ଏ ସବୁ ଲୋମଟାଙ୍କୁରା ଘଟଣା ଅାମ ଦେଶରେ ଘଟିଛି; କେହି ଜାଣି ପାରି ନାହାନ୍ତି ଏହା ପଛର ରହସ୍ୟ !

ଅନେକ ଜାତି, ଧର୍ମ ଓ ସଂସ୍କୃତିର ଦେଶ ଭାରତରେ ଘଟିଥାଏ ଅନେକ ରହସ୍ୟମୟ ଘଟନା। ସେଥିରେ ଏମିତି କେତେକ ଘଟନା ରହିଛି ଆଜି ଯାଏଁ ଯାହାର ଭେଦ କେହି ପାଇ ନାହାନ୍ତି। ସେମିତିକା ରହସ୍ୟମୟ ଘଟନାରୁ କେତୋଟି…

୧. ବେଣୀ କଟା ରହସ୍ୟ: କିଛି ମାସ ତଳେ ହରିୟାନାରେ ମହିଳାମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଥିଲା ରହସ୍ୟମୟ ବେଣୀ କଟାଳି। ରାତିରେ ନିଦରୁ ଉଠି ହରିୟାନା ଓ ଦିଲ୍ଲୀର କେତେକ ଅଞ୍ଚଳରେ ଅନେକ ମହିଳା ଦେଖିଥିଲେ ତାଙ୍କର ବେଣୀକୁ କେହି କାଟି ପକାଇଛି। ସେତିକିବେଳେ ସେମାନେ କାହାର ଝାପ୍‌ସା ଚେହେରାଟିଏ ପଳାଇ ଯାଉଥିବାର ଦେଖିଥିବା କଥା କହିଥିଲେ। କିନ୍ତୁ, ପୁଲିସ ଏ ଘଟଣାର କୌଣସି ଆଦିଅନ୍ତ ପାଇ ନ ଥିଲା। ବିଶେଷ କରି ଗ୍ରାମଞ୍ଚଳର ଅନେକ ମହିଳା ଏ ଘଟଣାରେ ବହୁଦିନ ଯାଏଁ ଡରିମରି ରହିଥିଲେ।

୨. ତାମିଲନାଡୁର ପିଶାଚ: ୨୦୧୨ରେ ଗୁଣ୍ଡାଲାପତ୍ତି ଗାଁ’ର ଲୋକେ ସୂର୍ଯ୍ୟାସ୍ତ ପରେ ଭୟରେ ଘରୁ ବାହାରୁ ନ ଥିଲେ। ଗାଁ’କୁ ପିଶାଚମାନେ ଆସି ଗୋରୁମାନଙ୍କୁ ମାରି ପକାଉଥିବା ଗୁଜବ ସେଠାରେ ଚହଳ ପକାଇଥିଲା। ଅବଶ୍ୟ କିଛି ଦିନ ପରେ ତାହା ଆପେ ବନ୍ଦ ହୋଇ ଯାଇଥିଲା। ପୁଲିସ କହିଥିଲା କୌଣସି ବଣୁଆ ଜନ୍ତୁ ଆସି ଗୋରୁମାନଙ୍କୁ ମାରୁଛି।

Image Courtesy of The Speaking Tree

୩. ବାରାଣସୀର ‘ମୁନୋଚଓ୍ଵା’: ଜୁଲାଇ ୨୦୦୨ରେ ‘ମୁନୋଚଓ୍ଵା’ ନାମକ ଏକ ରହସ୍ୟମୟ ଚିଜ ଗ୍ରାମୀଣ ମିର୍ଜାପୁର ଏବଂ ବାରାଣସୀର କିଛି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ସେହି ଉଡ଼ାନ୍ତା ଚିଜର ସବୁଜ ଓ ଲାଲ୍‌ ଆଲୋକ ବାହାରୁ ଥିଲା। ତାକୁ ଛୁଇଁବାକୁ ଚେଷ୍ଟା କରୁଥିବା ଲୋକେ କୁଆଡ଼େ ବିଜୁଳି ଆଘାତ ପାଉଥିଲେ। ତା’ରି ଡରରେ ଦୁଇ ଜଣ ବାଳକ ଜୀବନ ହାରିଥିଲେ। କ୍ରମଶଃ ସେ ଚିଜଟି ମଧ୍ୟ କୁଆଡ଼େ ଉଭେଇ ଯାଇଥିଲା।

Image Courtesy of The Speaking Tree

୪. ପ୍ରତିମାଙ୍କ କ୍ଷୀର ପାନ: ଗଣେଶ ମହାପ୍ରଭୁ ଏବଂ ଅନ୍ୟ କେତେକ ଦିଅଁଙ୍କ ପ୍ରତିମା କ୍ଷୀର ପିଉଛନ୍ତି ବୋଲି ୧୯୯୫ ମସିହାରେ ଦିନେ ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଲୋକେ କ୍ଷୀର ନେଇ ବିଭିନ୍ନ ମନ୍ଦିରେ ଗହଳି କରିଥିଲେ। କିନ୍ତୁ, ଚାଞ୍ଚଲ୍ୟ କେବଳ ଗୋଟିଏ ଦିନ ତିଷ୍ଠି ଥିଲା। ତହିଁ ଆର ଦିନ ଅବଶ୍ୟ କୌଣସି ଦିଅଁଙ୍କ ପ୍ରତିମା ଆଉ କ୍ଷୀର ପିଇ ନ ଥିଲେ।

Image Courtesy of The Speaking Tree

୫. ଶାନ୍ତି ଦେବୀଙ୍କ ପୂର୍ବ ଜନ୍ମ: ୧୯୨୬ ମସିହାରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିବା ଶାନ୍ତି ଦେବୀଙ୍କୁ ୪ ବର୍ଷ ବୟସରୁ ନିଜର ପୂର୍ବଜନ୍ମ କଥା ଟିକି ନିଖି ଭାବେ ସ୍ମରଣ କରିଥିଲେ। ସେ କହିଥିଲେ ଯେ ୧୪୫ କିଲୋମିଟର ଦୂରବର୍ତ୍ତୀ ଏକ ସହରର ଜଣେ ମହିଳାଙ୍କର ସେ ପୁନର୍ଜନ୍ମ। କିଛି ବର୍ଷ ତଳେ ଗୋଟିଏ ପୁଅ ଜନ୍ମ କରିବା ପରେ ସେ ମରି ଯାଇଥିଲେ। ପୁଲିସ ସମସ୍ତ ତଥ୍ୟକୁ ଏକାଠି କରି ଦେଖିଲା- ଶାନ୍ତି ଦେବୀଙ୍କ କଥା ଅକ୍ଷରେ ଅକ୍ଷରେ ସତ!

Image Courtesy of The Speaking Tree

୬. ପରିତ୍ୟକ୍ତ ଗାଁ କୂଳଧାରା: ଏକଦା ଜୟସାଲେମର୍‌ ଅନ୍ତର୍ଗତ କୂଳଧାରା ଗାଁ ଥିଲା ଅତି ସମୃଦ୍ଧ। ୨୦୦ ବର୍ଷ ତଳେ ଦିନେ ସେ ଗାଁ’ର ସମସ୍ତ ଲୋକେ ଘରଦ୍ୱାରା ଛାଡ଼ି କୁଆଡ଼େ ଉଭେଇ ଯାଇଥିଲେ। ସେମାନେ କୁଆଡ଼େ ଗଲେ କ’ଣ କଲେ କେହି ଜାଣି ପାରିଲେ ନାହିଁ। ତା’ପରେ ମଧ୍ୟ ସେ ପରିବାର କୌଣସି ଲୋକଙ୍କୁ ଆଉ କେହି ଦେଖିବାକୁ ପାଇ ନ ଥିଲେ। ସେବେଠାରୁ ସେ ଗାଁ’ ଜନମାନବ ଶୂନ୍ୟ ହୋଇ ପଡ଼ି ରହିଛି।

