ବାପାଙ୍କ ଦେହ ଖରାପ ହେବା ପରେ ୪ବର୍ଷ ପର୍ଯ୍ୟନ୍ତ ଦୁଇ ଝିଅ ପୁଅ ହୋଇ ଚଳାଉଥିଲେ ସେଲୁନ୍‌

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଦୁଇ ଝିଅ ୪ବର୍ଷ ପର୍ଯ୍ୟନ୍ତ ପୁଅ ହୋଇ ନିଜ ବାପାଙ୍କ ସେଲୁନ ସମ୍ଭାଳିବା ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ବାପାଙ୍କ ଦେହ ଖରାପ ହେବା ପରେ କିଛି ଦିନ ପର୍ଯ୍ୟନ୍ତ ସେଲୁନ୍‌ଟି ବନ୍ଦ ରହିଥିଲା । କିନ୍ତୁ ସେଲୁନଟି ଘର ସମ୍ଭାଳିବା ପାଇଁ ଆୟର ଏକ ମାତ୍ର ମାଧ୍ୟମ ହୋଇଥିବାରୁ ୧୮ବର୍ଷୀୟ ଜ୍ୟୋତି କୁମାରୀ ଏବଂ ୧୬ବର୍ଷୀୟ ନେହା ସେଲୁନ ଖୋଲିବାର ନିଷ୍ପତ୍ତି ନେଇଥିଲେ । କିନ୍ତୁ ସେଲୁନ ଖୋଲିବା ପରେ ଲୋକମାନେ ଦୁଇ ଝିଅଙ୍କ ହାତରୁ ନିଜ ମୁଣ୍ଡର କେଶ ଏବଂ ନିଶ କାଟିବା ପାଇଁ କୁଣ୍ଠାବୋଧ କରିଥିଲେ । ପରିସ୍ଥିତିକୁ ଦେଖି ଜ୍ୟୋତି ଏବଂ ନେହା ନିଜର ପୋଷାକ ପରିଧାନ ଠାରୁ ଆରମ୍ଭ କରି ନିଜ ଲୁକ୍‌କୁ ବଦଳାଇ ଦେଇଥିଲେ । ଦୁହେଁ ନିଜ ନିଜର କେଶ କାଟି ନାଁ ଦୀପକ ଏବଂ ରାଜୁ ରଖିଥିଲେ । ଗାଁ ଲୋକେ ଦୀପକ ଏବଂ ରାଜୁଙ୍କ ଅସଲ ପରିଚୟ ଜାଣିଥିଲେ ମଧ୍ୟ ଆଖ ପାଖ ଗାଁର ଲୋକେ କେହି ଦୁହିଁଙ୍କୁ ଚିହ୍ନି ପାରି ନଥିଲେ । ଦୁହେଁ ଦିନକୁ ୪୦୦ଟଙ୍କା ଆୟ କରୁଥିବା ବେଳେ ଘର ସମ୍ଭାଳିବା ସହ ବାପାଙ୍କ ଚିକିତ୍ସା ମଧ୍ୟ କରି ପାରୁଥିଲେ ।

“ଆମେ ୨୦୧୪ରେ ଯେତେବେଳେ ସେଲୁନ ଚଳାଇବା ଆରମ୍ଭ କରିଥିଲୁ । ସେତେବେଳେ ଅନେକ ଅସୁବିଧା ସାମ୍ନାକୁ ଆସିଥିଲା । ଗାଁ ଲୋକେ ଆମକୁ ଥଟ୍ଟା କରିବା ଅନେକ କଥା କହୁଥିଲେ । କିନ୍ତୁ ଆମେ ସେ ସବୁକୁ ଅଣଦେଖା କରି ନିଜ କାମ କରି ଚାଲିଥିଲୁ” ବୋଲି ନେହା କହିଛନ୍ତି ।

Indiatimes.com

ସକାଳ ସମୟରେ ପାଠ ପଢ଼ା ରହୁଥିବାରୁ ଦୁହେଁ ସନ୍ଧ୍ୟା ସମୟରେ ସେଲୁନ ଖୋଲୁଥିଲେ । ୪ବର୍ଷ ପରେ ଧିରେ ଧିରେ ସମସ୍ତଙ୍କୁ ଦୀପକ ଏବଂ ରାଜୁଙ୍କ ଅସଲ ପରିଚୟ ଜଣା ପଡ଼ିଥିଲା । କିନ୍ତୁ କେହି ଆଉ ନିଶ ବା ଦାଢ଼ି କାଟିବା ପାଇଁ କୁଣ୍ଠାବୋଧ କରୁ ନଥିଲେ । ଜ୍ୟୋତି ଏବଂ ନେହାଙ୍କ ଏଭଳି କାମ ପାଇଁ ସରକାରଙ୍କ ତରଫରୁ ତାଙ୍କୁ ସମ୍ମାନିତ କରାଯାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର