ମାନବବାଦୀ ରାଷ୍ଟ୍ରନାୟକ

ଶ୍ରଦ୍ଧାଞ୍ଜଳି : ଅବିକଳ୍ପ ରାଷ୍ଟ୍ରନୀତିଜ୍ଞ ଅଟଳ ବିହାରୀ

0 109

ଚଉଦ ବର୍ଷ ତଳେ ସେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଥିଲେ। ଶେଷଥର ପାଇଁ ୨୦୦୮ରେ ସଂସଦ ଭବନରେ ତାଙ୍କୁ ହ୍ଵିଲ୍‌ ଚେୟାର୍‌ରେ ଦେଖାଯାଇଥିଲା। ବିଗତ ଦଶ ବର୍ଷ ହେଲା ସାଧାରଣ ଜୀବନରୁ ସେ ଏକ ପ୍ରକାର ଅଦୃଶ୍ୟ ହୋଇଯାଇଥିଲେ। ତଥାପି, ଦଳ, ମତର ସରହଦ ଡେଇଁ ଲକ୍ଷ ଲକ୍ଷ ସଂଖ୍ୟାରେ ଶୋକସନ୍ତପ୍ତ ରାଜନେତା, ରାଜନୈତିକ କର୍ମୀ, ସାମାଜିକ କର୍ମୀ, କବି, ଲେଖକ, କଳାକାର ଅଶ୍ରୁସିକ୍ତ ନୟନରେ ତାଙ୍କ ଶବାଧାରରେ ସାମିଲ ହୋଇଥିଲେ। ସେ ଥିଲା ଅବିକଳ୍ପ ରାଷ୍ଟ୍ରନୀତିଜ୍ଞ, ଅତୁଲ୍ୟ ଦେଶଭକ୍ତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ଏ ଜାତିର ଶ୍ରଦ୍ଧା ଓ ସମ୍ମାନର ପ୍ରମାଣ। ଆଜି ଦେହାବସାନର ଦଶ ଦିନ ପରେ ବି ଦେଶବ୍ୟାପୀ ଶୋକଚ୍ଛ୍ୱାସ ଭଟ୍ଟା ପଡ଼ିନାହିଁ। ଅଦ୍ୱିତୀୟ ରାଷ୍ଟ୍ରନାୟକ, କବି-ରାଜନେତା, ମେଣ୍ଟ ରାଜନୀତିର ଅଗ୍ରଣୀ ବିନ୍ଧାଣି, ସହମତିର ସ୍ଥପତି ପୂବର୍ତନ ପ୍ରଧାନମନ୍ତ୍ରୀ ଅଟଳଜିଙ୍କୁ ଦେଶବାସୀ ଝୁରି ହେଉଛନ୍ତି। ଆଜି ଏକାଦଶାହରେ ସେହି ମହାନ୍‌ ଅମର ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ ‘ସମ୍ବାଦ’ର ଏହି ବିଶେଷ ପୃଷ୍ଠା।

ଅଟଳ ବିହାରୀ ବାଜପେୟୀଙ୍କ ପରଲୋକ ସହ ଦେଶ ଭାଜପାର ପ୍ରଥମ ପ୍ରଧାନ ମନ୍ତ୍ରୀଙ୍କୁ ହରାଇଲା। ତେବେ, କେବଳ ଏତିକି ନୁହେଁ; ଆମେ ମଧ୍ୟ ଜଣେ ରାଷ୍ଟ୍ରୀୟ ନେତାଙ୍କୁ ହରାଇଲେ, ଯିଏ ଗତ କିଛି ଦଶନ୍ଧି ମଧ୍ୟରେ ଏକ ଜାତୀୟ ଆବେଦନ ସହ ରାଜନେତା ଭାବେ ଉଭାହୋଇଥିଲେ।

ତାଙ୍କର ରାଜନୈତିକ ସହବନ୍ଧନ ଯାହା ଥାଉ ନା କାହିଁକି, ଭାରତର ବହୁମୁଖୀ ସମାଜର ଜାତି, ଧର୍ମ, ଅଞ୍ଚଳ ଓ ଭାଷା ଭଳି ପାରଂପରିକ ଦୋଷ-ଦୁର୍ବଳତା ଅତିକ୍ରମ କରି, ଏକ ଜାତୀୟ ମତୈକ୍ୟର ବିବର୍ତ୍ତନରେ ସେ ବିଶ୍ୱାସ ରଖିଥିଲେ। ଲୋକତନ୍ତ୍ର, ଗଣମାଧ୍ୟମର ସ୍ୱତନ୍ତ୍ରତା, ମତାନୈକ୍ୟର ଅଧିକାର, ସାମ୍ବିଧାନିକ ଅନୁଷ୍ଠାନସମୂହ ପ୍ରତି ସମ୍ମାନବୋଧ ଓ ସହିଷ୍ଣୁତାରେ ତାଙ୍କର ବିଶ୍ୱାସ ଥିଲା।

ଆମ ସାଧାରଣତନ୍ତ୍ରର ପ୍ରାରମ୍ଭିକ କାଳରେ ତାଙ୍କର ସାଂସଦୀୟ ପଦଧାରଣ ଆରମ୍ଭ ହୋଇଥିଲା। ଅନେକ ସମୟରେ ନିର୍ବାଚନ ହାରୁଥିଲେ ଏବଂ ପୁନଶ୍ଚ ପ୍ରତ୍ୟାବର୍ତ୍ତନ କରି ନିଜର ଓଜସ୍ୱୀ ଭାଷଣ ମାଧ୍ୟମରେ ଏପରିକି ଜଓ୍ଵାହରଲାଲ ନେହରୁଙ୍କୁ ମଧ୍ୟ ଅଭିଭୂତ କରିଥିଲେ। ସେ ଦିନେ ପ୍ରଧାନ ମନ୍ତ୍ରୀ ହୋଇପାରିବେ ବୋଲି ନେହରୁ କହିଥିଲେ। ତାଙ୍କର ବିରୋଧୀମାନେ, ତାଙ୍କୁ ଭଲ ପାଉଥିଲେ। କାରଣ, ଭାରତର ବିକାଶ ଥିଲା, ତାଙ୍କର ଲକ୍ଷ୍ୟ। ସେ ଦେଶର ଉଚ୍ଚ ଭବିଷ୍ୟତ୍‌ କାମନା କରୁଥିଲେ ଏବଂ ସଦା-ସର୍ବଦା ରାଜନେତାଙ୍କ ତୁଚ୍ଛ ସ୍ୱାର୍ଥସାଧନ ଅନେ୍ଵଷଣରୁ ଊର୍ଦ୍ଧ୍ୱରେ ରହି, ନିଜ ଆଦର୍ଶର ପ୍ରତିଷ୍ଠା ପାଇଁ କାର୍ଯ୍ୟ କରୁଥିଲେ।

ଏପରିକି ମୁସଲମାନମାନେ, ଯେଉଁମାନେ ସାଧାରଣତଃ ଭାଜପା ବା ଏହାର ପୂର୍ବ ଅବତାର ଜନସଂଘ ପ୍ରତି ସଂଦିଗ୍‌ଧଚିତ୍ତ, ସେମାନେ ମଧ୍ୟ, ତାଙ୍କୁ ତଥା ତାଙ୍କର ସଚ୍ଚୋଟତାକୁ ବିଶ୍ୱାସ କରିବା ଆରମ୍ଭ କରିଥିଲେ। ସଂଖ୍ୟାଲଘୁ ସଂପ୍ରଦାୟ ପ୍ରତି ସ୍ଥାୟୀ ସଂଦିଗ୍‌ଧତା ପୋଷଣ କରିଆସିଥିବା ସଂଘ ପରିବାରର ସଦସ୍ୟ ଭାବେ ବଢ଼ିଥିବା ଜଣେ ନେତାଙ୍କ ପାଇଁ ଏହା ଏକ ସାଧାରଣ କୃତିତ୍ୱ ହୋଇ ନ ପାରେ।

