କେଦାରନାଥଙ୍କ ଅନ୍ୟ ନାମ ଜାଗୃତ ମହାଦେବ! ଜାଣନ୍ତୁ ଏପରି ନାମକରଣ ପଛର ରୋମାଞ୍ଚକ କାହାଣୀ

କେଦାରନାଥଙ୍କୁ ଜାଗୃତ ମହାଦେବ ବୋଲି କୁହାଯାଏ । ଏହି ନାଁ ଏବଂ ଏହା ପଛରେ ଥିବା କାରଣ ବିଷୟରେ ଖୁବ୍‌ କମ ଲୋକ ଜାଣିଛନ୍ତି । ଆଜି ଆମେ ଏହି ନାଁ ପଛର କାହାଣୀ ଆପଣମାନଙ୍କୁ ଜଣାଇବାକୁ ଯାଉଛୁ ।

କୁହାଯାଏ, ଅନେକ ବର୍ଷ ପୂର୍ବେ ଜଣେ ଶିବ ଭକ୍ତ କେଦାରନାଥ ଦର୍ଶନ କରିବା ପାଇଁ ନିଜ ଘରୁ ଚାଲିବା ଆରମ୍ଭ କରିଥିଲେ । କେଦାରନାଥରେ ପହଞ୍ଚିବା ପାଇଁ ତାଙ୍କୁ ଏକ ମାସ ସମୟ ଲାଗିଥିଲା । କିନ୍ତୁ ସେଠାରେ ପହଞ୍ଚିବା ବେଳକୁ କେଦାରନାଥ ମନ୍ଦିର ଦ୍ୱାର ୬ମାସ ପାଇଁ ବନ୍ଦ ହୋଇ ସାରିଥିଲା । ପରମ୍ପରା ଅନୁଯାୟୀ ମନ୍ଦିରର ଦ୍ୱାର ୬ମାସ ପରେ ଖୋଲିବାର ଥିଲା । ଏହା ଜାଣି ଭକ୍ତ ଜଣଙ୍କ ମନ ଦୁଃଖ କରିବା ସହ ମନ୍ଦିରର ପୂଜାରୀଙ୍କୁ ମନ୍ଦିରର ଦ୍ୱାର ଖୋଲିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ପରମ୍ପରାକୁ ଭାଙ୍ଗି ପାରିବି ନାହିଁ ବୋଲି କହି ମନ୍ଦିରର ପୂଜାରୀ ସେଠାରୁ ଚାଲି ଯାଇଥିଲେ । ହାର୍‌ ନ ମାନି ଭକ୍ତଜଣଙ୍କ ମନ୍ଦିର ପରିସରରେ ବସି ରହିଥିଲେ ।

ରାତି ସମୟରେ ଜଣେ ଯୋଗୀଙ୍କର ମନ୍ଦିରକୁ ଆସୁଥିବା ଦେଖି ଭକ୍ତ ଜଣଙ୍କ ଉଠି ପଡ଼ିବା ସହ ତାଙ୍କୁ ନିଜ ଦୁଃଖ ଜଣାଇଥିଲେ । ଭକ୍ତଙ୍କ ଦୁଃଖ ଶୁଣି ଯୋଗୀ ତାଙ୍କୁ ଆଶ୍ୱାସନା ଦେଇ ମନ୍ଦିରର କବାଟ ନିଶ୍ଚୟ ଖୋଲିବ,ତୁମେ ଶିବଙ୍କ ଦର୍ଶନ ନିଶ୍ଚୟ ଖୋଲିବ ବୋଲି କହି ଚାଲି ଯାଇଥିଲେ । ପରେ ଭକ୍ତଜଣଙ୍କ ନିଘୋଡ଼ ନିଦରେ ଶୋଇ ସକାଳୁ ଉଠିବା ପରେ ମନ୍ଦିରର ପୂଜାରୀ ଏବଂ ତାଙ୍କର ଅନ୍ୟ ସାଥୀମାନେ ମନ୍ଦିରର ଦ୍ୱାର ଖୋଲିବାକୁ ଆସୁଥିବା ଦେଖିଥିଲେ ।

ଆପଣ ତ ୬ ମାସ ପରେ ଦ୍ୱାର ଖୋଲିବେ ବୋଲି କହୁଥିଲେ,କିନ୍ତୁ ଆଜି କ’ଣ ପାଇଁ ଖୋଲିଲେ ବୋଲି ଭକ୍ତ ପ୍ରଶ୍ନ କରିବା ପରେ ପୂଜାରୀ ଜଣଙ୍କ ୬ମାସ ପରେ ହିଁ ଦ୍ୱାରା ଖୋଲା ଯାଉଛି ବୋଲି ଉତ୍ତର ରଖିଥିଲେ । କିଛି ନ ବୁଝି ଭକ୍ତ ଜଣଙ୍କ ରାତିର ସବୁ କଥା ପୂଜାରୀଙ୍କୁ ଜଣାଇବା ପରେ ରାତିରେ ଭଗବାନ ଶିବ ହିଁ ଯୋଗୀ ରୁପରେ ଆସିଥିବା ଜାଣି ପାରିଥିଲେ ପୂଜାରୀ । ଏହି ଘଟଣା ପରଠାରୁ କେଦାରନାଥର ଅନ୍ୟନାମ ଜାଗୃତ ମହାଦେବ ରଖାଯାଇଥିଲା ।

ସମ୍ବନ୍ଧିତ ଖବର