୧୮୬୩ ମସିହା ଜାନୁଆରି ୧୨ ଜନ୍ମ ଗ୍ରହଣ କରିଥିବା ସ୍ୱାମୀ ବିବେକାନନ୍ଦ ଭାରତରେ ହିନ୍ଦୁତ୍ୱର ପୁନର୍ଜାଗରଣ କରାଇବାରେ ଥିଲେ ପ୍ରମୁଖ ଶକ୍ତି। ପାଶ୍ଚାତ୍ୟ ବିଶ୍ୱରେ ଭାରତୀୟ ଦର୍ଶନ ବେଦାନ୍ତ ଓ ଯୋଗକୁ ପ୍ରତିଷ୍ଠିତ କରିବାରେ ମଧ୍ୟ ତାଙ୍କର ଭୂମିକା ଅନସ୍ୱୀକାର୍ଯ୍ୟ।
Sambad is now on WhatsApp
Join and get latest news updates delivered to you via WhatsApp
୧୯୦୨ ମସିହା ଜୁଲାଇ ୪ ତାରିଖରେ ସ୍ୱାମୀ ବିବେକାନନ୍ଦଙ୍କ ଦେହାନ୍ତ ଘଟଣାରେ କୌଣସି ରହସ୍ୟ ନାହିଁ ସତ, କିନ୍ତୁ ତାଙ୍କ ମୃତ୍ୟୁର କାରଣ ଅଧିକାଂଶଙ୍କୁ ଅଜଣା।
ସେ ଦିନ ବିବେକାନନ୍ଦ ପ୍ରତ୍ୟୁଷରୁ ଉଠି ବେଲୁର ମଠରେ ତିନି ଘଣ୍ଟା ଧ୍ୟାନରେ ବସିଥିଲେ। ତା’ପରେ ସେ ଶିଷ୍ୟମାନଙ୍କୁ ଶୁକ୍ଳ-ଯର୍ଜୁଃ-ବେଦ, ସଂସ୍କୃତ ବ୍ୟାକରଣ ଏବଂ ଯୋଗ ଦର୍ଶନ ଶିକ୍ଷା ଦେଇଥିଲେ। ପରେ ପରେ ରାମକୃଷ୍ଣ ମଠରେ ଏକ ବୈଦିକ ମହାବିଦ୍ୟାଳୟ ସ୍ଥାପନ କରିବାକୁ କେତେକ ସତୀର୍ଥମାନଙ୍କ ସହ ଆଲୋଚନା କଲେ।
ସେ ଦିନ ସନ୍ଧ୍ୟା ପ୍ରାୟ ୭ଟା ବେଳେ ବିବେକାନନ୍ଦ ନିଜ କୋଠରିକୁ ଗଲେ। ତାଙ୍କୁ ମଝିରେ ଡକାଡକି ନ କରିବାକୁ ସମସ୍ତଙ୍କୁ କହିଲେ। ସେଦିନ ରାତି ୯. ୧୦ ମିନିଟ୍ରେ ଧ୍ୟାନସ୍ଥ ଥାଇ ତାଙ୍କର ପରଲୋକ ହୋଇଯାଇଥିଲା।
ତାଙ୍କ ଶିଷ୍ୟଙ୍କ କହିବାନୁସାରେ, ବିବେକାନନ୍ଦ ମହାସମାଧି ପ୍ରାପ୍ତ ହୋଇଥିଲେ। ମସ୍ତିଷ୍କରେ ରକ୍ତବାହୀ ଶିରା ଫାଟିବା ତାଙ୍କ ମୃତ୍ୟୁର ସମ୍ଭାବ୍ୟ କାରଣ ବୋଲି କୁହାଯାଏ।
ଶିଷ୍ୟମାନଙ୍କର ବିଶ୍ୱାସ ଯେ ବ୍ରହ୍ମରନ୍ଧ୍ର ଯୋଗୁଁ ତାଙ୍କ ମସ୍ତିଷ୍କର ଶିରା ଫାଟି ଯାଇଥିଲା। ବ୍ରହ୍ମରନ୍ଧ୍ର ହେଲେ ଜଣେ ମହାସମାଧି ପ୍ରାପ୍ତ ହୁଅନ୍ତି।
ମୃତ୍ୟୁ ବେଳକୁ ତାଙ୍କୁ ହୋଇଥିଲା ୩୯ ବର୍ଷ। ସେ ଚାଳିଶି ବର୍ଷ ଯାଏଁ ବଞ୍ଚିବେ ନାହିଁ ବୋଲି ବିବେକାନନ୍ଦ ଭବିଷ୍ୟବାଣୀ କରିଥିଲେ। ବେଲୁର ସ୍ଥିତ ଗଙ୍ଗା ତଟରେ ଚନ୍ଦନକାଠରେ ତାଙ୍କର ଶବ ସତ୍କାର କରାଗଲା। ୧୬ ବର୍ଷ ପୂର୍ବେ ସେହି ସ୍ଥାନରେ ରାମକୃଷ୍ଣ ପରମହଂସଙ୍କର ଶବ ସତ୍କାର ହୋଇଥିଲା।
ଅନେକ ଆଚମ୍ବିତ ହୁଅନ୍ତି ସ୍ୱାମୀଜିଙ୍କ ପରି ଜଣେ ସିଦ୍ଧପୁରୁଷ ଏତେ ସ୍ୱଳ୍ପାୟୁ ହେବାର ରହସ୍ୟ କ’ଣ? ଯୋଗୀମାନେ କ’ଣ ସେମାନଙ୍କ ପରମାୟୁ ଦୀର୍ଘ କାଳ ଯାଏଁ ବଢ଼ାଇ ପାରିବେ ନାହିଁ?
କୁହାଯାଏ ସ୍ୱାମୀଜିଙ୍କ ପରି ସବୁ ଅନୁଭବୀ ଆତ୍ମା ଶରୀର ଛାଡ଼ିବା ପଛରେ ଲୁଚି ରହିଛି ଅମାପ ଅଧ୍ୟାତ୍ମିକ ବାସ୍ତବତା, ଯାହା ସାଧାରଣ ମାନବଙ୍କ ବୁଝିବା କ୍ଷମତା ବାହାରେ।