ପରିବେଶକୁ ସୁରକ୍ଷିତ ରଖିବାର ଭିନ୍ନ ଉପାୟ : ୨୬,୦୦୦ପ୍ଲାଷ୍ଟିକ୍‌ ବୋତଲକୁ ନେଇ ୪ଟି କୋଠରୀ ବିଶିଷ୍ଟ ଘର ତିଆରି କଲେ ଦମ୍ପତି

ନୂଆଦିଲ୍ଲୀ : ପ୍ଲାଷ୍ଟିକର କିଭଳି ପୁନଃ ବ୍ୟବହାର କରାଯାଇ ପରିବେଶକୁ ସୁରକ୍ଷିତ ରଖାଯାଇ ପାରିବ, ସେ ଦିଗରେ କାମ କରିବା ଆରମ୍ଭ କରିଛନ୍ତି ଭାରତ ସରକାର । ପୂର୍ବରୁ ପଲିଥିନ ବ୍ୟାଗ୍‌ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ ଏବେ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକକୁ ବ୍ୟବହାର ନ କରିବା ପାଇଁ ସରକାର ଆଦେଶ ଦେଇଛନ୍ତି । କିନ୍ତୁ ଦେଶରେ ପ୍ଲାଷ୍ଟିକର ବ୍ୟବହାରକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇ ପଡ଼ିଛି । ଏଭଳି ପରିସ୍ଥିତିରେ ଉତ୍ତରପ୍ରଦେଶର ଜଣେ ଦମ୍ପତି ପ୍ଲାଷ୍ଟିକ୍‌ ବୋତଲକୁ ବ୍ୟବହାର କରି ଯେଉଁ କାମ କରିଛନ୍ତି, ତାହା ତାଙ୍କୁ ଚର୍ଚ୍ଚାକୁ ଆଣିଛି ।

ଉତ୍ତରପ୍ରଦେଶର ମେରୁଟରେ ରହୁଥିବା ଦିପ୍ତୀ ଶର୍ମା ଓ ତାଙ୍କ ସ୍ୱାମୀ ମିଶି ପ୍ଲାଷ୍ଟିକ୍‌ ବୋତଲରେ ଘର ତିଆରି କରିଛନ୍ତି । ୨୬,୦୦୦ ପ୍ଲାଷ୍ଟିକ୍‌ ବୋତଲରେ ଦୁହେଁ ୪ଟି କୋଠରୀ ବିଶିଷ୍ଟ ଘର ତିଆରି କରିଛନ୍ତି । ଲୋକଙ୍କୁ ଏକ ସକାରତ୍ମକ ବାର୍ତ୍ତା ଦେବା ପାଇଁ ଦୁହେଁ ଏଭଳି କରିଥିବା ଜଣା ପଡ଼ିଛି । ହିମାଳୟର ପାଦଦେଶ ପ୍ଲାଷ୍ଟିକ ବୋତଲରେ ଭରି ଯାଇଥିବା ବେଳେ ପ୍ଲାଷ୍ଟିକ ବୋତଲକୁ ଅନ୍ୟ କାମରେ ମଧ୍ୟ ବ୍ୟବହାର କରାଯାଇ ପାରିବ ବୋଲି ଜଣାଇବା ପାଇଁ ସେମାନେ ଏଭଳି କରିଥିବା କହିଛନ୍ତି ।

environment
indiatimes.com

ତାଙ୍କ କହିବା ଅନୁଯାୟୀ, ଅନେକ ସମୟରେ ଆମେ ହିମାଳୟକୁ ଯାଇଥାଉ । କିନ୍ତୁ ସେଠାରେ ପଡ଼ି ରହିଥିବା ପ୍ଲାଷ୍ଟିକ୍‌ ବୋତଲକୁ ଦେଖି ତାହାର ପନଃ ବ୍ୟବହାର ହୋଇ ପାରିବ ନାହିଁ ବୋଲି ଜାଣି ଆମେ ନିରାଶ ହୋଇଥିଲୁ । ଯାହା ପରେ ଏହି ସବୁ ପ୍ଲାଷ୍ଟିକ୍‌ ବୋତଲକୁ ନେଇ କିଛି ଭିନ୍ନ କରାଯାଇ ପାରିବାର ଆଶାରେ ଆମେ ଘର ତିଆରି କରିବା ଆରମ୍ଭ କରିଥିଲୁ । ଆଶା କରୁଛୁ ଆମର ଏହି କାମ ଲୋକଙ୍କ ପାଖରେ ପହଞ୍ଚିବ ଏବଂ ସେମାନେ ପ୍ଲାଷ୍ଟିକ୍‌ ବୋତଲକୁ ନ ଫିଙ୍ଗି ତାହାର ସଠିକ୍‌ ବ୍ୟବହାର କରିବେ ।

ସମ୍ବନ୍ଧିତ ଖବର