ସଫଳ ହେଲା ୪୭ବର୍ଷର ପ୍ରେମ କାହାଣୀ, ୭୫ ବର୍ଷିଅ ବରକୁ ୬୦ ବର୍ଷୀୟା କନ୍ୟା

ପାଟନା: ଭଲ ପାଇବାର କୌଣସି ବୟସ ନଥାଏ ବୋଲି କଥାରେ ରହିଛି। ଏହାର ଉଦାହରଣ ନିକଟରେ ବିହାରର ସୋନପୁରରେ ଦେଖିବାକୁ ମିଳିଛି। ଏଠାରେ ଥିବା ବାବା ହରିହରନାଥ ମନ୍ଦିରରେ ଏଭଳି ଏକ ବିବାହ ସମ୍ପନ୍ନ ହୋଇଛି, ଯେଉଁଥିରେ ବରର ବୟସ ୭୫ବର୍ଷ ଥିବା ବେଳେ କନ୍ୟାର ବୟସ ୬୦ବର୍ଷ ଥିବା ଜଣାପଡ଼ିଛି। ଏହି ବିବାହ ବର ଓ କନ୍ୟା ଉଭୟଙ୍କ ପରିବାର ଲୋକଙ୍କ ସମ୍ମତିରେ ହୋଇଥିଲା। ବିବାହକୁ ନେଇ ବର ଓ କନ୍ୟା ବେଶ୍‌ ଖୁସି ଅଛନ୍ତି।

ଆଶ୍ଚର୍ଯ୍ୟର କଥା ହେଉଛି ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଏହି ଯୋଡ଼ି ୧୯୭୧ ମସିହାରେ ଉଭୟ ଉଭୟଙ୍କୁ ଭଲ ପାଉଥିଲେ। ୪୭ବର୍ଷ ହେବ କିନ୍ତୁ ଦୁହେଁ ଦୁହିଁଙ୍କୁ ଏ ସମ୍ପର୍କରେ କହି ପାରୁ ନଥିଲେ।

୧୯୭୧ ମସିହାରେ ବେଶାଲିର ଲାଲଗଞ୍ଜରେ ରହୁଥିବା ବୈଧନାଥ ପ୍ରସାଦ ସିଂହ ବ୍ଲକ୍‌ କର୍ମଚାରୀ ଥିଲେ। ଏହି ସମୟରେ ସେ ସୁଗମ ସଙ୍ଘାଙ୍କ ଘରେ ଭଡ଼ାରେ ରହୁଥିଲେ। ସେହି ସମୟରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ। କିନ୍ତୁ କେହି କାହାରିକୁ ମନ କଥା କହି ପାରୁ ନଥିଲେ। ବୈଧନାଥ ପ୍ରସାଦ ସିଂହ ବିବାହିତ ଥିବାରୁ ସୁଗମ ସାମ୍ନାରେ ବିବାହ ପ୍ରସ୍ତାବ ରଖି ପାରି ନଥିଲେ। ବୈଧନାଥ ମନେମନେ କିନ୍ତୁ ସୁଗମଙ୍କୁ ନିଜର ସ୍ତ୍ରୀ ବୋଲି ମାନି ସାରିଥିଲେ। ସୁଗମ ନାମରେ ବୈଧନାଥ ଅନେକ ସମ୍ପତ୍ତି ମଧ୍ୟ କିଣିଥିଲେ।

କିଛିଦିନ ପରେ ସୁଗମ ବୈଧନାଥଙ୍କ ସହିତ ଏକାଠି ରହିବାକୁ ଲାଗିଲେ। ବୈଧନାଥ ପ୍ରସାଦ ସିଂହଙ୍କ ପତ୍ନୀ ଗମ୍ଭୀର ରୋଗରେ ପୀଡିତ ହୋଇପଡ଼ିବା ପରେ ସୁଗମ ତାଙ୍କ ପିଲାମାନଙ୍କ ଯତ୍ନ ନେଉଥିଲେ। ଗତବର୍ଷ ବୈଧନାଥଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇ ଯାଇଥିଲା। ଏହାପରେ ଦୁହିଁଙ୍କ ପରିବାର ଆଇନ ଅନୁଯାୟୀ ବୈଧନାଥ ଓ ସୁଗମଙ୍କ ବିବାହ କରାଇଥିଲେ।

ସମ୍ବନ୍ଧିତ ଖବର