ଭାରତ ଅଗ୍ରଗଣ୍ୟ ହେବା, ଜଣେ ପ୍ରଧାନ ମନ୍ତ୍ରୀ ଭାବେ ସେ ଚାହୁଁଥିଲେ। ତେବେ, ପାକିସ୍ତାନ, ଚାଇନା ଓ ଯୁକ୍ତରାଷ୍ଟ୍ର ଆମେରିକା ସହ ଦ୍ୱି-ପାକ୍ଷିକ ସଂପର୍କରେ ଉନ୍ନତିକୁ ସେ ପ୍ରାଧାନ୍ୟ ଦେଇଥିଲେ। ଅଜବ ଲାଗୁଥିବା ସତ୍ତ୍ୱେ ପାକିସ୍ତାନ ସହ ଶାନ୍ତି ସ୍ଥାପନ ପାଇଁ ବସ୍‌ରେ ଲାହୋର ଯାଇଥିଲେ। ଏପରିକି ନିଜ ଦଳର ପାରଂପରିକ ଆଭିମୁଖ୍ୟ ‘ଅଖଣ୍ଡ ଭାରତ’ ବିରୋଧରେ ସେ ଯାଇ, ପାକିସ୍ତାନର ପରିଚୟରେ ଭାରତ ବିଶ୍ୱାସ ରଖିଥିବା ଘୋଷଣା କରିଥିଲେ। ଭାଜପା ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଏହାକୁ ହଜମ କରିଥିଲା। କାରଣ, ବାଜପେୟୀ ମଙ୍ଗରେ ରହିବା ବିନା ଦଳ କ୍ଷମତାରେ ରହିପାରିବନାହିଁ ବୋଲି ସେମାନଙ୍କର ଭଲ ଭାବେ ଉପଲବ୍‌ଧି ହୋଇଥିଲା।

କାରଗିଲ ଯୁଦ୍ଧର ତିକ୍ତ ଅଭିଜ୍ଞତା ପରେ ଜେନ୍‌ରାଲ୍‌ ପରେଓ୍ଵଜ ମୁଶର୍ରଫଙ୍କ ସହ ଆଲୋଚନା ଜାରିରଖିବାକୁ ନିଷ୍ପତ୍ତି ନେଇ ନିଜର ରାଜନେତୃତ୍ୱର ପରିଚୟ ଦେଇଥିଲେ, ଯାହାକୁ ଅବଶିଷ୍ଟ ବିଶ୍ୱ ସ୍ୱୀକୃତି ଦେଇଥିଲା। ସେ ପାକିସ୍ତାନ ସହ ଶାନ୍ତି କାମନା କରିଥିଲେ; ହେଲେ, ମୁଶର୍ରଫଙ୍କ ମନମୁଖୀ ଦାବି ସହ ସାଲିସ କରି ନ ଥିଲେ। ପାଶ୍ଚାତ୍ୟ ପଡ଼ୋଶୀଙ୍କ ସହ ତାଙ୍କର ଶାନ୍ତି-ସଂହତି ପାଇଁ ଅଭିଳାଷ ବାସ୍ତବବାଦୀ ଥିଲା। ସେ କହୁଥିଲେ, ଏହା ପାଇବା ପାଇଁ ସେ ଅତିରିକ୍ତ ମାଇଲ୍‌ ଯାତ୍ରା କରିବେ।

ଥରେ ବ୍ୟକ୍ତିଗତ ବାର୍ତ୍ତାଳାପ ଅବସରରେ ବାଜପେୟୀଙ୍କୁ ମୁଁ ପଚାରିଥିଲି, ତାଙ୍କ ଦଳର ଭିନ୍ନ ଦୃଷ୍ଟିଭଙ୍ଗୀ ଥିବା ବେଳେ, ସେ କାହିଁକି ପାକିସ୍ତାନ ସହ ଶାନ୍ତି-ରକ୍ଷା ପାଇଁ ଜୋର୍‌ଦାର ଉଦ୍ୟମ କରୁଛନ୍ତି? ସେ ଉତ୍ତର ଦେଇଥିଲେ, ‘‘ମୁଁ ଏହା ଏଥି ପାଇଁ କରୁଛି ଯେ, ମୋ ପରେ, ମୋ ଦଳର ଅନ୍ୟ କେହି ପାକିସ୍ତାନ ସହ ଶାନ୍ତି ସ୍ଥାପନ ପାଇଁ ଚେଷ୍ଟା କରିବେନାହିଁ।’’

ଉପତ୍ୟକାରେ ହିଂସା ଓ ରକ୍ତପାତ ବନ୍ଦ କରିବା ପାଇଁ ସମାନ ଆତ୍ମ-ପ୍ରତ୍ୟୟ ସହ ସେ କଶ୍ମୀରୀଙ୍କ ସହ ଆଲୋଚନାକୁ ଅଗ୍ରାଧିକାର ଦେଇଥିଲେ।

