ଚିବୁକ ଆକୃତିରୁ ଜାଣନ୍ତୁ କିଏ କେମିତି

ଆଙ୍ଗିକ ଲକ୍ଷଣରୁ ବ୍ୟକ୍ତିବିଶେଷଙ୍କ ବ୍ୟକ୍ତିତ୍ୱ ଜାଣିବାକୁ ଅନେକ ଉପାୟ ରହିଛି। ଉଦାହରଣ ସ୍ୱରୂପ ଚଉଡ଼ା କପାଳ ଥିବା ବ୍ୟକ୍ତି ଜୀବନରେ ଉନ୍ନତିର ଚରମ ସୀମାରେ ପହଞ୍ଚନ୍ତି। ଯେଉଁମାନେ ନୀଳାକ୍ଷୀ ସେମାନେ ବିଶିଷ୍ଟ ବ୍ୟକ୍ତି ହୁଅନ୍ତି। ସେମିତି ଚିବୁକରୁ ମଧ୍ୟ ଜଣା ପଡ଼ିଯାଏ କିଏ କେମତିକା ବ୍ୟକ୍ତି।

ଅନେକ ପ୍ରକାରର ଚିବୁକ ବା ଥୋଡ଼ ଥିଲେ ମଧ୍ୟ ସବୁକୁ ସାମଗ୍ରିକ ଭାବେ ୬ଟି ଶ୍ରେଣୀଭୁକ୍ତ କରାଯାଇଛି। ଏଥିରୁ ଜାଣି ହୁଏ ବ୍ୟକ୍ତିତ୍ୱ।

ଚାରିକୋଣିଆ ଚିବୁକ: ଚାରିକୋଣିଆ ବା ବର୍ଗାକାର ଚିବୁକ ଖୁବ୍‌ ମନଲୋଭା। କୁହାଯାଏ ଏଭଳି ଚିବୁକ ଥିବା ବ୍ୟକ୍ତି ଜୀବନରେ ଅନେକ ଉତ୍ତମ ଜିନିଷ ଟାଣି ଆଣନ୍ତି। ଏ କିସମର ବ୍ୟକ୍ତି ଖୁବ୍‌ ଟାଣୁଆ ଏବଂ ନିଜର ବକ୍ତବ୍ୟ ଜାହିର କରିପାରନ୍ତି। ନେତୃତ୍ୱ ନେବାରୁ ଗୁଣ ଥିବାରୁ ଅନେକେ ତାଙ୍କୁ ଉପଦେଶ ମାଗି ଥାଆନ୍ତି।

ଛୋଟ ଓ ସରୁ ଚିବୁକ: ଛୋଟ ଓ ସରୁ ଚିବୁକ ଥିବା ବ୍ୟକ୍ତି ଜୀବନରେ ଉଷ୍ମତା ଭରି ଦିଅନ୍ତି। ନମନୀୟ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥିବାରୁ ଏମାନେ ଲୋକଙ୍କ ମେଳରେ ରହିବାକୁ ସୁଖ ମଣନ୍ତି। ଅନ୍ୟମାନଙ୍କର ଖିଆଲ ରଖିବାକୁ ଏମାନେ ଆଗ୍ରହୀ ଏବଂ ଯୁଆଡ଼େ ଯାଆନ୍ତି ସିଆଡ଼େ ବନ୍ଧୁତା ସୃଷ୍ଟି କରି ପାରନ୍ତି। ସଭିଙ୍କୁ ମନଖୋଲା ଆମନ୍ତ୍ରଣ କରୁଥିବାରୁ ଲୋକେ ଏମାନଙ୍କ ସହ ମିଶିବାକୁ ଉପଭୋଗ୍ୟ ମନେ କରନ୍ତି। ଅନ୍ୟ ଲୋକେ ଅତି ସହଜରେ ଏମାନଙ୍କ ସହ କଥା ହୁଅନ୍ତି। ଏମାନେ ବାସ୍ତବ ବନ୍ଧୁ, ଆତ୍ମବିଶ୍ୱାସ ଏବଂ ପରାମର୍ଶ ଦାତା ହୋଇ ପାରନ୍ତି।