Image Courtesy of The Speaking Tree

୭. ବୁଲେଟ୍‌ବାବା ପୀଠ: ୧୯୯୧ରେ ଯୋଧପୁର ନିକଟରେ ବୁଲେଟ୍‌ ଚଳାଇ ଯାଉଥିବା ଓଁ ବନ୍ନାଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାସ୍ଥଳରୁ ପୁଲିସ ତାଙ୍କ ବୁଲେଟ୍‌କୁ ଉଠାଇ ଥାନାକୁ ନେଇ ଯାଇଥିଲା। କିନ୍ତୁ, ତହି ଆରଦିନ ସକାଳେ ଦେଖିଲା ବେଳକୁ ସେ ବୁଲେଟ୍‌ ଯାଇ ଦୁର୍ଘଟଣା ସ୍ଥଳରେ। ପରେ ପରେ ଅନେକ ଥର ସେଠାରୁ ବୁଲେଟ୍‌ଟିକୁ ଉଠାଇ ଅଣା ଯାଇଥିଲେ ମଧ୍ୟ ତାହା ପୂର୍ବପରି ଯଥା ସ୍ଥାନକୁ ଚାଲି ଯାଇଥିଲା। ସ୍ଥାନୀୟ ଲୋକେ ସେ ଜାଗାଟିକୁ ଏକ ପୀଠର ରୂପ ଦେଇ ତାହାର ନାମ ଦେଲେ ‘ବୁଲେଟ୍‌ ବାବା’।

Image Courtesy of The Speaking Tree

୮. ଜତିଙ୍ଗାର ଚଢ଼େଇମାରି: ଗତ ୧୦୦ ବର୍ଷ ହେବ ଆସାମର ଜତିଙ୍ଗା ସହରର ତିନି କିଲୋମିଟର୍‌ ପରିବ୍ୟାପ୍ତ ଏକ ସ୍ଥାନରେ ହଜାର ହଜାର ଚଢ଼େଇ ଆତ୍ମହତ୍ୟା କରୁଛନ୍ତି। ସେ ଅଞ୍ଚଳଟି ଅତ୍ୟଧିକ ଉଚ୍ଚ ଏବଂ କୁହୁଡ଼ି ଯୋଗୁଁ ଚଢ଼େଇଙ୍କ ମୃତ୍ୟୁର କାରଣ ହୋଇଛି ବୋଲି ବୈଜ୍ଞାନିକମାନେ କହୁଥିଲେ ମଧ୍ୟ ତାଙ୍କ କଥାରେ କୌଣସି ସତ୍ୟାସତ୍ୟ ନ ଥିବା ପରି ଲାଗୁଛି।

Image Courtesy of The Speaking Tree

୯. ପବନାହାରୀ ବାବା: ଦେବୀ ଅମ୍ବାଙ୍କର ନିଷ୍ଠାପର ଭକ୍ତ ପ୍ରହଲ୍ଲାଦ ଜାନି ୧୯୪୦ ମସିହାରୁ ଖାଦ୍ୟ କି, ଜଳାହାର କରୁ ନ ଥିବା କୁହାଯାଉଛି। ଥରେ ବୈଜ୍ଞାନିକମାନେ ତାଙ୍କୁ ୧୫ ଦିନ ଧରି ଏକ ବନ୍ଦ କୋଠରିରେ ଅବଜର୍‌ଭେସନ୍‌ରେ ରଖିଥିଲେ। ସେତେବେଳେ ମଧ୍ୟ ସେ କୌଣସି ଖାଦ୍ୟ ପାନୀୟ ଗ୍ରହଣ କରି ନ ଥିଲେ।

Image Courtesy of The Speaking Tree

୧୦. କେରଳର ଯମଜଙ୍କ ଗାଁ: ୨୦୦୦ ଜନସଂଖ୍ୟା ବିଶିଷ୍ଟ କେରଳର ଏକ ଛୋଟକାଟିଆ ଗାଁ’ରେ ଅଛନ୍ତି ୨୨୦ ଜଣ ଯାଆଁଳା। ଏହାର କାରଣ ମଧ୍ୟ ବୈଜ୍ଞାନିକମାନେ ଜାଣି ପାରୁ ନାହାନ୍ତି। କେତେକ ଅନୁମାନ କରୁଛନ୍ତି ଗୁଣସୂତ୍ର ଏବଂ ଖାଦ୍ୟାଭ୍ୟାସ ଯୋଗୁଁ ବୋଧେ ଏ ଭଳି ଘଟୁଛି।

Image Courtesy of The Speaking Tree
ସମ୍ବନ୍ଧିତ ଖବର