ଭୟଙ୍କର ନିପାହ ଭାଇରସର କାରଣ ଓ ନିରାକରଣ ବିଷୟରେ ଆସନ୍ତୁ ଜାଣିବା

ଭାରତରେ ବ୍ୟାପିବାରେ ଲାଗିଛି ଭୟଙ୍କର ନିପାହ ଭାଇରସ। ଭାରତରେ ପ୍ରଥମଥର ପାଇଁ ଏହି ଭାଇରସ କେରଳରେ ଦେଖାଯାଇଛି। କେରଳର କୋଝିକୋଡ଼ ଅଞ୍ଚଳରେ ଏହି ଭୟଙ୍କର ଭାଇରସ ବ୍ୟାପିବାରେ ଲାଗିଛି। ଏହି ଭାଇରସ ପ୍ରଭାବରେ ୧୧ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏପରିକି ୨୫ରୁ ଅଧିକ ବ୍ୟକ୍ତିଙ୍କ ରକ୍ତ ନମୁନାରେ ଏହି ଭାଇରସ ଥିବା ଜଣାପଡ଼ିଛି । ଏମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଏହି ଭାଇରସ ଯୋଗୁଁ ଲୋକଙ୍କର ମୃତ୍ୟୁ ହେଉଥିବା ବେଳେ କେରଳ ସରକାର କେନ୍ଦ୍ର ସରକାରଙ୍କ ସାହାଯ୍ୟ ଲୋଡ଼ିଛି। ନ୍ୟାସନାଲ ସେଣ୍ଟର ଫର ଡ଼ିସିଜି କଣ୍ଟ୍ରୋଲର ଏକ ଟିମ୍‌ ନିପାହ ଭାଇରସ ପ୍ରଭାବିତ ଅଞ୍ଚଳରେ ଗସ୍ତ କରିବେ ବୋଲି ଜଣାପଡ଼ିଛି। ଇଣ୍ଡିଆନ ମେଡ଼ିକାଲ ଆସୋସିଏସନର ଏକ କମିଟି ନିପାହ ଭାଇରସ ବିଷୟରେ ଅଧିକ ତଥ୍ୟ ହାସଲ କରିବା ଆରମ୍ଭ କରିଛି ।

କିପରି ବ୍ୟାପିଥାଏ ନିପାହ ଭାଇରସ?

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, ବାଦୁଡ଼ି ଯୋଗୁଁ ନିପାହ ଭାଇରସ ବ୍ୟାପିଥାଏ। ପ୍ରଥମେ ଏହା ବିଭିନ୍ନ ଫଳକୁ ବ୍ୟାପିଥାଏ ଏବଂ ଫଳରୁ ମଣିଷ ଓ ଜୀବଜନ୍ତୁଙ୍କ ଶରୀରକୁ ବ୍ୟାପିଥାଏ। ୧୯୯୮ ମସିହାରେ ପ୍ରଥମ ଥର ପାଇଁ ମାଲେସିଆର କାପୁଙ୍ଗ ସୁଙ୍ଗଇ ନିପାହ ଅଞ୍ଚଳରେ ଏହି ଭାଇରସ ଦେଖିବାକୁ ମିଳିଥିଲା। ଏହି ସ୍ଥାନ ନାମାନୁସାରେ ଏହି ଭାଇରସର ନାଁ ନିପାହ ଭାଇରସ ରଖାଯାଇଛି। ୨୦୦୪ ମସିହାରେ ଏହି ଭୟଙ୍କର ଭାଇରସ ବଙ୍ଗଳାଦେଶକୁ ବ୍ୟାପିଥିଲା।

ନିପାହ ଭାଇରସର ଲକ୍ଷଣ :

ଭାରତରେ ପ୍ରଥମଥର ପାଇଁ ଏହି ଭାଇରସ କେରଳରେ ଦେଖାଯାଇଛି । ଏହି ଭାଇରସରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ। ଏହାଛଡ଼ା ମସ୍ତିଷ୍କ ଜଳାପୋଡ଼ା ଭଳି ଅନୁଭବ ହୋଇଥାଏ । ଜ୍ୱର, ମୁଣ୍ଡବିନ୍ଧା, ନିଦୁଆ ଲାଗିବା ଓ ରୋଗୀଠାରେ ମାନସିକ ଅବସାଦ ଦେଖାଦେଇଥାଏ। ଏଥିସହିତ ରୋଗୀ ମଧ୍ୟ କୋମାକୁ ଚାଲିଯାଏ। ପ୍ରାଥମିକ ପର୍ଯ୍ୟାୟରେ ଏହାର ଚିକିତ୍ସା ନ କରିଲେ ଭାଇରସ ପ୍ରଭାବିତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥାଏ।

କିପରି କରିବେ ଏହି ଭାଇରସର ନିରାକରଣ?

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଭାଇରସର ନିରାକରଣ ପାଇଁ କୌଣସି ଭ୍ୟାକସିନ ବା ଟୀକା ନାହିଁ। ତେଣୁ ଏହି ଭାଇରସରୁ ରକ୍ଷା ପାଇବାକୁ ହେଲେ ଫଳ ଖାସକରି ଖଜୁରୀ ଖାଇବାରୁ ଦୂରେଇ ରହିବା ଉଚିତ। ଏପରିକି ଏହି ଭାଇରସ ଆକ୍ରାନ୍ତ ଜୀବଜନ୍ତୁଙ୍କ ଠାରୁ ଦୁରେଇ ରହିବା ଉଚିତ।

ସମ୍ବନ୍ଧିତ ଖବର