ଜାଣନ୍ତୁ କାହିଁକି ସବୁ ମନ୍ତ୍ର ‘ଓମ୍‌’ରୁ ଆରମ୍ଭ ହୋଇ ‘ସ୍ୱାହା’ରେ ଶେଷ ହୋଇଥାଏ

ଅଧିକାଂଶ ମନ୍ତ୍ର ‘ଓମ୍‌’ରୁ ଆରମ୍ଭ ହୋଇ ‘ସ୍ୱାହା’ରେ ଶେଷ ହୋଇଥାଏ। ଏହା ପଛରେ ବି କାରଣ ରହିଛି। ଏହି ଦୁଇ ଶବ୍ଦର ଅର୍ଥ ଭିନ୍ନ। ଓମ୍‌ର ଅର୍ଥ ପ୍ରଣବ, ଅର୍ଥାତ ମୁଖ୍ୟ ମନ୍ତ୍ର। ଓମ୍‌ ଉଚ୍ଚାରଣ ନକରି ମନ୍ତ୍ରପାଠ ଅସମ୍ପୂର୍ଣ୍ଣ ହୋଇଥାଏ। ସ୍ୱାହା ହେଉଛି ଅଗ୍ନି ଦେବତାଙ୍କ ପତ୍ନୀଙ୍କ ନାମ। ଯେକୌଣସି ପୂଜା ଶେଷରେ ହୋମ ଜାଳି ଅଗ୍ନୀ ଦେବତାଙ୍କୁ ଶାନ୍ତ କରାଯାଇଥାଏ। ସେଥିପାଇଁ ଅଗ୍ନି ଦେବଙ୍କ ପତ୍ନୀଙ୍କ ନାମ ଧରି ହୋମରେ ଘିଅ ଢାଳିବା ଦ୍ୱାରା ପୂଜା ସଂପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

’ଓମ୍‌’ରେ ରଜ, ସତ ଏବଂ ତମ ଉପାଦାନଗୁଡ଼ିକ ରହିଛି। ‘ଓମ୍‌’ ଶବ୍ଦର ଅର୍ଥ ବ୍ରହ୍ମା ବୋଲି ବି ମନାଯାଏ। ସୃଷ୍ଟିକର୍ତ୍ତା ବା ସୃଷ୍ଟିର ଜନ୍ମଦାତା ବ୍ରହ୍ମାଙ୍କୁ ପ୍ରଥମେ ଆବାହନ କରିବା ଉଦ୍ଦେଶ୍ୟରେ ‘ଓମ୍‌’ ଶବ୍ଦ ପ୍ରୟୋଗ କରାଯାଏ। ଏହାବ୍ୟତୀତ ‘ଓମ୍‌’କୁ ଭଗବାନ ଗଣେଶଙ୍କ ସଂକେତ ବୋଲି ମନାଯାଏ। ଯେକୌଣସି ପୂଜାରମ୍ଭରେ ଭଗବାନ ଗଣେଶଙ୍କୁ ପୂଜା କଲେ ଶୁଭ ହୋଇଥାଏ ବୋଲି ‘ଓମ୍‌’ ଶବ୍ଦରୁ ପୂଜା କରାଯାଏ।

ଗୋଟାଏ ସମୟରେ ଦେବତାମାନେ ଖାଦ୍ୟ ପାଇଁ ବିକଳ ହେଉଥିଲେ। ଏହି ସମସ୍ୟାର ସମାଧାନ ପାଇଁ ସେମାନେ ବ୍ରହ୍ମାଙ୍କ ସହାୟ ଲୋଡିଲେ। ସୃଷ୍ଟି କର୍ତ୍ତା ବ୍ରହ୍ମା ଖାଦ୍ୟ ସମସ୍ୟା ଦୂର କରିବା ପାଇଁ ଦେବତାମାନଙ୍କୁ ଏକ ଉପାୟ ବତାଇଲେ। ସେ ଦେବତାମାନଙ୍କୁ କହିଲେ କି ଅଗ୍ନି ଦେବକୁ ଖାଦ୍ୟ ପ୍ରେରଣ କରିବା ସହ ଖାଦ୍ୟ ଅଗ୍ନିରେ ପକାଇବା ବେଳେ ‘ସ୍ୱାହା’ ଉଚ୍ଚାରଣ କରିବ। ସ୍ୱାହା ହେଉଛନ୍ତି ଅଗ୍ନି ଦେବଙ୍କ ପତ୍ନୀ। ତାଙ୍କ ନାମ ଉଚ୍ଚାରଣ କଲେ ଏହିସ ସମସ୍ୟା ଦୂର ହେବ। ଦେବତାମାନେ ସେପରି କରି ଫଳପ୍ରଦ ହେବା ପରଠାରୁ ଅଗ୍ନି ଶାନ୍ତ କରାଇବା ପାଇଁ ‘ସ୍ୱାହା’ ଉଚ୍ଚାରଣ କରାଯାଇଥାଏ।

ସମ୍ବନ୍ଧିତ ଖବର