ପ୍ରଧାନ ମନ୍ତ୍ରୀଙ୍କ ପହଲଗାମ ଗସ୍ତ କାଳରେ, ଯେଉଁଠି ଠିକ୍‌ ଦିନକ ପୂର୍ବରୁ ହତ୍ୟାକାଣ୍ଡ ଘଟିଥିଲା, ଫାରୁକ ଅବଦୁଲ୍ଲା ଏକ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ। ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ପ୍ରଧାନ ମନ୍ତ୍ରୀ ମୋତେ ପଚାରିଥିଲେ, ‘‘ମୋତେ କିଭଳି ପ୍ରଶ୍ନ ପଚାରିବାକୁ ଚାହିଁବ?’’ ‘‘ସବୁ ପ୍ରଶ୍ନ ସରଳ। ତେବେ, ଏକ ଚତୁର ଜିଜ୍ଞାସା ଏହା ବି ହୋଇପାରେ, ଆପଣ ପ୍ରତିଶ୍ରୁତି ଦେଇଥିବା ପରି, ସମ୍ବିଧାନର ପରିସର ମଧ୍ୟରେ ହୁରିୟାତ ଓ ଅନ୍ୟମାନଙ୍କ ସହ ଆଲୋଚନା ହେବ ନା ଏହାର ବାହାରେ?’’ ମୁଁ କହିଥିଲି।

ଏହି ପ୍ରଶ୍ନରୁ କିପରି ବର୍ତ୍ତିବାକୁ ହେବ, ଆମେ ଆଲୋଚନା କଲୁ; ହେଲେ, କୌଣସି ସଂପୂର୍ଣ୍ଣ ସନ୍ତୋଷଜନକ ଶେଷରେ ପହଞ୍ଚିପାରିଲୁନାହିଁ। ମୁଁ ଉପସ୍ଥାପନା କରୁଥିବା ସାମ୍ବାଦିକ ସମ୍ମିଳନୀରେ ଏହି ଅପରିହାର୍ଯ୍ୟ ପ୍ରଶ୍ନ ଉଠିଲା। ‘‘ମାନନୀୟ ପ୍ରଧାନ ମନ୍ତ୍ରୀ ମହାଶୟ, ଆପଣଙ୍କ ପ୍ରତିଶ୍ରୁତି ଅନୁଯାୟୀ ସମ୍ବିଧାନର ପରିସର ମଧ୍ୟରେ ଆଲୋଚନା ହେବ ନା ଏହା ବାହାରେ?’’ ଜଣେ ସାମ୍ବାଦିକ ପଚାରିଲେ।

ପ୍ରଧାନ ମନ୍ତ୍ରୀ ସଙ୍ଗେ ସଙ୍ଗେ ଉତ୍ତର ଦେଲେ, ‘‘ଆଲୋଚନା ମାନବିକତା ପରିସର ମଧ୍ୟରେ ହେବ।’’

ଏହା ଥିଲା, ସିଧା-ସଳଖ ତାଙ୍କ ହୃଦୟର ଭାଷା। ଏଥିରେ ମୁଁ, ଅର୍ଥାତ୍‌, ତାଙ୍କର ଗଣମାଧ୍ୟମ ପରିଚାଳକର କୌଣସି ଅବଦାନ ନ ଥିଲା। ତାଙ୍କର ଉକ୍ତ ଉତ୍ତର ପାଇଁ ସେ ଏବେ ବି ଉପତ୍ୟକାରେ ସ୍ମରଣୀୟ।

ସାରଭୂତ ଭାବେ ବାଜପେୟୀ ନିଜ ବିଶ୍ୱାସରେ ଥିଲେ ଉଦାରବାଦୀ। ସେ ଜନସଂଘରେ ବଡ଼ ହୋଇଥିଲେ ଏବଂ ପରେ, ଏହାକୁ ଭାଜପାରେ ପରିଣତ କରିଥିଲେ। ତାଙ୍କର ନିଜର ସଂସଦୀୟ କ୍ଷେତ୍ର ତଥା ଲୋକପ୍ରିୟତା, ଭାଜପା ବା ଜନସଂଘଠାରୁ ଉଲ୍ଲେଖନୀୟ ଭାବେ ବୃହତ୍‌ ଥିଲା।