ସାମ୍ନାକୁ ଉଠିଥିବା ଚିବୁକ: ଉଠା ଚିବୁକ ବ୍ୟକ୍ତିମାନେ ଅତୀବ ଆକର୍ଷଣୀୟ ହୋଇଥିବାରୁ ସମସ୍ତଙ୍କୁ ଆପଣାର କରି ପାରନ୍ତି। ସୁଶୋଭନ ଚେହେରା ଛଡ଼ା ଦୃଢ଼ମନୋବଳ ଓ ପ୍ରାଣଶକ୍ତି ଏମାନଙ୍କୁ ଜୀବନରେ ସଫଳତା ଆଣି ଦିଅନ୍ତି। ସଫଳତା ପାଇଁ କଠିନ ପରିଶ୍ରମ କରି ଲକ୍ଷ୍ୟ ହାସଲ କଲେ ମଧ୍ୟ ଆକର୍ଷଣୀୟ ଚେହେରା ଯୋଗଁ ଏହା ଅଚିରେ ମଳିଯାଇଥାଏ। ଏମାନେ ବିଶ୍ୱସ୍ତ ବନ୍ଧୁ ଓ ସହଯୋଗୀ ହୋଇ ପାରନ୍ତି।

ଗୋଲ ଚିବୁକ: ଗୋଲାକାର ଚିବୁକ ଥିବା ବ୍ୟକ୍ତିମାନେ ଉତ୍ତମ ବନ୍ଧୁ ହୋଇ ଥାଆନ୍ତି। ଏମାନଙ୍କର ଶକ୍ତି ସଂକ୍ରାମକ ହୋଇଥିବାରୁ ଅନେକ ଲୋକ ଏମାନଙ୍କୁ ବେଢ଼ି ରହିଥାଆନ୍ତି। ଅନ୍ୟର ଜୀବନରେ ଖୁସୀ ଭରି ଦେଉଥିବା ଆନ୍ଦମୟ ଆତ୍ମା ଏମାନେ। ଅନ୍ୟର ଭାବାବେଗ ବୁଝି ପାରିବା ଭଳି ଅସୀମ ଅଲୌକିକ କ୍ଷମତା ଥାଏ ଏମାନଙ୍କ ଠାରେ। ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସହାୟତା ଦେବାକୁ ଏମାନେ ସର୍ବଦା ପ୍ରସ୍ତୁତ ଥାଆନ୍ତି। ଏମାନେ ଅତ୍ୟନ୍ତ ବିନୟୀ ସ୍ୱଭାବର।

ଲମ୍ବା ଚିବୁକ: ଲମ୍ବା ଚିବୁକ ଥିବା ବ୍ୟକ୍ତିବିଶେଷ ଆପଣା ଅନ୍ତରର ଭାବନା ପ୍ରତି ସତର୍କ ଥାଆନ୍ତି। ଜୀବନର ଉତ୍ତମ ଗୁଣ ସମୂହ ଦେଖିବାକୁ ଅଟକି ଯାଉଥିବା ଏ ଶ୍ରେଣୀୟ ବକ୍ତିମାନେ ପ୍ରକୃତିପ୍ରେମୀ ଏବଂ ସର୍ଜନଶୀଳ। ଜୀବନ ଯେମିତି, ତାକୁ ସେମତି ଗ୍ରହଣ କରିଥାଆନ୍ତି ଏମାନେ। ଏମାନେ ମାନ୍ଦାଳିଆ ହୋଇଥିବାରୁ କୌଣସି କାମ ପାଇଁ ତରବର ହୁଅନ୍ତି ନାହିଁ। ନିଜ ଭାବନାର ପରିପ୍ରକାଶ କରିବାରେ ଏମାନେ ପାରଙ୍ଗମ। ଅଙ୍ଗେନିଭା କଥାକୁ ଏମାନେ ଖୁବ୍‌ ସାଧୁତାର ସହ ବଖାଣୁ ଥିବାରୁ ସମସ୍ତଙ୍କ ବିଶ୍ୱାସଭାଜନ ହୋଇ ଥାଆନ୍ତି।

ଦବି ଯାଇଥିବା ଚିବୁକ: ନିରୋଳାକୁ ଭଲ ପାଉଥିବା ଏଭଳି ଚିବୁକଧାରୀ ବ୍ୟକ୍ତିମାନେ କେବଳ ଆବଶ୍ୟକ ସ୍ଥଳେ କଥା କହନ୍ତି। ନରମା, ମୃଦୁଭାଷୀ, ଦୟାଳୁ କିନ୍ତୁ, ସୁଦୃଢ଼। ଏମାନେ ଚିନ୍ତାଶୀଳ ଏବଂ କାମିକା। କୌଣସି ବିଷୟ ଚାରିଆଡ଼େ ବଖାଣିବା ଅପେକ୍ଷା ଏମାନେ ଚୁପ୍‌ଚାପ୍‌ ତାହା କରିବାରେ ବିଶ୍ୱସୀ। ବେଳେ ବେଳେ ଏମାନେ ମାତ୍ରାଧକ ଭାବନ୍ତି ଏବଂ ଏହି ଭାବନା ବଳରେ ହିଁ ଅଡୁଆ ପରିସ୍ଥିତିରୁ ରକ୍ଷା ପାଆନ୍ତି।

ସମ୍ବନ୍ଧିତ ଖବର