ମୁସଲିମ୍ ମହିଳାଙ୍କ ପାଇଁ ଦେବଦୂତ ସାଜିଲେ ହିନ୍ଦୁ ବ୍ୟକ୍ତି, ଅଙ୍ଗଦାନ କରି ବଞ୍ଚାଇଲେ ଜୀବନ

କୋଲକାତା: ଏବେ ସରକାରଙ୍କ ନୂଆ ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶ ଦୁଇ ଭାଗ ହୋଇଥିବା ବେଳେ ପୁଣି ଥରେ ଧର୍ମ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଛି। ବି‌ଶେଷ କରି ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଏବେ ସିଏଏକୁ ନେଇ ବିବାଦ ଲାଗି ରହିଥିବା ବେଳେ କୋଲକାତାରେ ଘଟିଥିବା ଘଟଣା ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଛି। ଜଣେ ମୁସଲିମ୍ ମହିଳାଙ୍କ ପାଇଁ ହିନ୍ଦୁ ବ୍ୟକ୍ତି ଦେବଦୂତ ସାଜି ଆସିବା ଏବଂ ତାଙ୍କର ଜୀବନ ବଞ୍ଚାଇବା ଘଟଣା ଏବେ ସମସ୍ତଙ୍କ ଆଖିରେ ଲୁହ ଆଣିଛି। ଧମର୍କୁ ମଝିକୁ ନ ଆଣି ମଣିଷ ହୋଇ ସେ ଜଣେ ମଣିଷକୁ ସାହାଯ୍ୟ କରିଛନ୍ତି।  ଆଜି ଦୁନିଆ ଛାଡ଼ି ଚାଲି ଯାଇଥିଲେ ମଧ୍ୟ ନିଜର ଅଙ୍ଗଦାନ କରି ଜଣଙ୍କୁ ନୂଆ ଜୀବନ ଦେଇ ଯାଇଛନ୍ତି।

ଏଠାରେ ଯାହାଙ୍କ ବିଷୟରେ କୁହାଯାଉଛି, ସେ ହେଉଛନ୍ତି ୬୭ବର୍ଷୀୟ କଲ୍ୟାଣ କୁମାର ରାୟ ଚୌଧୁରୀ। କଲ୍ୟାଣ ଏକ ସଡ଼କ ଦୁର୍ଘଟଣାର ଶିକାର ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ଅପୋଲୋ ‌ହସ୍ପିଟାଲ ଅଣାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସା ଚାଲୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ବୁଧବାର କଲ୍ୟାଣଙ୍କ ମୃତ୍ୟୁ ହେବା ପରେ ତାଙ୍କ ପରିବାରକୁ ଅଙ୍ଗଦାନ ବିଷୟରେ କହିଥିଲେ ଡାକ୍ତର।

Related image
blog.uvahealth.com

ସହାନା ଖାତୁନ ନାମକ ଜଣେ ମହିଳାଙ୍କର ଯକୃତ ଦରକାର ଥିବ‌ାରୁ ଡାକ୍ତର କଲ୍ୟାଣଙ୍କ ଯକୃତ ଦାନ କରିବା ନେଇ ପରିବାର ଲୋକଙ୍କଠାରୁ ଅନୁମତି ମ‌ାଗିଥିଲେ। ମୁସଲିମ୍ ବୋଲି ଜାଣି ମଧ୍ୟ ପରିବାର ଲୋକେ ତୁରନ୍ତ ଅଙ୍ଗଦାନ ପାଇଁ ହଁ ଭରିଥିଲେ। ଏବେ ସହାନା ଖାତୁନଙ୍କ ଶରୀରରେ କଲ୍ୟାଣଙ୍କ ଯକୃତ ପ୍ରତିରୋପଣ କରାଯାଇଥିବା ବେଳେ ସେ ସୁସ୍ଥ ଥିବା କହିଛନ୍ତି ଡାକ୍ତର।

କଲ୍ୟାଣଙ୍କ ଝିଅଙ୍କ କହିବା ମୁତାବକ, ସହାନା ଖାତୁନଙ୍କ ବିଷୟରେ ଡାକ୍ତର ଆମକୁ ଜଣାଇଥିଲେ। ଏହା ପରେ ଆମେ ଅଙ୍ଗଦାନ କରିବା ନେଇ ଦ୍ବିତୀୟ ଥର ମଧ୍ୟ ଭାବି ନ ଥିଲୁ। ଏଭଳି ହେବା ଦ୍ବାରା ଆମ ବାପା କାହା ମଧ୍ୟରେ ବଞ୍ଚି ରହିବେ ବୋଲି ଭାବି ଆମେ ବାପାଙ୍କ ଯକୃତ ସହାନା ଖାତୁନଙ୍କୁ ଦାନ କରିଥିଲୁ। ବର୍ତ୍ତମାନ ସେ ନିଜ ଜୀବନ ଆଗକୁ ଖୁସିରେ ବଞ୍ଚି ପାରିବେ।

ସମ୍ବନ୍ଧିତ ଖବର