ହତ୍ୟା ଓ ରକ୍ତପାତ ବନ୍ଦ ସହ ଆଲୋଚନା ଆରମ୍ଭର ବାତାବରଣ ସୃଷ୍ଟି କରିବା ପାଇଁ, ରମଜାନ ପୂର୍ବ ଦିନ ସେ କଶ୍ମୀରରେ ଏକତରଫା ଅସ୍ତ୍ରବିରତି ଘୋଷଣା କରିଥିଲେ। ଏ ବାବଦରେ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବା ନିଜ ସରକାରର ବହୁ ବ୍ୟକ୍ତିଙ୍କ ସହ ଆଲୋଚନା କରି ନ ଥିଲେ। ଉପତ୍ୟକାରେ ଅର୍ଥହୀନ ହିଂସା ବନ୍ଦ କରିବା ନିମନ୍ତେ ଆଲୋଚନାର ବାତାବରଣ ଗୁରୁତ୍ୱପୂର୍ଣ୍ଣ ଥିଲା। ଶାନ୍ତି ପ୍ରତିଷ୍ଠା ପାଇଁ ବାଜପେୟୀଙ୍କ ଉକ୍ତ ପଦକ୍ଷେପ, ସରକାର ତଥା ଦଳରେ ଅନେକଙ୍କୁ ବିସ୍ମିତ କରିଥିଲା। ସେ କେବଳ ନିଜର କ୍ଷମତାଶାଳୀ ପ୍ରମୁଖ ସଚିବ ବ୍ରଜେଶ ମିଶ୍ରଙ୍କ ସହ ଆଲୋଚନା କରିଥିଲେ। ଏକ ଅସ୍ତ୍ରବିରତି ବୟାନ ପ୍ରସ୍ତୁତ କରିବା ପାଇଁ ଉଭୟେ ମୋତେ କହିଥିଲେ, ଯାହାର ତାତ୍‌କାଳିକ ପ୍ରଭାବ ଉପତ୍ୟକାରେ ପଡ଼ିଥିଲା। ରମଜାନ ପରେ ବହୁ ମାସ ପର୍ଯ୍ୟନ୍ତ ଉକ୍ତ ଅସ୍ତ୍ରବିରତି ତିଷ୍ଠିରହିପାରିଥିଲା।

ବୈଦେଶିକ ସଂପର୍କ ଦୃଷ୍ଟିରୁ ଦେଖିଲେ, ବିଲ୍‌ କ୍ଲିନ୍‌ଟନ୍‌ ରାଷ୍ଟ୍ରପତି ଥିବା ବେଳେ ବାଜପେୟୀଙ୍କ ଶାସନ କାଳରେ ଯୁକ୍ତରାଷ୍ଟ୍ର ଆମେରିକା ସହ ଆମ ଦେଶର ଦ୍ୱି-ପାକ୍ଷିକ ସଂପର୍କର ଜଡ଼ ବେଶ୍‌ ମଜଭୁତ ହୋଇପାରିଥିଲା। କ୍ଲିନ୍‌ଟନ୍‌ ଭାରତ ଗସ୍ତରେ ଆସିଥିଲେ ଏବଂ ରାଜନୀତିକ, ଅର୍ଥନୀତିକ ଓ ପ୍ରତିରକ୍ଷା କ୍ଷେତ୍ରରେ ଦ୍ୱି-ପାକ୍ଷିକ ସଂପର୍କର ବିକାଶ ପାଇଁ ନୂଆ ଦିଲ୍ଲୀସ୍ଥିତ ହୈଦରାବାଦ ଭବନରେ ଦୁହିଁଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହାର ସୁଫଳ ସ୍ୱରୂପ ବାଜପେୟୀ ଆମେରିକା ଗସ୍ତରେ ଯାଇଥିଲେ ଏବଂ ହ୍ଵାଇଟ୍‌ ହାଉସ୍‌ରେ କ୍ଲିନ୍‌ଟନ୍‌ଙ୍କ ସହ ଆଲୋଚନା କରିଥିଲେ।

