୧୯୮୨ ମସିହାର ଏକ ଉତ୍ତୀର୍ଣ୍ଣ ନାତିଶୀତୋଷ୍ଣ ସକାଳର ସ୍ମୃତି ଏବେ ବି ଅଭିଭୂତ କରେ ମୋତେ। ଉତ୍କଳ ବିଶ୍ୱବିଦ୍ୟାଳୟ ପରିସର ସେଦିନ ଉତ୍ସବମୁଖର। ଏକାଧିକ ସ୍ୱାଗତ ତୋରଣ ସାଙ୍ଗକୁ ପ୍ରେକ୍ଷାଳୟ ସୁସଜ୍ଜିତ। ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ମହେନ୍ଦ୍ର କୁମାର ରାଉତ ଏବଂ ଛାତ୍ର ସଂସଦର ସଭାପତି ଭାବରେ ମୁଁ ଅପେକ୍ଷା କରିଥାଉଁ ଅତିଥିଙ୍କ ଆଗମନକୁ। କିଏ ସେହି ଅତିଥି ଯାହାଙ୍କ ପାଇଁ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାମାନଙ୍କ ମଧ୍ୟରେ ଏତେ ଉତ୍କଣ୍ଠା? ସେହି ମହାର୍ଘ ଅତିଥି ଥିଲେ ଭାରତୀୟ ରାଜନୀତିର ଅଟଳ ଅଚଳାୟତନ ଶ୍ରୀ ଅଟଳ ବିହାରୀ ବାଜପେୟୀ।
Sambad is now on WhatsApp
Join and get latest news updates delivered to you via WhatsApp
ଛାତ୍ର ସଂସଦକୁ ନିର୍ବାଚିତ ହେବାପରେ ମୁଁ ନୂଆଦିଲ୍ଲୀ ଗଲି ଅତିଥି ବରଣ ନିମନ୍ତେ। ବିଜୁ ପଟ୍ଟନାୟକଙ୍କୁ ତାଙ୍କ ଦିଲ୍ଲୀ ବାସଭବନରେ ସାକ୍ଷାତ କଲି। ମୁଁ ତାଙ୍କୁ ମନେପକାଇଦେଲି ଯେ ମୁଁ ସେହି ଛାତ୍ରନେତା ଯିଏ ୧୯୮୦ ମସିହାରେ ଭଦ୍ରକ କଲେଜ ଛାତ୍ର ସଂସଦର ସଭାପତି ଥିଲାବେଳେ ସେ ଛାତ୍ର ସଂସଦର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ବିଜୁବାବୁ ଖୁସି ହେଲେ। ତାଙ୍କ ଗାଡ଼ିନେଇ ଶ୍ରୀ ଜର୍ଜ ଫର୍ଣ୍ଣାଡିସ୍ଙ୍କୁ ଦେଖାକଲି। ଶ୍ରୀ ଅଟଳ ବିହାରୀ ବାଜପେୟୀ ସେତେବେଳେ ଦିଲ୍ଲୀରେ ନ ଥିଲେ।
ଭୁବନେଶ୍ୱର ଫେରିଆସିବାର କିଛିଦିନ ପରେ ମୁଁ ଜାଣିବାକୁ ପାଇଲି ଯେ ଶ୍ରୀ ବାଜପେୟୀ ତାଙ୍କ ଦଳର ଜାତୀୟ କାର୍ଯ୍ୟକାରିଣୀରେ ଯୋଗ ଦେବା ପାଇଁ ଓଡ଼ିଶା ଆସୁଛନ୍ତି। ତାଙ୍କୁ ବାଣୀବିହାରକୁ ନିମନ୍ତ୍ରଣ କରିବା ପାଇଁ ଏହା ଥିଲା ଅପୂର୍ବ ସୁଯୋଗ। ସେହି ସୁଯୋଗକୁ ମୁଁ ହାତଛଡ଼ା କରନ୍ତି