ଦେବୀ ଲକ୍ଷ୍ମୀ କାହିଁକି ଭାଙ୍ଗନ୍ତି ‘ନନ୍ଦିଘୋଷ’ର ରଥକାଠ? କାହିଁକି ପକାନ୍ତି ଶ୍ରୀଜଗନ୍ନାଥଙ୍କ ଉପରେ ‘ମୋହନଚୂର୍ଣ୍ଣ’?

ରଥ କଥା - ଅସିତ ମହାନ୍ତି

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଗୋଟିଏ କୌତୁକପୂର୍ଣ୍ଣ ନୀତି ହେଉଛି ‘ହେରାପଞ୍ଚମୀ’ । ‘ହେରା’ର ଅର୍ଥ ଦର୍ଶନ ବା ଦେଖା । ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥିବା ଶ୍ରୀଜଗନ୍ନାଥଙ୍କୁ ଏହିଦିନ ଦେବୀ ଲକ୍ଷ୍ମୀ ‘ହେରିବାକୁ’ (ଦେଖିବାକୁ) ଯାଆନ୍ତି । ସେଇଥିପାଇଁ ଏହାର ନାମ ‘ହେରାଯାତ୍ରା’ । ରଥଯାତ୍ରାର ପଞ୍ଚମ ଦିନ ଏହି ନୀତି ହେଉଥିବାରୁ ଏହାର ନାମ ‘ହେରାପଞ୍ଚମୀ’ । କିନ୍ତୁ ପ୍ରକୃତରେ ଏହା ଆଷାଢ଼ ଶୁକ୍ଳ ଷଷ୍ଠୀ ତିଥିରେ ହୋଇଥାଏ ।

ଶ୍ରୀଜଗନ୍ନାଥ ଦାରୁବ୍ରହ୍ମ ହେଲେ ମଧ୍ୟ ତାଙ୍କର ଲୀଳାଖେଳା ଆମ ମଣିଷଙ୍କ ପରି । ତାଙ୍କର ଏହି ‘ମାନବୀୟ ଲୀଳା’ର ଗୋଟିଏ ନିଦର୍ଶନ ହେଉଛି ‘ହେରା ପଞ୍ଚମୀ’ । ଏହା ଶ୍ରୀଜଗନ୍ନାଥ ଓ ଦେବୀ ଲକ୍ଷ୍ମୀଙ୍କର ଏକ ‘ଦାମ୍ପତ୍ୟ-ଲୀଳା’ ।

ଏହାର ଆଖ୍ୟାନ ଅନୁସାରେ, ଲକ୍ଷ୍ମୀ ଦେବୀଙ୍କୁ ସାଙ୍ଗରେ ନନେଇ, ବଡ଼ଭାଇ ବଳଭଦ୍ର ଓ ସାନ ଭଉଣୀ ସୁଭଦ୍ରାଙ୍କ ସହିତ ଶ୍ରୀଗୁଣ୍ଡିଚାଯାତ୍ରାରେ ଚାଲିଯାଇଥିବାରୁ, ସ୍ତ୍ରୀ ଭାବରେ ଲକ୍ଷ୍ମୀ ରୁଷ୍ଟ ହୋଇଥାଆନ୍ତି । ତାଙ୍କର ସେହି ରୋଷ ପ୍ରତିଫଳିତ ହୋଇଥାଏ ଏହି ‘ହେରା’ ଯାତ୍ରାରେ ।

