କାହିଁକି ବଢ଼ୁଛି ଡିଜେଲ ଦର ? ଜାଣନ୍ତୁ ଏହା ପଛରେ ଥିବା ଅସଲ କାରଣ

ଦିନକୁ ଦିନ ବଢ଼ିବାରେ ଲାଗିଛି ଡିଜେଲ ଦର। ତିନି ଦିନ ହେଲା ପେଟ୍ରୋଲ ଦରକୁ ଟପିଗଲାଣି ଡିଜେଲ ଦର । ଓଡ଼ିଶାରେ ସୃଷ୍ଟି ହୋଇଛି ଏଭଳି ଏକ ବିଚିତ୍ର ଅବସ୍ଥା । ଏଭଳି କାହିଁକି ହେଉଛି ସେ ନେଇ ଏବେ ଆରମ୍ଭ ହୋଇଛି ଆରୋପ-ପ୍ରତ୍ୟାରୋପ। ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଚାଲିଛି ଟଣାଓଟରା। ଏପରିପ୍ରେକ୍ଷୀରେ ଆସନ୍ତୁ ଦେଖିବା କାହିଁକି ବଢ଼ୁଛି ଡିଜେଲ୍ ଦର ? ପେଟ୍ରୋଲଠାରୁ ଡିଜେଲ୍ ବେସ୍ ରେଟ୍ ଅଧିକ କାହିଁକି ?

ବର୍ଷ ବର୍ଷ ଧରି ଡିଜେଲ୍ ଦର ପେଟ୍ରୋଲ ଦର ତଳେ ରହୁଥିବା ବେଳେ ଏବେ କାହିଁକି ପେଟ୍ରୋଲକୁ ଟପିଯାଉଛି ଡିଜେଲ୍ ଦର ? କେନ୍ଦ୍ର ସରକାର ପେଟ୍ରୋଲ ତୁଳନାରେ ଡିଜେଲ୍ ଉପରେ ପ୍ରାୟ ୪ ଟଙ୍କାର କେନ୍ଦ୍ରୀୟ ଟିକସ କମାଇ ଦେଇଛନ୍ତି । ମାତ୍ର ଡିଜେଲର ମୂଳ ଦର ବା ବେସ୍ ପ୍ରାଇସକୁ ଠିକ୍ ସେତିକି ଅର୍ଥାତ୍ ପ୍ରାୟ ୪ ଟଙ୍କା ବଢ଼ାଇ ଦେଇଛନ୍ତି । ଫଳରେ ଗ୍ରାହକଙ୍କୁ ଟିକସ ହ୍ରାସର କୌଣସି ସୁଫଳ ମିଳୁନାହିଁ ।

ଦେଖନ୍ତୁ ଭୁବନେଶ୍ୱରରେ ରହିଥିବା ଆଜିର ଚିତ୍ରକୁ :

ପେଟ୍ରୋଲ                                         ଟଙ୍କା
ଡିଲରଠାରୁ ତୈଳ କମ୍ପାନୀ ନେଉଥିବା ଦର     ୪୬.୪୯
କେନ୍ଦ୍ରୀୟ ଟିକସ                                  ୧୭.୯୮
ଭାଟ                                              ୧୫.୮୯
ମୋଟ                                             ୮୦.୩୬

ଡିଜେଲ                                            ଟଙ୍କା
ଡିଲରଠାରୁ ତୈଳ କମ୍ପାନୀ ନେଉଥିବା ଦର     ୫୦.୫୧
କେନ୍ଦ୍ରୀୟ ଟିକସ                                  ୧୪.୦୯
ରାଜ୍ୟ ଟିକସ                                     ୧୫.୮୯
ମୋଟ                                             ୮୦.୪୯

ଏମିତି ଦେଖିଲେ ଆଜି ଭୁବନେଶ୍ୱରରେ ପ୍ରେଟୋଲ ଠାରୁ ଡିଜେଲ୍ ଦର ୧୩ ପଇସା ଅଧିକ ରହିଛି । ଶନିବାରଠାରୁ ଓଡ଼ିଶାରେ ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳିଛି । ଅନ୍ୟପଟେ କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାର ଭାଟ୍ କମ୍ କରୁନଥିବା ଦର୍ଶାଇ ରାଜ୍ୟ ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କୁ ଟାର୍ଗେଟ୍ କରିଥିଲେ । ଆଜି ଏହାର ଜବାବ ଦେଇଛନ୍ତି ମନ୍ତ୍ରୀ ଶଶୀଭୂଷଣ ବେହେରା । ତୈଳ ଦର ବୃଦ୍ଧି କେନ୍ଦ୍ର ତୈଳ ମନ୍ତ୍ରୀଙ୍କ ଅପରାଗତାକୁ ପ୍ରମାଣିତ କରୁଛି ବୋଲି ସେ କହିଛନ୍ତି । ଯେଉଁ ବେସ୍ ପ୍ରାଇସକୁ ନେଇ ଏବେ ତମ୍ବିତୋଫାନ ହେଉଛି, ତାହା ହେଉଛି ବିନା ଟିକସରେ ଡିଲରଙ୍କ ଠାରୁ ତୈଳ କଂପାନୀ ନେଉଥିବା ଦର । ଗୋଟିଏ ପଟେ କେନ୍ଦ୍ର ସରକାର ଟିକସ କମାଉଛନ୍ତି, ଅନ୍ୟପଟେ ଡିଜେଲର ବେସ ପ୍ରାଇସ୍ ବୃଦ୍ଧି କରିଥିବାରୁ ଅଜବ ସ୍ଥିତି ଉପୁଜିଛି ।

ସମ୍ବନ୍ଧିତ ଖବର