କିପରି? ଯେଉଁଦିନ ନିଶୀଥରେ ହାଓ୍ଵଡ଼ାରୁ ଆସି ଭୁବନେଶ୍ୱର ରେଳ ଷ୍ଟେସନ୍ରେ ପାଦଦେଲେ ଅଟଳଜି, ମୁଁ ମୋର ବେଶ୍ କେତେଜଣ ଅନୁଗାମୀ ସହପାଠୀଙ୍କ ସହିତ ତାଙ୍କୁ ସେଠାରେ ସ୍ୱାଗତ କରିଥିଲି। ତା’ର ଦିନକ ପରେ ବୋଧହୁଏ, ମୁଁ କସ୍ତୁରବା ନାରୀମହଲରେ ପହଞ୍ଚିଲି ଏବଂ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ମୋତେ ଶ୍ରୀ ବାଜପେୟୀଙ୍କ ସହିତ ପରିଚୟ କରାଇଦେଲେ। ମୋର ମନେଅଛି, ବାଜପେୟୀଜୀ ସେତେବେଳେ ଲାଲକୃଷ୍ଣ ଆଡଭାନୀ, ଶ୍ରୀମତୀ ବିଜୟାରାଜେ ସିନ୍ଧିଆ, ଶ୍ରୀ ସିକନ୍ଦର ବଖ୍ତ ପ୍ରମୁଖଙ୍କ ଗହଣରେ ଚା’ ପାନ କରୁଥିଲେ। ମୋର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ ଯେତେବେଳେ ସେ ମୋ ମୁହଁକୁ ଚାହିଁଦେଇ କହିଲେ, ତୁମେ ସେହି ଯୁବକ ତ? ମଧ୍ୟରାତ୍ରୀରେ ମୋତେ ସ୍ୱାଗତ କରିଥିଲ? ବାଜପେୟୀଙ୍କ ସ୍ମୃତିଶକ୍ତି କି ପ୍ରଖର! ଭୁବନେଶ୍ୱର ରେଳ ଷ୍ଟେସନ୍ର ସ୍ୱଳ୍ପାଲୋକରେ, ବହୁ ଛାତ୍ରଙ୍କ ଭିଡ଼ ଭିତରେ ଏହି ଶୀର୍ଣ୍ଣକାୟ ଛାତ୍ରନେତାଟିକୁ ସେ ଚିହ୍ନିପାରିଥିଲେ। ଚା’ ପର୍ବର ମୃଦୁ କୋଳାହଳ ମଧ୍ୟରେ ମୁଁ ସେଠାରେ କିୟତ୍ସମୟ ବିତାଇଲି। ଶ୍ରୀ ବାଜପେୟୀଙ୍କ ଠାରୁ ହଁ ହାସଲ କରି ଫେରିଲି ବାଣୀବିହାର।
ନିର୍ଦ୍ଧାରିତ ଦିନ ବଡ଼ିଭୋରରୁ କୋଣାର୍କ ଯିବାର ଥିଲା ଶ୍ରୀ ବାଜପେୟୀଙ୍କର। ମଧ୍ୟାହ୍ନରେ ସ୍ଥିର ହୋଇଥିଲା ତାଙ୍କ ଦିଲ୍ଲୀ ବାହୁଡ଼ା ବିମାନଯାତ୍ରା। ସୁତରାଂ ବିଳମ୍ବିତ ସକାଳ (ପୂର୍ବାହ୍ନ ୯.୩୦ ବା ୧୦ ଘଟିକା ହେବ ପ୍ରାୟ) ସଭାର ସମୟ ଭାବରେ ଧାର୍ଯ୍ୟ କରାଗଲା ଏବଂ ଧାର୍ଯ୍ୟ ସମୟରେ ସେ ବାଣୀବିହାର ପରିସରରେ ପହଞ୍ଚିଲେ। ଅନ୍ୟ ଏକ ଗାଡ଼ିରେ ତାଙ୍କୁ ଅନୁସରଣ କରୁଥିବା ଜଣେ ଦୁଇଜଣ ଯୁବକର୍ମୀ ସ୍ଳୋଗାନ ଦେବାକୁ ଉଦ୍ୟମ ହେବାରୁ, ଶ୍ରୀ ବାଜପେୟୀ ହାତହଲାଇ ତାଙ୍କୁ ବାରଣ କଲେ। ଶିକ୍ଷାନୁଷ୍ଠାନ ପୁଣ୍ୟ ଦେବାଳୟ, ତା’ର ପରିସର ପବିତ୍ର, ତାହା ରାଜନୈତିକ ନାରାବାଜିର କ୍ଷେତ୍ର ନୁହେଁ; ଏହା ବୋଧହୁଏ ଥିଲା ଶ୍ରୀ ବାଜପେୟୀଙ୍କ ଇଙ୍ଗିତର ମର୍ମ। ଓଡ଼ିଶାର କୌଣସି ଶିକ୍ଷାନୁଷ୍ଠାନ ପରିସରରେ ଏହା ଥିଲା ଶ୍ରୀ ବାଜପେୟୀଙ୍କ ପ୍ରଥମ ପଦାର୍ପଣ ଏବଂ ତାଙ୍କର ଏହି ପହିଲି ପଦପାତ ଥିଲା ସମଦୃଷ୍ଟିର ମନ୍ଦ୍ରନାଦ।
ସଭା ଆରମ୍ଭରେ ସଭାପତି ସୁଲଭ ଆଟୋପରେ ମୁଁ ଯେତେବେଳେ ଇଂରାଜୀରେ କହିବା ଆରମ୍ଭ କଲି, ଅଟଳଜି ମୋ ବାଟ ଓଗାଳିଲେ। କହିଲେ ଏହିପରି କିଛି: ମିଷ୍ଟର ପ୍ରେସିଡେଣ୍ଟ୍, ଓଡ଼ିଆମେଁ ବୋଲିୟେ। ମେ ଓଡ଼ିଆ ଅଛି ତରହ ସମଝତା ହୁଁ। ଭାରତବର୍ଷ ଏବଂ ଭାରତର ପ୍ରତି ପ୍ରାନ୍ତର ଭାଷା ପ୍ରତି ତାଙ୍କ ହୃଦୟରେ ଥିଲା ଅପ୍ରତିମ ଅନୁରାଗ। ମାତୃଭୂମି ଓ ମାତୃଭାଷାର ସେ ଥିଲେ ନିତ୍ୟ ପୂଜାରୀ। ସଭାରେ ସେ ପ୍ରାୟ ୪୫ ମିନିଟ୍ ଭାଷଣ ଦେଇଥିଲେ – ୧୫ ମିନିଟ୍ ଇଂରାଜୀରେ, ଅବଶିଷ୍ଟ ହିନ୍ଦୀରେ। ତାଙ୍କର ସେହି ବକ୍ତବ୍ୟ ଆଜି ମଧ୍ୟ ମର୍ମର ପରି ମୋତେ ମୋହିତ କରେ। ଆକୈଶୋର ରାଜନୀତିରେ ଲିପ୍ତ ଏହି ରାଜନେତା ରାଜନୀତିର ‘ର’ ଉଚ୍ଚାରଣ କରି ନ ଥିଲେ ଛାତ୍ର ସଂସଦର ଉତ୍ସବରେ। ବଖାଣିଥିଲେ ସେ ଭାରତର ଅତୀତ ଗରିମା। ପଚାରିଥିଲେ ପ୍ରାଜ୍ଞ ଅଧ୍ୟାପକ ମଣ୍ଡଳୀକୁ – ଏକ ସମୃଦ୍ଧ ରାଷ୍ଟ୍ର ଏବେ ଦରିଦ୍ର କାହିଁକି? ଏକ ବୀରଜାତି କାହିଁକି ଭୀରୁ? ଏକ ଅଗ୍ରଣୀ ମହାଜାତିର ଅନଗ୍ରସରତାର ହେତୁ କ’ଣ? କହିଥିଲେ, ଏପରି ପ୍ରଶ୍ନ ମୁଁ ପଚାରିଆସୁଛି ଦେଶର ବିଦ୍ୱାନ ଓ ବିଜ୍ଞାନୀଗଣଙ୍କୁ। ଏସବୁର କାରଣ ଓ ନିରାକରଣ ଆପଣମାନେ ନିର୍ଣ୍ଣୟ କରନ୍ତୁ। ଶାସକ ଓ ପ୍ରଶାସକଙ୍କର ପଥ ପ୍ରଦର୍ଶକ ହୁଅନ୍ତୁ। ଇତ୍ୟାଦି।