‘ଯାତ୍ରା ଭାଗବତ’ ଓ ‘ବାମଦେବ ସଂହିତା’ ଆଦିରେ ଏ ସଂପର୍କରେ ରୋଚକ ବର୍ଣ୍ଣନା ଅଛି । ‘ବାମଦେବ ସଂହିତା’ରେ କୁହାଯାଇଛି- ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ଶ୍ରୀଜଗନ୍ନାଥ ଗୁଣ୍ଡିଚାଘରକୁ ଚାଲିଯିବା ପରେ, ବିରହ ବିଧୁରା ଲକ୍ଷ୍ମୀ ନିଜ ମନର ବ୍ୟଥାକୁ ଶ୍ରୀମନ୍ଦିର ପରିସରରେ ଥିବା ଭଗିନୀପ୍ରତିମା ବିମଳା ଦେବୀଙ୍କ ନିକଟରେ ଯାଇ କହନ୍ତି । ଏହାର ପ୍ରତିକାର ପାଇଁ ତାଙ୍କର ପରାମର୍ଶ ଲୋଡ଼ନ୍ତି । ଦେବୀ ବିମଳା ତାଙ୍କୁ ସାନ୍ତ୍ୱନା ଦେଇ କହନ୍ତି- ସ୍ୱାମୀ ଯଦି କେବେ ଅବିବେକୀ ପରି ଆଚରଣ କରନ୍ତି, କିଛି ଅକରଣୀୟ କାମ କରନ୍ତି, ତେବେ ତାଙ୍କୁ କୌଶଳ କରି ନିଜ ଆଡ଼କୁ ଆଣିବାକୁ ପଡ଼େ । ତେଣୁ ତୁମେ ତାଙ୍କୁ ଉଚ୍ଚାଟିତ କରି ନିଜ ଆଡ଼କୁ ଆକର୍ଷିତ କରିବାପାଇଁ ତାଙ୍କ ଉପରେ ‘ମୋହନଚୂର୍ଣ୍ଣ’ ପ୍ରୟୋଗ କର ।

ଏହା କହି ଦେବୀ ବିମଳା, ଲକ୍ଷ୍ମୀଙ୍କୁ ‘ମୋହନଚୂର୍ଣ୍ଣ’ ବି ଦିଅନ୍ତି । ବିମଳାଙ୍କର ଏହି ପରାମର୍ଶରେ ଦେବୀ ଲକ୍ଷ୍ମୀ ଆଷାଢ଼ ଶୁକ୍ଳ ଷଷ୍ଠୀ ଦିନ, ଗୁଣ୍ଡିଚା ମନ୍ଦିରରେ ଥିବା ଜଗନ୍ନାଥଙ୍କ ନିକଟକୁ ଯାଇ ତାଙ୍କ ଉପରେ ସେହି ମୋହନଚୂର୍ଣ୍ଣ ପ୍ରୟୋଗ କରନ୍ତି । ‘ଯାତ୍ରା ଭାଗବତ’ରେ ମଧ୍ୟ ଏ ସଂପର୍କରେ ବର୍ଣ୍ଣନା ଅଛି । ଦେବୀ ଲକ୍ଷ୍ମୀ ‘କର୍ପୂର-ଚନ୍ଦନ-ମୋହନ ଚୂର୍ଣ୍ଣ’ ଶ୍ରୀଜଗନ୍ନାଥଙ୍କ ଉପରକୁ ନିକ୍ଷେପ କରି ସ୍ୱଗୃହ (ଶ୍ରୀମନ୍ଦିର)କୁ ଫେରନ୍ତି ବୋଲି ସେଥିରେ କୁହାଯାଇଛି ।

ଏହି ନୀତି ଅନୁସାରେ, ହେରାପଞ୍ଚମୀ ଦିନ, ଶ୍ରୀମନ୍ଦିରର ଭଣ୍ଡାର ଘରଠାରୁ ଶ୍ରୀଦେବୀ (ଲକ୍ଷ୍ମୀ)ଙ୍କୁ ମହାଜନ ସେବକ ବିମାନକୁ ବିଜେ କରାଇ ଆଣନ୍ତି । ବିମାନବଡ଼ୁ ସେବକ ତାଙ୍କୁ ଆଡ଼ମ୍ବରପୂର୍ଣ୍ଣ ଘଣ୍ଟ, ବାଜା ଓ କାହାଳୀ ଆଦି ସହିତ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ଥିବା ରଥ ନିକଟକୁ ନେଇ ଯାଆନ୍ତି । ସେଠାରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଚିହ୍ନଟ କରିସାରି, ଦେବୀ ଲକ୍ଷ୍ମୀ ସେହି ରଥ ନିକଟରେ ବିମାନରେ ବସି ରହିଥିବା ବେଳେ, ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ପତିମହାପାତ୍ର ତାଙ୍କର ବନ୍ଦାପନା ଓ ଅର୍ଚ୍ଚନା କରନ୍ତି ।

