ଆସନ୍ତୁ ଜାଣିବା କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ହେଉଥିବା ଯୌନ ଉତ୍ପୀଡ଼ନ ରୋକିବା ପାଇଁ ଭାରତରେ କ’ଣ ରହିଛି ନିୟମ ?

ଦେଶରେ ମହିଳାମାନଙ୍କ ଉପରେ ଯୌନ ଉତ୍ପୀଡ଼ନ ବଢ଼ିବାରେ ଲାଗିଛି। କିଛିଦିନ ହେଲା ବଲିଉଡରେ ଏପରି ଘଟଣାର ଅଭିଯୋଗ ଆସୁଛି। ବଲିଉଡର କେତେଜଣ ଅଭିନେତ୍ରୀ ମଧ୍ୟ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ଏବେ ଝଡ଼ ସୃଷ୍ଟି ହୋଇଛି। ଖାଲି ବଲିଉଡ୍‌ରେ ନୁହେଁ କର୍ମଜୀବୀ ମହିଳାମାନେ ମଧ୍ୟ କର୍ମକ୍ଷେତ୍ରରେ ଏପରି ଘଟଣାର ସମ୍ମୁଖୀନ ହେଉଛନ୍ତି। ତେବେ ଆମ ଦେଶରେ ମହିଳାଙ୍କ ସହ ହେଉଥିବା ଅତ୍ୟାଚାର, ଯୌନ ଉତ୍ପୀଡ଼ନ ବିରୋଧରେ ସୁପ୍ରିମକୋର୍ଟ ପୂର୍ବରୁ ହିଁ ନିୟମ କରିଛନ୍ତି। ଯାହା ବିଶାଖା ଗାଇଡ଼୍‌ ଲାଇନ୍‌ ରୂପେ ପରିଚିତ। ଅନେକ କର୍ମଜୀବୀ ମହିଳା ବୋଧହୁଏ ଏବିଷୟରେ ଅଜ୍ଞ ଥିବେ।

କିଛି ଦଶକ ପୂର୍ବରୁ ରାଜସ୍ଥାନରେ ଭବରୀ ଦେବୀ ଗଣଦୁଷ୍କର୍ମ ମାମଲା ପରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ସ୍ୱର ଉଠାଇଥିଲା ସଂସ୍ଥା ବିଶାଖା’। ଆଉ ଏନେଇ ସୁପ୍ରିମକୋର୍ଟରେ ଏକ ପିଟିସନ୍‌ ଦାଏର ହୋଇଥିଲା। ଏହାକୁ ନଜରରେ ରଖି ୧୯୯୭ରେ ସୁପ୍ରିମକୋର୍ଟ କର୍ମଜୀବୀ ମହିଳାଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶାନାମ ଜାରି କରିଥିଲେ ଏବଂ ସରକାରକୁ ଆବଶ୍ୟକ ନିୟମ ପ୍ରଣୟନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଶାଖା ଗାଇଡ଼ଲାଇନ୍‌ ଜାରି ହେବାପରେ ୨୦୧୨ରେ ଏକ ମାମଲା ଉପରେ ଶୁଣାଣି ସମୟରେ ଏପରି ସମସ୍ୟାର ସମାଧାନ ପାଇଁ ସମିତି ଗଠନ କରିବା ପାଇଁ ନିର୍ଦ୍ଦେଶ ହୋଇଥିଲା। ଆଉ ତା’ପରେ କେନ୍ଦ୍ର ସରକାର ୨୦୧୩ ଏପ୍ରିଲରେ ‘Sexual Harrassment of Women on Workplace Act’କୁ ମଞ୍ଜୁରୀ ପ୍ରଦାନ କରିଥିଲେ।

ବିଶାଖା ଗାଇଡ଼ଲାଇନ୍‌ ଅନୁସାରେ କୌଣସି ପ୍ରକାର ଅଶ୍ଳୀଳ ହରକତ, ଅଶ୍ଳୀଳ ଢଙ୍ଗରେ ଛୁଇଁବା, ଚାହିଁବା, ଯୌନ ସମ୍ବନ୍ଧ ସ୍ଥାପନ ପାଇଁ କହିବା କିମ୍ବା ଏଥିପାଇଁ ସମ୍ବନ୍ଧୀୟ ଟିପ୍ପଣୀ କରିବା, ଜୋର ଜବରଦସ୍ତି ଅଶ୍ଳୀଳ ଚିତ୍ର ଦେଖାଇବା ସବୁ ଯୌନ ଉତ୍ପୀଡ଼ନ ଅନ୍ତର୍ଭୁକ୍ତ।

କ’ଣ ରହିଛି ବିଶାଖା ଗାଇଡ଼ଲାଇନ୍‌ ?

୧) ସମସ୍ତ ସଂସ୍ଥାନରେ ଏକ ଅନ୍ତରୀଣ ଅଭିଯୋଗ ସମିତି ସ୍ଥାପନା କରିବା ଅନିବାର୍ଯ୍ୟ।

୨) ଆଉ ଉକ୍ତ ସମିତିର ଅଧ୍ୟକ୍ଷ ଜଣେ ମହିଳା ହେବା ଦରକାର। ଏହି ସମିତିରେ ଯୌନ ଶୋଷଣ ମୁଦ୍ଦା ଉପରେ କାମ କରଥିବା କୌଣସି ବି ଏନଜିଓର ପ୍ରତିନିଧି ମଧ୍ୟ ସାମିଲ ହେବା ଜରୁରୀ।

୩) ତେବେ ଏହି ସମିତିର ମୁଖ୍ୟ କାମ ହେଲା ପୀଡ଼ିତା ମହିଳାଙ୍କ ଅଭିଯୋଗ ଶୁଣିବା ଏବଂ ତାଙ୍କ ଉପରେ ଯେପରି କୌଣସି ଆକ୍ରମଣ ନୁହଏ କିମ୍ବା ତାଙ୍କ ଉପରେ କୌଣସି ବାଧ୍ୟବାଧକତା ନରହୁ ସେଥିପ୍ରତି ନଜର ଦେବା।

୪) ତେବେ ଏକ ବର୍ଷ ମଧ୍ୟରେ ଆସିଥିବା ଅଭିଯୋଗକୁ ଲିଖିତ ଭାବେ ସରକାରଙ୍କୁ ରିପୋର୍ଟ ପଠାଇବା ସମିତିର ପ୍ରଥମ କାମ। କେହି ଦୋଷୀ ସାବ୍ୟସ୍ତ ହେଲେ ସମିତିି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ।

ସମ୍ବନ୍ଧିତ ଖବର