ହାସ୍ୟବ୍ୟଙ୍ଗ ପ୍ରିୟ ବାଜପେୟୀଙ୍କ ଲଘୁକଥା ବେଶ୍ ହାସ୍ୟରୋଳ ସୃଷ୍ଟି କରିଥିଲା ସଭାସଦ୍ଙ୍କ ମଧ୍ୟରେ। କଥାଟି ଥିଲା ବାଜପେୟୀ ବାପପୁଅଙ୍କ ଏକାସାଙ୍ଗରେ ପାଠପଢ଼ା। ଶ୍ରୀ ବାଜପେୟୀ ଯେଉଁବର୍ଷ ଆଇନ ପଢ଼ିବା ପାଇଁ ସ୍ଥିର କଲେ, ସେହିବର୍ଷ ତାଙ୍କ ଶିକ୍ଷକ ପିତା ଶିକ୍ଷକତାରୁ କେବଳ ଅବସର ଗ୍ରହଣ କଲେ ନାହିଁ, ଆଇନ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କଲେ ମଧ୍ୟ। ଫଳରେ ବାପପୁଅ ସାଙ୍ଗରେ ନାମ ଲେଖାଇଲେ, ସାଙ୍ଗହୋଇ ପାଠ ପଢ଼ିଲେ ଏବଂ ଗୋଟିଏ ହଷ୍ଟେଲ୍ର ଗୋଟିଏ ରୁମ୍ରେ ରହିଲେ। ଏହି ଆଖ୍ୟାନ ବର୍ଣ୍ଣନାର ଚାତୁରୀ ଏପରି ଥିଲା ଯେ ବୟସ୍କ ଅଧ୍ୟାପକ/ଅଧ୍ୟାପିକାମାନେ ଚେଷ୍ଟାକରି ମଧ୍ୟ ହସ ସମ୍ବରଣ କରିପାରି ନ ଥିଲେ। ତେବେ ଶ୍ରୀ ବାଜପେୟୀଙ୍କ ବକ୍ତବ୍ୟର ଅନ୍ତିମ ପର୍ଯ୍ୟାୟ ଥିଲା, କାବ୍ୟିକ, କୋମଳ ଓ କମନୀୟ। ତାଙ୍କ ଉଚ୍ଚାଙ୍ଗ ଉଚ୍ଚାରଣ ଥିଲା ଏମିତି: ଘନ କୁହୁଡ଼ି ପାଇଁ ଆଜି ମୁଁ ଚନ୍ଦ୍ରଭାଗାର ସୂର୍ଯ୍ୟୋଦୟ ଦେଖି ପାରିଲି ନାହିଁ। କିନ୍ତୁ ମୁଁ ସୂର୍ଯ୍ୟୋଦୟ ଅବଶ୍ୟ ଦେଖିବି। ଘନ କୁହୁଡ଼ି କ’ଣ ସବୁ ସମୟ ପାଇଁ ସୂର୍ଯ୍ୟଙ୍କୁ ଉହାଡ଼ କରିପାରିବ?
ଅଟଳଜିଙ୍କ ବକ୍ତବ୍ୟ ଢେର ଦିନ ପର୍ଯ୍ୟନ୍ତ ବାଣୀବିହାରର ବାତାବରଣକୁ ଉଷ୍ମ କରି ରଖିଥିଲା। ‘ସୂର୍ଯ୍ୟୋଦୟ’ ଓ ‘କୁହୁଡ଼ି’ ଶବ୍ଦକୁ ନେଇ ନାନା ବ୍ୟାଖ୍ୟା ଚାଲିଥିଲା ଛାତ୍ରଛାତ୍ରୀ ଓ ଅଧ୍ୟାପକ ମହଲରେ। କିନ୍ତୁ ବରିଷ୍ଠ, ବିଶିଷ୍ଟ ଓ ସଂଖ୍ୟାଗରିଷ୍ଠଙ୍କ ମତ ଥିଲା- ବାଜପେୟୀଙ୍କର ଏହା ରାଜନୀତି ଆଡ଼କୁ ଇସାରା ନୁହେଁ। ଭାରତବର୍ଷର ଗୌରବମୟ ଇତିହାସରୁ ଆରମ୍ଭ ହୋଇଥିବା ତାଙ୍କ ଭାଷଣରେ ରାଜନୀତିର ଗନ୍ଧ ଆସିବ କେଉଁଠୁ? ଦେଶର ଦାରିଦ୍ର୍ୟ ଓ ଅନଗ୍ରସରତା କୁହୁଡ଼ି ପରି କ୍ଷଣିକ। ଭାରତର ଭାଗ୍ୟୋଦୟ ଅବଶ୍ୟମ୍ଭାବୀ। ଏହା ହିଁ ଥିଲା ଶ୍ରୀ ବାଜପେୟୀଙ୍କ କବିସୁଲଭ ବ୍ୟଞ୍ଜନାର ସାରାଂଶ।