‘ହେରାପଞ୍ଚମୀ’ ଯାତ୍ରାରେ ଆସି ନନ୍ଦିଘୋଷ ରଥ ଚିହ୍ନଟ କରୁଛନ୍ତି ଦେବୀ ଲକ୍ଷ୍ମୀ।

ତାହା ପରେ ଦେବୀଙ୍କ ବିମାନ ଶ୍ରୀଗୁଣ୍ଡିଚା ମନ୍ଦିରର ଜୟବିଜୟ ଦ୍ୱାର ନିକଟକୁ ଯାଏ । ସେହିଠାରେ ବିମାନରେ ଥାଇ, ସେ ବିମଳାଦେବୀଙ୍କଠାରୁ ଆଣିଥିବା ‘ମୋହନଚୂର୍ଣ୍ଣ’ ଶ୍ରୀଜଗନ୍ନାଥଙ୍କ ଉପରକୁ ନିକ୍ଷେପ କରନ୍ତି । ତାହାର ଫଳ ମଧ୍ୟ ତାଙ୍କୁ ତୁରନ୍ତ ମିଳେ । ଶ୍ରୀଜଗନ୍ନାଥଙ୍କଠାରୁ ତାଙ୍କୁ ଆଜ୍ଞାମାଳ ଦିଆଯାଏ । ତାହା ମାଧ୍ୟମରେ ଶ୍ରୀଜଗନ୍ନାଥ ତାଙ୍କୁ ପ୍ରତିଶ୍ରୁତି ଦିଅନ୍ତି ଯେ ତିନିଦିନ ପରେ ସେ ଶ୍ରୀମନ୍ଦିରକୁ ଫେରିଆସିବେ ।

କିନ୍ତୁ ଏହି ସମୟରେ ଆଉ ଗୋଟିଏ ଘଟଣା ଘଟେ । ସେତେବେଳକୁ ସଂଧ୍ୟାଧୂପର ସମୟ ହୋଇଯାଇଥିବାରୁ ‘ଟେରା’ (କନାର ଏକ ଆବରଣ) ପଡ଼ିଯାଏ ଏବଂ ଦେବୀ ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କର ଶ୍ରୀମୁଖକୁ ଆଉ ଅଧିକ ସମୟ ଦର୍ଶନ କରିପାରନ୍ତି ନାହିଁ । ସେଥିରେ ସେ ରୁଷ୍ଟ ହୁଅନ୍ତି । ପୁନଶ୍ଚ ‘ନନ୍ଦିଘୋଷ’ ରଥ ପାଖକୁ ଆସି ସେଥିରୁ ଖଣ୍ଡିଏ କାଠ ଭାଙ୍ଗିଦେଇ ଚାଲିଯାଆନ୍ତି ।

ଏହାକୁ ଦେବୀ ଲକ୍ଷ୍ମୀଙ୍କ କ୍ରୋଧର ପରିପ୍ରକାଶ ବୋଲି ସାଧାରଣତଃ କୁହାଯାଇଥାଏ । କିନ୍ତୁ ଏହା ତାଙ୍କର କ୍ରୋଧ ନୁହେଁ । ଏହା ତାଙ୍କର ପତି-ପ୍ରୀତିର ନିଦର୍ଶନ । ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ସହିତ ଫେରିବାର ପ୍ରତିଶ୍ରୁତି ପାଇବା ପରେ, ଆଉ କ୍ରୋଧର ଅବକାଶ ନଥାଏ । କିନ୍ତୁ ଅଧିକ ସମୟ ସ୍ୱାମୀଙ୍କ ଶ୍ରୀମୁଖ ଦର୍ଶନ ନକରି ପାରିବା ନେଇ ତାଙ୍କ ମନରେ କ୍ଷୋଭ ଜାତ ହୁଏ । ତାହାର ପରିପ୍ରକାଶ ଘଟେ ‘ନନ୍ଦିଘୋଷ’ର ରଥକାଠ ଭଙ୍ଗାରେ ।

‘ନନ୍ଦିଘୋଷ’ ରଥ ସମ୍ମୁଖରେ ଦେବୀ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା ଓ ବନ୍ଦାପନା

