ବିବାହର ତାରିଖ ଠିକ୍‌ ହେବା ପରେ ଦୁର୍ଘଟଣାର ଶିକାର ହେଲେ ଭାବିପତ୍ନୀ, ଦେଖାଶୁଣା କରିବା ପାଇଁ ଛୁଟି ନ ମିଳିବାରୁ ଚାକିରି ଛାଡ଼ି ଦେଲେ ଭାବିସ୍ୱାମୀ

ସାଗର(ମଧ୍ୟପ୍ରଦେଶ) : ମଧ୍ୟପ୍ରଦେଶର ସାଗରରେ ଏକ ଏମିତି ଘଟଣା ଘଟିଛି, ଯାହା ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟି ଯାଇଛି । କିଛି ଲୋକ ଛୋଟ ଛୋଟ କଥାକୁ ନେଇ ସଂପର୍କ ଭାଙ୍ଗି ଦେଉଥିବା ବେଳେ ସାଗରରେ ରହୁଥିବା ଜଣେ ଯୁବକ ଦୁର୍ଘଟଣା ପରେ ମଧ୍ୟ ନିଜ ଭାବିପତ୍ନୀଙ୍କ ସାଥ୍‌ ଛାଡ଼ି ନଥିବା ଜଣାପଡ଼ିଛି ।

bhaskar.com

ସୂଚନା ମୁତାବକ, ରାୟସେନରେ ରହୁଥିବା ପୁର୍ଣ୍ଣିମା ବୁନ୍ଦେଲାଙ୍କ ନିର୍ବନ୍ଧ ସାଗର ନିବାସୀ ଦେବେନ୍ଦ୍ର ସିଂହ ରାଜପୁତ୍‌ଙ୍କ ସହ ହୋଇଥିଲା । ଜାନୁଆରୀ ୨୬, ୨୦୧୯ରେ ବିବାହ ହେବାକୁ ଥିବା ବେଳେ ଜାନୁଆରୀ ୯ରେ ପୁର୍ଣ୍ଣିମାଙ୍କ ଉପରେ ଗରମ ପାଣି ପଡ଼ିବାରୁ ତାଙ୍କ ହାତ ଏବଂ ଶରୀରର କିଛି ଭାଭ ପୋଡ଼ି ଯାଇଥିଲା, ଯାହା ପାଇଁ ବିବାହ ରଦ୍ଦ କରାଯାଇଥିଲା । ଚିକିତ୍ସା ପାଇଁ ତାଙ୍କୁ ରାୟସେନ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ ସେଠାରୁ ତାଙ୍କୁ ଭୋପାଳ ପଠାଇ ଦିଆ ଯାଇଥିଲା । ଏ ବିଷୟରେ ଦେବେନ୍ଦ୍ରଙ୍କୁ ସୂଚନା ମିଳିବା ପରେ ସେ ପୂର୍ଣ୍ଣିମାଙ୍କ ଦେଖାଶୁଣା କରିବା ପାଇଁ ଛୁଟି ନେଇ ଡ଼ାକ୍ତରଖାନାରେ ପହଞ୍ଚିଥିଲେ । କିନ୍ତୁ ଅଧିକ ଦିନ ପର୍ଯ୍ୟନ୍ତ ଦେବେନ୍ଦ୍ରଙ୍କୁ ଛୁଟି ନ ମିଳିବାରୁ ପୂର୍ଣ୍ଣିମାଙ୍କ ପାଇଁ ଦେବେନ୍ଦ୍ର ଚାକିରି ଛାଡ଼ି ତାଙ୍କ କଥା ବୁଝିବା ଆରମ୍ଭ କରିଥିଲେ । ଦେବେନ୍ଦ୍ରଙ୍କ ଏଭଳି କାମ ଯୋଗୁ  ସେ ପ୍ରଶଂସାର ପାତ୍ର ପାଲଟିଛନ୍ତି । ୩ ମାସ ହେଲାଣି ତାଙ୍କର ଚିକିତ୍ସା ଚାଲୁ ରହିଥିବା ବେଳେ ୩ ଥର ତାଙ୍କ ହାତର ସର୍ଜରୀ କରାଯାଇ ସାରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର