ଝିଅର ଯୌତୁକ ବାକ୍ସରେ ସାପ !

ଗ୍ଵାଲିୟର: ବିବାହ ସମୟରେ କନ୍ୟାଘର ପକ୍ଷ ବରପକ୍ଷକୁ କିଛି ଉପହାର/ ଯୌତୁକ ଦେବାର ପରମ୍ପରା ରହି ଆସିଛି। କିନ୍ତୁ ଭାରତରେ ଏଭଳି ଏକ ଗାଁ ରହିଛି, ଯେଉଁଠାରେ ଯୌତୁକ ଭାବେ ବରଘର ପକ୍ଷଙ୍କୁ ବିଷାକ୍ତ ସାପ ଦିଆଯାଏ। କେବଳ ଏତିକି ନୁହେଁ ଏହି ଗ୍ରାମରେ ସାପଙ୍କୁ ସୁରକ୍ଷିତ ରଖିବାକୁ ଏକ ବିଶେଷ ନିୟମ ରହିଛି। ଯଦି ସାପର କୌଣସି କାରଣରୁ ମୃତ୍ୟୁ ହୁଏ, ତେବେ ଏହି ସାପ ରଖିଥିବା ପୂରା ପରିବାର ଲୋକଙ୍କୁ ଲଣ୍ଡା ହେବାକୁ ପଡ଼ିଥାଏ ବୋଲି କୁହାଯାଏ। ଏହାସହ ଏହି ସମୁଦାୟର ଲୋକେ ସାପଙ୍କ ମୃତ୍ୟୁ ପରେ ସୁଧ ଘର ପାଳିଥାନ୍ତି ବୋଲି ଶୁଣିବାକୁ ମିଳିଛି।

କନ୍ୟା ସହିତ ବରଘର ପକ୍ଷକୁ ଯୌତୁକରେ ସାପ ଦେବା ପରମ୍ପରା ମଧ୍ୟପ୍ରଦେଶର ଗୌରିଆ ସମୁଦାୟଙ୍କ ମଧ୍ୟରେ ରହିଛି। ଏହି ସମୁଦାୟରେ ସାପ ଦେବା ପରମ୍ପରା କାହିଁ କେତେ କାଳରୁ ରହି ଆସିଛି। ଯଦି କୌଣସି ବ୍ୟକ୍ତି ନିଜ ଝିଅକୁ ବିବାହ ଦିନ ଯୌତୁକରେ ସାପ ଦିଅନ୍ତି ନାହିଁ, ତେବେ ଉକ୍ତ ଦମ୍ପତ୍ତିଙ୍କ ଖୁବ୍‌ ଶୀଘ୍ର ବିବାହ ବିଚ୍ଛେଦ ହୋଇଥାଏ ବୋଲି ଧରାଯାଇଥାଏ। ଏମିତି କି କନ୍ୟା ଘର ପକ୍ଷ ଯଦି ବିଷାକ୍ତ ସାପ ଯୋଗାଡ କରି ନପାରନ୍ତି ବିବାହ ତିଥିକୁ ଘୁଞ୍ଚାଇ ଦିଆଯାଇଥାଏ। ବର୍ତ୍ତମାନ ସମୟରେ ବି ଏହି ଗାଁରେ ଏଭଳି ପରମ୍ପରା ଦେଖିବାକୁ ମିଳିଥାଏ।

ଗୌରିଆ ସମୁଦାୟ ଲୋକଙ୍କ ପେସା ହେଉଛି ସାପ ଧରିବା। ଏମାନେ ସାପକୁ ଦେଖାଇ ଟଙ୍କା ରୋଜଗାର କରିଥାଆନ୍ତି। ଏହି କାରଣରୁ ଯୌତୁକରେ ଝିଅର ବାପା ଜ୍ୱାଇଁକୁ ସାପ ଦେଇଥାଏ। ଯଦ୍ୱାରା କୌଣସି କାରଣରୁ ଯଦି ଜ୍ୱାଇଁ ଜୀବିକା ହରାଏ, ତେବେ ଏହି ସାପ ଜରିଆରେ ନିଜ ରୋଜଗାର ପନ୍ଥା ବଢ଼ାଇପାରିବେ ଏବଂ ପରିବାରର ସୁବିଧାରେ ଲାଳନ ପାଳନ କରିପାରିବେ। ଏଥିପାଇଁ ବାପା ଝିଅର ଯୌତୁକ ବାକ୍ସରେ ସାପକୁ ଯୋଗାଡ଼ି ଦେଇଥାଆନ୍ତି।

ସମ୍ବନ୍ଧିତ ଖବର