ଏପରି ଅଭିମାନର ଆଉ ଏକ ନିଦର୍ଶନ ମଧ୍ୟ ଏହି ‘ହେରାପଞ୍ଚମୀ’ ନୀତିରେ ଅଛି । ‘ଶ୍ରୀ ଦାରୁବ୍ରହ୍ମଙ୍କ ଆଜ୍ଞାମାଳ ରହସ୍ୟ’ ପୁସ୍ତକରେ ଶ୍ରୀମନ୍ଦିରର ପ୍ରତିହାରୀ ସେବକ ରବୀନ୍ଦ୍ର ନାଥ ପ୍ରତିହାରୀ ଏହାର ସୁନ୍ଦର ବ୍ୟାଖ୍ୟା କରିିଛନ୍ତି । ‘ହେରାପଞ୍ଚମୀ’ ଯାତ୍ରାରେ ଯିବାବେଳେ ଦେବୀ ଲକ୍ଷ୍ମୀ ଘଣ୍ଟ, ବାଜା ଓ କାହାଳୀ ସହିତ ରଥମାର୍ଗ (ବଡ଼ଦାଣ୍ଡ) ଦେଇ ଯାଇଥାଆନ୍ତି । କିନ୍ତୁ ରଥକାଠ ଭାଙ୍ଗି ଫେରିବା ବେଳେ ସେ ବିନା ଘଣ୍ଟ, ବାଜା, କାହାଳୀରେ, ହେରାଗୋହିରୀ ସାହି ବାଟ ଦେଇ ଫେରନ୍ତି । ଏଣୁ ଏହି ନୀତିର ବ୍ୟାଖ୍ୟା କରି ଶ୍ରୀ ପ୍ରତିହାରୀ କହିଛନ୍ତି, “ଏହି କାର୍ଯ୍ୟ (ରଥକାଠ ଭାଙ୍ଗିବା କାର୍ଯ୍ୟ) ଠିକ୍‍ ହେଲାନାହିଁ ବୋଲି ବୋଧହୁଏ ଜଗଜ୍ଜନନୀଙ୍କର ହୃଦ୍‍ବୋଧ ହୁଏ । ସେଥିପାଇଁ ସେ ନିଜକୁ ଅପରାଧୀଟିଏ ବୋଲି ଭାବି, ହେରା ଗୋହିରୀ ସାହି ବାଟଦେଇ, ଲୁଚିଲାପରି, ବିନା ଘଣ୍ଟ, ବାଜା ଓ କାହାଳୀରେ ଶ୍ରୀମନ୍ଦିରକୁ ଫେରନ୍ତି ।’’

‘ରଥଚକଡ଼ା ପୋଥି’ରେ ଏ ବାବଦରେ ଏକ ଐତିହାସିକ ସୂଚନା ଅଛି । ତାହା ଅନୁସାରେ, ରାଜା କପିଳେଶ୍ୱର ଦେବ ହେରାପଞ୍ଚମୀ ଯାତ୍ରାର ଏହି ବିଧାନକୁ ଆଡ଼ମ୍ବରପୂର୍ଣ୍ଣ ଭାବରେ କରାଇଥିଲେ । ସେ ଦେବୀଲକ୍ଷ୍ମୀଙ୍କର ସୁବର୍ଣ୍ଣ ପ୍ରତିମା ଗଢ଼ାଇ ଓ ହେରାଗୋହିରୀ ସାହି ବସାଇ ଏହି ନୀତି କଲେ ।

ଏ ସଂପର୍କରେ ଅଧିକ ତଥ୍ୟରୁ ଜଣାଯାଏ ଯେ ଏହି ଯାତ୍ରାରେ ସେତେବେଳେ ପଞ୍ଚପାଣ୍ଡବ (ପଞ୍ଚ ମହାଦେବ) ସାମିଲ ହେଉଥିଲେ । କିନ୍ତୁ ଏବେ ପଞ୍ଚପାଣ୍ଡବ ଆଉ ଏହି ଯାତ୍ରାରେ ଭାଗ ନେଉ ନାହାନ୍ତି ।

ସମ୍ବନ୍ଧିତ ଖବର

Comments are closed.