ବିଶାଖାଙ୍କର କେଶ ଓ ବସ୍ତ୍ର ଓଦା ଥିଲା କାହିଁକି ?
ବିଶାଖାଙ୍କର କେଶ ଓ ବସ୍ତ୍ର ଓଦା ଥିଲା।ମୁହଁରେ ବିଷାଦ ଓ ଆଖିରେ ଥିଲା ଲୁହା।ଖୁବ୍ ଶୋକାକୁଳ ଦିଶୁଥିଲେ ବିଶାଖା। ଭଗବାନ୍ ବୁଦ୍ଧ ତାଙ୍କ ଆଡ଼କୁ ଦେଖିଲେ ଏବଂ ପଚାରିଲେ,‘‘ ଏହା କ’ଣ ତୁମେ ମୁହଁରେ ନୈରାଶ୍ୟ ଓ ବିଷାଦ ଭାବ କାହିଁକି? ଏଭଳି ଦଶାରେ ଦେଖି ମୁଁ ବିସ୍ମିତ ହେଉଛି।
ବୁଦ୍ଧଦେବଙ୍କ କଥା ସରିବାମାତ୍ରେ ବିଶାଖା ଧୀର ସ୍ୱରରେ କହିଲେ ‘ଭଗବାନ୍! ମୋ ନାତିର ମୃତ୍ୟୁ ହୋଇଯାଇଛି। ତା’ର ଶୋକରେ ମୁଁ ଅଧିରା।’ ବୁଦ୍ଧଦେବ ଏକଥା ଶୁଣିବା ମାତ୍ରେ ପ୍ରଶ୍ନ କଲେ, ଶ୍ରାବସ୍ତୀରେ ପ୍ରତି ଦିନ କେତେଜଣ ଲୋକଙ୍କର ମୃତ୍ୟୁ ହେଉଛି , ତୁମେ ଜାଣ? ବିଶାଖା ଉତ୍ତର ଦେଲେ ‘ମୋତେ ନିଶ୍ଚିତ ସଂଖ୍ୟା ତ ଜଣା ନାହିଁ,ତଥାପି ପ୍ରତି ଦିନ ଅନ୍ୟୁନ ଜଣେ ମନୁଷ୍ୟ ପଞ୍ଚତତ୍ତ୍ୱରେ ବିଲୀନ ହେଉଛନ୍ତି।’
ଏହାପରେ ପୁଣି ଭଗବାନ ବୁଦ୍ଧ କହିଲେ ‘ଶ୍ରାବସ୍ତୀର ପ୍ରତ୍ୟେକ ଲୋକଙ୍କ ପ୍ର୍ରତି ତ ତୁମର ଆତ୍ମୀୟ ଭାବ ଥିବ,ଠିକ୍ ଯେମିତି ତୁମର ଆତ୍ମଜମାନଙ୍କ ପ୍ରତି ,ତେବେ ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ତ ପ୍ରତି ଦିନ ହେଉଛି,ତେବେ ସେମାନଙ୍କ ପାଇଁ ବି କ’ଣ ଏଭଳି ଅବସାଦ ଭରା ମୁଖ ମଣ୍ଡଳ ନେଇ ଜୀବନ ବିତାଇବ?’’
ଏହାଶୁଣି ବିସ୍ମିତ ହେଲେ ବିଶାଖା ଓ ସଙ୍କୋଚଭରା କଣ୍ଠରେ କହିଲେ,‘ନାହିଁ ଭଗବାନ୍!’
Sambad is now on WhatsApp
Join and get latest news updates delivered to you via WhatsApp
ଭଗବାନ୍ ବୁଦ୍ଧ କହିଲେ,’’ ଏକଥା ମନେରଖ,ଯାହାର ଯେତେ ଅଧିକ ଆତ୍ମୀୟ ବା ସଂପର୍କୀୟ ତା’କୁ ସେତେ ଅଧିକ ଦୁଃଖ ଭୋଗିବାକୁ ପଡ଼ିବ,ଆଉ ଯାହାର କେବଳ ଗୋଟିଏ ପୁଅ ତା’କୁ ଗୋଟିଏ ଦୁଃଖ ଭୋଗିବାକୁ ପଡ଼ିବ। କିନ୍ତୁ ଯେଉଁ ବ୍ୟକ୍ତି ଏହି ସଂସାରରେ ଏକୁଟିଆ ,ଯାହାର କେହି ନାହାଁନ୍ତି ତା’ର ଅନ୍ୟମାନଙ୍କ ପାଇଁ ଦୁୁଃଖ କାହିଁକି ବା ଉତ୍ପନ୍ନ ହେବ। ଏଣୁ ସୁଖୀ ଜୀବନ ବିତାଇବା ଲାଗି କାହାରି ସହିତ ପ୍ରେମଭାବ ରଖିବା ଅନୁଚିତ।ଯଦି ମନୁଷ୍ୟ ସର୍ବଦା ପ୍ରସନ୍ନ ଚିତ୍ତ ରହିବାକୁ ଚାହେଁ , ତେବେ ସେ କାହାରି ସହିତ ସଂପର୍କ ଯୋଡ଼ିବା ଉଚିତ୍ ନୁହେଁ।’’