ବାଜପେୟୀଙ୍କ ପ୍ରଧାନ ମନ୍ତ୍ରୀତ୍ୱକାଳୀନ ସବୁଠାରୁ ସକଂଟପୂର୍ଣ୍ଣ ମୁହୂର୍ତ୍ତ ଥିଲା, ବିମାନ ଅପହରଣ। ୧୯୯୯ରେ ସେ କ୍ଷମତାକୁ ଆସିବା ପରେ ପରେ ଦୁବାଇ ଓ ପାକିସ୍ତାନ ଦେଇ ଇଣ୍ଡିଆନ୍‌ ଏଆର୍‌ଲାଇନ୍‌ସର ଆଇସି ୮୧୪ ବିମାନକୁ କାବୁଲକୁ ଅପହରଣ କରିନିଆଯାଇଥିଲା। ତାହା ଭାରତ ପାଇଁ ଥିଲା, ଏକ ଅତ୍ୟନ୍ତ ଅପମାନର ମୁହୂର୍ତ୍ତ। ଅପହରଣକାରୀଙ୍କ ଦାବି ଆଗରେ ଦେଶ ମୁଣ୍ଡ ନୁଅାଁଇଥିଲା, ଯେତେ ବେଳେ ଭାରତର ବୈଦେଶିକ ମନ୍ତ୍ରୀ ୟଶବନ୍ତ ସିଂହ, କାନ୍ଦାହାର ଯାଇଥିଲେ ଏବଂ ଜଣେ ଆତଙ୍କବାଦୀ ବିନିମୟରେ ଶହେ ଷାଠିଏ ଜଣ ଭାରତୀୟ ପଣବନ୍ଦୀଙ୍କୁ ମୁକୁଳାଇଥିଲେ। ବାଜପେୟୀ ହୃଦୟର ସହ ଥିଲେ ମାନବବାଦୀ ଶାସକ। କାନ୍ଦାହାରରେ ବିମାନରେ ପଣବନ୍ଦୀ ଥିବା ଶହେ ଷାଠିଏ ଯାତ୍ରୀଙ୍କ ଜୀବନକୁ ବାଜି ଲଗାଇବା ପାଇଁ ଉଚିତ ମଣି ନ ଥିଲେ।

ଆଉ ଦୁଇଟି ଘଟନାରେ ମଧ୍ୟ ସେ ନିଜକୁ ଅସହାୟ ବୋଧ କରିଥିଲେ। ତାଙ୍କ ବିବେକ ବା ହୃଦୟ ଅଯୋଧ୍ୟା ଆନ୍ଦୋଳନ ସହ ନ ଥିଲା। ଭିନ୍ନ ଭିନ୍ନ ପନ୍ଥା ମାଧ୍ୟମରେ ସେ ଅଯୋଧ୍ୟା ମାମଲାର ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁଥିଲେ। ଏ ଭଳି ଏକ ମାଧ୍ୟମ ଥିଲେ ପୂର୍ବତନ ପ୍ରଧାନ ମନ୍ତ୍ରୀ ଚନ୍ଦ୍ର ଶେଖର, ଯାହାଙ୍କ ସହ ବାଜପେୟୀଙ୍କ ଉତ୍ତମ ସଂପର୍କ ଥିଲା। ଅନ୍ୟ ଜଣେ ଥିଲେ, ରାଜସ୍ଥାନର ଉଲ୍ଲେଖନୀୟ ମୁଖ୍ୟ ମନ୍ତ୍ରୀ ଭୈରୋଁ ସିଂହ ଶେଖାଓ୍ଵତ, ଯାହାଙ୍କୁ ବାଜପେୟୀ ପରେ ଭାରତର ଉପ-ରାଷ୍ଟ୍ରପତି ବନାଇଥିଲେ। ନିଜର ଘନିଷ୍ଠ ବନ୍ଧୁ ଲାଲ କୃଷ୍ଣ ଆଡ଼ଭାନୀଙ୍କ ଭଳି ସେ ରଥଯାତ୍ରାରେ ବାହାରି ନ ଥିଲେ, ଯାହାର ଅନ୍ତିମ ପରିଣାମ ସ୍ୱରୂପ ୬ ଡିସେମ୍ବର୍‌ ୧୯୯୨ରେ ବାବରୀ ମସଜିଦ ଧ୍ୱଂସ ହୋଇଥିଲା।