ମୋର କତିପୟ ପ୍ରିୟ ପ୍ରତିଦ୍ୱନ୍ଦ୍ୱୀ ସେତେବେଳେ ହିମାଳୟକୁ ଢେଲା ଫିଙ୍ଗିବା ପରି ନିର୍ବୋଧ ପ୍ରୟାସ କରି ବିଫଳ ହୋଇଥିଲେ। ଅତୁଲ୍ୟ ଅଟଳଙ୍କ ସଭା କେବଳ ଯେ ଅତୁଳନୀୟ ହୋଇଥିଲା ତା’ ନୁହେଁ, ଦେଶାତ୍ମବୋଧର ମନ୍ଦ ମଳୟରେ ହିଲ୍ଲୋଳିତ ହୋଇଥିଲା ବିଶ୍ୱବିଦ୍ୟାଳୟର ମନଗହନ।
ଦୁଇ ଦଶନ୍ଧି ପରେ ପୁଣି ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସାନ୍ନିଧ୍ୟ ଲାଭ କରିବାର ସୁଯୋଗ ମୁଁ ପାଇଥିଲି, ପ୍ରଧାନମନ୍ତ୍ରୀଙ୍କ ପାର୍ଲାମେଣ୍ଟ ପ୍ରକୋଷ୍ଠରେ। ଓଡ଼ିଶା ସରକାରଙ୍କର ତତ୍କାଳୀନ ମନ୍ତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ (ଅଧୁନା ଝାଡ଼ଖଣ୍ଡର ମାନ୍ୟବର ରାଜ୍ୟପାଳ) ସାନ୍ତାଳୀ ଭାଷାର ସାମ୍ବିଧାନିକ ସ୍ୱୀକୃତି ସମ୍ପର୍କିତ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ସାଙ୍ଗରେ ଥିଲେ ସାଂସଦ ଶ୍ରୀ ଖାରବେଳ ସ୍ୱାଇଁ। ପ୍ରଶାସନିକ ଦାୟରେ ମୁଁ ମଧ୍ୟ। ଶ୍ରୀମତୀ ମୁର୍ମୁଙ୍କ ଠାରୁ ସାନ୍ତାଳୀ ଭାଷା ଓ ଅଲ୍ଚିକି ଲିପି ବିଷୟରେ ପ୍ରଧାନମନ୍ତ୍ରୀ ଶ୍ରୀ ବାଜପେୟୀ ମନଧ୍ୟାନ ଦେଇ ଶୁଣିଲେ। ମଝିରେ ମଝିରେ ପ୍ରଶ୍ନମାନ ପଚାରିଲେ। ପ୍ରତିଶ୍ରୁତି ଦେଲେ ଯେ ବିଧି ବ୍ୟବସ୍ଥାନୁଯାୟୀ ଏ ବିଷୟରେ ଖୁବ୍ଶୀଘ୍ର ସିଦ୍ଧାନ୍ତ ଗ୍ରହଣ କରାଯିବ। ସେ ତାଙ୍କ କଥା ରଖିଲେ। ଅଟଳଙ୍କ ପ୍ରତିଶ୍ରୁତି ସର୍ବଦା ଅଟଳ। ସାନ୍ତାଳୀ ଭାଷା ଅଚିରେ ସାମ୍ବିଧାନିକ ସ୍ୱୀକୃତି ପ୍ରାପ୍ତ ହେଲା।
ଏହି ସ୍ୱଳ୍ପ ସମୟର ଆଲୋଚନା ଭିତରେ ମୁଁ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ହାବଭାବ ଓ କଥାବାର୍ତ୍ତାକୁ ନିବିଡ଼ ଭାବରେ ନିରୀକ୍ଷଣ କରୁଥିଲି। ଓଠରେ ତାଙ୍କର ସେହି ସଫେଦ, ସ୍ୱଚ୍ଛଳ ହସର ଝର୍ଣା, ଉଚ୍ଛଳ ଉଚ୍ଚାରଣ। କ୍ଷମତାରେ ନ ଥିଲାବେଳେ ଯେମିତି, କ୍ଷମତାରେ ଥିଲାବେଳେ ବି ସେମିତି।
ଅଟଳଜି ଆଜନ୍ମ ସ୍ଥିତଧୀ।
ବିଜୟ ନାୟକ
ଭି.ଏ. – ୯/୨, ୟୁନିଟ୍- ୨, ଭୁବନେଶ୍ୱର
([email protected])