ଲୋକେ ପୂର୍ବଜନ୍ମ କଥା ମନେପକାଇ ପାରନ୍ତି ନାହିଁ କାହିଁକି?

ଭୁଲି ଯିବା ମଣିଷର ପ୍ରବୃତ୍ତି। ପୂର୍ବଜନ୍ମ କଥା ଛାଡ଼ନ୍ତୁ, ବର୍ଷେ ତଳର, ମାସେ ତଳର କିଂବା ସପ୍ତାହେ ତଳର ଏଇ ମୁହୂର୍ତ୍ତରେ ଜଣେ କ’ଣ କରୁଥିଲେ ତାହା ସେ ସ୍ମରଣ କରି ପାରିବେ ନାହିଁ। ଅତୀତ ଘଟଣା ମନେ ପକାଇ ନ ପାରିଲେ ମଧ୍ୟ ଘଟଣାଟି ଯେ ଘଟି ନାହିଁ ତାହା ଅସ୍ୱୀକାର କରି ହେବ ନାହିଁ।

ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ଉଭୟ ସ୍ମରଣ ଶକ୍ତି ହ୍ରାସ ଏବଂ ଗର୍ଭଧାରଣରେ ଅକ୍ସିଟକ୍ସିନ୍‌ ନାମକ ରାସାୟନିକ ପଦାର୍ଥ ସମ୍ପୃକ୍ତ ଥାଏ। ତେଣୁ ଜଣେ ମାତୃଗର୍ଭରେ ଥିବା ସମୟରେ ସେଠାରୁ କ୍ଷରିତ ହୋଇଥିବା ଅକ୍ସିଟକ୍‌ସିନ୍‌ ପୂର୍ବଜନ୍ମ କଥା ଭୁଲି ଯିବା ପାଇଁ ଦାୟୀ।

ଏହା ବ୍ୟତିରେକେ, ଦୁଃଖଦାୟକ ଘଟଣାବଳୀ ସବୁକୁ ଭୁଲି ଯିବା ହେଉଛି ଆମର ମାନସିକ ପ୍ରତିରକ୍ଷାର ପ୍ରବୃତ୍ତି। ପ୍ରତି ଜନ୍ମରେ ଜଣେ ପାଇଥିବା ଦୁଃଖକଷ୍ଟ ସମୟକ୍ରମେ ଭୁଲି ହୋଇ ଆସେ। ଜଣକର ବର୍ତ୍ତମାନ ଏବଂ ପୂର୍ବଜନ୍ମ ମଧ୍ୟରେ ଥାଏ ମୃତ୍ୟୁ ରୂପକ ଦୁଃଖ। ମନେକରନ୍ତୁ ଜଣେ କାର୍‌ ଦୁର୍ଘଟଣାରେ ମରିଥିବା କଥା ମନେପକାଇ ପାରିଲେ ସେ ସାରା ଜୀବନ କାର୍‌କୁ ଡରିମରି ରହନ୍ତେ। ଏ ଭଳି ମାନସିକ ବିଭ୍ରାନ୍ତିରୁ ରକ୍ଷା କରିବା ପାଇଁ ପ୍ରକୃତି ମଣିଷର ପୂର୍ବଜନ୍ମ ସ୍ମୃତି ସବୁକୁ ପୋଛି ଦେବାର ବ୍ୟବସ୍ଥା କରିଛି।


ସମ୍ପ୍ରାତିକ ସମୟରେ ଅଧିକାଂଶ ବିଜ୍ଞାନ ବିଶ୍ୱାସୀ ଲୋକେ ପୂର୍ବଜନ୍ମକୁ ଅନ୍ଧବିଶ୍ୱାସ ବୋଲି ବିବେଚନା କରୁଛନ୍ତି। କେତେକ ପିଲା ଆପଣା ଛାଏଁ ନିଜର ପୂର୍ବଜନ୍ମ କଥା ବଖାଣି ବସନ୍ତି, କିନ୍ତୁ ତା’ର ସ୍ମୃତିଶକ୍ତିର ଦୋଷ ବିଚାରି ପିତାମାତା ହେୟଜ୍ଞାନ କରନ୍ତି। ତେଣୁ ପିଲାଟି ବାଧ୍ୟ ହୋଇ ଆଉ ସେ କଥା କହେ ନାହିଁ। ଏହାକୁ ଗବେଷକମାନେ ପୂର୍ବଜନ୍ମ ସ୍ମୃତିର କଣ୍ଠ ରୋଧ ବୋଲି କହନ୍ତି।

ବହୁ ପିଲାମାନଙ୍କ ଠାରେ ଏ ଭଳି ପୂର୍ବଜନ୍ମ ବଖାଣିବା ସ୍ମୃତି ରହିଥାଏ ବୋଲି ଗବେଷକ ଡକ୍ଟର୍‌ ଇଆନ୍‌ ଷ୍ଟିବେନ୍‌ସନ୍‌ କହନ୍ତି। ପିଲାଏ ପୂର୍ବଜନ୍ମ କଥା କହି ପାରୁଥିବା ବେଳେ ବୟସ୍କମାନେ କାହିଁକି ତାହା କହି ପାରନ୍ତି ନାହିଁ? ଏଥିପାଇଁ ପୂର୍ବଜନ୍ମର କିଛି ନିର୍ଦ୍ଦିଷ୍ଟ କର୍ମ ଦାୟୀ। ଜଣକର ପୂର୍ବଜନ୍ମର କର୍ମ ସ୍ମୃତିଶକ୍ତିକୁ ଯାଞ୍ଚ କରିଥାଏ। ତାହା ଜଣକର ଏ ଜନ୍ମର ଘଟଣାବଳୀ ଓ ତଥ୍ୟ ସହ ମଧ୍ୟ ଯୋଡ଼ି ହୋଇଥାଏ। ତେଣୁ କେତେକ ଲୋକ ସେମାନଙ୍କ ପୂର୍ବଜନ୍ମ କଥା ସ୍ମରଣ କରି ପାରନ୍ତି ନାହିଁ। ଅନ୍ୟ କେତେକ ଏବେ ଗତିକରୁ ଥିବା ପରିସ୍ଥିତି ସହ ପୂର୍ବରୁ ପରିଚିତ ହେବା ପରି ରହସ୍ୟମୟ ଧାରଣା ଅନୁଭବ କରନ୍ତି। ଆଉ କେତେକ ଲୋକ ପୂର୍ବଜନ୍ମର କଥା ସ୍ପଷ୍ଟ ଭାବେ ମନେପକାଇ ପାରନ୍ତି।

ସମ୍ବନ୍ଧିତ ଖବର