ସେ ପ୍ରଧାନ ମନ୍ତ୍ରୀ ହେବାର ଅନେକ ଦିନ ପୂର୍ବରୁ ମୁଁ ଥରେ ପଚାରିଥିଲି, ‘‘ଆପଣ ଅଯୋଧ୍ୟା ଆନ୍ଦୋଳନ ସହ ନାହାନ୍ତି। ତଥାପି, ସଂଘ ପରିବାରକୁ ଏଥିରୁ କ୍ଷାନ୍ତ କରିବା ପାଇଁ ବିଶେଷ ଉଦ୍ୟମ କରୁନାହାନ୍ତି, କାହିଁକି?’’ ସେ ସ୍ପଷ୍ଟ ଭାବେ ସ୍ୱୀକାର କରିଥିଲେ, ‘‘ମୁଁ କରିପାରୁନାହିଁ। ଗତ କିଛି ବର୍ଷ ମଧ୍ୟରେ ଆମ ଭିତରୁ କିଛି ଅନୁଶାସନର ଶିକାର।’’

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ତାଙ୍କ କଥା ଶୁଣିବନାହିଁ ବୋଲି ସେ ଭଲ ଭାବେ ଜାଣିଥିଲେ।

ଗୁଜରାଟ ଦଙ୍ଗାକୁ ରୋକିବାରେ ନରେନ୍ଦ୍ର ମୋଦୀ ପ୍ରଶାସନ ବିଫଳ ହୋଇଥିଲା। ଫଳରେ ସେଠାରେ ବ୍ୟାପକ ହିଂସାକାଣ୍ଡ ଘଟି ବହୁ ସଂଖ୍ୟକ ଲୋକଙ୍କ ଜୀବନ ଯାଇଥିଲା। ଏହା ସତ୍ତ୍ୱେ ମୁଖ୍ୟ ମନ୍ତ୍ରୀ ପଦରୁ ମୋଦୀଙ୍କୁ ସେ ହଟାଇପାରି ନ ଥିଲେ। ଗୋଆରେ ଅନୁଷ୍ଠିତ ଭାଜପାର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଆଡ଼ଭାନୀ ତଥା ଦଳର ଅନ୍ୟ କିଛି ସଦସ୍ୟ ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ତାଙ୍କ ମତ ବିରୋଧରେ ଯାଇ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ ଦେଇଥିଲେ। ସେହି ପରିସ୍ଥିତିରେ ବାଜପେୟୀ ଶକ୍ତିହୀନ ହୋଇପଡ଼ିଥିଲେ।

ପରେ ତାଙ୍କୁ, ମୁଁ ପଚାରିଥିଲି, ସେ ଯେହେତୁ ଅନୁମୋଦନ ଦେଉନାହାନ୍ତି, କାହିଁକି ଗୁଜରାଟ ଦଙ୍ଗାକୁ ପ୍ରସଙ୍ଗ କରୁନାହାନ୍ତି? ସେ ସରଳ ଭାବେ ଉତ୍ତର ଦେଇଥିଲେ, ‘‘ଦଳ ମୋ ସହ ଏକମତ ନୁହେଁ।’’

ଅର୍ଥନୀତି କ୍ଷେତ୍ରରେ ଦେଖିଲେ, ୧୯୯୧ରେ ପ୍ରଧାନ ମନ୍ତ୍ରୀ ପିଭି ନରସିଂହ ରାଓ ଏବଂ ପରବର୍ତ୍ତୀ କାଳରେ ଡ. ମନମୋହନ ସିଂହଙ୍କ ଦ୍ୱାରା ଲାଗୁକରାଯାଇଥିବା ସଂସ୍କାର ସହ ଆଗେଇବା ପାଇଁ ବାଜପେୟୀ ନିଜର କ୍ୟାବିନେଟ୍‌ ସାଥୀଙ୍କୁ ସଂପୂର୍ଣ୍ଣ ସ୍ୱାଧୀନତା ଦେଇଥିଲେ। ବାଜପେୟୀଙ୍କ ଶାସନ କାଳରେ ଜିଡିପି ବୃଦ୍ଧି ହାର ନଅ ପ୍ରତିଶତ ଉପରେ ଥିଲା। ଏହା ଏଥି ପାଇଁ ଉଲ୍ଲେଖନୀୟ ଯେ, ପରବର୍ତ୍ତୀ କିଛି ବର୍ଷରେ ସାରା ବିଶ୍ୱ ମାନ୍ଦାବସ୍ଥାର ସାମନା କରିଥିଲା।

