆଉ ବଂଶୀସ୍ୱନ ପରି
ମଧୁର ରାତିମାନେ!!
ଦୁଃଖ ହିଁ ନାଇଁ-
ଏମିତି ତ ନୁହେଁ।
ଦୁଃଖ-
ନିଜର, ପରର କିଛି କମ୍‌ ନୁହଁ।
ଖୁବ୍‌ଟେ ଶ୍ରଦ୍ଧା ମିଳିଛି ମତେ
ଅନ୍ୟମାନଙ୍କଠୁ,
ପ୍ରିୟ ପରିଜନଙ୍କ ଲାଗି ବି
କିଛି ଅଭିଯୋଗ ନାଇଁ।
ସବୁ ଆହ୍ଵାନକୁ ସ୍ୱୀକାର କରିଛି
ଜଳେଇଚି ପୁଣି
ଲିଭନ୍ତା ବଳିତା
ଘନଘୋର ଝଡ଼ର ମଝିରେ।
ଆଜିର ତୁଫାନରେ କିନ୍ତୁ
ଭାରି ତେଜ-
ନୌକା ମୋର ଭଉଁରିର
ଆଲିଙ୍ଗନ ପାଶରେ…
ଉଧୁରିବାର ସାହସ
ଭରପୂର ତ ଅଛି ମୋ’ଠି
ହେଲେ
ତୁଫାନର ତୋଡ଼ ତ ଦେଖ
ଅଭିମାନୀ ଦେହ ଚାଲିଗଲା।
ଆଜି
ମରଣ ସହ ଲଢ଼େଇ ହେଲା…
(୰ ଅଟଳ ବିହାରୀ ବାଜପେୟୀଙ୍କ କବିତା ‘ଠନ୍‌ ଗଈ, ମୌତ୍‌ ସେ ଠନ୍‌ ଗଈ’ କବିତାର ଓଡ଼ିଆ ରୂପାନ୍ତର)

ରୂପାନ୍ତରଣ: ଡ. ସଂଗୀତା ରଥ, ବରଗଡ଼

ସମ୍ବନ୍ଧିତ ଖବର