୨୦୦୪ରେ ଶୀଘ୍ର ନିର୍ବାଚନ କରାଇବାକୁ ଦଳର ଅଧିକାଂଶ ନେତା ଚାହୁଁଥିଲେ। ଭାଜପାର ପ୍ରଚାର ପରିଚାଳକ ପ୍ରମୋଦ ମହାଜନ ‘ଇଣ୍ଡିଆ ଇଜ୍‌ ସାଇନିଂ’ ସ୍ଲୋଗାନ୍‌ ସଂଯୋଜନା କରିଥିଲେ। ବାଜପେୟୀ ଚାହୁଁ ନ ଥିବା ସତ୍ତ୍ୱେ ଦଳୀୟ କର୍ମକର୍ତ୍ତାଙ୍କ ଇଚ୍ଛାକୁ ଗ୍ରହଣ କରି, ନିଜର କାର୍ଯ୍ୟ-କାଳ କିଛି ମାସ କମାଇବା ପାଇଁ ସମ୍ମତ ହୋଇଥିଲେ। ଅର୍ଥନୈତିକ ସଂସ୍କାର ସତ୍ତ୍ୱେ ଭାରତ ଚମକିବାଠାରୁ ବହୁତ ଦୂରରେ ଥିବା ଜଣାପଡ଼ିଲା। ବାଜପେୟୀ ନିର୍ବାଚନ ହାରିଲେ। ଏହାର ଏକ ମୁଖ୍ୟ କାରଣ ଥିଲା ଗୁଜରାଟ ଦଙ୍ଗାର ପ୍ରଭାବ ଏବଂ ଜନ ମାନସକୁ ବିଭ୍ରାନ୍ତ କରୁଥିବା ସ୍ଲୋଗାନ୍‌।

ବେଶ୍‌ କିଛି ବର୍ଷ ହେଲା ବାଜପେୟୀ ନିଜକୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କାର୍ଯ୍ୟକଳାପଠାରୁ ଦୂରେଇରଖି, ଭାରତୀୟ ରାଜନୀତିରେ ନିଜର ସ୍ଥାନ ସୁଦୃଢ଼ କରିବା ପାଇଁ ନିଜସ୍ୱ ନୀତିକୁ ଗୁରୁତ୍ୱ ଦେଇଥିଲେ। ରାଜୁ ଭୈୟାଙ୍କ ଭଳି ନେତାଙ୍କ ସହ ତାଙ୍କର ବୁଝାମଣା ହୋଇପାରିଥିଲା; ହେଲେ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ ସୁଦର୍ଶନଙ୍କ ସହ ସମୀକରଣ ବନିପାରି ନ ଥିଲା। ସୁଦର୍ଶନଙ୍କୁ ମାସ ମାସ ଧରି ସେ ଭେଟିବାକୁ ଚାହୁଁ ନ ଥିଲେ। ଶେଷରେ ଜଣେ ମଧ୍ୟସ୍ଥିଙ୍କ ମାଧ୍ୟମରେ ପ୍ରଧାନ ମନ୍ତ୍ରୀଙ୍କ ୭, ରେସ୍‌ କୋସ୍‌ର୍ ରୋଡ୍‌ସ୍ଥିତ ବାସଭବନରେ ରାତ୍ରିଭୋଜନ ପାଇଁ ସମୟ ସ୍ଥିର ହୋଇଥିଲା। ଦୁହେଁ ଏକତ୍ର ଭୋଜନ କରିବାର ଥିଲା। ହେଲେ, ବାଜପେୟୀ ଜାଣିବାକୁ ପାଇଲେ, ସେହି ଦିନ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ ଉପବାସ ପାଳନ କରୁଛନ୍ତି!

ଏଚ୍‌ କେ ଦୁଆ
ପୂର୍ବତନ ମୁଖ୍ୟ ସମ୍ପାଦକ, ଦି ଟ୍ରିବ୍ୟୁନ,
ଦି ହିନ୍ଦୁସ୍ତାନ ଟାଇମ୍‌ସ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମିଡିଆ ପରାମର୍ଶଦାତା

ସମ୍ବନ୍ଧିତ ଖବର

Leave A Reply

Your email address will not be published.